Unknown

 

 

 

 

 

 

 

 

 

 

 

ଆଖି

ପ୍ରସନ୍ନ ପାଟ୍ଟଶାଣୀ

 

 

 

 

 

 

 

 

 

 

 

ଏ ଦେଶର ଅଗଣିତ ଅନ୍ଧମାନଙ୍କୁ

 

ପ୍ରସନ୍ନ ପାଟ୍ଟଶାଣୀ

Image

 

କିଛି ଦେଖିବାର ନାହିଁ !!!

 

ଆଖି । ଅନେକ କାହାଣୀର ଆଖି । ଆଖିର ଅନ୍ତରୀକ୍ଷରେ ଜ୍ୱଳମାନ ଯୁଗାବ୍‌ଧିର ଅନେକ ରକ୍ତ ରୂପ । ଲୁହର ଝରକା ଦେଇ ପବନରେ ଢଳ ଢଳ ହେଉଥାଏ ଉଦାସୀ ଡୋଳା । କେତେ ଶୂନ୍ୟ ଚେତନାରେ ସ୍ପନ୍ଦିତ ତା’ର ନୀରବ ଇଲାକା । ପରଦା ପରେ ପରଦା ଓଲଟାଇ ଦୃଷ୍ଟି ପଶେ ନାଟକୀୟ ଭଙ୍ଗୀରେ ଡୋଳାର ରକ୍ତ ପଟଳରେ । ଏଥିରେ ପୁଣି ବିମ୍ବିତ ହୁଏ ଜନ୍ମ ମୃତ୍ୟୁର ରୋମାଞ୍ଚ ଓ ବିଭୀଷିକା । ଦ୍ୱିପ୍ରହର ଖରା କଡ଼ ଲେଉଟାଇଲା ପରି ଓଲଟିପଡ଼େ ଡୋଳା ଜୀବନର ନୂତନ ଘଡ଼ିସନ୍ଧି ଭିତରେ । ତା’ର ତୀବ୍ର ଦୃଷ୍ଟିର ଗୁଳିରେ ମୁଁ ହୋଇଛି ଆତତାୟୀ ଗପଟିଏ, ସମୟେ ସମୟେ ପାଲଟିଛି ପଂକ୍ତିଟିଏ ନୂତନ ପୌରୁଷତାର ଝଲକରେ । ଏଇ ଆଖି ତ ଅନେକ ପ୍ରକାରର-। ଅନେକ ମଣିଷ ଭିତରେ, ଅନେକ ଉଦ୍ଭିଦ ଭିତରେ, ଅନେକ ଇତର ଜନ୍ତୁଜୁନ୍ତାଙ୍କ ମଧ୍ୟରେ । ଏଗୁଡ଼ିକର ନୂତନ ରଙ୍ଗ, ପାରିପାର୍ଶ୍ୱିକ ସମୟର ତାଡ଼ନାରେ ।

 

ଢଳ ଢଳ ଦୁଇଟି ଆଖି । ଦୁଇଟି ଆଖିରେ ମୋର ପରିସ୍ଫୁଟ ପ୍ରକୃତିର ସହସ୍ର ଡୋଳା । ଏଇ ଆଖି ଦେଖିଛି ଘନ ସବୁଜିମା ଭିତରେ ପତ୍ରର ସବୁଜତାରେ ଉଦ୍ଭିଦର ସହସ୍ର ଆଖି । ଟାଣି ଧରେ ସୂର୍ଯ୍ୟର ରଶ୍ମି । ସକରୁଣ ଦୃଷ୍ଟିରେ ମାଗିପାରେ ନିଜକୁ ଦହନ କରି ଅନ୍ୟ ନିମିତ୍ତ ଖାଦ୍ୟ ରାନ୍ଧିବାରେ ।

 

ଆଜି ସେଇ ପେଟ ଭିତରେ ଜଳୁଛି ଭୋକର ସହସ୍ର ଦିହୁଡ଼ି । ପେଟ କଥା କହିପାରେ ଆଖିକୁ ଗୋପନରେ । ଭୋକ ଫୁଟାଇ ପାରେ ମଣିଷର ବଳିଷ୍ଠ ଆଖିକୁ ବେଦନାରେ । ତା’ର ବିଛୁରିତ ଢେଉ ଖେଳିଉଠିଛି ମୋ ‘କ୍ଷୁଧା’ ର ପ୍ରତିଟି କୋଷରେ । ଆକାଶ ବୋଳେ ସୂର୍ଯ୍ୟର ସିନ୍ଦୂର ମଥାରେ ଠିକ୍‌ ଏକ ବିପ୍ଳବୀ ଭଳି । ଜୀବନର ପ୍ରତିଶ୍ରୁତିଟିଏ ଯେପରି ବୋଳି ଦେଇଛି ମୋର ଆଖିରେ ଗୌରବର ରକ୍ତ । ସଭ୍ୟତାର ମୋଡ଼ ଭିତରେ ଜଳୁଛି ଅନୁଭୂତିର ଆଖି । କେତେ ଇତିହାସର ଡୋଳାରୁ ଲୁହ ଟୋପା ଟୋପା ମାଟି ଉପରେ ଭିଜିଯାଇଛି । ଊର୍ଦ୍ଧ୍ୱଚେତନାର କ୍ରାନ୍ତି ନେଇ ଏଇ ଆଖି ଅନେଇଛି ଗରିବର ଝାଳ ଓ ଲୁହକୁ । ହାତରେ ଝୁଲେଇଛି ହାତକଡ଼ି । ଆଖି ଶିଖିଛି ଅଜାମର ହେବା ପାଇଁ ହାତକଡ଼ିର ବନ୍ଧନ ଭିତରେ । ଚିତ୍କାର କରି ଦୃଷ୍ଟିର ଗୋଳାରେ ଭାଙ୍ଗିଛି ପୁଞ୍ଜିବାଦର ବ୍ୟୁହ । ଉଡ଼ାଇଛି ଜୈତ୍ର କେତନ । ‘‘ପତାକା’’ ତା’ର ଶିରୋନାମାକୁ ସାର୍ଥକ କରିଛି ପୁସ୍ତକର ନୂତନ ଅକ୍ଷରର ବିଶ୍ୱ ଭିତରେ ।

 

ଅଭିନୟ କରିଛି ଆଖି ଅନନ୍ତ ଆକାଶର ନୀଳିମାଠାରୁ ବିଶ୍ୱର ଅଦାଲତ ପର୍ଯ୍ୟନ୍ତ । ମୁକ୍ତିଠାରୁ କାରା । ଆନନ୍ଦଠାରୁ ବିଷାଦ । ରତି ଠାରୁ କ୍ଳାନ୍ତି । ସ୍ଥାଣୁ ଠାରୁ କ୍ରାନ୍ତି । କ୍ରିୟମାଣତା ଠାରୁ ଅବକ୍ଷୟବାଦ । ସ୍ୱର୍ଗଠାରୁ ନରକ । ‘‘ଅଭିନୟ’’ ର ମୁଖାରେ ଅନନ୍ତ ସାକ୍ଷୀ ଏଇ ଆଖି । ଏହାର ଭିନ୍ନ ଭିନ୍ନ ସମୟର ଦୃଷ୍ଟିକୋଣ ଜୀବନର ଭାରସାମ୍ୟତାକୁ ବହନ କରି ଚାଲିଛି ।

 

ଆଖିରେ ଦେଖିଲେ ଦିଶେ ନଡ଼ାର ଦେହରେ ସମଗ୍ର ଶସ୍ୟ କିଆରୀର ବିରଳ ଦୃଶ୍ୟ । ଏକ ଲୋହିତ ପୃଥିବୀର ଶ୍ରଦ୍ଧା । ଏକ ରକ୍ତରଙ୍ଗା କରବୀର ଅନନ୍ତ ଲାଲିମା ବାରବାର ମୋତେ ଆକର୍ଷଣ କରିଛି ରକ୍ତର ଉଜ୍ଜ୍ୱଳ ଗୌରବ ଦିଗନ୍ତକୁ । ପାଖେ ପାଖେ ତା’ର ପରାଜୟର ଉଦାସ ପ୍ରତିଶ୍ରୁତି । ଝିଣ୍ଟିକାର ଆଖିରେ ଅଙ୍କିତ ହୋଇଯାଇଛି ଉପର ଫସଲର ଭାଷା । କୃଷକର ଭଙ୍ଗାହାଡ଼ ଉପରେ ଶୀତର ଜଞ୍ଜିର । ପାଣି ଫାଟିଯାଇଛି ମେହନଦୀର ରକ୍ତ ‘‘ପରାଜୟ’’ ର ଏକ ଫିକା ଦୃଶ୍ୟପଟରେ ।

 

ମଣିଷର ଆଖି ପରାଜୟ ସ୍ୱୀକାର କରିପାରେନା । ସେ ଦେଖିପାରେ ଘନ ତମିସ୍ରା ଭିତରେ କଳା ଗାଈର ଆଖିର ସହସ୍ର ବଖରା ଝଲସି ଉଠୁଛି ଘାସର ଅସୀମ ସବୁଜତା ପାଇଁ । ସବୁଜ ଘାସର ସୁମଧୁର ସଞ୍ଚିତ ଦୁଧର ଅଦୃଶ୍ୟ ସାଗର ଭିତରେ ସ୍ନାନ କରି ଉତ୍‌ଫୁଲ୍ଲ ହୋଇଉଠେ ଗାଈର ଆଖି । ଏଥିପାଇଁ ତା’ର କି ସାଧନା ? ପାଟିରୁ ତା’ର ବାତ୍ସଲ୍ୟତାର ଫେଣ ଟୋପା ଟୋପା ହୋଇ ଖସିଆସେ । ଆଖିରେ ତା’ର ଚଳନ୍ତି ପୃଥିବୀର ପ୍ରାଣ । ଡୋଳାରେ ତା’ର ପିଡ଼ିତ ଆତ୍ମାର ସୁବର୍ଣ୍ଣ ଆକାଶ ।

 

ଆଧୁନିକ ସଭ୍ୟତାରେ ମଣିଷର ଆଖି ଏକ ଲୁବ୍‌ଧକର ଦୃଷ୍ଟି । ତା’ର ଦୃଷ୍ଟିରେ ଗୁଳିରେ ଏକ ନିହତ ସୂର୍ଯ୍ୟାସ୍ତ । ମୃତ ପ୍ରଜାପତିର ଡେଣାରେ ଅନେକ ଅଫୁଟା କୁସୁମର ଆଖି ପରି ଚିନ୍ତାର ପରରୁ ଖସିପଡ଼ିଛି ତା’ର ବିବିଧ ବିଭକ୍ତ ପୃଥିବୀର ଦୃଷ୍ଟି ।

 

ଆଖି ଦେଇ କେବଳ ଦେଖିହୁଏ ପୃଥିବୀକୁ । ଆଖି ଦେଇ ଦେଖିହୁଏ ଦିବ୍ୟ ବ୍ରହ୍ମାଣ୍ଡର ଅନନ୍ତ ରୂପକୁ । ଆକାଶର ଅନନ୍ତ ନିଳୀମାକୁ । ସୂର୍ଯ୍ୟର ନିରପେକ୍ଷ ଦୃଷ୍ଟିକୁ । ଉଡ଼ନ୍ତା ପକ୍ଷୀର ଆଖିର ଅଇନାରେ ବିମ୍ୱିତ ପୃଥିବୀର କାହାଣୀ । ବାରବାର ପର ଛିଡ଼େଇ ଦୋହଲାଇ ସୁନାର ଡେଣାର ଛାଇରେ ଦେଖିହୁଏ ସେଇ ଆନ୍ଦୋଳିତ ନୀଡ଼ର ପୃଥିବୀ ।

 

ଏଇ ମଣିଷର ଲୁବ୍‌ଧକ ଆଖି ସମାଜର ବାଦ ବିସମ୍ବାଦ ଆଡ଼କୁ ଅନେଇଛି ବିମର୍ଷ ଦୃଷ୍ଟିରେ । ଦୂରନ୍ତ ଶୂନ୍ୟ ଆକାଶର ପକ୍ଷୀର କାକଳି ପ୍ରତିଘାତ କରିଛି ତା’ର ଚିନ୍ତାର ନିବିଡ଼ ଉପତ୍ୟକାକୁ । ବାରବାର ବିଦ୍ଧ କରିଛି ତା’ର ମୁହ୍ୟମାନ ଅନ୍ଧ ସ୍ଥବିରତାକୁ ।

 

ପ୍ରତି ମୂହୂର୍ତ୍ତରେ ସନ୍ଧାନ ପାଇଁ ଚଳାଇଛି ଦୃଷ୍ଟିର ଗୁଳା । ପକ୍ଷୀର କଳରବକୁ ବନ୍ଦ କରିବା ପାଇଁ ତା’ର ପ୍ରତିହିଂସା ସ୍ୱରୂପ ସେ ଗୁଳିବିଦ୍ଧ କରିଛି ମାଟିର ବତକକୁ । ତା’ର ରୂପ ନେଇ ମୋର ଆଖି ଭିନ୍ନ ଦୃଷ୍ଟିରେ ଅବଲୋକନ କରୁଛି କାଗଜର ପୃଷ୍ଠାକୁ ଓ ଓଡ଼ିଆ ସାହିତ୍ୟର ଚିରନ୍ତନ ସତ୍ୟକୁ ‘‘ବତକ’’ ଗଳ୍ପରେ ।

 

କିନ୍ତୁ ମେଣ୍ଟିପାରେନା ମଣିଷର କ୍ଷୁଧା ସାମାନ୍ୟ ପକ୍ଷୀର କଳରବକୁ ନିର୍ଯ୍ୟାତନା ଦେଇ । ମୋଡ଼ ବଦଳେଇ ଚାଲିଛି ମନର ଚକା ସମୟର ଅନନ୍ତ ପ୍ରବାହ ଆଡ଼କୁ ଓ ବହୁଧା ବିଭକ୍ତ ପୃଥିବୀର ବାଦବିସମ୍ବାଦ ଆଡ଼କୁ । ମୃତ୍ୟୁର ସୁଡ଼ଙ୍ଗ ଦେଇ ଅନାଇଛି ଶ୍ମଶାନର ଶରଶଯ୍ୟା ଆଡ଼କୁ । ହୃଦୟଙ୍ଗମ କରିପାରିଛି ଶୃଗାଳର କାପାଳିକ ଦୃଷ୍ଟିରେ ସମୟର ଚିରାଚରିତ କାହାଣୀକୁ ।

 

ଏହି ମଣିଷର ଆଖି ଚିହ୍ନିପାରଛି ଶୃଗାଳର ନିରପେହକ୍ଷ ଦୃଷ୍ଟିକୁ । ଶୃଗାଳ ହାଡ଼ ଖାଏ ନିର୍ବିକାର ଚିତ୍ତରେ ମଣିଷଠାରୁ ଆରମ୍ଭ କରି ଇତର ପ୍ରାଣୀ ପର୍ଯ୍ୟନ୍ତ । ଆଖିରେ ତା’ର ଜଳୁଛି ଶତାବ୍ଦୀର ଇତିହାସ । ଅନ୍ଧ ନଈଟିଏ ପରି ବହିଚାଲିଛି ଏ ସଭ୍ୟତା । ଦୃଷ୍ଟିରେ ଗୋଳିଆ ମଣିଷର ଢେଉ ।

 

ଆଜି ବଦଳି ଯାଇଛି ବିଚାରର ଦୃଷ୍ଟି । ଅଦାଲତର ସ୍ୱରୂପ ନିଶ୍ଚିହ୍ନ । ସମଗ୍ର ବିଚାରଧାରା ଆଜି ସ୍ଥାଣୁ, ଦୃଷ୍ଟିର କ୍ରମବିବର୍ତ୍ତନ ବାଦରେ । ମୀନ, କଚ୍ଛପ ଆଦିଠାରୁ ଆରମ୍ଭକରି କଳ୍‌କୀ ରୂପ ପର୍ଯ୍ୟନ୍ତ ବିବର୍ତ୍ତନବାଦରେ ଆଧୁନିକ ସଭ୍ୟତାର ମଣିଷ ପାଇଁ ଉପାଦେୟ ଲୁଚିରହିଛି ବୁଦ୍ଧ ଓ କାର୍ଲମାର୍କସର ଦୃଷ୍ଟି ।

 

ସମାଜରୁ ଘୃଣ୍ୟତାର ଅଟ୍ଟାଳିକାକୁ ଚୂର୍ଣ୍ଣୀଭୂତ କରିବା ପାଇଁ ମୋ ଉଦ୍ଦାମ କଲମର ସଂଗ୍ରାମ ଆଖି ଜରିଆରେ ଜଣାଇଛି ସମୟକୁ ଆହ୍ୱାନ । ସେହି ଆଖିରେ ମୋର ପ୍ରତିବିମ୍ବ, ଭାରତର ଦାରିଦ୍ର୍ୟତାରେ ସଢ଼ୁଥିବା ଅଗଣିତ ମାନବର ଆତ୍ମା । ଶହୀଦର ରକ୍ତନେଇ ଆଙ୍କି ହୋଇଯାଇଛି ସ୍ୱାଭାବିକ ଭାବରେ ଭାରତବର୍ଷର ବିଦୀର୍ଣ୍ଣ ମାନଚିତ୍ର । ଯେତେ ସବୁ ପୀଡ଼ିତ, ଶୋଷିତ ଅନ୍ଧ ଆଖିକୁ ସମୟର ଘଡ଼ିସନ୍ଧି ଭିତରେ ନୂତନ ସ୍ୱରୂପ ଦେଇ ବଦଳେଇ ଦେଇପାରିଛି ମାନବର ଇତିହାସ । ଗପଗୁଡ଼ିକ ସେହି ଐତିହ୍ୟର ବାର୍ତ୍ତାବହନ କରିପାରିଲେ କଲମର ସାର୍ଥକତା-!

 

ପ୍ରସନ୍ନ ପାଟ୍ଟଶାଣୀ

Image

 

ସୂଚୀପତ୍ର

 

୧.

ଆଖି

୨.

ଅଭିନୟ

୩.

ବତକ

୪.

କ୍ୟାବିନ୍‌

୫.

କ୍ଷୁଧା

୬.

ଝୁଲନ୍ତା ତରବାରୀ

୭.

ସାପ

୮.

ବଦଳି

୯.

ଚଢ଼େଇ, ଫୁଲ ଓ ଆକାଶ

୧୦.

ପରାଜୟ

୧୧.

ସଭ୍ୟତାର ଶବ

୧୨.

ହାତକଡ଼ି

୧୩.

ଭୟ

୧୪.

ବାଘ

୧୫.

ଈର୍ଷା

୧୬.

ଅଳଙ୍କାର

୧୭.

ଫୁଲ ଛାଞ୍ଚୁଣୀ

୧୮.

ଫୋନ୍‌

୧୯.

ନିଶା

୨୦.

ଶଙ୍ଖ

୨୧.

ସୁଇଟର

୨୨.

ପାଣିକୁଆ

୨୩.

ପ୍ରୀତି ଓ ପାଇଖାନା

୨୪.

ମସୁରୀ

୨୫.

ପତାକା

Image

 

ଆଖି

 

ଆଖି ପ୍ରତି ମଣିଷର ଏକ ଅହେତୁକ ମମତା । ଏକ କୋମଳ ମଧୁର ଆକର୍ଷଣ । ଏକ ନିବିଡ଼ ଆକୁଳ ଆଚ୍ଛନ୍ନ ମନୋରମ ମାୟା ।

 

ଆକାଶ ଆଖି ଖୋଲେ ସକାଳ ସୂର୍ଯ୍ୟ ଉଇଁଲେ । ମଣିଷ ଆଖି ବୁଜେ ସନ୍ଧ୍ୟା ହେଲେ । ସୂର୍ଯ୍ୟ ଗଲେ । ସବୁ ନାରକୀୟ ଲାଳୀର କ୍ରୀଡ଼ାଭୂମି ଏଇ ରାତ୍ରିର ଅଞ୍ଚଳ । ଦିବସର ଉଜ୍ଜ୍ୱଳ ଆଲୋକରେ ଏବେ ସବୁ ଘଟଣାର ଘଟ ଓଲଟ ପାଲଟ, ସୂର୍ଯ୍ୟର ଆଖି ଫୁଟେଇ ନାଚେ । ଯଦି ଆକାଶଟାକୁ ମଣିଷର ଆଖି ବୋଲି ଧରାଯାଏ, ତେବେ ସୂର୍ଯ୍ୟ ହେଉ ଡୋଳା । ମାଟି ହେଉ ମଣିଷର ଦେହ । ରାତି ହେଉ ନୀରବତା କିମ୍ବା ନିରୀହ ଉଦାସୀନତାର ଦେହେଳୀ । କେଡ଼େ ନପୁଂସକ ସଂସାର । କ୍ରିୟାହୀନ ବିଶ୍ୱର ପରିଧି । ଚେତନାର ଦ୍ରାଘିମା । ନିଷ୍ଠୁରତାର ଲୁହା ହାତୁଡ଼ିରେ ପିଟିପିଟି ନିଆଁର ଝୁଲ ପାଇଁ ଅହରହ ସାଧନା । ସେଇଠି ସୃଷ୍ଟି ହିଁ କମାରଶାଳା । ମଣିଷ କମାର । ଦିବସ ରାତି । କାଳ କାଳ । ପୁରୁଷରୁ ପୁରୁଷ । ପୌରୁଷହୀନ ପୁରୁଷର ଆଖି ପ୍ରତି ମୋର ଘୋର ବିରାଗ ବିତୃଷ୍ଣା ।

 

ଇଚ୍ଛା ହୁଏ ଆଙ୍ଗୁଳି ଗେଞ୍ଜି ଫୁଟେଇ ଦେବି ଆକାଶର ଆଖି । ଅସହ୍ୟ ପ୍ରତୀକ୍ଷାର ଦିନ । ବିରକ୍ତିକର ନିଷ୍କ୍ରିୟ ଇଚ୍ଛା । ନିଷ୍ପ୍ରାଣ ଶକ୍ତି । ଯେଉଁ ଆଖି ଦେଖିପାରେ ନାହିଁ, ସେ ତ ଅନ୍ଧ । ଯେଉଁ ଆଖି ଥାଇ ଦେଖିପାରେ, ପ୍ରତିବାଦ କରିପାରେନା, ଲୁହ ଢାଳି ପାରେନା, ସେ ଆଖିକୁ ଫୁଟେଇ ଦିଆଯାଉ ଏବଂ ସ୍ନାୟୁସବୁକୁ ପରୀକ୍ଷା କରି ଦେଖାଯାଉ; ସେଗୁଡ଼ିକ ରକତର ଶିରା ନା ମାଂସର ଦଉଡ଼ି ନା ପ୍ଲାଷ୍ଟିକ ଡୋର । ଯେଉଁ ଆଖି ବାନ୍ଧିପାରେନା, ଅନ୍ତରଙ୍ଗହୀନ, ସମ୍ମୋହନରହିତ ଅକଲ୍ୟାଣ ଉଦାସ, ତାହା ଥାଇ କେତେ ନ ଥାଇ କେତେ ।

 

ମୋର ମନେହୁଏ, ଯେପରି ସବୁ ମଣିଷର ଆଖିଗୁଡ଼ିକ କିଏ ତାଡ଼ି ନେଇଛି । ପ୍ରତିବଦଳରେ ଛାଗଳର ଆଖି ଭର୍ତ୍ତିକରି କାଚର ଏକ ଢାଙ୍କୁଣୀ ଘୋଡ଼େଇ ଦେଇଛି । ଗଗ୍‌ଲେସ୍‌ର କାଚତଳେ କଳା ଆଖି ନେଳିଆ ନେଳିଆ । କାଚର ଗଗ୍‌ଲେସ୍‌ ପିନ୍ଧା ଏଇ ପୃଥିବୀ ପ୍ରତି ମୋର ଘୃଣା ଦିନୁଦିନ ଉତ୍କଟ । ଘରେ ଗାଳି । ବାହାରେ ଗାଳି । ଚାକେରି ନ ମିଳୁଛି ଯଦି ଛେଳି ଚରଉନୁ । ବେକାର । ସବୁଦିନ ବେକାର ।

 

ମୁଁ ସେଇଦିନ ଜାଣିଲି ମଣିଷର ଆଖିଗୁଡ଼ିକ ଯେମିତି ହେଉ ଛେଳିମାନେ ବୋଧହୁଏ ପିନ୍ଧି ପକେଇଛନ୍ତି । ଯେଉଁଦିନ ରାଗରେ ହେଉ କିମ୍ବା ଅଭିମାନରେ ହେ ମୁଁ ଛେଳି ଚରେଇବାକୁ ବାହାରି ପଡ଼ିଲି, ଠିକ୍‌ ସେଇଦିନ ମୋର ପ୍ରିୟ କୁମାର ବୋଦାଟି ଗୋଠ ଛାଡ଼ି ଛନ ଛନ କଅଁଳ ଘାସର ଲୋଭରେ ଲୁହା କଣ୍ଟା ଘେରା ଅରା ଡ଼େଇଁ ପଶିଯାଇଥିଲା । ମାଟି ସାରା ବିଛେଇ ହୋଇଥିବା ସବୁଜ ଘାସର ଫୁଲଗନ୍ଧ ଛାଡ଼ି କେଡ଼େ ପାଗଳ ସେଇ ବୋଦାଟି, ଯିଏ ଧସେଇ ପଶିଥିଲା ପିଡ଼ିଆ ଦିଆ ଘାସର ବଗିଚାରେ ନୁହେଁ ଫାର୍ମରେ । ଧନ୍ୟ ସେ ବୋଦାର ସାହସ, ଯିଏ ତା’ର ଘେରା ବୁଦା ଭିତରେ ଘାସର ସ୍ୱାଦ ଚାଖିବା ପାଇଁ ବିସର୍ଜନ ଦେବାକୁ ତିଳେହେଲେ କୁଣ୍ଠାବୋଧ କରି ନ ଥିଲା ।

 

ମୁଁ ଖୋଜି ଖୋଜି କ୍ଳାନ୍ତ । ଗାଁ, ଗୋହରୀ, କାଞ୍ଜି ଗାତ । ସୂର୍ଯ୍ୟ ଡୁବି ଡୁବି ନ ଥିଲା । ଖରା ଲୁଚି ଲୁଚି ନ ଥିଲା । ଛାଇର ପାହାଡ଼ ତଳେ ଶୀତ ସଞ୍ଜର ମିଟିକାଳି ଖେଳ ମେଣ୍ଟି ନ ଥିଲା । ମୁଁ ସେଇ ଫାର୍ମ ଭିତରେ ପଶିଲି । ଫୁଲର ଜଙ୍ଗଲ ଭିତରେ ଝାଉଁଳା କଢ଼ର ସନ୍ଧ୍ୟା ଘୁମେଇ ପଡ଼ିଥିଲା । ଛେଳିର ଦୁଃସାହସକୁ କଳନା କରୁଥିଲା ବେକାର ବାଳକ, ମୁଁ ନିଜେ କେଡ଼େ ଭୀରୁ, କେଡ଼େ ଦୁର୍ବଳ ଡରକୁଳା । ବୋଦାଟି ହଜି ହଜି ନଥିଲା । ପତ୍ରର କବର ତଳେ ଖୋଜୁଥିଲା ଖାଦ୍ୟର ପରାଗ । ଚାଖୁଥିଲା ଭୋକର ପାଖୁଡ଼ା ।

 

ମୋର ଆଖି ଖୋସି ହୋଇଗଲା । ଡୋଳା ଓଲଟିବାକୁ ଆଉ କେତେ ଘଡ଼ି ଅବା । ମୁଁ ଯେପରି ସେଇ ଛେଳିର ଆଖିନେଇ ଦେଖୁଥିଲି । ଏକ କଲମି ଆମ୍ବଗଛର ଡାଳ ତଳେ ପାହାଡ଼ ତଳୁ ଡୁବିଲା ସୂର୍ଯ୍ୟକୁ ଚୋରାଇ ଆଣି କୌଣସି ଆତତାୟୀ ଯେପରି ଟାଙ୍ଗି ଦେଇଥିଲା । କି କରୁଣ ଦୃଶ୍ୟ ! ଗୋଟାଏ ରକ୍ତାକ୍ତ ଅଙ୍ଗ । ମୋର ପ୍ରିୟ ବୋଦାର ଝୁଲନ୍ତା ଅଙ୍ଗ । ତଳେ ରକ୍ତ ସାଲୁ ବାଲୁ ମଥାଟା ଘାସକୁ ଚୁମୁଥିଲା, ଟାଆଁସା ଶିଙ୍ଗ ମାଟିକୁ ଛୁଉଁଥିଲା । ଶୂନ୍ୟରେ ଯେପରି ଭାସୁଥିଲା କଂସେଇର କତଲ ହାତ ଓ ପାପୁଲି ଏବଂ ଛେଳିର ରକ୍ତ ଜର ଜର ଦେହ । ଚମଟାକୁ ଛାଲୁଥିଲେ ଦୁଇଜଣ ମଣିଷ, କାପୁରୁଷ ।

 

ବସିଥିବା ଲୋକଟି ମୋତେ ଦେଖିପାରି ଦଉଡ଼ି ଆସିଲା ଏବଂ ବଡ଼ ପାଟିରେ କହିଲା, ଚୋର ଶଳା । କେଡ଼େ ସାହସ । କାହାର ଅନୁମତି ନେଇ ବାଗାନ୍‌ ଭିତରେ ପଶିଲୁ । ଏ କ’ଣ ତୋ ବାପାର ବାଗାନ୍‌ ? ମୁଁ ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲି ନାହିଁ । ମୋର କେବଳ କହିବାକୁ ଇଚ୍ଛା ହେଉଥିଲା, କେଡ଼େ ବୋକା ତୁମେ । ମଣିଷ ଦେହରୁ ରକତ କାଢ଼ୁଛ । ନିଜ ଦେହ ଭିତରେ ଛେଳି ରକତ ପୁରଉଛ । ତୁମେ ସବୁ ଛେଳି, ଛେଳିକୁ ହାଣୁଛ । ମୋ ଭଳି ଗୋଟେ ଭୀରୁ ମଣିଷକୁ ହାଣି ପାରିବ ?

 

ଆଉ ଜଣେ ପାଖକୁ ଆସି କହିଲା, ଦେଖୁଚୁ କ’ଣ ବେ ? ଶଳାକୁ ଗଛରେ ବାନ୍ଧିଦିଅ । ମାଂସ କେଜି ଆସି ହେଲାଣି ଷୋଳଟଙ୍କା । ତତେ ବି ମାଂସକରି ଖାଇଦେବୁ । ଛେଳି ଜଗି ଜଗି ତ ଦିନ ଗଲା । ଜୀବନରେ ମାଂସ କ’ଣ ଚାଖି ନଥିବୁ । ସ୍ୱାଦ କୁଆଡ଼ୁ ବାରିବୁ । ତୋର ଛେଳି ଆମ ଇଲାକା ଭିତରେ ପଶିଲା, ତା’କୁ ଖାଇବୁନି ତ କ’ଣ ଆଉଁସିବୁ ? ଯଦି ଝୁଳ ଖାଇବାକୁ ଇଚ୍ଛା ତେବେ ଦେହରୁ ଝାଳପୋଛି ତୁନିତାନି ଦେଇ ରହ, ନହିଲେ ତୋତେ ବି ଝୁଳ କରିଦେବୁ ।

 

ମୁଁ ଟିକେ ନରମି ଗଲି । ସେମାନଙ୍କର ନିଜର ମଣିଷ ଭଳି କହିଲି, ସବୁ କର ଯେ ଛେଳିର କଲିଜାଟା ଫୋପାଡ଼ି ଦିଅ । ଧୂଆଁ ପିଇ ପିଇ ଆପଣଙ୍କର ମାନେ ମଣିଷର କଳା କଲିଜା ସିନା ଦୁଧ ଛେନାରେ ଗର ଗର, ହେଲେ ଛେଳିର କଲିଜା ଅମରି ପତ୍ର ଖାଇ ଖାଇ ପୋକଡ଼ା ହେଇଯାଇଛି । ରୋଗ ହେବ ବାବୁ ।

 

କଳରେ କଳେ ଧୂଆଁ ଜାକି ଭୁଷ୍‌କିନା ମୋ ମୁହଁରେ ଧୂଆଁ ଛାଡ଼ି ବାବୁଜଣକ କହିଲେ, ସାବାସ୍‌ ବେଟା, ଭାରି ଚାଲାକ । ହବେ, ଆଖିର ଦୃଷ୍ଟିଶକ୍ତି ବଢ଼େଇବା ପାଇଁ ମୁଁ ଖାଲି କଲିଜା ଖୋଜି ଖୋଜି ଖାଉଛି । କେତେଦିନ ବାଦେ ଚଷମା ଫୋପାଡ଼ି ଦେବି । ହଉ, ତେବେ ଶୁଣ । ହଁ ତୋତେ ବିଶ୍ୱାସ ନାହିଁ । ତଥାପି ମୁଁ ତୋତେ ଗୋଟିଏ ସର୍ତ୍ତରେ ଛାଡ଼ିଦେବି ଯଦି ଆଜିର ଏ କଥା ତୁ କେଉଁଆଡ଼େ ପ୍ରଘଟ ନ କରୁ । ହଇରେ ଛେଳି ଚରେଇ ଚରେଇ କ’ଣ ପାଉଚୁ । ଦେଖିବାକୁ ତ ଭଲ ଚେହେରା ଖଣ୍ଡେ ରଖିଛୁ । ଛେଳି ପାଇଁ ଘାସଭଳି ମରିବୁ । ମୋ କଥା ଯଦି ରଖିବୁ, ତେବେ ଭଲ ଚାକିରିଟିଏ ଦେବି ।

 

ମୁଁ, ହଁ ଭରିଦେଲି । ଆଜିକାଲିକା ବେକାରୀ ଯୁଗରେ ପୁଣି ଚାକେରି କେତେଜଣ ଭାଗରେ ପଡ଼େ । ରେ ବୋଦା ତୁ ମୋର କି ଉପକାର ନ କଲୁ । ତୁ ମୋ ପାଇଁ ସହୀଦ ହେଲୁ । ପ୍ରାଣ ଦେଲୁ । ତୋର କଲବଲ ଜୀବନର ବିସର୍ଜନ ଯଦି ଚାକିରିଟିଏ ଅର୍ଜନ କରିପାରେ ତେବେ କିପରି ଭୁଲିବିରେ ବୋଦା ତୋର ସ୍ମୃତି ଏଇ ବଗିଚା, ଆମ୍ବର ଡ଼ାଳ ଆଉ ରକ୍ତାକ୍ତ ଘାସର ଫଳ । ଆଉ ତୋତେ ଝୁଲାଇ ରଖିଥିବା ଦଉଡ଼ିଟି ମଧ୍ୟ କି ଉପକାରରେ ନ ଆସିଛି । ଆହା ମୋତେ ଯଦି ଏଇଭଳି ଲଟକେଇ ଦିଆଯିବ ! ମୁଁ ସିନା କଲବଲ ହେବି କେତୋଟି ମୁହୂର୍ତ୍ତ ପାଇଁ; କିନ୍ତୁ ସମସ୍ତଙ୍କୁ ଚାକିରି ମିଳିଯିବ ।

 

ଚାକେରି କଲାପରେ କ’ଣ ହେଲା ମୋର ଅବସ୍ଥା । ସେ ଦିନ କ୍ଲବ ମିଟିଙ୍ଗରେ ମାଲିକ ଦରଦାମ ଉପରେ କହୁଥିଲେ, ‘‘ଦର ବଢ଼ାଉଥିବା ଲୋକଗୁଡ଼ାକ ଦର ବଢ଼ିଗଲା ବୋଲି କହନ୍ତି । ଦର ମଫସଲର ଚାଷୀମାନେ ବଢ଼ଉଛନ୍ତି । ଆମେ ତ ନିତି ଫାର୍ମରେ ଲୋକଙ୍କୁ ଶସ୍ତାରେ କାମ ଯୋଗାଇ ଦେଉଛି । ଶସ୍ତାରେ ବିଲରେ ପାଣି ମଡ଼େଇ ଦେଉଛୁ । ଟ୍ରାକ୍‌ଟର ବି ଯୋଗାଉଛୁ । ଯେଉଁମାନେ କିଣି ପାରନ୍ତି ନାହିଁ; ସେମାନେ ଦରିଦ୍ର । ପଇସା ନାହିଁ ବୋଲି ଦେଶର ଦୋଷ ।’’

 

କେଡ଼େ ସ୍ୱାର୍ଥପର ଏଇ ମଣିଷ ! ସମସ୍ତେ କରତାଳି ଦେଇ ସମର୍ଥନ କଲେ । ମାଲିକ ମୋର ପିଠିରେ ହାତମାରି ଦେଇ କହିଲେ ଆଗାମୀ ବାଲିଯାତ୍ରାକୁ ଫାର୍ମର ଗୋଟେ ପ୍ରଦର୍ଶନୀ ଖୋଲାଯିବ । ଡିଉଟି ମାତ୍ର ଚାରିଘଣ୍ଟା ।

 

ମୁଁ ମନେ ମନେ ଭାବିନେଲି, ବୋଧେ ଦରବାନ୍‌ ହେବି । ଅଣ୍ଟାରେ ଛୁରୀ, ହାତରେ ଟର୍ଚ୍ଚଧରି ଦୋକାନ ଜଗିବି । କେହି ଚୋରି କରି ଦଉଡ଼ି ପାରିବିନି । ତା’ର ଆଖିକୁ ଟର୍ଚ୍ଚ ଟିପିଦେବି । ଆଖିରେ ଆଲୁଅ ପଡ଼ିଲେ ଯାଏ କେତେକେ । ମାଲିକ ପରା ନିଜ ଆଖିକୁ ଅନ୍ଧାରରେ ରଖି ପର ଆଖିରେ ଆଲୁଅ ଟିପି ଚୋରି କରନ୍ତି ।

 

ମାତ୍ର ମୋ ପାଇଁ ଥିଲା ଅଦ୍‌ଭୁତ ଡିଉଟି । ମୋତେ କୁହାଗଲା ସନ୍ଧ୍ୟାବେଳେ ଭାରି ଲୋକ ଭିଡ଼ ହୁଏ । ଆଜିକାଲି ଯାନିଯାତରାରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସୋ କେଶ୍‌ ଉପରେ ମାଲିକଙ୍କ ନଜର । ଆଖିରେ ପରଳ ପଡ଼ିବ ନାହିଁ, ଟିକିଏ ହଲଚଲ୍‌ ହେବାକୁ ମନା ।

 

ମୁଁ ହେଲି ‘ସୋ କେଶ୍‌’ର ମଣିଷ । ଗୋଟିଏ ପ୍ରଦର୍ଶନୀ ମଣିଷ । ଚାରିଧାରେ କାଚ । ମୋର ଅପର ପାର୍ଶ୍ୱର ସୋ କେଶ୍‌ରେ ଗୋଟିଏ ନାରୀ । ଆମରି ଫାର୍ମର ଆମଦାନୀ ତୁଳାରେ ତିଆରି କପଡ଼ା ଓ ଶାଢ଼ୀ । କି ସୁନ୍ଦର, କି ଚମତ୍କାର !

 

ପ୍ରତି ସନ୍ଧ୍ୟାରେ ଯେଉଁମାନେ ଦେକାନର ପାହାଚ ଉପରକୁ ଚଢ଼ନ୍ତି, ସେମାନଙ୍କର ଆଖି ବି ମୋ’ ଉପରେ ପଡ଼େ । ବେଶି ଭାଗ ଆଖି ଯୁବତୀ ଉପରେ ସୀମାବଦ୍ଧ । ମୋ’ ଉପରେ ସହରୀ ବଡ଼ ଘରର ବୟସ୍କା ନାରୀ କଦବା ଯୁବତୀର ଆଖି ପଡ଼େ । ଯୁବତୀ ବି ଯୁବତୀକୁ ଚାହେଁ ଇର୍ଷାରେ-। ବିଳାସ ବେଶପୋଷାକ ଉପରେ ବିଳାସୀ ମଣିଷର ଆଖି ।

 

ପରଦିନ ସଂଧ୍ୟାରେ ଦର କଷାକଷି ନେଇ ଝଗଡ଼ା ହେଲା । ଦଳେ ଯୁବକ ଦେଖିନେବେ ବୋଲି ଚଦିଦେଇ ଗଲେ । ହଠାତ୍‌ କିଛି ସମୟ ପରେ ସହର ଅନ୍ଧକାର ହୋଇଗଲା । ବୋଧେ ଲାଇନ କଟିଗଲା । ମୋର ପାଖ ସୋ କେଶଟାକୁ କିଏ ଭାଙ୍ଗୁଥିଲା ଭଳି ଜଣାପଡ଼ିଲା । ଲୋକ ଗହଳି ହାଉଯାଉରେ କ’ଣ ବା ବାରି ହେବ । ସୋ କେଶ୍‌ରେ ରହୁଥିବା ମହିଳାଟି ଯଦି ମୋ ଭଳି ପ୍ରକୃତରେ ଜଣେ ଦେହଧାରୀ ହୋଇଥାଏ; ଆହାଃ ଏଇ ଅନ୍ଧକାରର ସୁଯୋଗରେ ମୋ ଚାରିପାଖେ ଯଦି କାଚଘେରା କେଶ୍‌ଟି ନ ଥାଆନ୍ତା ତେବେ ମୁଁ ହାତ ବଢ଼େଇ ପରୀକ୍ଷା କରି ନେଇ ଥାଆନ୍ତି । ତା’ର ଗାଲକୁ ଟିକିଏ ଆଉଁସି ଦିଅନ୍ତି । ସେ ଯଦି ସଙ୍କେତ ଦେଇ ଭାବ ପ୍ରକଟ କରିଥାଆନ୍ତା, ତେବେ ତା’କୁ କ୍ଷମା ଦିଅନ୍ତି । ଆଲୋ ଅଭାଗିନୀ, ବେକାରୀ ଚାକିରି । ପ୍ଲାଷ୍ଟିକ ପତର ତଳେ ଫୁଲଭଳି ବାସ୍ନାହୀନ ଜୀବନ ତୋର କି ହୀନିମାନୀ । ସେ ଯଦି ଜବାବ ନ ଦିଅନ୍ତା, ତେବେ ନଖରେ ଆଞ୍ଚୁଡ଼ି ଦିଅନ୍ତି । ଯଦି ଗାଲରୁ ରକତ ଝରି ଆଖିରୁ ଲୁହ ବୋହିପଡ଼ି ପାପୁଲି ଭିଜନ୍ତା, ତେବେ କୁହନ୍ତି କ’ଣ ହେବ ତୋର ଏ ଚିବୁକ, କ’ଣ ପାଇଁ ତୋର ଏ ଲୁହ ।

 

ହଠାତ୍‌ ଗୋଟେ ଶବ୍ଦ ହେଲା । ତା’ ପରେ ଦଉଡ଼ ଧାପଡ଼ । ମୋର ଅନୁମାନ ଠିକ୍‌ ହେଲା । କ’ଣ ନ କଲେ ଏ ଟୋକାଗୁରା । ସୋ’ କେଶ୍‌ ଭାଙ୍ଗି ବଳାତ୍କାରେ ମହିଳାଟିକୁ ହରଣ କରିନେବାକୁ ବସିଥିଲେ ।

 

ତୋଫା ଆଲୁଅରେ ଜଣାଗଲା ଛୋଟ ବାବୁଙ୍କ ମୁହଁରୁ ଫାଳେ ନାହିଁ । ସେ ଛଡ଼ାଇବାକୁ ଗଲାବେଳେ କିଏ ଏସିଡ଼ି ଢାଳି ଦେଇଛି । ଯାହାହେଉ ରକ୍ଷା ହେଇଛି ସୋ କେଶ୍‌ ଭିତରେ ଥିବା ମହିଳାଟି ଗୋଟିଏ ମାଟିର ମୂର୍ତ୍ତି । ତା’କୁ କେଉଁ କାରିଗର ସଜେଇ ଦେଇଛି ଅବିକଳ ନାରୀ ଭଳି । ମୋର ଆଖିର ପରଳକୁ ଲକ୍ଷ୍ୟକରି କେଉଁ ଦୁବୃର୍ତ୍ତ ସୋ’ କେଶ୍‌ର ମୂର୍ତ୍ତି ଏକ ଜୀବନ୍ତ ମହିଳାର ଛଦ୍ମବେଶ ବୋଲି ଧରି ନେଇଛି । ସେଇ ଯୁବକ ଆଗରେ ସବୁ ମହିଳା ଆଜି ଜଡ଼ ପାଲଟି ଯାଇଛନ୍ତି, ଦେହରେ ଆଉ ଜୀବନ ନାହିଁ । ରକ୍ତ ବଦଳରେ ସେ ପାଇଛି ମାଟି । ଲୁଙ୍ଗୁରା ମଣିଷ କେବେ ରକ୍ତ ପାଏନା, ପାଏ ଖାଲି ହତାଶାର ମାଟି । ମୋତେ ଚିତ୍କାର କରି କହିବାକୁ ଇଚ୍ଛା ହେଉଥିଲା । ହେଲେ ଚାକିରିକାଳ ଭିତରେ ସୋ’ କେଶ୍‌ର କାଚ ଫଟାଇ ମୋର ସ୍ୱର କ’ଣ ପଳାତକ ସେଇ ଯୁବକଙ୍କ କାନରେ ବାଜନ୍ତା ।

 

ମାଲିକ ସଙ୍ଗେ ସଙ୍ଗେ ମୋତେ ସୋ’ କେଶ୍‌ ଭିତରୁ କାଢ଼ି ନେଇଗଲେ । ଅନୁନୟ କରି କହିଲେ ତୋତେ ଖୁବ୍‌ ଆହୁରି ବଡ଼ କରିଦେବି । ଗୋଟିଏ ସର୍ତ୍ତ, ତୁ କେବଳ ତୋର ଏଇ ଲୋଭନୀୟ ଆଖି ଦୁଇଟିରୁ ଗୋଟିକୁ ଛୋଟବାବୁ ପାଇଁ ଦାନ କର–ଏତିକି ମିନତୀ ।

 

ମୁଁ ଚିତ୍କାର କଲି, ମୋତେ ଛାଡ଼ିଦିଅ । ମୁଁ ତୁମକୁ ଆଖି ଦେବି । ସହରର ନକଲି ଛେଳି ଆଖି ନୁହେଁ ମଣିଷର ଆଖି । ମୁଁ ଅରଣ୍ୟକୁ ଯିବି, ମଣିଷର ଆଖି ଖୋଲିଦେବି ।

 

ମୋ କଥା କେହି ଶୁଣି ନ ଥିଲେ । ମୋତେ ବାନ୍ଧି ଗାରଦ ଭିତରେ ରଖିଥିଲେ । ଏଥରକ ମୋ ଚାରିପାଖେ କାଚର ଢାଙ୍କୁଣୀ ବଦଳରେ ଲୁହାର ଖାଡ଼ି ସଗର୍ବେ ମଥା ତୋଳି ଠିଆ ହୋଇଥିଲା । ମୁଁ ଏବେ କେଡ଼େ ଆରାମରେ ଅଛି ସତେ !

Image

 

ଅଭିନୟ

 

ଡାହାଣିଆ ଖରାର ରଙ୍ଗ ଦେଖିଚୁ ! ଅନୁଭବ କରିଛୁ କେବେ ଡହ ଡହ ତାତିର ଦାଢ଼ ? ହାଡ଼ ଭିତରୁ ଶସଭଳି ଶୋଷିନେଉଛି ଖରା ଦେହରୁ ଶୋଷ । ଅଠା ଅଠା ଥୋଡ଼ । ପାଦରେ ତାତିର ପାଉଁଜିଟେ ଚଡ଼ଚଡ଼ । ଟଳମଳ ଗୋଡ଼ରୁ ଝାଞ୍ଜି ତୋଳୁଛି ଶାଢ଼ୀ । ସେ ଚାଲିଛି । ପଥ ସରୁନି । ଶୁଖିଲା ତାତିଲା ବାଲିର ନଈ ସେ ପାରିହେଇ ପାରୁନି । ଖରାର ରଙ୍ଗ, ବାଲିର ରଙ୍ଗ, ନାରୀର ରଙ୍ଗ । ଖରାର ତାତି, ନଈର ତାତି, ନିଶ୍ୱାସର ତାତି । ଉପରେ ମଲାମାଛର ଆକାଶ । କାତି ଭଳି ଚୁନା ଚୁନା ମେଘ । ମେଘ ଉପରେ ଚାଲିଛି ଶୂନ୍ୟତାର ବିଲେଇଟିଏ । ତଳେ ମାଟିର ଉତ୍ତାପ କରେଇ । ନିସ୍ୱ ମାଇପିଟିଏ ଚାଲିଛି ଛୁଆକୁ ଧରି । ଭୁଜାଭୁଜା ବାଲିରେ ଆଉଟା ଆଟିକା ଭିତରେ ଖଡ଼ିକା ଭଳି । ଉତ୍ତପ୍ତ ବାଲିର ବ୍ଲେଡ଼ କାଟି ଚାଲିଛି ଖରାର ନଖ ।

 

ଖାଲି ଶୋଷ । ପାଣିର ସ୍ୱପ୍ନ ସେଠି ମରିଚିକାର କୁହୁଡ଼ି । ଦିହୁଡ଼ିର ଧାସ ଭଳି ମାଇଲିଏ ଆହୁରି ବାଲି । ଛଟପଟ ପତଙ୍ଗର ଡେଣା ପୋଡ଼ିପାରୁନି କି କିଛି ପାରୁନି ।

 

ହତାରେ ଆଙ୍ଗୁଠିକୁ ମୁଠେଇ ଧରି ଚାଲିବାକୁ ଆରମ୍ଭ କରିଥିବା ଛୁଆଟି ମା’ର ଦେହକୁ ମୁଠେଇଛି । ଛଟପଟ ଛୁଆକୁ କାଖେଇଛି ମାଇପିଟି । ଛୁଆଟି ଶୋଷରେ ଆଉଟୁ ପାଉଟୁ ହୋଇ ପାଣି ମାଗୁଛି । ପାଣି କାହିଁ ? ନା ପରିସ୍ରା ଆସୁଛି । ଦେହ ଭିତରର ପରିସ୍ରାକୁ ବି ପିଇଦେଇଛି ଖରା । ମା’ର ହାଡ଼ୁଆ କୋଡ଼ ଭିତରେ ଅଣନିଶ୍ୱାସୀ ଛୁଆର ଡହଳବିକଳ ଆଖିରୁ ଆଉ ଲୁହ ବି ନିଗିଡ଼ି ପଡ଼ୁନାହିଁ । ତଥାପି ନଈ ବି ସରୁନାହିଁ । ଡଙ୍କ ଭାଙ୍ଗି ଲୋଟି ପଡ଼ିଛି ଛୁଆଟି ମାଆର କାଖରେ-। ଶୋଷରେ ତଣ୍ଟି କାଟିହେଇ ପାଉଛି । ନିଜ ଭାରକୁ ସମ୍ଭାଳି ପାରୁ ନ ଥିବା ମାଇପିଟି ପିଲାର ଓଜନକୁ ସମ୍ଭାଳି ପାରନ୍ତା କେତେକେ ! ମନରେ ଜାଗିଛି ଚାଲିବାର ସ୍ୱାର୍ଥ । ବଞ୍ଚିବାର ସ୍ୱାର୍ଥ-। ଏକେ ତ ପିଲାକୁ ବଞ୍ଚାଇ ପାରୁନି, ନିଜେ ବି ବଞ୍ଚିପାରୁନି ।

 

ଚାଲିବାର ବଳ ହରେଇଛି ମାଇପିଟି । ସୂର୍ଯ୍ୟ ଏକ ଭଙ୍ଗା ବୋତଲ ଭଳି ଆକାଶର ଚଟାଣରେ କୁତୁକୁତା । କିରଣର ଛିଟିକା କାଚଗୁଣ୍ଡର ବାଲି । ତଳିପାର ଫୋଟକା ଫଟେଇ ତାତିଲା ବାଲିର ଧାର ଯେତେବେଳେ ରକ୍ତରେ ଗଳି ଗଳି ହାଡ଼କୁ ଧରିଛି ସମ୍ଭାଳି ପାରିନି ମାଇପିଟି । ଭୁସ୍‌କିନା ଅଚେତା ଛୁଆକୁ କାଖରୁ ତୋଳି ଆଣି ବାଲି ଉପରେ ପକେଇ ଦେଇଛି । ଗରମ ବାଲିରେ ଭଜା ଛୁଆର ଦେହ ଉପରେ ପାଦଥାପି ଠିଆହୋଇ ପଡ଼ିଛି । କିନ୍ତୁ ନଈ ପାରି ହୋଇ ପାରୁନି !

 

ଜିଭ କାମୁଡ଼ି ଦେଇଥିଲା ମରାଳିକା । ତା’ପରେ ଟିକେ ଭାବି କହିଲା, ତୁଚ୍ଛା ବାହାପିଆ କଥା ମନରୁ ଫାଙ୍କି କହୁଚୁ ! ଏମିତି କେବେ ସମ୍ଭବ ହେଲାଣି ? ଜନ୍ମକଲା ମା’ କେବେ ତା’ର ଛୁଆକୁ ପାଦରେ ଦଳିଦେବ !

 

ହଁ, ମୁଁ ପରା ସେଇ ଛୁଆ । ଯାହାକୁ କାଖରେ କାଖେଇ ଦୀର୍ଘ ଅଠେଇଶି ବର୍ଷ ଧରି ଏଇ ପୋଡ଼ାମାଟିର ବାଲିରେ ଚାଲି ଚାଲି ମା’ ମୋର ସମୟର ନଈ ପାରି ହୋଇପାରିନି, ବରଂ ନିଜର ଭାରସାମ୍ୟ ହରେଇ ମୋରି ଅଚେତନ ଦେହକୁ ମାଟିରେ ଲୋଟେଇ ଅସୀମ ଶୂନ୍ୟତାର ଦାଉ ଦାଉ ମଧ୍ୟାହ୍ନରେ ନିଜର ସୁରକ୍ଷା ପାଇଁ ଠିଆ ହୋଇ ରହିଛି ମୋରି ବୁକୁରେ । ତୁ କ’ଣ ସେଇ ନାରୀର ସ୍ଥାବକ ନୁହଁ ! ଯିଏ କି ସ୍ୱାର୍ଥର ସ୍ଥିତି ପାଇଁ ତା’ ସନ୍ତାନର ଜୀଅନ୍ତା ଦେହ ଉପରେ ଖୋଜି ରଖି କ୍ଷମତାକୁ ଜାବୁଡ଼ି ଧରିଛି ।

 

ଡାହାଣିଆ ଖରା ଭଳି ପାଚିଗଲା ମରାଳିକା । ତମେ ଏମିତି ଅବାନ୍ତର କଥାଗୁଡ଼ା କାହିଁ କୁହ ଶୁଣେ ! କେଉଁ ନାରୀ ତା’ର ସନ୍ତାନକୁ ମାରି ରାଜନୀତି କରେ ? ବର୍ତ୍ତମାନ ଦେଶ ଖୁବ୍‌ ଜୋର୍‌ରେ ଆଗେଇଛି । ...ଇତ୍ୟାଦି ।

 

ଅବଶ୍ୟ ମୁଁ ନରମ ବାଲି ସାଉଁଟି ଯାଇ ନ ଥିଲି । ଅନେକ ଦିନ ପରେ ଯେତେବେଳେ ଭେଟିଛି ଛାଡ଼ୁଛି କେତେକେ ? ପୁଣି ନାରୀମୁକ୍ତି ଅଭିଯାନରେ ମରାଳିକାଦେବୀ ଏତେ ମାତିଛନ୍ତି ଯେ ସମ୍ବାଦପତ୍ରରେ ନାମ ପଢ଼ି ପଢ଼ି ଚିଟା ଲାଗୁଛି ।

 

ହଁ, ମୁଁ ଜାଣେ, ବର୍ତ୍ତମାନ ଯାହା କହିବି, ତୁ ଜମା ବିଶ୍ୱାସ କରିବୁ ନାହିଁ । ରାଜନୀତିର ମିଛ ବିଷୟରେ ତୋ ମନ ଏପରି ଚହଟି ଯାଇଛି ଯେ ସତ୍ୟକୁ ଛଳନାର ପୁଟ ଦେବୁ । ତଥାପି ଆଉ ଗୋଟିଏ କଥା ଶୁଣୁ ! ରାଜନୀତିକ ଜୀବନର କର୍ମକ୍ଳାନ୍ତି ଅବସାଦ ଭିତରେ ତୁ ଶୁଣିଥିଲେ ବି ଭୁଲି ଯାଇଥିବୁ । ଯେମିତି ଭୁଲି ଯାଆନ୍ତି ତୁମର ନେତାମାନେ । ଖବରକାଗଜର ପୃଷ୍ଠାକୁ ଆସୁଥିବା ଅଖ୍ୟାତ ଗାଁର ଖବରଗୁଡ଼ିକ ତୋର ସ୍ମୃତିର ମଶାଣୀରେ ଟୁକୁରାଏ ଅଙ୍ଗାର ଭଳି ସତ୍ତା ହରେଇଥିବ-। ନିକଟରେ ମେଦିନୀପୁର ଜିଲ୍ଲାର ମୁଗବେରିଆ ଗାଁରେ ଯେଉଁମାନେ ମାଟି କାମୁଡ଼ି ମରୁଥିଲେ, ସେମାନଙ୍କ ହିସାବ ତୁ କାଇଁ ରଖିବୁ ! ଭୋକ ସମ୍ଭାଳି ନ ପାରି ଯେଉଁମାନେ ଗାଁ ମାଟି ଛାଡ଼ି ଚାଲିଗଲେ ସେମାନଙ୍କ କଥା ଛାଡ଼ । ଅବଶ୍ୟ ତୁ ଜାଣୁନା, କେମିତି ତୋର ମା’ ଗାଁ ଛାଡ଼ି ଆସିଥିଲା-। କେମିତି ତୋର ବାପା ସହରରେ ରହି ଗାଁକୁ ଫେରି ନଥିଲେ । ଏମିତି ଫେରନ୍ତି ନାହିଁ ସମସ୍ତେ । ଥରେ ଗାଁରୁ ଗଲେ ସହରର ଅଇଁଠାରେ ମୁହଁ ବାନ୍ଧି ପଡ଼ି ରହିବାକୁ ଭଲ ଲାଗେ । ଗାଁରେ ମାଟି ତାଡ଼ି ଯେଉଁମାନେ ମାଟି ହୁଅନ୍ତି, ସେଇମାନଙ୍କ ତିଆରି ଇଟାରେ ସହରରେ ତୋଳା ହେଉଥିବା କୋଠାରେ ରହୁଥିବା ମଣିଷଗୁଡ଼ାକ ଯାଆନ୍ତି କୁଆଡ଼େ ଜାଣୁ ? ସେଇମାନଙ୍କ ତିଆରି ସମାଧି ଭିତରକୁ ।

 

ଭୋକରେ ଉଦର ଜଳୁଛି । କ୍ଷୁଧାର ଖୁରଧାରଠାରୁ ଶାଣିତ ଦାଢ଼ ଦୁନିଆରେ ଆଉ କ’ଣ ଅଛି ! ଅନଳ ଅନ୍ତନଳୀ ଦୁହୁଛି । ଅଭାବରେ ପଡ଼ି ସେଇ ଗାଁର ଦଶଜଣ ମାଇପି ପାଞ୍ଚ ଟଙ୍କାରେ ନିଜର ଜନ୍ମିତ ଛୁଆଙ୍କୁ ବିକି ଦେଇଛନ୍ତି ।

 

ଲଙ୍ଗଳ ଲୁହାର ସିଆରରେ କାଦୁଅ ଚପ୍‌ ଚପ୍‌ ନ ହେଉଣୁ ମନରେ ଯେଉଁମାନଙ୍କର ବଞ୍ଚିବାର ଘନବାଦଲ ଘୋଟଉଥିଲା ସେଇମାନଙ୍କ ଭିତରୁ ଚମ ଧୁଡ଼ୁ ଧୁଡ଼ୁ ଦେହକୁ ନେଇ ବଞ୍ଚିରହିଥିଲା ମାଇପିଟିଏ ଛୁଆକୁ ନେଇ ।

 

ମାଇପିଟି ଦେଖୁଥିଲା ଭୋକିଲା ମଣଷର ଫୋପଡ଼ା ଶବର ଆଖିକୁ ତାଡ଼ି କୁଆ ଖାଇବାର ମର୍ମନ୍ତୁଦ ଦୃଶ୍ୟ । ନୂଆଗଛ ଉଠି ଫସଲ ଖାଇଲା ବେଳକୁ ଯେଉଁମାନେ ବଞ୍ଚି ରହିବେ, ସେଇମାନଙ୍କର ମାଂସ ଖାଇବାକୁ କେହି ନ ଥିବେ । ତାହାରି ଆଖି ଆଗରେ ତାହାରି ଛୁଆକୁ ପୁଣି କୁଆ ଶାଗୁଣା ଖାଇବେ !

 

ଭୋକରେ ପେଟଚାପି ସହନ୍ତା ସେ କେତେ ? ଦିନେ ସକାଳୁ ଦେଖିଲା ଛୁଆଟି ତା’ର ମରି ଶୋଇଛି । ନିଜ ହାତରେ ପନିକିରେ ପୁଳା ପୁଳା କରି କାଟିଦେଲା ସନ୍ତାନର ଶବ । ନିଆଁରେ ପୋଡ଼ି ପେଟ ବିକଳରେ ଛୁଆର ମାଂସକୁ ଖାଇଲା ମାଆ ।

 

ଶୁଣିଲୁ ଭୋକ ସମ୍ଭାଳି ପାରି ନଥିବା ମହିଳାର ଦୁଃଖଦ କାହାଣୀ ! କ୍ଷମତା ସମ୍ଭାଳି ପାରୁନଥିବା ନାରୀନେତ୍ରୀ ମରାଳିକା ମୋର କଥାକୁ ମାନିନେବାକୁ ପ୍ରସ୍ତୁତ ନଥିଲା । କିନ୍ତୁ ତାହାରି ଦଳର ପ୍ରତିନିଧି ପ୍ରଶାନ୍ତ ସାହୁ ଏମ୍‌.ଏଲ୍‌.ଏ ଙ୍କର ତା ୧୧ । ୯ । ୭୪ ‘ସମାଜ’ରେ ପ୍ରକାଶିତ ବିବୃତିକୁ ସେ ମିଥ୍ୟାବୋଲି ପ୍ରମାଣିତ କରିପାରି ନଥିଲା ।

 

ମୁଁ ସେଇ ସନ୍ତାନର ଶବ, ଯାହାର ମାଂସକୁ ଖାଇ ବଞ୍ଚି ରହିଥିବା ମାଆର ସ୍ତାବକ ତୁ । ତୋ ସହ ମୁଁ ସାଲିସ କରିବାର ପ୍ରଶ୍ନ ଉଠୁନି ।

 

ମରାଳିକା ମୋ ଉପରେ ଓଲଟା ଦୋଷ ଢାଳି କହିଲା, ସଜ ମାଛରେ ପୋକ ପକେଇବା ଯାହାର ନୀତି, ସେଇ ବିରୋଧୀ ଦଳର ଚାମଚା କେବେଠୁ ହେଲ ତୁମେ ! କେଉଁଠି ଏହା ସମ୍ଭବ ହେଲାଣି ? କେଉଁ ଜନନୀର ହାତ ଯିବ ଛୁଆର ଗଳାଚିପି ମାଂସ ଖାଇବାକୁ ??

 

ମୁଁ ଯଦି ପ୍ରମାଣ କରିଦିଏ ! ଯେଉଁ ଜନନୀର ଓଠ ଯାଏ ଛୁଆର ଗାଲରେ ଅମୃତର ଚୁମା ଦେବାକୁ, ସେଇ ମାତୃତ୍ୱର ମନରେ ଯେତେବେଳେ ସ୍ୱାର୍ଥର ଅଳନ୍ଧୁ ଜମେ, ସେତେବେଳେ ନାରୀର ରାକ୍ଷସୀ ଓଠରେ ଅମୃତ ବି ଜହର ପାଲଟେ ମରାଳିକା !

 

ତା’ର ନରମ ଆଙ୍ଗୁଳିଗୁଡ଼ିକ ମୋ ଆଗରେ ଛଞ୍ଚାଣର ନଖ ହେଇଗଲେ । ମୋ ଚେତନା ଉପରେ ସବାର ହୋଇ ମୋ ବ୍ୟକ୍ତିତ୍ୱକୁ ଝାମ୍ପମାରି ନେଉଥିବା ଛଞ୍ଚାଣର ଅହମିକାକୁ ବରଦାସ୍ତ କରିବାର ଅବସ୍ଥାରେ ମୁଁ ନଥିଲି ।

 

ତୁ ବୋଧେ ମନେ ରଖି ନଥିବୁ ମରାଳିକା ! ତୋର ଜୀବନ ମଲାଟରେ ଉକୁଟି ଉଠୁଥିବା ଯନ୍ତ୍ରଣାକାତର ଅତୀତର ରଙ୍ଗିନୀ ମୁହୂର୍ତ୍ତର ଆତ୍ମଲିପି । ସେଇ ଗଲାଦିନର କଥାଗୁଡ଼ିକ ବର୍ତ୍ତମାନର ଚରିତ୍ର ତଳେ ଚାପି ହୋଇ ଚିତ୍‌କାର ଯେ ନ କରୁଥିବ, କେ କହିବ ! ତୁ ପଚାର ତୋର ବିବେକର ଚଉହଦିକୁ ! ତୁ ପରଖି ନିଏ ତୋର ରୂପମୟୀ କାମନାର ସାମ୍ରାଜ୍ୟକୁ । ଏକ ନିରୀହ ନିର୍ଜନ ବନର ଉପନିବେଶ ଉପରେ ତୁ ଜାହିର କରିଥିବା ରାଜତ୍ୱର କାହାଣୀ ମୁଁ ଭୁଲି ପାରିନାହିଁ । ଏବେ ତ ତୁ ନିଜେ ତୋ ଅହମିକାର ସରକାର । ଅଭିମାନର ପୁତ୍ତଳିକା । ଅନ୍ଧ ଅହଙ୍କାରର ପିଙ୍ଗଳା-। କ୍ଷମତାର ଦମ୍ଭରେ ଅନ୍ୟମାନଙ୍କ ଭଳି ତୁ ଭୁଲିଯାଇଥିବୁ ତୋ ନିଜର ଅସ୍ତିତ୍ୱ । ଅତୀତର ସମସ୍ତ ଭୁଲ ଭ୍ରାନ୍ତିକୁ ଗିଳି ହଜମ କରିଦେଇଥିବୁ । ମୁଁ କିନ୍ତୁ ଭୁଲି ପାରିନାହିଁ ମରାଳିକା !

 

ତୁ ଥିଲୁ ସେଇ କାଳର କପାଳ ନା, ଯା ମଥାରେ ଝଲମଲ କରୁଥିଲା ଶ୍ମଶାନର ଚିତା । ତୁ ଥିଲୁ ସେଇ ହାତ ନା, ଯାହା ପାପୁଲିରେ ଲୁହର ଲହଡ଼ି କଉଡ଼ି ଖେଳୁଥିଲା । ତୁ ସେଇ ପାଦ ନା, ଯାହାର ତଳିପାରେ ତରଳି ଉଠୁଥିଲା ମାଟି । ତୁ ସେଇ ଆଖିର ବିହଗ ନା, ଯାହା ଥରେଇ ପାରୁଥିଲା ଡୋଳାର ଦିଗନ୍ତ । ତୁ ସେଇ ଉତ୍ତାପର ଶିଖା ନା, ଯାହା ତରଳେଇ ପାରୁଥିଲା ଅହଙ୍କାରର ମହମ । କେଡ଼େ ବେଗି ବଦଳିଗଲୁ ତୁ ! କେଡ଼େ ବେଗି ଫାଟିଗଲା ତୋର ମାଟି ଦେହର ମାଂସ ଦିପାଳୀ ! କେଡ଼େ ବେଗି ଲିଭିଗଲା ତୋର ସେଇ ଅଦମନିତ ଆଗ୍ରହର ସଳିତା ! କେଡ଼େ ବେଗି ମରିଗଲା ତୋର ସେଇ ଅକପଟ ଦୟା ଓ କାରୁଣ୍ୟର ଅଦୃଶ୍ୟ ଅଙ୍କୁର ! ତୁ ଥିଲୁ ସେଇ ଝିଅ ନା, ଯିଏ ଆଗତୁରା ପିକେଟିଂ କରି ରାସ୍ତା ଅବରୋଧ କରୁଥିଲା ! ତୁ ଥିଲୁ ସେଇ ଝିଅ ନା, ଯିଏ ମୋ ସହିତ ସ୍ୱର ମିଳାଇ ଶାସକ ହଟାଅ ଧ୍ୱନିରେ ପ୍ରକମ୍ପିତ କରୁଥିଲା ଗଳି ଉପଗଳି !

 

ତୋର ମନେଅଛି ସେଇଦିନ ! ଯେଉଁଦିନ ସାରା ସହରରେ ଶାସକର କ୍ରୁର ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ କରି ହରତାଳ ପାଳନ କରାଯାଇଥିଲା । ଚକ ବନ୍ଦ । ଅଖ ବନ୍ଦ । ବନ୍ଦ ବନ୍ଦ, ସବୁ ବନ୍ଦ । ଆଓ୍ୟାଜ କଦମ ତୋଳୁଥିଲା । ଠିକ୍‌ ସେହି ଦିନ ତୋର ଲାଲ ଜରଜର ଓଠ ଲମ୍ବାଇ ଆଣିଥିଲୁ ମୋର ଗାଲ ପାଖକୁ ନୁହେଁ, କାନ ପାଖରେ କହିଲୁ, ‘‘ସପନ ! ତମ ପାଇଁ ଏକ ଗୋପନ ଖବର ଆଣିଛି ।’’ ମୁଁ ଦ୍ୱିଧାହୀନ ଭାବେ ଆଉଜି ଯାଇଥିଲି ତୋର ଓଠ ପାଖକୁ ଏବଂ ତୁ କ’ଣ କହିଥିଲୁ ତୋର ମନେଅଛି !

 

‘‘ସପନ, ତମ ନାମରେ ଓ୍ୟାରେଣ୍ଟ ବାହାରିଛି । ଅବିନାଶକୁ ପୋଲିସ୍‌ ଗିରଫ କରିଛି । ନେତାମାନେ ଯଦି ଜେଲକୁ ଚାଲିଯିବେ, ଆନ୍ଦୋଳନ ଚାଲିବ କିପରି ? ବର୍ତ୍ତମାନ ଜେଲ ଯିବାଟା ବାହାଦୂରୀ ନୁହେଁ, ପୋଲିସ୍‌ ଆଖିରେ ଧୂଳିଦେଇ ଆନ୍ଦୋଳନ ପରିଚାଳନା କରିବାଟା ହିଁ ବାହାଦୂରୀ-।’’ ଏହା କହିଥିଲୁ ନା !

 

ବାସ୍ତବିକ ସେହିଦିନ ମୁଁ କାହା ଭରସାରେ ‘ଅଣ୍ଡରଗ୍ରାଉଣ୍ଡ’ ରେ ରହି ଏକ ଅନାକାଂକ୍ଷିତ ଯନ୍ତ୍ରଣାକୁ ବରଣ କରିନେଲି ଜାଣୁ ? ତଥାପି ଯେଉଁଠି ଥିଲେ ବି ଗୋପନରେ ତୋର ମୋର ଭେଟ ହେଉଥିଳା । ତୁ ଥିଲୁ ଆମ ବିଦ୍ରୋହୀ ତାରୁଣ୍ୟର ସେତୁ । ସଂଗୁପ୍ତ ମନ୍ତ୍ରଣାର ସମ୍ବାଦବାହିକା କୋରିଅର ।

 

ଦିନେ କଥା ପ୍ରସଙ୍ଗରେ ତୁ ପ୍ରକାଶ କରିଥିଲୁ, ସପନ ! ତୁମକୁ ମୋର ରାଣ । ଗୋଟେ କଥା ପଚାରିବି, ମୋ ଦେହ ଛୁଇଁ କୁହ, ମୋତେ ଭୁଲ୍‌ ବୁଝିବ ନାହିଁ । ପୁଣି ଛେପ ଢୋକି ଅଟକିଗଲୁ । ଯେମିତି ତୋର ତଣ୍ଟିକି କିଏ ଚିପି ଧରୁଥିଲା । ତୋର ଅନ୍ତରର ଆଶା ଅଭିଳାଷର ଜହର ମୁହଁରେ ଚହଟି ଉଠୁଥିଲା । ତାକୁ ତୁ ମୋରି ମୁହଁ ଉପରକୁ ଢାଳିଦେଇ କହିଲୁ, ‘ସପନ ତୁମକୁ ମୁଁ ଭଲପାଏ’ ।

 

ଦୁନିଆ କ’ଣ କହିଥାନ୍ତା ମରାଳିକା ! ଗୋଟିଏ ତାରୁଣ୍ୟର ପୁଲିଙ୍ଗକୁ ନିର୍ବାପିତ କରିବାର ଲାଳସା କି ଅଦମ୍ୟ ! ଯାହାକୁ ଆଇନ, ଶାସନ ଓ କ୍ଷମତାର ଶିକୁଳି ବାନ୍ଧି ରଖିପାରି ନାହିଁ, ତାକୁ ଦୁଇଟି ଆଖି, ଗୋଟିଏ ହୃଦୟର ସମ୍ମୋହିନୀ ଜଞ୍ଜିରରେ ଗୁଡ଼େଇବା ସତେ କେଡ଼େ ସହଜ !

 

ତଥାପି ତୋର ସେଇ ଉଦାର ମନୋପଲିକୁ ମୋ ଉପରେ ଲଦିପାରି ନଥିଲୁ । ତୋର ବିବେକର ଟିଅର ଗ୍ୟାସ ମୋର ମାନବିକତାର ନୟନରୁ ଲୋତକ ନିଗାଡ଼ି ପାରି ନଥିଲା । ତୋର ଅବାଞ୍ଛିତ କାମନାର ଲାଠି ମୋର ଅନାସକ୍ତ ପିଠିରେ–ରକ୍ତନୋଳାର ଜମାଟ ବନ୍ଧା କ୍ରୋଧ ହୋଇ ଦାଗ ରଖିପାରି ନ ଥିଲା ।

 

ପରିଶେଷରେ ତୁ ହତାଶ ହୋଇ କହି ପକେଇଥିଲୁ, ମୋତେ ବଞ୍ଚାଅ ସପନ ! ଦେଖୁଛ ମୋର ଏଇ ପାପଗର୍ଭକୁ ! କେଉଁ ଦୁବର୍ଳ ମୁହୂର୍ତ୍ତ ମୋର ଅଭିଜାତ୍ୟ ଖାନଦାନୀକୁ ଧୂଳିସାତ କରିଆସିଥିଲା ପ୍ରକାଶ କରି ଲାଭ ନାହିଁ । ବିଶ୍ୱାସଘାତକ ଅବିନାଶ ମୋର ଏଇ କଳଙ୍କ ପାଇଁ ଦାୟୀ ।

 

ତୋର ଏକ ନକଲି ବୁନିଆଦି ଭୁଷୁଡ଼ି ଯାଇ ନ ଥାଆନ୍ତା ମରାଳିକା ! ଯଦି ତୁ ଧୈର୍ଯ୍ୟଧରି ଅବିନାଶକୁ ଅପେକ୍ଷା କରି ରହୁଥାନ୍ତୁ, ତୁ ମୋ କଥାରେ ଆଦୌ ଗୁରୁତ୍ୱ ଦେଲୁ ନାହିଁ । ବରଂ ମୋତେ ଆଘାତ ଦେଲାଭଳି କହିଲୁ, ଅବିନାଶର କ୍ୟାରିଅର ନଷ୍ଟ ହୋଇଗଲା । ପୋଲିସ୍‌ ତା’ ନାମରେ ଯେଉଁ ମକଦ୍ଦମା କରିଛନ୍ତି ସେଥିରୁ ସେ ମୁକୁଳିବା କଷ୍ଟ ।

 

ସେହିଦିନ ହିଁ ଥିଲା ତୋ ସହ ମୋର ଶେଷ ସାକ୍ଷାତ । ତୁ ଫେରିଗଲା ପରେ ଅଚାନକ ମୋତେ ପୋଲିସ ଗିରଫ କରିନେଲା ।

 

କାରାଗାରର ଅବରୁଦ୍ଧ କୋଠରୀ ଭିତରେ ମୁଁ ଭୁଲିପାରି ନଥିଲି ତୋର ସକରୁଣ ସ୍ୱୀକାରୋକ୍ତି । ମୋର ନାମରେ ମିଥ୍ୟା ମକଦ୍ଦମା ଯୋଡ଼ି ମୋତେ ଅଧିକ ଦିନ ଅଟକ ବନ୍ଦୀ ଭାବରେ ରଖାଯାଇଥିଲା । ଯେଉଁଦିନ ଜେଲରୁ ଖଲାସ ହେଲି, ଆଗ୍ରହରେ ତୋ ପାଖକୁ ଦଉଡ଼ି ଆସିଥିଲି । ତୁ ନିର୍ବିକାର ଭାବରେ କହିଥିଲୁ, ‘‘ସପନ, ମୋର ବିବୃତି ପଢ଼ିଛ !’’

 

ମୁଁ ଜାଣି ନଥିଲି, ତମେମାନେ କେତେଜଣ ଏହା ଭିତରେ ଛାତ୍ର ଆନ୍ଦୋଳନକୁ ବିରୋଧ କରି ଶାସକଦଳର ସମର୍ଥନ ଲାଭ କରିଥିଲ । ମୁଁ ପରିହାସ କରି କହିଲି, ତେବେ ତୋର ସେଇ ଅନାକାଂକ୍ଷିକ ସନ୍ତାନଟି ଦଳ ପରିବର୍ତ୍ତନ କରି ନଥିବ ନିଶ୍ଚୟ । ତୋର ଶେତା ମୁହଁ, ଈଷତ୍‌ ନାରଙ୍ଗୀ ଚିବୁକ, ଫିକା ଓଠକୁ ଚାହିଁ କହିଥିଲି, ଆରେ ତୁ କ’ଣ ‘ଆବରସନ୍‌’ କରିଦେଲୁ କି ?

 

ତୁ ଚମକି ପଡ଼ିଥିଲୁ ନା ! ଏବଂ ନିରୂପାୟ ହୋଇ କହିଲୁ, ‘‘ସପନ, ତମେ ଜେଲ ଗଲାବେଳେ ମୁଁ ବି ଅଣ୍ଡରଗ୍ରାଉଣ୍ଡକୁ ଚାଲିଗଲି !’’

 

ମୁଁ ନ ହସି ରହିପାରିଲି ନାହିଁ, ତେବେ ତୋର ଅଣ୍ଡରଗ୍ରାଉଣ୍ଡ ଥିଲା ପ୍ରସୂତୀ ଭବନ ନା !

 

ତୁ ମୋଠାରୁ କଥା ଛଡ଼ାଇ ନେଇ କହିଲୁ, ଏକ ନିଷିଦ୍ଧ କୋଠରୀ । ଚାରିକାନ୍ଥ ବ୍ୟତୀତ ଏକଥା କେହି ଜାଣନ୍ତି ନାହିଁ । ସପନ, ତୁମର ଗୋଡ଼ ଧରୁଛି, ତୁମେ ଆଉ ଆଘାତ ଦିଅନା !

 

ମରାଳିକା, ତୁ ତୋର ନିଜ ହାତରେ ଅନାଗତ ନବଜାତଟିକୁ ହତ୍ୟା କରିଥିଲୁ ନା ! କ୍ଷମତାର ମାର୍ବଲ ପାହାଚରେ ଚଢ଼ି ଗଲେ କେଡ଼େ ବେଗି ଭୁଲିଯାଏ ତଳିଯା, ପାଦତଳ ମାଟି ।

 

ସେଇମିତି ସତ୍ୟ ଆଜି ଅନାହାର ମୃତ୍ୟୁ । ସେମିତି ସତ୍ୟ ଆଜି ଏକ ଭୋକିଲା ମାଆର ସନ୍ତାନକୁ ରାନ୍ଧି ଖାଇବାର ଆଦିମ ପିପାଶା । ଅସହ୍ୟ ଖରାର ତାତିଲା ବାଲିରେ ସେମିତି ସତ୍ୟ ସନ୍ତାନର ଛାତିକୁ ଚକଟି ଠିଆହୋଇ ନିଜକୁ ରକ୍ଷା କରିଥିବା ଜନନୀ ପାଦର ସ୍ୱାର୍ଥ । ତୋର ଆଭିଜାତ୍ୟ ନିକଟରେ ବଳି ପଡ଼ିଥିବା ଏକ ଶିଶୁର ହତ୍ୟା ଯେପରି ସତ୍ୟ, ସେହିପରି ଆହୁରି ନିଷ୍ଠୁର ସତ୍ୟ ଶାସିକା ଜନନୀର ଅତ୍ୟାଚାରୀ ହାତ ମୋ ଭଳି ଅଗଣିତ ସାବତ ସନ୍ତାନର ରକ୍ତ ତର୍ପଣରେ ଜର୍ଜରିତ । କାହାପାଇଁ ଜାଣୁ, କ୍ଷମତାର ସ୍ୱାର୍ଥ ପାଇଁ । ମରାଳିକା ଆଉ ଶୁଣିବା ଅବସ୍ଥାରେ ନଥିଲା । ମୁଁ ଦେଖିଲି ତା’ର ଅନ୍ଧକାର ଆଖିର ଆକାଶରେ ଝୁଲି ରହିଥିବା ଏକ ସଦ୍ୟଜାତ ଶିଶୁର ଗଳାକୁ ଚିପିଧରିଥିଲା ଧାରୁଆ କଜଳର ଛୁରୀ । ଥର ଥର ପତା । ଏଇ କି ଝରିପଡ଼ିବ ପ୍ରତିହିଂସାର ଥୋପି ଥୋପି ଲୁହ, ଏଇକି ଖସି ପଡ଼ିବ ଅନ୍ତହୀନ କ୍ରୋଧର ବୁନ୍ଦା ବୁନ୍ଦା ରକ୍ତ ।

 

ମରାଳିକା ଅଭିନୟ କଲାଭଳି କହିଲା, ‘‘ସପନ, ତମ ସହିତ ଯୁକ୍ତି କରିବାକୁ ଆଉ ବେଳ ନାହିଁ । ଆଜିପରା ମାତୃମଙ୍ଗଳ କେନ୍ଦ୍ର ଉଦ୍‌ଘାଟନ ଉତ୍ସବ । ମୋତେ ସବୁ ଅପେକ୍ଷା କରିଥିବେ । ପୁଣି କେବେ ଦେଖା ହେଲେ ଗପିବା–ଯାଉଛି, ବାଇ ବାଇ’’

Image

 

ବତକ

 

ଦୁଇଟି ବତକ ଚିଲିକାରେ ପ୍ରବଳ ଉତ୍ତାପ ସହି ନପାରି ଉଡ଼ି ଆସିଥିଲେ ପୋଖରୀକୁ । ପୋଖରୀ ଚାରିପାଖ ଲୁହାଘେରା ତାରବାଡ଼ । ତାରବାଡ଼ ଚାରିପାଖେ ପଥର ପାଚେରୀ ପାଚେରୀ, ମଝିରେ ଲୁହାର ଫାଟକ । ଫାଟକ ଉପରେ ଇଟାର ଖିଲାଣ । ଖିଲାଣ ଉପରେ ଭଙ୍ଗାକାଚର ଟୁକୁରାରେ ଅସ୍ତାନ୍ତ ସୂର୍ଯ୍ୟର ରକ୍ତାକ୍ତ ପୀଡ଼ିତ ହାତ । ପାଚେରୀ ଦାଢ଼କୁ ଥିବା ଆମ୍ବଗଛରେ ବଉଳ ବାସ୍ନା ସାଥୀରେ ନଡ଼ିଆ ଗଛର ସୁନାଚଅଁରରେ କିରଣ ମୁଖା ରକ୍ତଛିଟିକା । ଭିତରେ ସଦ୍ୟ ଚମଡ଼ା ଉତୁରା ଏକ କଙ୍କାଳର ଖାଁ ଖାଁ ହାଡ଼ ଭଳି ଉଆସଟିଏ ।

ପୁରୁଣା ଉଆସ ଉପର ଆକାଶ ଦେଇ ଉଡ଼ୁ ଉଡ଼ୁ ଅଟକି ଯାଇଥିଲେ ବତକ ଦୁଇଟି । ଠିକ୍‌ ଉଆସ ପଛପଟ ପୋଖରୀର ଯାଦୁକରୀ କାଉଁରୀ ସ୍ପର୍ଶରେ ବତକ ଦୁଇଟି ଉବୁଟୁବୁ ହେଲେ ସତ ।

ପୋଖରୀର ଫୁଲ ସେମାନଙ୍କୁ ପ୍ରଚୁର ବାସ୍ନା ଦେଇଥିଲା । ଫୁଲର ନାଡ଼ ଖାଦ୍ୟ ଯୋଗାଇଥିଲା । ଦଳଭରା ପୋଖରୀର ସୁନୀଳ ଜଳ ହିଁ ଥିଲା ସେମାନଙ୍କର ଶୟନର ମଧୁଶଯ୍ୟା । ଫୁଲର ଅମୀୟ ବାସ୍ନା ଓ ସୁଷମାରେ ଉତ୍ତାପ ଭୁଲି ଯାଇଥିବା ବତକ ଦମ୍ପତ୍ତି ଚିଲିକାରେ ଭାସୁଥିବା ରୂପାଧାଉଳା ଲଞ୍ଚ ଭଳି ବେଶ୍‌ ଆରାମରେ ପହଁରୁଥିଲେ ।

ଦିନେ ଉଆସର ମାଳୀ ଫୁଲ ତୋଳୁ ତୋଳୁ ବତକ ଦୁଇଟିକୁ ଖେଳୁଥିବାର ଦେଖି ତା’ର ଈର୍ଷା ହେଲା । ସେ ମନେ ମନେ ଦାର୍ଶନିକ ପରି ଭାବିବାକୁ ଲାଗିଲା, ପୋଖରୀର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଏମାନଙ୍କର ଭୂମିକା ସ୍ମରଣୀୟ ହୋଇପାରେ; କିନ୍ତୁ ଜଳରେ ମଳତ୍ୟାଗ କରି ମଣିଷର ପ୍ରିୟ ଜୀବନଧାରଣର ପାନୀୟଜଳକୁ ଦୂଷିତ କରିବା ଅସମ୍ଭବ ନୁହେଁ । ସେ ଏକଥା ଯାଇ ମାଲୁଣୀର କାନରେ ଚୁପି ଚୁପି କହିଲା ।

ମାଲୁଣୀ ରାଜଜେମାଙ୍କ ପାଇଁ ଫୁଲମାଳା ଗୁନ୍ଥିବାରେ ବ୍ୟସ୍ତ ଥିଲା । ମାଳୀର କଥା ଶୁଣୁ ନଶୁଣୁ ପକ୍ଷୀଦମ୍ପତ୍ତିକୁ ଦେଖିବାର ଲୋଭ ସମ୍ବରଣ କରି ନପାରି ପୋଖରୀତଟକୁ ଦଉଡ଼ି ଆସିଥିଲା ଏବଂ ଯେଉଁ ଭାବ ପ୍ରକାଶ କଲା ତା’କୁ ଅର୍ଥକଲେ ଏହା ହେବ ଯେ ‘ହଇଏ କେଡ଼େ ନିଷ୍ଠୁର ମଣିଷ ତୁମେ ! ଗୋଟିଏ ସୁତାରେ ଦୁଇଟି ଜୀବନ-ଫୁଲ ଗୁନ୍ଥି ହୋଇ କାଳ କାଳ ଧରି ପହଁରିବାର ମଧୁର ସଙ୍କଳ୍ପରେ ବିଧାତାର କି ଅପୂର୍ବ ସର୍ଜନା !!...କୁହ ତ ତୁମେ କେବେ ମୋ ସହିତ ଏତେ ମନଖୋଲା ପହଁରି ପାରୁଛ ? ଯିଏ ପାରେନା ସେ ଅନ୍ୟକୁ ଏହିପରି ଈର୍ଷା କରେ । ପୁଣି ଛାର ଇତର ପକ୍ଷୀ ପ୍ରତି...’

ଦେବଦାସୀର ପୁଅ ଦେବାନନ୍ଦ କାନରେ ମାଳି ମୁଲୁଣୀର ଆଳାପ ପଡ଼ନ୍ତେ ସେ ପୋଖରୀ ହୁଡ଼ାକୁ ଝପଟି ଯାଉ ଯାଉ କେତୋଟି ଫୁଲଗଛର ଡାଳ ଭାଜିଯିବାରୁ ମାଲୁଣୀ ପାଟି କରିଥିଲା । ମୁଁ ଯେଉଁବାଟ ଦେଇ ଯାଏ, ଗଛର ଡାଳ ଭାଜି ଭାଜିଯାଏ, ମୋ ଚାଲିରେ ନୂଆ ପତର କଅଁଳି କଅଁଳି ଉଠେ । ଭଙ୍ଗାଡ଼ାଳକୁ ରୋପିଲେ ଫଳ ବି ଫଳିଯାଏ । ବଗିଚାର ଏତେ ଫଳ ତୋତେ ଖୁଆଇଲି, ତଥାପି ତୋର ରାଗ ଗଲାନି !

ଥୋବଡ଼ାର କଥା ଶୁଣ !! ମା’ ଲୋ ମା ! ମୁଁ ଯେଉଁ ଡାଳରେ ବସୁଚି ସେଇ ଡାଳ ଖାଲି ଭାଜିପଡ଼ୁଛି ! ଯା’ରେ ପୁଅ ରାଜଜେମା ପାଖେ ବହପ ଦେଖେଇବୁ, ଭାଳିଲା ଡାଳରୁ ଫଳ ତୋଳି ନେଇ ଖୁଆଇଦେବୁ । ଭୀମ ବଳ କୁନ୍ତିକୁ କ’ଣ ଅଜଣା ନା ଅଛପା ?

 

ଉଭୟେ ଆଗତୁରା ରାଜେମାଙ୍କ ଖବର ପହଞ୍ଚାଇବାରେ ଅଧିକ ତତ୍‌ପରତା ପ୍ରକାଶ କରିଥିଲେ ।

 

ରାଜଜେମା ପ୍ରସାଧନ କକ୍ଷରେ ଥିଲେ । ପୂର୍ବପରି ଯଦି ସେ ପୋଖରୀ ତୁଠକୁ ଆସୁଥାନ୍ତେ ତେବେ ଖବର ଦେବାକୁ ମାଲୁଣୀ ଆଉ ଦେବାନନ୍ଦ ମଧ୍ୟରେ ପ୍ରତିଦ୍ୱନ୍ଦିତା କରିବାକୁ ପଡ଼ି ନ ଥାନ୍ତା ! ଅବଶ୍ୟ ଜେମାଙ୍କର ପୋଖରୀ ତୁଠକୁ ନ ଆସିବାର ଏକ ରହସ୍ୟ ଥିଲା ।

 

ଦିନେ ଏକ ଆସନ୍ନ ସଂଧ୍ୟାରେ ରାଜଜେମା ଜଳ କ୍ରୀଡ଼ା ସାରି ତୁଠରେ ଚକା ପାରିଥିଲେ-। ବେଟାରୀ ଶେଷ ଟର୍ଚ୍ଚର ଆଲୋକ ଭଳି ଦିନାନ୍ତରର କିଛି ଲାଲଟିପା ଦେହରେ ଲେପଟେଇ ଥିଲା-। ସେ ପାଣିକୁ ଚାହିଁ ନୀରବରେ କ’ଣ ଦେଖୁଥିଲେ । ଯେପରିକି ଢଳ ଢଳ ପାଣିକୁ ସେ ଦର୍ପଣ ରୂପେ ବ୍ୟବହାର କରୁଥିଲେ ଏବଂ ଜଳର ମୁକୁରରେ ନିତି ଜୁଡ଼ା ସଜାଡ଼ୁ ଥିଲେ-। ସେ ଏପରି ଆତ୍ମସମ୍ମୋହନରେ ନିମଗ୍ନ ରହିଥିଲେ ଯେ ବହୁ ସମୟ ଧରି ଲକ୍ଷ୍ୟ ରଖିଥିବା କେଉଁ ଏକ ଅଜଣା ଦେଶର କୁମାର ବିରକ୍ତିର ସହ ପ୍ରୀତିର ପ୍ରତୀକ ଟୋକାଟିଏ ପାଣିକୁ ଫିଙ୍ଗି ଦେବା ଫଳରେ ଜଳର ଅଇନା ଗର ଗର ହୋଇ ଜେମାଙ୍କର ହଳଦିମଖା ତନୁ ପିତୁଳାକୁ ବହୁ ଭାଗରେ ସତତ ବିଭକ୍ତ କରିଦେଇଥିଲା । ଇସ୍‌ ଟେକା ବଦଳରେ ଫୁଲଟିଏ ଫିଙ୍ଗିଥିଲେ କେମିତି ହୋଇଥାନ୍ତା ! ମାଲୁଣୀ କହିଲା । ମୁଁ ହୋଇଥିଲେ ଉଆସ ଆଗରେ ଗଡ଼ୁଥିବା ତୋପଟିଏ ଫିଙ୍ଗି ଦେଇଥାନ୍ତି, ଦେବାନନ୍ଦ ଭାବିଲା; କିନ୍ତୁ କହି ନ ଥିଲା ।

 

ସେହିଦିନ ଠାରୁ ଅନ୍ଧକାରର ନୀରବ ଦୀପ ଶିଖା ରୂପେ ସେ ଅତିଗୋପନରେ ଜଳିବାକୁ ଲାଗିଲେ । ଜେମା ଯେଉଁଦିନଠାରୁ ରାଜାଙ୍କ ପାଟ୍‍ନର ଉଆସ ବାହାର କରୁଥିବା କଥା ଜାଣିବାକୁ ପାଇଲେ, ସେହିଦିନ ଠାରୁ ଏଣିକି ତାଙ୍କର ପ୍ରସାଧନ କୋଠରୀ ଭିତରେ ପଶିବାର ଅଧିକାର ତାର ସ୍ୱୟଂପିତାଙ୍କୁ ମଧ୍ୟ ଦେଇ ନଥିଲେ ।

 

ଅଫଟା କଢ଼ିର ପାଖୁଡ଼ାକୁ ଜବରଦସ୍ତି ମେଲାଇ ଦେଖିଲେ ଯେଉଁ ରଙ୍ଗ ଉକୁଟିଉଠେ ଜେମାଙ୍କର ଓଠରେ ଯେତେ ରଙ୍ଗ ବୋଳିଲେ ବି ଫୁଲ ଫୁଟିବାର ଓଠ ସେ ନୁହେଁ । ନୟନରେ ନୈରାଶ୍ୟଭିଜା ଅନ୍ଧକାରର କଜଳ ଯେତେ ମାଖିଲେ ବି ଏକ ଜୀବନ୍ତ ନିଶିଥକାତର ଆଖି ସେ ନୁହେଁ ।

 

ସେ ଏବେ ଅଇନାରେ ବାରମ୍ବାର ପ୍ରତ୍ୟହ ମୁହଁ ଦେଖନ୍ତି । ପସନ୍ଦ ହେଲେ ତ ଭଲ, ନଚେତ ଆଇନାକୁ ଚଟାଣରେ ପିଟି ଟିକିଟିକି କରି ଦିଅନ୍ତି । ସତେ ଯେପରି କୌଣସି ଏକ କୁମାରକୁ ଉପଭୋଗ କରି ତଣ୍ଟିଚିପି ହତ୍ୟାକଲା ପରି ଲାଗେ ।

 

ତା’ପରେ ପ୍ରଳାପ ଓ ବେଦନାଜଡ଼ିତ ଡାକରା । ଚଟାଣରେ ବିଞ୍ଚିହୋଇ ପଡ଼ିଥିବା ଖଣ୍ଡ ଖଣ୍ଡ କାଚ ଗୁଡ଼ିକୁ ଗୋଟାଇବାର ଦାୟିତ୍ୱ ପ୍ରାୟ ଦିନେ ଛଡ଼ା ଦିନେ ଦେବାନନ୍ଦ ଉପରେ ପଡ଼େ । ଦିନକର କାଚ ସାଉଁଟିଲାବେଳେ କାଚଟୁକୁରାଟିଏ ତା’ ଆଙ୍ଗୁଠିରେ ଗଳିଯାଇ ରକ୍ତ ଝରିବାକୁ ଲାଗିଲା । ଜେମାଙ୍କର କ’ଣ ମନ ହେଲା କେଜାଣି ସେ ସଙ୍ଗେ ସଙ୍ଗେ ଆଙ୍ଗୁଠିକୁ ଚୁଚୁମିବାରେ ଲାଗିଲେ । ସେହିଦିନ ଠାରୁ ନୂଆଦର୍ପଣ କିଣି ଆଣିବା ସହିତ ଭଙ୍ଗାକାଚ ବି ସାଉଁଟିବାର କର୍ତ୍ତବ୍ୟ ସମାପନ କରୁକରୁ ସେ କେବଳ ରାଜଜେମାଙ୍କର ପ୍ରସାଧନ କୋଠରୀ ନୁହେଁ ଶୟନକକ୍ଷ ମଧ୍ୟ ଦେଖିବାର ସାହସ ଅର୍ଜନ କରିପାରିଥିଲା ।

 

ରଜା ଦେବାନନ୍ଦ ହାତରେ କେବେ କେବେ ଭଙ୍ଗାକାଚ ଦେଖିଲେ କହନ୍ତି, ଜେମାଙ୍କ ଘରୁ ଆଣିଲ ତ ! ନଷ୍ଟ କରନା’, ଏଇଠି ଜମେଇ ରଖ । ଦେବାନନ୍ଦ ଜାଣେ କାଚ ଗୁଣ୍ଡ ଗୁଡ଼ିକ କି କାମରେ ଆସେ ।

 

ଇତିମଧ୍ୟରେ ରାଣୀଙ୍କ ପାଖରେ ଯାଇ ଖବର ପହଞ୍ଚି ସାରିଥିଲା । ବତକ ଦୁଇଟିକୁ ଦେଖିଲାମାତ୍ରେ ରାଣୀଙ୍କର ଲୋଭଜାତ ହେଲା । ଆଖିରେ ବାନ୍ଧି ରଖିବାର ନିଶା । ମନରେ ଧରି ରଖିବାର ଉତ୍କଣ୍ଠା । ଜିଭରେ ଶୋଷଣର ଲାଳସା । ସେ ଅହରହ ଯନ୍ତ୍ରଣା ଭିତରେ ସନ୍ତୁଳିତ ହେବାକୁ ଲାଗିଲେ ।

 

ଠିକ୍‌ ପର ମୁହୂର୍ତ୍ତରେ ରାଜଜେମା ସଚରାଚରେ ଦାସଦାସୀଙ୍କ ଗହଣରେ ଆସି ପୋଖରୀ ତୁଠରେ ଉପନୀତ ହେଲେ । ମାତାଙ୍କର ମନବ୍ୟଥାର କାରଣ ପୁଛନ୍ତେ ସେ ସଂକ୍ଷିପ୍ତରେ ଦରଦମିଶା ମୃଦୁରୋଦନ କଣ୍ଠରେ ଭାବପ୍ରବଣ ହୋଇ କହିଲେ, କେଡ଼େ କମନୀୟ ଏଇ ଯୁଗଳପ୍ରାଣର କ୍ରୀଡ଼ା ! ତୁମପାଇଁ କି ଅପୂର୍ବ ସମ୍ପତ୍ତି, ଅବିକଳ ମୃତ କ୍ୟାଲେଣ୍ଡର ପୃଷ୍ଠାର ଛବିପରି ଜୀବନ୍ତ, ଡେଣାରେ ତା’ର ବି ପ୍ରାଣବନ୍ତ ଭାଷା, ରଙ୍ଗବୋଳା ଜ୍ୱଳନ୍ତ ଅକ୍ଷର । ପୋଖରୀର ଶୋଭା ବର୍ଦ୍ଧନରେ ବତକର ଚିତ୍ରିତ ପରର ଫଡ଼ ଫଡ଼ ଶବ୍ଦରେ ମଧୁମୟ ଗୁଞ୍ଜରଣ, ଚଞ୍ଚୁରେ ଚଞ୍ଚୁ ଘଷିବାର ଅନିର୍ବଚନୀୟ ମୋହ–ପଞ୍ଜୁରୀରେ ଧରିନେଇ ରଖିଲେ କ’ଣ ଆଉ ମିଳିବ !! ପଇସା ଦେଇ ପକ୍ଷୀର ମାଂସ କିଣାଯାଇପାରେ କିନ୍ତୁ ସୌନ୍ଦର୍ଯ୍ୟ କିଣାଯାଇ ପାରିବନି ମା !!!

 

ରାଣୀ ମା’ କାଳେ ପକ୍ଷୀଦୁଇଟି ଉଡ଼ିଯିବେ ଭାବି ଫାଶପକାଇ ଧରିନେବା ପାଇଁ ସହରରୁ ବଛା ବଛା ଶିକାରୀଙ୍କୁ ଆଣିବା ନିମନ୍ତେ ଉଆସର ପୁରୁଣାଗାଡ଼ି ସହ ଡ୍ରାଇଭର ଓ ଚାରମାନଙ୍କୁ ପଠାଇ ସାରିଥିଲେ । ଜେମାଙ୍କର ଏତାଦୃଶ ଅନୁରୋଧକୁ ମଧ୍ୟ ସେ ଏଡ଼ାଇ ପାରି ନଥିଲେ । ବତକଙ୍କୁ ପୁଣି ଧରାଯିବ କେଉଁଥିରେ ! ଫାଶ ପକାଇ ଧରିଲେ କାଳେ ପର ଛିଡ଼ି ଯାଇପାରେ !!

 

ଶିକାରୀମାନେ ଆସିବାରେ ବିଳମ୍ବ ହେବାର ଜାଣି ରାଣୀ ମା’ ଭାବିଲେ ଧତରାଗାଡ଼ିଟା ବାଟରେ କ’ଣ ଖରାପ ହୋଇଗଲା କି ? ନାନା ପାପଚିନ୍ତା ମୁଣ୍ଡକୁ ଛୁଇଁଲାବେଳେ ରାଜଜେମାଙ୍କ ମନରେ ଏକ ନୂତନ ପ୍ରଜ୍ଞାଦୀପ୍ତ ବୁଦ୍ଧି ଆସି ଜୁଟିଯାଇଥିଲା ।

 

: ଗୋଟେ କଥା କରାଯାଇପାରେ ମା ! ସହରର ବିଭିନ୍ନ ପ୍ରାନ୍ତରରୁ ବଛା ବଛା ଖ୍ୟାତନାମା ଚିତ୍ରକରଙ୍କୁ ଡକାଯାଉ । ସେମାନେ ବତକ ଦମ୍ପତ୍ତିକୁ ଦେଖି ବିଭିନ୍ନ ଆଧୁନିକ ପୋଜ୍‌ରେ ଛବିଆଙ୍କିବା ପାଇଁ ଆମ ଉଆସ ଭିତରେ ପ୍ରତିଦ୍ୱନ୍ଦିତା ହେଉ । ଯାହାଫଳରେ କି ଆମେ ମାଗଣାରେ ଗୁଡ଼ାଏ ଛବି ଉଆସ ଭିତରେ ଟାଙ୍ଗିବାକୁ ପାଇବା ଏବଂ ଯୁଗଯୁଗ ଧରି ବତକ ଦୁଇଟିର ସ୍ମୃତି ତୈଳଚିତ୍ର ଭଳି କାନ୍ଥରେ ଝୁଲାଇ ରଖିବା !

 

: ଉତ୍ତମ ପ୍ରସ୍ତାବ । କିନ୍ତୁ ଚିତ୍ରଶିଳ୍ପୀମାନଙ୍କର ତୁଳି ଚଳେଇବାର ଭଙ୍ଗୀ ଦେଖି ପକ୍ଷୀଦୁଇଟି ହୁରୁଡ଼ି ଉଡ଼ି ଯିବେନି ତ ?

 

ସମବେତ ରାଜପରିଷଦବର୍ଗ ଭିତରୁ ଜଣେ ଖୁସାମତିଆ ଭାଟ କହିଲା, ହଜୁର, ଏବେ କ’ଣ କଳାକାରମାନେ ମଣିଷର ହେଉ ପକ୍ଷୀର ହେଉ ବାସ୍ତବ ଜୀବନକୁ ନେଇ ଛବି ଆଙ୍କୁଛନ୍ତି ! ରାଣୀ ମା’ ପୋଖରୀର କାଚକେନ୍ଦୁ ପାଣି, ଆକାଶରେ ମେଘ ଉଠେଇଲା ଭଳି ଦିଶିବ । ବତକର ବେକ ମରୁଭୂଇଁର ଓଟ ପରି ଦିଶିବ । କଥାକଥାକେ ଫରେନ୍‌ ଷ୍ଟାଇଲର ନକଲ ଓ ନଜିର !...ଯଦି ବାଉଁଆ ବେରସିକ ଶିଳ୍ପୀ କେତୁଟା ଜୁଟିଯିବେନା, ତେବେ ତ ସରିଲା, ବତକର ନୀଳପରକୁ ରକ୍ତବୋଳା ଛୁରା କରିଦେବେ...

 

ରାଣୀମା ବିରକ୍ତରେ କହିଲେ, ଛାଡ଼ ସେ ପ୍ରସ୍ତାବ !

 

କିନ୍ତୁ ଦେବାନନ୍ଦ ଗୋଟିଏ ଉତ୍ତମ ପ୍ରସ୍ତାବ ଦେଇଥିଲା...ପ୍ରସ୍ତାବଟା ହେଲା, ଏଠି ଯଦି ଗୋଟେ କବିତା ପାଠୋତ୍ସବର ଆୟୋଜନ କରାଯାଆନ୍ତା, କେମିତି ହୁଅନ୍ତା ? କବିମାନେ ପ୍ରତ୍ୟକ୍ଷ ଭାବରେ ବତକ ଦୁଇଟିକୁ ଦେଖିଲା ମାତ୍ରେ ଭାବ ପ୍ରବଣ ହୋଇ କେବଳ ବତକ ନୁହେଁ; ପୋଖରୀ, ଫୁଲ ପାହାଚ ଏବଂ ଉଆସର ବର୍ଣ୍ଣନା ମଧ୍ୟ ତାଙ୍କ କବିତା ଭିତରେ ଫୁଟାଇ ପାରନ୍ତେ । ଯାହା ଫଳରେ କି ସାହିତ୍ୟରେ ରାଣୀ ମା ବତକଯୁଗ ସୃଷ୍ଟିକରି ପାରନ୍ତେ । ସାହିତ୍ୟରେ ବିଂଶ ଶତକ ହିଁ ହୁଅନ୍ତା ଦରବାରୀ ସର୍ଜନା ସନ୍ତକ ।

 

ପରବୋଲିଆ ଦେହରକ୍ଷୀ ଜଣକ କହିଲା, ନା-ନା କବିମାନଙ୍କୁ ଆଦୌ ବିଶ୍ୱାସ ନାହିଁ । ଜେମାଙ୍କର ତନୁ ପରି ବତକର ଥଣ୍ଟ । ରଜାଙ୍କର ନିଶ ଭଳି ନରମ ପକ୍ଷୀର ପେଟ । ରାଣୀଙ୍କର ପାଦ ପରି ଖାଦମିଶା ହଂସର ଚିବୁକ । କଥା କଥାକେ ସିମିଲି, ଉପମା, ମେଟାଫର୍‌ । ଫରେନ ପତ୍ରପତ୍ରିକାରୁ ଚୋରି କରି ବତକ ପର ସହ ରାଜଜେମା ଅଙ୍ଗକୁ ଫେଣ୍ଟି ଦେଇ ଚିତ୍ରକଳ୍ପ ଜରିଆରେ ପହଁରେଇ ଦେବେ । ପ୍ରେଷ୍ଟିଜ ଯିବ !!

 

କିଛି ସମୟ ନୀରବ ରହିଲା ପରେ ଜେମା କହିଲେ, ତେବେ ଗୋଟେ କଥା କରାଯାଉ-। ଉଆସ ଭିତରକୁ କବିମାନେ ପଶିଲାମାତ୍ରେ ପକେଟ ସର୍ଚ୍ଚ କରାଯାଇ କାଗଜ–ଟୁକୁରାଟେ ଆଣିବାକୁ ସୁଯୋଗ ଦିଆ ନ ଯାଉ । ସଙ୍ଗରେ ପୁସ୍ତକ, ପତ୍ରପତ୍ରିକା, ଡାଏରୀ ଆଣିବାକୁ ମନା କରିବା ସଙ୍ଗେ ସଙ୍ଗେ ବତକ ଦମ୍ପତ୍ତିକୁ ଦେଖି କବିତା ଲେଖିବାକୁ ସମୟ ଦିଆଯାଉ ଏବଂ ତା’ପରେ ଯାଇ କବିତା ଆବୃତ୍ତି....

 

ରାଜଜେମାଙ୍କର ପ୍ରସ୍ତାବଟି ସମସ୍ତଙ୍କୁ ମନକୁ ପାଇଗଲା ।

 

କବିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ଗାଡ଼ି ପ୍ରସ୍ତୁତ ହେଉଥିଲା ବେଳେ ଦେବାନନ୍ଦ କହିଲା, କାହିଁକି ଅଯଥା ପେଟ୍ରୋଲ ଖର୍ଚ୍ଚ କରିବା, କେବଳ ଆଜି ସନ୍ଧ୍ୟା ସମ୍ବାଦପତ୍ରର ଡାକ ସଂସ୍କରଣରେ କବିତା ପାଠୋତ୍ସବ ସଂକ୍ରାନ୍ତୀୟ ଶିରୋନାମାରେ ସମ୍ବାଦଟିଏ ଛାପିଦେଲେ ହେଲା–ଏତେ କବି ଜମା ହୋଇଯିବେ ଯେ ଆୟତ୍ତ କରିହେବନି ।

 

ସମ୍ବାଦପତ୍ରର ସମ୍ପାଦକମାନଙ୍କୁ ବି ଡକାଯାଉ ! ସେମାନେ ପୌରୋହିତ୍ୟ କରିବେ । ଅତଏବ ସାମ୍ବାଦିକଙ୍କୁ ଫୋନରେ ଜଣାଇ ଦିଅ ଏଥିରେ ବିଶିଷ୍ଟ ସାଧୁ ବାବା ପ୍ରତାରକ, ସନ୍ଥଯୋଗୀ ଭଣ୍ଡ ଏବଂ ମଠ ମହନ୍ତମାନେ ମଧ୍ୟ ଯୋଗଦାନ କରୁଛନ୍ତି । ତେଣୁ ସମ୍ପାଦକମାନଙ୍କୁ ଆଉ ନିମନ୍ତ୍ରଣ କରିବାକୁ ପଡ଼ିବନି ।

 

ଏଥି ସକାଶେ ରଜାଙ୍କର ପରାମର୍ଶ ନିଆଯାଉ । ସମ୍ବାଦପତ୍ରରେ କବିତା ପାଠୋତ୍ସବର ବିବରଣୀ ସହ ଯଦି ରାଜପରିବାର କିମ୍ବା ଉଆସର ଛବି ପ୍ରକାଶ ପାଏ, ତେବେ ଆଗାମୀ ନିର୍ବାଚନରେ ଲାଭ ହେବ ନା କ୍ଷତି ହେବ !

 

ରାଜାଙ୍କୁ ଖୋଜିବା ପାଇଁ ସଙ୍ଗେ ସଙ୍ଗେ ଚାର ତଥା ରାଜଦୂତଙ୍କୁ ପ୍ରେରଣ କରାଗଲା । ରଜାଙ୍କର ଆସିବାର ବିଳମ୍ବ ଦେଖି ରାଣୀ ମନେ ମନେ ବିରକ୍ତ ହେଲେ । ବତକଦମ୍ପତ୍ତି ପରି ତାଙ୍କର ବି ଏ ବୁଢ଼ୀ ବୟସରେ ପହଁରିବାକୁ ଇଚ୍ଛା ହେଉଥିଲା । ରଜାଙ୍କ ବିନା କ’ଣ ଏକାକୀ ପହଁରି ହୁଏ । ରଜା ଆସୁ ଆସୁ ଯଦି ବତକ ଦୁଇଟି ଉଡ଼ିଯିବେ, ତେବେ କବିତା ପାଠୋତ୍ସବ ନେହେଲେ ଚଳିବ; କିନ୍ତୁ ରଜା ନ ଦେଖିଲେ ଚିରଦିନ ପାଇଁ ଅବଶୋଷ ରହିଯିବ । ତେଣୁ ସେ ବିକଳରେ ରଜାଙ୍କ ଖବର ନେବା ପାଇଁ ଆଗତୁରା ଉଆସରେ ପହଞ୍ଚି ଯାଇଥିବା ଜଣେ ସାମ୍ବାଦିକଙ୍କୁ ପଚାରିଲେ ଏବଂ ପରିଶେଷରେ ରାଜାଙ୍କର ସନ୍ଧାନରେ ବାହାରି କୌଣସି ଏକ ଗଳିରେ ଥିବା ସମ୍ଭ୍ରାନ୍ତ ହୋଟେଲରେ ତାଙ୍କର ସ୍ୱାମୀ ଅତ୍ୟଧିକ ମଦ୍ୟପାନ କରି ଏକ ଅପରିଚିତ ନାରୀର କୋଳରେ ନିଦ୍ରା ଯାଇଥିବା ଦେଖି ଫେରିଆସିଲେ । ରାଣୀ ବିବ୍ରତ ହୋଇ ରାଜଦରବାରରେ ସମବେତ ସଚେତନ କବିମାନେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ପହଞ୍ଚି ସାରିଥିବା ଦେଖି ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲେ ନାହିଁ ।

 

ସନ୍ଧ୍ୟା ଉପଗତ । ଉଆସରେ କବି ସମାରୋହ । ଗୋଟେ ପାଖେ ବ୍ୟବସାୟୀ, ପୋଲିସବାହିନୀର ସର୍ବୋଚ୍ଚ ଅଫିସର, ଉଚ୍ଚ ବିଭାଗୀୟ ସରକାରୀ କର୍ମକର୍ତ୍ତା, ମନ୍ତ୍ରୀ, ଜମିଦାର ପ୍ରମୁଖ । ଅନ୍ୟ ପଟେ ରାଜପରିଷଦବର୍ଗ ଏବଂ ମଞ୍ଚ ଉପରେ ଆସୀନ ସହରର ପ୍ରସିଦ୍ଧ ସମ୍ବାଦପତ୍ରର ପ୍ରବୀଣ ସମ୍ପାଦକ, ମହାମାନ୍ୟା ରାଣୀ, ରାଜଜେମା, ଦେହରକ୍ଷୀ ତଥା ରାଜାଙ୍କ ପାଇଁ ଖାଲି ଥିବା ଉଦାସ ଶୂନ୍ୟ ନିରୀହ ମୟୁର ଚେଆର୍ ।

 

କବିତା ପାଠ ଆରମ୍ଭ ହେବା ପୂର୍ବରୁ ସଭାପତି ଜଣ ଜଣ କରି କବିଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରି କବିମାନେ ସ୍ୱ-ଆତ୍ମ ପରିଚୟ ପ୍ରଦାନ କରି କବିତାପାଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

 

ଅବଶ୍ୟ ପାଠୋତ୍ସବର ପ୍ରଥମ କବିଙ୍କର ପରିଚୟ ସଭାପତି ନିଜେ ଦେଇଥିଲେ । କବି ଆଧୁନିକ ଶେଖର ଚୂଡ଼ାମଣୀ ରମାପଦ ସ୍ୱାମୀ ସାମ୍ପ୍ରତିକ ସାହିତ୍ୟରେ ଜଣେ ପ୍ରବର୍ତ୍ତକ । ବିଶେଷତଃ ସରକାରଙ୍କ ଜଣେ ଉଚ୍ଚ-ରାଜକୀୟ କର୍ମଚାରୀ ଭାବରେ ସେ କିପରି ନିଜକୁ ପ୍ରତିଷ୍ଠା କରି ପାରିଛନ୍ତି, ତା’ର ସମ୍ପୂର୍ଣ୍ଣ ପରିଚିତି ହିଁ କବିର କବିତା ।

 

ରେ ବତକ ରାଜଜେମା ତନୁ ପରି

ତୋ ନିର୍ମଳ ଚଞ୍ଚୁ । ମୋ ନିର୍ମଳ ଗିନା ଦେହେ

ସ୍ତନଚିପି ଢାଳିଦେବି ମୋନାଲିସା ଖିର

ପଲଙ୍କରେ ଫୁଠାଇବି ଫୁଲ...

 

ଆବୃତ୍ତି ଶେଷ ନ ହେଉଣୁ ଘନଘନ କରତାଳିରେ ରାଜ ଦରବାର ଉଛୁଳି ପଡ଼ିଲା । କି ଜୀବନ୍ତ ରୂପାୟନ !!

 

ପୁଣି ଆଉ ଜଣେ କବି ମଞ୍ଚକୁ ଉଠିଲେ । ଲମ୍ବା କଲି । ଚାଳିଶି ଟପି ବୟସ । ଦେହରେ ପଟା ପଟା ବାଘଛାଲ ଗାର ହାୱାନି ।

 

ମୁଁ କବି ସୀତାପତି ଦେବତା । ମୋର ବହୁ କବିତା ଆନ୍ତର୍ଜାତିକ ପତ୍ର-ପତ୍ରିକାରେ ପ୍ରକାଶ ପାଉଥିବାରୁ ସ୍ଥାନୀୟ ପତ୍ରିକାରେ ଲେଖା ପ୍ରକାଶ କରିବାକୁ ଇଚ୍ଛା ନାହିଁ କି ବେଳ ବି ହୁଏନି-। ହଠାତ୍‌ କିଏ ଗୋଟେ ପିଲା ମହିଳା ମହଲ ପଟେ ପାଟି କରି ତା’ର ବୋଉକୁ କହୁଥିବା ଶୁଣାଗଲା–ବୋଉଲୋ, ଏ ଲୋକଟା ମୋ ଜାମାଟା ପିନ୍ଧି ପକେଇଛି ! ....ସ୍ୱେଚ୍ଛାସେବକ ଜଣେ ପହଞ୍ଚି ଯିବାରୁ ପିଲାଟା ତୁନି ହୋଇଗଲା ।

 

ରାଣୀଙ୍କର ଉତୁରା ବୟସ ରଙ୍ଗ

ସଦ୍ୟକଟା ବ୍ଲାଉଜ ଫଟା ମାଂସ

ପରଶିବି ତୋତେରେ ସୁନା ହଂସ...

 

ଚାରି ଆଡ଼େ ଖାଲି ହସର ଢେଉ । ଉଚ୍ଛ୍ୱସିତ ପ୍ରଶଂସା । ଚମତ୍କାର ବର୍ଣ୍ଣନା !! ଆଉ ଥରେ ପଢ଼ାଯାଉ । ସଭାପତି ନିର୍ଦ୍ଦେଶ ଦେଲେ, ଯଦି ସମୟ ବଳେ ତେବେ କବି ଆଉ ଥରେ ଆବୃତ୍ତି କରିବେ ।

 

ଶୁଣନ୍ତୁ ପଦ୍ମଶ୍ରୀ ପାଇବାକୁ ଯାଉଥିବା କବି ଜଗତପ୍ରିତ କ୍ରୀତଦାସଙ୍କ କବିତା, ଯିଏ ଜି ସାଂସ୍କୃତିକ ବିଭାଗର କବି ଭାବରେ ଏବଂ ସଂଗୀତ ନାଟକି ଏକାଡ଼େମୀରେ ସୁପ୍ରତିଷ୍ଠିତ ।

 

ଆକାଶର ପିଆଲାରେ ସୁରା ଢାଳି

ପିଇବି ମୁଁ ପେଗ୍‌ ପରେ ପେଗ୍‌

ରାଜଜେମା ଡେଣାତଳେ

ପୋଛିବି ମୁଁ ଲୁହ । ମୋ ରୁମାଲ ମୁହଁ–

ଥାପିବି ମୁଁ ତୋ ମାର୍ବଲ ଜଙ୍ଘ

ନିୟୁର୍କର ମିଉଜିଅମ ଘରେ

ଝୁଲାଇଛି କନ୍ୟାର କୋଲପ

କଞ୍ଚି ମୋର ପହଁରୁଚି ରେ ନୀଳ ବତକ ।

ବୋର୍‌, ବୋର୍ । ଅଶ୍ଳୀଳ । ଅଶ୍ଳୀଳ । ଦୁର୍ବୋଧ୍ୟ ।

 

କିନ୍ତୁ ଶିକ୍ଷାବିତ୍ ମହଲର କବିମାନେ ଭୂୟସୀ ପ୍ରଶଂସାରେ ରତି ଥିଲେ । ଅଧ୍ୟାପକ କବି ଜଣେ କହିଲେ, କ’ଣ ଟାଇଟିଲ୍ ଦେଖି ନାମ ଡାକୁଛନ୍ତି ନା ଆଲ୍‌ଫାବେଟିକାଲ୍‌ !!...

 

ସଭାପତି ଘୋଷଣା କଲେ, ଆମ ହାତରେ ଥିବା ତାଲିକାରେ ଉପସ୍ଥିତ ବହୁ କବିଙ୍କର ନାମ ରହିଛି । ଏହି ରାଜପରିବାରବର୍ଗ ଭିତରେ ମଧ୍ୟ କବିମାନେ ଅଛନ୍ତି । ତେଣୁ ପ୍ରଥମେ ଦରବାରୀ ଭାଟ କବିଠାରୁ ଆରମ୍ଭ କରି ଚପରାସି କବି ପର୍ଯ୍ୟନ୍ତ ଆଜିକାଲିକା ସମାଜବାଦୀ କାଳରେ ସମପରିମାଣରେ ସୁଯୋଗ ପାଇବା ଉଚିତ୍ ।

 

ଶିକ୍ଷାବିତ୍‍ମାନଙ୍କ ଭିତରୁ ଅଭିଯୋଗ ହେବାରୁ ପୋଲିସ୍‌ ବିଭାଗ କବିମାନଙ୍କୁ ପଛରେ ପକାଇ ସଭାପତି ଜଣେ ଅଧ୍ୟାପକ କବିଙ୍କର ନାମ ପ୍ରକାଶ କଲେ । ଗୋଟିଏ ଗଦ୍ୟ କବିତା ଶୁଣନ୍ତୁ–

 

ଆଳାପରତ ଦୁଇଟି ବତକ । ମାଇ ବତକଟି କହେ ଯଦି ଅପର ବତକେ–କେଡ଼େ ସଂକୀର୍ଣ୍ଣମନା ଏ ମଣିଷ ! କେଡ଼େ ହୃଦୟହୀନ ଏଇ ପୋଖରୀର ଆବଦ୍ଧ ଜଳ !! ଏମାନଙ୍କର ଚିନ୍ତାରେ ପରିପକ୍ୱତା ନାହିଁ । ତେଣୁ ପଦପଦବୀକୁ ଦେଖି କବିତା ମୁଁ ସମୀକ୍ଷା କରଇ । ଅସୀମ ସାଗରର ବ୍ୟାପକ ସୀମାନ୍ତ ଛାଡ଼ି କ୍ଷୁଦ୍ରଗାଡ଼ିଆର ସଂକୀର୍ଣ୍ଣତା ଭିତରେ ଲୀନ ହେବାକୁ ମୁଁ ଚାହେଁନା–ଚାହେଁନା । ଚାଲ ଉଡ଼ିଯିବା ପ୍ରିୟତମ ! ଯେଉଁ ମଣିଷ ପୋଖରୀର ପାଣି ପିଇ ଶିଖିଛି ତା’ ପାଖରେ ଅସୀମ ସାଗରର ବିଶାଳତା ହାୟ ମୃତସମ । ବିଶ୍ୱାସର ନିସ୍ୱ ପ୍ରାଣ ଅପାତ୍ରରେ ଦାନ-। ମୃତ୍ୟୁର ଅଦୃଶ୍ୟହାତେ ଧରାଦେବାଠାରୁ ଆକାଶରେ ଉଡ଼ି ଉଡ଼ି ହଜିଯିବା ଭଲ । ଏକ ମୁକ୍ତ ଜୀବନକୁ ଗାଡ଼ିଆ ଭିତରେ ରଖି କିଆଁ କରୁ ବୃଥା ଆସ୍ଫାଳନ !!

 

ଇସ୍‌, କବିତାରେ ପଳାୟନପନ୍ଥୀର ପଳାତକ ସ୍ୱର । ତଥାପି କରତାଳି ଉପରେ କରତାଳିର ଆୱାଜ । ହଠାତ୍‌ ନାମ ଘୋଷଣା ନ ହେଉଣୁ ମଞ୍ଚ ଉପରକୁ ଚଢ଼ି ଜଣେ ପୋଲିସ କବି ଧସେଇପଶି କବିତା ପଢ଼ା ଆରମ୍ଭ କରିଦେଲେ ।

 

ତୋ’ ଗାଲରେ ଧୂଳି ତୋଳେ ମୁଠାଏ ପବନ

ସନମାନ ଯାଉ ମୋର ବାଓନେଟ୍‌ ମୁନ ମୋର ଦାନ୍ତ

ଆହତ ହାତରୁ ଭାତ ଆଣି ହାଜତରେ ଭରିଦେବି

କା’ ଆଖିରୁ ଲୁହଆଣି ପିଆଇବି ପାଣି

ଜେମାଠାରୁ ହେ ସୁନ୍ଦରୀ ପ୍ରିୟତମା ରାଣୀ...

 

ଗୀତ ଶେଷ ନ ହେଉଣୁ ରାଣୀଙ୍କ ତରଫରୁ କବିଙ୍କୁ ଏକ ପଦକ ଉପହାର ସ୍ୱରୂପ ସଭାପତି ଅପର୍ଣ କରିଥିଲେ । ରାଜପରିଷଦବର୍ଗ ଭିତରୁ କବିତା ପାଠ କରିବାକୁ ଦେବାନନ୍ଦକୁ ଆହ୍ୱାନ କରି ସଭାପତି କହିଲେ–ଦେବଦାସୀଙ୍କର ପୁତ୍ର ଏବଂ ରାଜଜେମାଙ୍କର ପ୍ରିୟ....

 

ଦର୍ଶକମଣ୍ଡଳୀରୁ ହୋ ହାଲ୍ଲା ଉଠିଲା । କିଏ ଜଣେ କହିଲା, ରାଜକବିମାନେ ଥାଉ ଥାଉ କେଉଁ ଏକ ପୋଇଲିର ପୁଅ ପୁଣି...ସଙ୍ଗେ ସଙ୍ଗେ ପାଲଟା ପ୍ରତିବାଦ–ଅବୈଧ ସନ୍ତାନର କ’ଣ କବିତା ପଢ଼ିବାର ଅଧିକାର ନାହିଁ !

 

ଦେବାନନ୍ଦ ମଞ୍ଚ ଉପରକୁ ଚଢ଼ି ଚଢ଼ାଗଳାରେ କହିଲା–କ୍ରୀତଦାସ ଜାଣେ, ତା’ର ଜନ୍ମ ପାଇଁ ଦୋଷୀ ସେ ନୁହେଁ । କିଏ ଏଠି ବୈଧ ! ଅଶ୍ଳୀଳ କବିତା ନା କବି ? ଏଇ ମାଟିରେ ଜନମି ନିଜ ସୃଷ୍ଟିର ଫସଲ ଓ ଫୁଲରେ କବିତା ନ ଫୁଟାଇ, ଅନାବାଦି ଜମିରେ ପିଡ଼ିଆ ଦେଇ ବିଲାତି ଚାରା ରୋପି ବୋଗନ୍‌ ଭାଲିଆ, କ୍ରୋଟନ୍‌କୁ ନେଇ ଗର୍ବ କରୁଥିବା କବିମାନେ କେତେଦୂର ବୈଧ-!! ସଭା ବିଶୃଙ୍ଖଳା ଦେଖି ପୋଲିସ୍‌–ବାହିନୀ ସଭାମଞ୍ଚର ଚତୁର୍ପାର୍ଶ୍ୱରେ ଘେରିଯାଇଥିଲେ ।

 

ତଥାପି ଦେବାନନ୍ଦ ବୀରଦର୍ପରେ ତା’ର କବିତା ଆବୃତ୍ତି ଆରମ୍ଭ କରିଥିଲା । ସଭାରେ ପଠିତ ସମସ୍ତ କବିତାଗୁଡ଼ିକ କେବଳ ରାଣୀ ଓ ଜେମାଙ୍କର ଯଶଗାନରେ ମୁଖରିତ ହୋଇଥିଲାବେଳେ ଦେବାନନ୍ଦର କବିତାର ମର୍ମବେଦନା ଭିନ୍ନ ମଣିଷର ନିଷ୍ଠୁର ସତ୍ୟ ଉପରେ ଥିଲା ଏକ ଆତ୍ମିକ ଜିଜ୍ଞାସା ।

 

ରାଜଜେମାଙ୍କଠାରୁ ବରଣମାଳା ପାଇବା ଆଶାରେ କବିତା ଆବୃତ୍ତି କରିଥିବା କବିମାନଙ୍କ ଉଦ୍ଦେଶ୍ୟରେ କବିତାଟିକୁ ସେ ପ୍ରଥମେ ଉତ୍ସର୍ଗ କରିଥିଲା–

 

‘‘ସୁନାହଂସର ବେକରେ ଲଗାଅ ଖୁର

ମାତାଲ ହାତରେ ଚୂର ନୀଳ ପକ୍ଷୀର ପର

ଧୋବଲା ଚମ ଦେହରେ ତୋର

ଢାଙ୍କୁଣି ଦିଆ ରବର ଖୋଳ

ପେଟରେ ଖେଳେ ଗରମ ଝୋଳ

ବୁଲେଟ୍‌ ପୁରାଇ ଚିରିବି ଶିର

ରେ ନିଶାଖୋର !....’’

 

ଆକସ୍ମିକ ରଜାଙ୍କ ଆବିର୍ଭାବ ।

 

କିଏ ରେ ପାପିଷ୍ଠ ! ତୋର ଏତେ ଦିମାକ୍‌ !!

 

ମୋରି ଅଇଁଠା ଖାଇ ଦରବାରେ କୁରୁ କୁତ୍ସାଗାନ !

 

କିଏ ଅଛରେ ଏହାକୁ ଗିରଫ କର ।

 

ସଭାସ୍ଥଳ ହୁଲ୍‌ସ୍ଥୁଲ । ସବୁରି ମୁହଁରେ ଆତଙ୍କ । କାଳେ ଲୋକ ଗହଳିରେ ବତକ ଦୁଇଟି ଉଡ଼ିଯିବେ ଏବଂ ରଜା ଦେଖିପାରିବେ ନାହିଁ, ଏହି ଭୟରେ ଶଙ୍କିତା ରାଣୀ ନିଜ ପିସ୍ତଲ୍‌ରୁ ବତକ ଉଦ୍ଦେଶ୍ୟରେ ଗୁଳି ଚଳେଇଥିଲେ ।

 

ରଜା ପାଗଳଙ୍କ ପରି ପ୍ରଳାପ କରି କହିଲେ–କି କଲ କି କଲ ରାଣୀ ! ଆମେରିକାରୁ ଆଣିଥିବା ମୋର ଏଇ ବତକ ନୟନମଣି–କିମ୍ପା ବଦ୍ଧ କଲ ଜାଣିଶୁଣି !!

 

ପାଣି ଭିରେ ମୃତ ବତକ ଦୁଇଟିକୁ ରାଜଜେମା ଦେଖିବାକୁ ଗଲାବେଳେ ଜଗୁଆଳ ଉଦ୍ଧାର କରିଆଣି ଦେଖିଲା, ପକ୍ଷୀ ଦୁଇଟିର ଡେଣାରେ ଗୁଳି ବାଜି ରକ୍ତ ଝରୁ ନଥିଲା । ବତକର ରବର ଦେହ ଦୁଇଫାଳ ହୋଇଯାଇଥିଲା । ଉପସ୍ଥିତ ଜନତା ଦେଖିଲେ, ବତକ ଦୁଇଟି ରକ୍ତମାଂସହୀନ ଦୁଇଟି ପ୍ଲାଷ୍ଟିକ୍‌ ଯନ୍ତ୍ର ।

 

ଗୁଳିବିଦ୍ଧ ବତକର ଦେହରୁ ରକ୍ତ ବଦଳରେ କିଛି ଅଫିମ ଏବଂ ଅଫିମ ଭିତରୁ ଚୋରାସୁନା ପୋଲିସ୍‌ ଆବିଷ୍କାର କରିଥିଲେ । ସଭାପତି କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅଧାରୁ ବନ୍ଦ ରଖିଲେ ଏବଂ ବତକ ଦୁଇଟିର ଶବ ସତ୍କାର ପରେ ଅବଶିଷ୍ଟ କବିତା ପାଠ କରାଯିବ ବୋଲି ଘୋଷଣା କଲାବେଳେ ସମବେତ ଜନତା ମଧ୍ୟରେ ହାସ୍ୟରୋଳ ହେଲା ।

Image

 

କ୍ୟାବିନ୍‌

 

ଆକାଶର ସୀମାହୀନ ପଥ । ଚଳନ୍ତି ମେଘର ଯାତ୍ରା । ଆକାଶ ସଫା । ତୋଫା କଇଁଫୁଲିଆ ଆକାଶର ଆଖିରେ ମେଞ୍ଚାଏ ନେଞ୍ଜରା ଭଳି ମେଘର ଚଳଣୀ ଖୁବ୍‌ ରୋମାଣ୍ଟିକ ନୁହେଁ-। ଅନ୍ୟ ଏକ ଦିଗରୁ ପବନ ବି ବହୁଥିଲା ଧୀର ଆକାଶର ନିଶ୍ୱାସ ଭଳି । ଅକସ୍ମାତ ବାଟରେ ଦୁହିଁଙ୍କ ଭିତରେ ଧକ୍‌କା ହେଲା–ମାନେ ଆକ୍‌ସିଡ଼େଣ୍ଟ । ମେଘର ମଥା ପବନର ମାଡ଼ରେ ଛତୁ ହୋଇଗଲା । ଆକାଶସାରା ରକ୍ତ । ଜୁଡ଼ୁବୁଡ଼ୁ ଫୁଟନ୍ତା ତାରାଗୁଡ଼ିକର ଲୁହରେ ତିନ୍ତି ଉଠିଲା ମାଟିର ଚଟାଣ । ଚିକିଟା ମାଟିକୁ ଦଳି ଦଳି ଆଠଟି ପାଦ ବ୍ୟବଚ୍ଛେଦ ମେଘର ଲାସ୍‌ ଭିତରେ କରିଥିଲେ ଜହ୍ନପାଇଁ ପ୍ରତୀକ୍ଷାର ଆକୁଳ ତଲାସ୍‌ ।

 

ଆକାଶରେ ପ୍ରତିକ୍ରିୟା ମାଟିରେ, ପାଣିରେ, ବାୟୁରେ ପତନର ବେଗବାନ ସ୍ରୋତ । ଓଲଟ ଆକାଶର ଛାଇରେ ପଥଭୁଲା ଚିଲିକା ସଞ୍ଜ ଡୁବୁଡ଼ୁବୁ ପାଣିରେ ତରଙ୍ଗର କୁଞ୍ଚିକୁଞ୍ଚି ରେଖା ମଣିଷ କପାଳଠାରୁ ମ୍ଳାନ । ଭାସମାନ ଡ଼ଙ୍ଗାରେ ଅକଳନ୍ତି ମଣିଷ । ଆଗରେ ଖାଦମିଶା ରୂପେଲୀ ପାଲ । ପଛରେ ସ୍ୟାହିଢ଼ଳା ହକଳା ଆହୁଲା ମଝିରେ ଉବୁଡ଼ୁବୁ ଗହଳି କରତାଳି ହୁଳହୁଳିର କୋରସ୍‌ ।

 

ମଝିଗଣ୍ଡରେ ଡଙ୍ଗା । ଭଉଁରୀ ଭିତରେ କୁଟାଟିଏ । ସୁଅମୁହଁରେ ପତ୍ରଟିଏ । ସର୍କସ ତମ୍ବୁର ତଳେ ଝୁଲୁଥିବା ଶୂନ୍ୟ ଝୁଲାଦୋଳିରେ ଲୁହାବଳାକୁ ଜାବୁଡ଼ିଥିବା ଆସମାନ ତାରାଟିଏ । କାମୁଡ଼ି ଧରିଥିବା ସାଲୁ ବାଲୁ ପିମ୍ପୁଡ଼ିର ଟଳମଳ ଭାସିଲା ପତରରେ କାଲୁଆ କ୍ଲାନ୍ତ ଓଠ କୋହଲି ଉଠୁଥିଲା । ଏଇ ପଡ଼ିଯିବ । ଏଇ ଡ଼ୁବିଯିବ । ହାବୁକା ହାବୁକା ପାଣି ଢୋକି ଢୋକି ତଳକୁ ତଳକୁ ମୃତ୍ୟୁର ଅଗଭୀର ଗର୍ତକୁ ଗଳି ଗଳି ଡୁବିଯାଉଥିବା ମଣିଷଟିଏ ପରି ଡଙ୍ଗାଟିର ଅବସ୍ଥା ବଡ଼ ଦୟନୀୟ–କରୁଣ–ବୀଭତ୍ସ । କେବଳ ଧକ୍‌କା ପରେ ଧକ୍‌କା ପାଲ ସହିତ ପବନର । ପାଣି ସହିତ ଆହୁଲାର । ସେମିତି ଏକ ଆକ୍‌ସିଡ଼େଣ୍ଟ ।

 

କୂଳରେ ଆଲୋଚନା । ଗୁଲିଗପ । ଭୁଲ କାହାର ? ଡଙ୍ଗାର, ନାଉରିର, ଆହୁଲାର, ପାଲର, ମଣିଷର ନା ଆକାଶର ନା ଜଳର !

 

ନାଉରିଆର ଭୁଲ । ସେ ଏତେ ଲୋକ ବସଉଥିଲା କାହିଁକି ? ଲୋକମାନେ ବସିବାପାଇଁ ଯଦି ଜିଦି କରିବେ, ନଶୁଣିଲେ ତ ମାଡ଼ । ଏବେ ଭୋଗୁଥା !

 

ଡଙ୍ଗାକୁ ନ ଚିହ୍ନି କାତକୁ ଦୋଷ ଦେଇ ଲାଭ କ’ଣ ? ସ୍ରୋତରେ ଯଦି ଆହୁଲା ଭାଙ୍ଗିଯାଏ ! ଏଇଟା ନଦୀ ନୁହେଁ । ଚିଲିକା ପଙ୍କରେ ଯଦି କାତଟା ଲାଖିଯାଏ ! ତେବେ ମାଲିକକୁ ଖୋଜୁଥା । ସେ କାହିଁକି ନାଉରିକୁ ଖତରା ଡଙ୍ଗାଟିଏ ଭଡ଼ା ଲଗେଇ ଥିଲା । ଚିରା ପାଲଟିଏ ଟାଙ୍ଗି ଦେଇଥିଲା ।

 

ଆକାଶର ଦୋଷ ନା ପବନର କସୁର ? ପବନ ଏମିତି ଯଦି ଅବେଳରେ ବହିବ ନୂଆ ଡଙ୍ଗାଟିଏ ହେଲେ ସମ୍ଭାଳିବ ନା ! ପୁରୁଣା ଅଚଳନ୍ତି ଖତରାକୁ ପବନ କିଆଁ ଖାତିର କରିବ ? ସମ୍ଭାଳି ପାରିବାର ଯାର ତାକତ ନାହିଁ ତା’ ଆଗରେ କି ନୂଆ କି ପୁରଣା ! ଦେଖି ନ ପାରିଲେ ନୂଆରେ ବି କଳଙ୍କ ଲାଗିଯିବ ।

 

ଚିଲିକା ହିଁ ପ୍ରତିଶୋଧ ନେଲା ଏତେଦିନକେ । ତା’ର ରାଗ ସୁଝିଲା ।

 

ଆପଣମାନେ ଭଲ କହୁଛନ୍ତି । ଯଦି ଗୋଟିଏ ଲଞ୍ଚ ଚାଲୁଥାନ୍ତା ଲୋକେ ଡଙ୍ଗାରେ ଯାଉଥାନ୍ତେ କାହିଁକି ।

 

ଚିଲିକାରେ ଏତେ ପଙ୍କ ଯେ କାତ ଲାଖି ଯାଉଛି, ଦଳ ଆଡ଼େଇ ଡେଣା ଦରଜ ହୋଇଯାଉଛି । ଲଞ୍ଚ ଏଣିକି ଯିବ କେମିତି ? ତମ ପାଇଁ ଚିଲିକା ନ ଖୋଳେଇଲେ ହଉଚି ! ଟ୍ରେନରେ ପ୍ରଥମଶ୍ରେଣୀର ସଂପ୍ରସାରଣ କରାଯାଇପାରେ ତୃତୀୟ ଶ୍ରେଣୀର ଲୋକଭିଡ଼ କମେଇବା ପାଇଁ । ବିପଦ ଶିକୁଳିକୁ ଉଠେଇ ଦେଲେ କ୍ଷତି କାହାର ? ସରକାର କ’ଣ ଏତେ ବୁଦୁ, ଚିଲିକା ଖୋଳେଇବେ କାହିଁକି, ଲଞ୍ଚ ନ ପକେଇଲେ ଗଲା !

 

ଏ ଦୁର୍ଘଟଣା ପାଇଁ ସରକାର ଦାୟୀ ।

 

ଜଣେ କିଏ କହିଲା : ଏହି ସରକାର ।

 

ଉପସ୍ଥିତ ସମସ୍ତେ କହିଲେ : ନାହିଁ ଦରକାର ।

 

ଆମ କଥା ଯଦି ଶୁଣିବନି : ଅମଲାଶାସନ ଚଳିବନି ।

 

ହଠାତ୍‌ ଜନଗହଳି ଠେଲି ଭ୍ୟାନଟା ଅଟକିଗଲା । ଖୁନ୍ଦାଖୁନ୍ଦି ହୋଇ ଡଜନେ ସରିକି ପୋଲିସ୍‌ । ଖପ୍ ଖାପ୍‌ କରି ଡେଇଁପଡ଼ିଲେ । ତରକା ହମ୍ବା ପରି ଛନ ଛନ ଠିଆଠିଆ କାନ । ଇସାରା ପାଇଲାମାତ୍ରେ ଖାଲି ଦୁହିଁ ପକେଇବେ ।

 

ଭାଇମାନେ ! ଆପଣମାନଙ୍କୁ ମୁଁ ସତର୍କ କରିଦେଉଛି, ଆପଣମାନେ କିଛି ନ ବୁଝି ବୃଥା ହଟ୍ଟଗୋଳରେ ସମୟର ଅପବ୍ୟବହାର କରୁଛନ୍ତି । ଆମକୁ ଉପଦେଶ ଦେବାକୁ ଏଇଟା ୟାହାପ କିଏବେ !

 

ଡଙ୍ଗା ଡୁବିଲା କାହିଁକି, ଏଥିପାଇଁ କିଏ ଦାୟୀ, ଏହାର ପ୍ରତିକାର ତଥା ତଦନ୍ତ ଦାୟିତ୍ୱରେ ମୋତେ ନିଯୁକ୍ତି କରାଯାଇଛି । ମୁଁ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ଏଥିରେ ଦୋଷୀ କିଏ ।

 

ସମବେତ ଭିଡ଼ର ମୃଦୁ ଗୁଞ୍ଜରଣ । ଅସୀମ ଉତ୍କଣ୍ଠା । ଏତିକିବେଳେ ବାବୁଙ୍କ ସହକାରୀ କାନରେ କ’ଣ ଫୁସ୍‌ଫୁସ୍‌ କରି କହି ପକେଇଲେ, ସାର୍‌ ! ଏଠି ମରଦ ମାଇପି ହୋଇ ହଜାରେ । କେତୁଟା ଦୁର୍ଦ୍ଦାନ୍ତ ଟୋକାକୁ ଛାଡ଼ିଦେଲେ ବାକି ସବୁ ସରଳ ମଳିମୁଣ୍ଡିଆ । ତଦନ୍ତ ନସରୁଣୁ କୌଣସି ଗୋପନ କଥା ପ୍ରକାଶ କଲେ ପ୍ରକୃତ ସତ୍ୟ ଉଦ୍‌ଘାଟନ କରିବାରେ ବାଧା ଆସିବ । ଆପଣ ଭୁତେଇ ଦିଅନ୍ତୁନା । ଏକରେ–ଡଙ୍ଗା ବୋଝେଇ ଥିଲା । ଦୁଇରେ–କୌଣସି ଏକ ଋତୁମତି....ବାବୁ ସହକାରୀଙ୍କୁ ଚୁପ୍‌ ରହିବାକୁ ନିର୍ଦ୍ଦେଶ ଦେଲେ ।

 

ପୁଣି ଛେପ ଢୋକି ଢୋକି କହିଲେ, ମୁଁ ଜାଣେ ଆପଣମାନଙ୍କ ଭିତରୁ ଅନେକଙ୍କୁ ବାଧିବ । ଆମେ ବି ଟୋକା ଥିଲାବେଳେ ଏପରି କରୁଥିଲୁ । ଅୟସରେ ବଢ଼ି ଆସିଥିବା ବୟସରେ ଏମିତି ବି ହୁଏ । ହେଲେ ଜଳ ଭିତରେ....

 

ପଛରୁ କେହି କହୁଥିବାର ଶୁଣାଗଲା । ଠିକା ଠିକା କହିଦିଅନ୍ତୁ ନା ! ଏତେ ଲମ୍ବେଇ ଦେଉଛନ୍ତି କିଆଁ ?

 

ବୋଝେଇ ଡଙ୍ଗାରେ କେତେଜଣ ଯୁବକ ଚଢ଼ିଲେ । ଜବରଦସ୍ତି କଲେ । ନାଉରି ବାରଣ କରିବାରୁ ସେମାନେ ଦେଖିନେବେ ବୋଲି ଧମକାଇଲେ । ଡଙ୍ଗାରେ ଧରାଯାଉ ଅନ୍ୟୁନ ମାଇପି, ମରଦ, ଛୁଆ ମିଶି ଶହେ ପାଖାପାଖି ଥିଲେ । ଯୁବତୀ ଝିଅଙ୍କ ସଂଖ୍ୟା ବି କମ ନ ଥିଲା । ସେଇମାନଙ୍କ ଉପରେ ଆଖିରଖି ଟୋକା କେତୁଟା ଝାମେଲା ଆରମ୍ଭ କଲେ । ଫଳରେ ଟଳମଳ ଡଙ୍ଗାରେ ମଙ୍ଗଳକୁ ଆୟତ କରିନପାରି ନାଉରି ଆହୁଲା ଛାଡ଼ିଦେଲା ।

 

କେହି ଜଣେ ଜନଗହଳି ଭିତରୁ ପ୍ରଶ୍ନକଲା–ଆଜ୍ଞା ! କୌଣସି ଯୁବକ ଯୁବତୀଙ୍କ ଯୁଗ୍ମଶବ ଆପଣଙ୍କର ହସ୍ତଗତ ହୋଇଛି କି ? ସେ ଥଙ୍ଗି ଥଙ୍ଗି କହିଲେ, ଶବ ନ ମିଳିଲେ ବି ମିଥ୍ୟା ନୁହେଁ । ମରଣ ବେଳେ ବି ଯୌନବାଦୀ ତା’ର ଧର୍ମ ତ୍ୟାଗ କରିବ କିପରି ? ମଉକା ମିଳିଲେ ନଉକାରେ ଡୁବିଲା ଲୋକ ବି ହାତପ୍ରସାରଣ କରି ଆଲିଙ୍ଗନର ଦୁର୍ବାର ଲାଳସାରେ ମୁହୂର୍ତ୍ତକ ପାଇଁ ନିଜକୁ ହଜେଇ ଦେବାର ସ୍ୱପ୍ନ ଭିତରେ ଡ଼ୁବି ମରିଥିବ ।

 

ପୁଣି ଆଉ ଏକ ପ୍ରଶ୍ନ–ଆପଣ କ’ଣ ଏହିସବୁ ଦୃଶ୍ୟ ଟେଲିଭିଜନ୍‌ରେ ଦେଖିଥିଲେ ?

 

ଉତ୍ତରକୁ ଅପେକ୍ଷା ନ କରି ଟୋକାଟିଏ କହୁଥିବାର ଶୁଣାଗଲା–ଆପଣ ଜଳ ଭିତରୁ ଉପେନ୍ଦ୍ର ଭଞ୍ଜ କିମ୍ବା ବାତ୍ସାୟନଙ୍କ ବହି ଜବତ କରିଛନ୍ତି କି ? ଶଳା ରାତିଟାଯାକ ଡାକବଙ୍ଗଳାରେ ଶୋଇ ଶୋଇ ଏଠି ପୁଡ଼ି ମାରୁଛି । ପୁଣି ସ୍ଲୋଗାନ ଆରମ୍ଭ ହେଲା ।

 

ବିପୁଳ ଜନତାଙ୍କୁ ସତର୍କ କରେଇ ନଦେଇ ମୁହୂର୍ତ୍ତକ ମଧ୍ୟରେ ଲାଠିଚାର୍ଜର ଆଦେଶ । ତା’ପରେ ଟିଅର ଗ୍ୟାସ ଓ ପରେ ପରେ ଗୁଳି । କେତେଜଣ ସିପାହୀଙ୍କ ମଥାରୁ ଲୁହାଟୋପି ଖସିପଡ଼ିଥିଲା । ଭଙ୍ଗାଲାଠି ଓ ହଜିଯାଇଥିବା ବାଇନେଟକୁ ସୁମାରି କରୁ କରୁ ସେମାନେ କୁହାକୁହି ହେଉଥିଲେ–ସାହେବଙ୍କ ଭୁଲ କଥାରୁ ଏ ପରିଣତି । ଚଳନ୍ତା ଡଙ୍ଗାରେ କେହି ଗୋଟେ ମାଇକିନା ମୁତି ଦେଲାରୁ ଅପବିତ୍ର ପାଣି ଦାଉ ସାଧିଲା ।

 

ଏତିକି କହିଥିଲେ ଚଳିଥାନ୍ତା । ଟୋକା ଗୁଡ଼ାକୁ ତତେଇ କ’ଣ ପାଇଲେ !

 

ନିଶ ମୋଡ଼ି ମୋଡ଼ି ସାହେବ ଜିପ୍‌ରେ ଚଢ଼ିଲେ । ଅଜବ ଯୁକ୍ତି । ଅବାନ୍ତର ପ୍ରଶ୍ନ । ବହୁ ମଣିଷ ଦେଖୁଛନ୍ତି ସେ । ଏଠି ତ ମଣିଷଙ୍କ ପଟୁଆର । ଜଙ୍ଗଲରେ ଜାନୁଆରଙ୍କ ପଟୁଆରକୁ ଜନ୍ତା ବସାଇ କରାୟତ କରିବା ସହଜ, ହେଲେ ଅମଣିଷର ନୀରବ ପ୍ରତିବାଦ ଆଗରେ କାରାଗାରର ସୁଦୃଢ଼ ପ୍ରାଚୀର, ଶକ୍ତ ଲୁହାର ହାତକଡ଼ି କି ଛାର ! ତଥାପି ନିଜ ପଦବୀ, କ୍ଷମତା ଏବଂ ଅହଂର ବଶବର୍ତ୍ତୀ ହୋଇ ମଣିଷ ଉନ୍ମତ୍ତ ଦନ୍ତାହାତୀ ପରି କୁଦିଯାଏ, ଭାଙ୍ଗିଯାଏ, ସବୁଜ ଜଙ୍ଗଲର ସୌନ୍ଦର୍ଯ୍ୟ ତୁଟିଗଲେ ତା’ର ଚିନ୍ତାନାହିଁ । ନିରୀହ ଜନ୍ତୁଙ୍କ ଉପରେ ହାକିମୀ ଜାହିର କରିବାଟା ଅର୍ଥ ନିଜ ଅହମିକାକୁ ଶାନ୍ତ କରିବା । ନିଜର ବ୍ୟକ୍ତିଗତ ଆସ୍ପର୍ଦ୍ଧାରେ ସଂହାରପାଗଳ ପ୍ରାଣୀ ଯେତେବେଳେ ଜାଣେ ସାମାନ୍ୟ କେଉଁ ଗଛର ଧକ୍‌କାରେ ତା’ର ସୁଦୃଢ଼ ଦାନ୍ତଟି ଦୋହଲୁଛି, ପରାସ ହେଇଛି, ଦରଜ ଯନ୍ତ୍ରଣାରେ ଆଉ ଖାଦ୍ୟ ଗିଳି ହେଉନି, ଠିକ୍‌ ଚେତା ପଶିଲାବେଳକୁ ମାଢ଼ି ଉପୁଜାଇ ପୂଜ ଝରୁଥାଏ । ସାହେବ ଅନୁଶୋଚନାରେ ସନ୍ତୁଳିତ । ବିନା କାରଣରେ ନିରୀହ ଜନତା ଉପରେ ଅତ୍ୟାଚାରର ନିରପେକ୍ଷ ତଦନ୍ତ ଯଦି କରାଯାଏ !.....

 

ଜନତା ଛତ୍ରଭଙ୍ଗ ଦେଲେ । ଯେଉଁମାନଙ୍କର ଅଶ୍ଳୀଳ ଇଙ୍ଗିତ ଓ ବ୍ୟବହାରରେ ପୋଲିସ ତଥା ଉଚ୍ଚତମ ପ୍ରଶାସନିକ ଅଫିସର କ୍ଷୁବ୍‌ଧ ହୋଇଥିଲେ, ସେମାନେ ଜନଗହଳିରେ ନିଜର ସତ୍ତା ହରେଇଥିଲେ । ଅଥଚ ନେତୃତ୍ୱ ନାମରେ ନିଜକୁ ପରପାଇଁ ଜଳାଞ୍ଜଳି ଦେଇ ଯେଉଁମାନେ ଯୁକ୍ତି ଦେଖେଇଥିଲେ ସେମାନଙ୍କ ନାମରେ ପୋଲିସ ତରଫରୁ ୱାରେଣ୍ଟ ଜାରି କରାଯାଇଥିଲା ।

 

ନିଶବ୍ଦ ମଶାଣୀ ଭୂଇଁରେ ଶୂନ୍ୟତାର ରାଜୁତି । ଚାରିଜଣ ବନ୍ଧୁ ଗଭୀର ଚିନ୍ତାରେ ନିମଗ୍ନ-। ଜଣେ କିଏ କହିଲା, ଅସଲ କଥା ଗଲା କୁଆଡ଼େ ? ଯେଉଁମାନେ ମଲେ, ସେମାନେ ଗଲେ । ଡଙ୍ଗା ନାହିଁ, କାତ ନାହିଁ, ନାଉରିକୁ ବି ଦେଖା ନାହିଁ । ଅନ୍ୟ ଜଣେ କହିଲା, ଯେଉଁମାନେ ଗଲେ, ସେମାନଙ୍କର ଛବି ଏବେ ବି ମୋ ଆଗରେ ନାଚୁଛି । ଅବଶ୍ୟ ସେମାନଙ୍କୁ ମୁଁ ପୂର୍ବରୁ କେବେ ଦେଖି ନାହିଁ । ତେବେ ଡୁବିଯାଇଥିବା ଶବ ଗୁଡ଼ିକୁ ଉଦ୍ଧାର କରିବା ପାଇଁ କି ବ୍ୟବସ୍ଥା କରାଯାଇଛି । ଅଯଥା ଗଣ୍ଡଗୋଳରେ ମାତିଲେ, ସମସ୍ତେ ଶବ ଗୁଡ଼ିକ ପଚି ମାଛ ଖାଇଗଲେ, ଆଉ କ’ଣ ପ୍ରମାଣ ମିଳିବ ?

 

ଆଉ ଜଣଙ୍କର ଭାବପ୍ରବଣ ଉତ୍ତର ଥିଲା–ହଁ, ମୋର ମନେହୁଏ ଯେପରି ବୁଡ଼ି ଯାଇଥିବା ମଣିଷଙ୍କ ଦେହରୁ ଅଦ୍ୟାପି ଜୀବନ ଯାଇନି । ସେମାନଙ୍କ ନିଶ୍ୱାସ ଯେପରି ହେଇ ମୋର ଦେହରେ ବାଜୁଛି । –ଏ କବି କଳ୍ପନା ! ଏତେ ସମୟ ବୁଡ଼ି ରହିଲା ପରେ ସେମାନେ ବଞ୍ଚିଛନ୍ତି ? ମଣିଷର ଯଦି ଯିବାକୁ ସେଠାକୁ ବଳ ଥାନ୍ତା ଏବଂ ଶବକୁ ଛୁଇଁବା ପାଇଁ ହାତ ପାଉଥାନ୍ତା; ତେବେ କୂଳରେ ବସି ମଧ୍ୟ ଶବମାନଙ୍କର ବିଶେଷତଃ ଯୁବତୀ, କି ବିବାହିତା କି ଅବିବାହିତା ସମସ୍ତଙ୍କର କାନରେ, ବେକରେ, ନାକରେ, ଗଳାରେ ଥିବା ସୁନାର ଗହଣାଗୁଡ଼ିକୁ ଅପହରଣ କରିନେବା ପାଇଁ ଏଠାରେ ଭିଡ଼ି ଜମିଥାନ୍ତା ।

 

ତେବେ ଏହା ନିଶ୍ଚିତ ସତ୍ୟ ଯେ ମାଛମାନେ ଶବର ମାଂସ ଖାଇଲେ ବି ହଜମ କରିପାରିବେ ନାହିଁ । ମାଛମାନଙ୍କର ପେଟରେ ସୁନା ଅଳଙ୍କାର ଗୁଡ଼ିକ ଅବଶ୍ୟ ନିରାପଦ । ବିଦେଶୀ ମୁଦ୍ରା ଅର୍ଜନ ପାଇଁ ସରକାର କୌଣସି ବୈଦେଶିକ ଶକ୍ତି ହାତରେ ଚିଲିକାକୁ ନିଲାମ କରି ଦେଇପାରନ୍ତି । ହେତ୍‌ରିକା । ଖାଲି ଉଦ୍‌ଭଟ ଚିନ୍ତାଗୁଡ଼ିକ ଆମ ମନକୁ ଘାରି ପକାଉଛି । ଆରେ ନବୀନା କ’ଣ ଭୁଲିଗଲୁ ! ବାଉନ ମସିହା କଥା । ଯେଉଁ ଟ୍ରେନ୍‌ ଆକ୍‌ସିଡ଼େଣ୍ଟରେ !! ପାହାଡ଼ ପାଖେ । ଶଙ୍ଖ ସେକରେ । ଅନ୍ଧକାର କିଟିକିଟି । ପଛକୁ ନଈର ସୁଅ । କରେକରେ ବୁଦୁବୁଦିକିଆ ଜଙ୍ଗଲ ।

 

କି ଦାରୁଣ ! କି କରୁଣ ! କି ବୀଭତ୍ସ !

 

ଆବେ ବାହାପିଆ ! ସଟ୍‌କଟ୍‌ରେ କହ ବେ !

 

ଚାରିଆଡ଼େ ଖାଲି ଚିତ୍କାର, ଖାଲି ଚିତ୍କାର । ଚିତ୍‌କାର । ହୋ ହାଲ୍ଲା । ପାଣି । ପାଣି । ପାଣି । ମୋ ପିଲା । ପିଲା । ମୋ ବାପା । ବାପା । ମା । ମା । ମା । ନଈଟା ବହିଯାଉଛି ତା’ ବାଟରେ । ସେ ବା କାହିଁକି କା’ର ପାଟି ଭିତରେ ପଶି ଶୋଷକୁ ମାରନ୍ତା ! ଚୋରିବତୀ ଆଉ ମସ୍ତ ଠେଙ୍ଗା ଧରି ଗାଁରୁ ଦଉଡ଼ୁଛୁ ଆମେ । କାହିଁ ଖାଲ କାହିଁ ଢିପ । କାହିଁ ଜଙ୍ଗଲ । କାହିଁ ନଟା, କାହିଁ କଣ୍ଟା । କାହିଁ ଟେଳା, କାହିଁ ସାପ । ଅରମାଗାତ ବୁଦା ଧଳା ଠେକୁଆ । ଶୀତ ରାତି । ଜାଡ଼ ପାହାନ୍ତି-। ବିଲୁଆ ରଡ଼ି । ଲହୁଲୁହାଣ ହୋଇ ଦଉଡ଼ୁଛୁ ଆମେ । ପ୍ରଚଣ୍ଡ ଶୀତରେ ବି ଦେହରୁ ଝାଳ ନିଗିଡ଼ି ପଡ଼ୁଛି । ଠିକ୍‌ ପୋଲ ପାଖେଇଲା ବେଳକୁ, ଚିତ୍ତକୁ ଝାଡ଼ା ମଡ଼େଇଲା । ଶଳା ଘରପୋଡ଼ି ବେଳେ ଝାଡ଼ା । କହିଲା ନାହିଁ ବେ’ ଆସ୍ତେ ଆସ୍ତେ ଚାଲ । ନ ହେଲେ ପ୍ରାଣ ବାହାରିପଡ଼ିବ । ଆବେ ପାଖେଇ ଗଲାରେ, ସମ୍ଭାଳିକି ଚାଲ !

 

ଯେତେ ନିକଟ, ସେତେ ବିକଟ ଚିତ୍କାର । ପାଣି । ପାଣି । ପୁଣି ଦଉଡ଼ । ଧଇଁ ସଇଁ ଶ୍ୱାସର ବେଗ । ଟ୍ରେନର ବେଗଠାରୁ ଆହୁରି ତୀବ୍ର । ଇସ୍‌ କ’ଣ କହିବି ଭାଇ । ଖାଲି ରକ୍ତ । ପିଚ୍‌ ପିଚ୍ । ମାଂସ, ଟେଳା ଟେଳା । ହାଡ଼, ଖଣ୍ଡ ଖଣ୍ଡ । ଖପୁରି ଦହି ହାଣ୍ଡି । ବିକ୍ଷିପ୍ତ ବିକଳାଙ୍ଗ ବୀଭତ୍ସ ରୂପ । ଫଟାବେଲୁନ ଭଳି ଦେହର ଚମ ।

 

ଯେଉଁ ଦିଗରୁ ପାଣି ଟୋପେ ପାଇଁ ଚିତ୍କାର ଶୁଭୁଥିଲା, ସେଇଠି ଥିମିଗଲୁ । ପାଖରେ ଗୋଟିଏ ଟର୍ଚ୍ଚ ଆଉ ଠେଙ୍ଗା ବ୍ୟତୀତ କିଛି ନ ଥିଲା । ଆରେ ଭୟ କରୁଛ କ’ଣ ! ଚାଲନା ଗାମୁଛା ବୁଡ଼ାଇ ପାଣି ଆଣି ତୁଷାର୍ତ୍ତ ପାଟିରେ ଚୁପୁଡ଼ିବା ! ଭାଇ କ’ଣ କହିବି....ଟର୍ଚ୍ଚଟା ମାରିଦେଇ ଯାହା ଦେଖିଲୁ !

 

ଏକ ଆହତ ସାଂଘାତିକ ତୁଷାର୍ତ୍ତ ଯୁବତୀ । ରକ୍ତ ଜୁଡ଼ୁବୁଡ଼ୁ । ହାତ ଜଖମ । ଗୋଡ଼ଟିଏ କଟିଯାଇଛି । ବିପର୍ଯ୍ୟସ୍ଥ ଅଙ୍ଗବାସ । ତା’ ଉପରକୁ ହାମୁଡ଼ିପଡ଼ି ଲୋକଟିଏ କ’ଣ କରୁଛି ଜାଣୁ ? ତା’ର ଗଳାରୁ ଗହଣା, ତା’ର କାନରୁ ଏରିଂ ଆମେ ପହଞ୍ଚିଯିବାର ସେ ଏପରି ତରତରରେ ଟାଣି ଦେଇଛି ଯେ କାନ ଗଳା ଛିଡ଼ିଯାଇ ରକ୍ତାକ୍ତ । ଠିକ୍‌ ଦଉଡ଼ିଯିବା ପୂର୍ବରୁ ଲୋକଟିକୁ ଆମେ ଚିହ୍ନି ପାରିଥିଲୁ ।

 

 

 

ଆରେ ଲୋକଟାକୁ ଛାଡ଼ିଦେଲନା କ’ଣ ? ଆଉ କ’ଣ ଧରି ରଖିଥାନ୍ତୁ ! ଅନ୍ୟ ପାଖରେ ଆହତ ବିକଳ ପଙ୍ଗୁ ମଣିଷର ସେବା କରିଥାନ୍ତୁ କିପରି ? ସେ ଲୋକଟା କିଏ ଭାଇ ! ମୁଁ କାହାକୁ କହିବିନି । ଟିକେ କୁହନା !

 

ସିଏ ଲୋକ ନୁହେଁ । ଗୋଟିଏ ଦୁର୍ଦ୍ଦାନ୍ତ ପୁଲିସ୍‌ !...ମାନେ ପୋଲିସ୍‌ ? ...ହଁ–ହଁ...ହଁ ।

 

ଆବେ ଛାଡ଼, ଯାଉ ! ପୋଲିସ କଥା କ’ଣ କହୁଛୁ । ଧନ, ସମ୍ପତ୍ତି, ଜମିବାଡ଼ି ମାମଲା ନେଇ ବାପ ପୁଅ ଉପରେ ବି ପ୍ରତିଶୋଧ ନେଇଛି । ପୁଅ ବାପ ଉପରେ ବି । ଧନ ଏକ ଜୁଆ । ବିପଦ ଥୁଆ । ଭାଙ୍ଗିଦିଏ ସମ୍ପର୍କର ସବୁଦିନିଆ । କରତେ ହିଆ । କିରେ କ୍ରିଷ୍ଣା, କହୁନୁ ?

 

କ’ଣ କହିବି ? ପବନର ବି କାନ ଅଛି । ମୋ କଥା ଫୋଡ଼ିଦେବ । ଆବେ ତୁ ତ ଗୋଟେ କୋକିଶିଆଳୀ । ତୋ’ ପାଇଁ ଅଛି ପୃଥିବୀସାରା ଗାତ । ତତେ କି ପାରିବ ପୁଞ୍ଜୀଭୂତ । ଆରେ ନାପିତ !

 

ସଡ଼କ ତଳ । ସରକାରୀ ଜାଗା । ପାଖକୁ ନାଳ । ଭଣ୍ଡାରି ପିଲା ମୁଁ । ନିତି କାଟେ ବାଳ-। ଲମ୍ବା କଲି । ସଉଖୀନ ଚୂଳ । ଆରେ ଠିକା ଠିକା କୁହ ! ଭଣତି କରୁଚ କ’ଣ ?

 

କ’ଣ କହିବି ? କି ହେଲା କାଳ । ଦିନେ ମୋର କାଠର କ୍ୟାବିନ୍‌କୁ ନିଶ ବାଗେଇବାକୁ ହାଜର ହେଲେ ଜଣେ ନକଲି ମହାଜନ । ବଡ଼ ସତର୍କରେ କଇଁଚି ଚଳେଇବାକୁ ହେଲା । ସେ ମୋତେ କଅଁଳେଇ କହିଲେ, ହଇରେ ଏ ମାସର ଭଡ଼ା କାହିଁ ? ହଉ ଠିକ୍‌ ଅଛି ଭଡ଼ା ପରେ ଦେବୁ-। ଆଗେ ଦସ୍ତଖତଟା କରିଦେଲୁ । ଏହା କହି ସେ ରେଭିନ୍ୟୁ ଷ୍ଟାମ୍ପ୍‌ ଲଗା ଏକ ସାଧାକାଗଜ ମୋ ହାତକୁ ବଢ଼େଇ ଦେଇଥିଲେ ।

 

ମୋର ମନହେଲା ସାଧା କାଗଜଟା କୃତ୍ରିମ ବନ୍ଦୀଘରର ସଙ୍କେତ । ଷ୍ଟାମ୍ପ୍‍ଟା ମୋର ମଥା ଏବଂ ସ୍ୱାକ୍ଷରଟା ହିଁ ହେବ ମୋର ଜୀବନ, ଯାହାକୁ ନେଇ ଖେଳ ଖେଳାଯାଇ ପାରେ । ପ୍ରତି ଯୁଗରେ, ପ୍ରତି ସମୟରେ, ପ୍ରତି ଅଞ୍ଚଳରେ ଦଳେ ଲୋକ ଏହିପରି ଧନ୍ଦାମୂଳକ ପେଷାରେ ଅନେକ ନିରୀହ ପରିବାରକୁ ସର୍ବସ୍ୱାନ୍ତ କରିଆସୁଛନ୍ତି । ମୁଁ ଏହି ଚକ୍ରାନ୍ତର ଶୀକାର ହେବି ? ନା–ନା, ମୋର ରକ୍ତ ଗରମ ହୋଇଗଲା ।

 

: କିରେ ଭାବୁଛୁ କ’ଣ ?

 

: ଏଁ, କି ଦସ୍ତଖତ !

 

କ’ଣ ମାଡ଼ ମୁଲଉଛୁ ! ଏ ଜାଗା ମୋର, ଏଠାରେ ଯେ କ୍ୟାବିନ୍‌ ପକାଏ, ସେ ଭଡ଼ା ଦିଏ, ଦସ୍ତଖତ ବି ଦିଏ । ତୁ କଣ ଏହା ଜାଣିନୁ ? ଗାଲୁଆ...

 

ମୁଁ ସଙ୍ଗେ ସଙ୍ଗେ ପ୍ରତିବାଦ କରିଥିଲି । ସରକାରୀ ଜାଗା । କ୍ୟାବିନ୍‌ ମୋର । ଖଟିବି ମୁଁ ପୁଣି । ଭଡ଼ା ଆପଣଙ୍କୁ କାହିଁକି ଦେବି ?

 

କ’ଣ ତୋର ଆଖି ଫୁଟିଯାଇଛି କି ? କିରେ ଭାରି ବଢ଼ି ବଢ଼ି ବଡ଼ ବଡ଼ କଥା କହୁଚୁ ! ଦେଖନ୍ତୁ–ସେମାନେ ଭଡ଼ା ଦେଉଛନ୍ତି କେମିତି ?

 

ସେମାନେ ଅନ୍ଧ । ସେମାନଙ୍କର ଆଖି ନାହିଁ । ମୋର ପଡ଼ୋଶୀ କ୍ୟାବିନ୍‌ ବାଲାଙ୍କଠାରୁ ଜବରଦସ୍ତ ଦସ୍ତଖତ ନେଇ ଆପଣ ସେମାନଙ୍କର ଆଖି ଫୁଟେଇ ଦେଇଛନ୍ତି । ତା’ପରେ ଯେଉଁ ଧଡ଼କ । ଆରେ ତୁ କ’ଣ ତୋ ବାପ ବି ଦସ୍ତଖତ ଦେବ । କେବଳ ଜାଗା ନୁହଁ, କ୍ୟାବିନ୍‌ ବି ମୋର-। ଯେହେତୁ କ୍ୟାବିନ୍‌ ପଛପାଖ ନାଳ ବି ମୋର ।

 

ନାଳଟା ତା’ର କେଉଁଦିନଠୁ ହେଲା ! ନାଳ ଯଦି ତା’ର ବାପ ଖୋଳେଇଥିଲା, ଯେତେଦିନ ପର୍ଯ୍ୟନ୍ତ ନାଳର ପାଣି ତା’ର ବାପର ଜମିରେ ମାଡ଼ୁଥିବ, ସେତେଦିନ ପର୍ଯ୍ୟନ୍ତ ନାଳ ତାହାର । ସେହି ନାଳର ପାଣି ଯେହେତୁ ଅନ୍ୟମାନଙ୍କର ବିଲରେ ମାଡ଼ୁଛି, ତେଣୁ ନାଳ ସର୍ବସାଧାରଣଙ୍କର ।

 

ରୁହ, ମଝିରେ କାହିଁକି ଯୁକ୍ତି କରୁଛ । ତା’କୁ କହିବାକୁ ଦିଅ । ତା’ପରେ କ’ଣ ହେଲା ? ଆପଣ ଯଦି ସାରା ଗାଁକୁ ଆପଣଙ୍କର ବ୍ୟକ୍ତିଗତ ସମ୍ପତ୍ତି ବୋଲି ଦାବି କରନ୍ତି ତେବେ ମୁଁ କାହିଁକି ଓହରି ଯିବି ? ମୋତେ ବି ଦାବି କରି ଆସେ । ଆପଣ ଯଦି ଆଗତୁରା ଚିଲିକା ଭିତରେ ଖୁଣ୍ଟ ପୋତି କହିବେ, ଜଳ ଭିତରେ ଥିବା କିଛି ଅଂଶ ବି ମୋର ଏବଂ ମୋ ଜାଗାକୁ ଚିଲିକା ମାଡ଼ିବସିଛି, ତେବେ ମୁଁ କହିବି ଚିଲିକାଟା ବି ମୋର ।

 

ବାଃ, ବାଃ ଠିକ୍‌ କଥା । ଯେଉଁ ସାମାନ୍ୟ ଜାଗାକୁ ନେଇ ତୋର ଝଗଡ଼ା, ସେ ଜାଗା କାହାର ନୁହେଁ । ଆଜକୁ ଦେଢ଼ ଶହ ବର୍ଷ ତଳେ ଏଇ ଗାଁ, ଏଇ ମାଟି, ଏଇ ନାଳ ଚିଲିକା ଗର୍ଭରେ ଥିଲା । କାଳକ୍ରମେ ଚିଲିକା ପୋତିହେଲା ପରେ ତା’ର ବିସ୍ତୀର୍ଣ୍ଣ ବାଲିଚଡ଼ ଉପରେ କେତେ ଦ୍ୱନ୍ଦ୍ୱ, ଦୁଃଖ ସୁଖ ଶୋକ, ରକ୍ତପାତର ଅଶ୍ରୁଳ ସ୍ମୃତି ବାଲି ଭଳି ସମୟର ମୂର୍ତ୍ତିକାରେ ମିଳେଇ ଗଲାଣି । ପୁଣି ଛାର ଏଇ ଜାଗାକୁ ନେଇ ସବୁଠି ଗର୍ବ, କନ୍ଦଳ ଓ କଳହ । କେତେଦିନ ଅବା ଏଇ ଜୀବନ ଉପରେ ମାଡ଼ି କୁଦି ଅତ୍ୟାଚାର କରୁଥିବା ମଣିଷ ଗୁଡ଼ିକ ମହାକାଳର ବାଲୁକା ଶଯ୍ୟାଧାର ଫସିଲରେ ପରିଣତ ।

 

ଜଣେ କିଏ କହିଲାବେଳେ ପ୍ରତିକ୍ରିୟାଶୀଳ ଲୋକଭଳି ଡିଷ୍ଟର୍ବ କରନା । ହଁ, ତା’ପରେ କ’ଣ ହେଲା ?

 

ହଠାତ୍‌ ଦିନେ ବାପ ଓ ପୁଅ ପୁଣି ଆସି ଝଗଡ଼ା କଲେ । ମୁଁ ଆଶ୍ଚର୍ଯ୍ୟ ହେଲି । ପୁଅ ମୋର ଅନ୍ତରଙ୍ଗ ସାଥୀ । ବାପ ପୁଅ ଭିତରେ ତ ପଡ଼େନା । ପୁଣି ଏମାନେ ଏକାଠି ହେଲେ କିପରି-? ପୁଞ୍ଜିବାଦୀ ରକ୍ତ ନିଜ ସ୍ୱାର୍ଥ ସପକ୍ଷରେ ଏକାଠି ହୋଇ ଲଢ଼ାଇ କରେ ଏହା ଶ୍ରେଣୀ ଚରିତ୍ର । ଯେପରି ସମୟ ଆସିଲେ ବିପ୍ଳବୀମାନେ ଦେଶର ସ୍ୱାର୍ଥ ପାଇଁ ସମୂହ ଭାବରେ ଆତ୍ମ ବିସର୍ଜନ କରିଥାନ୍ତି, ଏହା ମୁଁ ଜାଣେ । ମୁଁ କିଛି କହିବା ପୂର୍ବରୁ ପୁଅ ଆସି ଏକ ଶକ୍ତ ଚଟକଣି ମୋର ଗାଲରେ କସିଦେଲା । ମୋର ହାତରେ ଥିବା କଇଁଚିଟା ଶକ୍ତ ହୋଇଗଲା । ମୋ ଶାଣିତ ଖୁରର ସଦ୍ୟପଜା ଦାଢ଼ ଦାଉ ଦାଉ ହୋଇଉଠିଲା । ଇଚ୍ଛାହେଲା ସାଫ କରିଦେବି । ଶତ୍ରୁର କଟାମୁଣ୍ଡକୁ ଟାଙ୍ଗିଦେବି ମୋର କ୍ୟାବିନ୍‌ ଆଗରେ । ତା’ପରେ ନିଲାମ ଡାକିବି, ଘୋଷଣା କରିବି । ବହୁ ମୁଣ୍ଡକୁ ଖାଇଥିବା ଏକ ଚର୍ବିଳମଥା, ଦି’ପଟ ନିଶ...ପୁଣି ଇଚ୍ଛାହେଲା, ଶତ୍ରୁକୁ ମାରିଦେଲେ କଥା ଶେଷ । ପ୍ରତିଶୋଧ ନେବାର ମୁହୂର୍ତ୍ତ ବହୁଥର ଆସିବ । ଯେଉଁ ମୁହୂର୍ତ୍ତରେ ସମସ୍ତ ଶ୍ରେଣୀଶତ୍ରୁକୁ ହତ୍ୟା କରିବାର ମଉକା ମିଳିବ....। ହେତ୍‌ ତୁ ଭୁଲ କରିଦେଲୁ । ଆରେ ତା’କୁ କହିବାକୁ ଦେ !

 

ମୋର ବଜ୍ର ରୂପ ଦେଖି ବାପପୁଅ ଛାନିଆ ହୋଇଯାଇଥିଲେ । ଏକ କାପୁରୁଷର ସ୍ୱଜୀବନ ଲୋଭ ବଡ଼ ମାରାତ୍ମକ । ତା’ ଆଗରେ ମୃତ୍ୟୁ କେବଳ ଭୟାବହ । ମୃତ୍ୟୁ ବ୍ୟତୀତ ସେ କାହାକୁ ଖାତିର କରେ ନା । ସମ୍ପତ୍ତିର ଲୋଭ ପ୍ରାଚୁର୍ଯ୍ୟର ଲୋଭ ପ୍ରତିପତ୍ତି ପ୍ରତିଷ୍ଠାର ଲୋଭ ସବୁରି ଭିତରେ ଲୁଚି ରହିଥିବା ମୃତ୍ୟୁ ପ୍ରତି ଅହେତୁକ ଭୟ । ମୁଁ ଭଲ ଭାବରେ ଜାଣେ ଏକ ଲୋଭୀ ସନ୍ତାନ, ତା’ର ପିତୃ ହତ୍ୟାକାରୀର ପ୍ରତିଶୋଧ ନେବାପାଇଁ ଶପଥ କରି ବି ଭୁଲିଯାଏ । କିନ୍ତୁ ତା’ର ବ୍ୟକ୍ତିଗତ ମାଲିକାନା କିମ୍ବା ପିତୃପୁରୁଷର ଅହମିକା ଧନସମ୍ପତ୍ତି ତଥା ତା’ର ଅସତ୍‌ ସ୍ୱ-ଉପାର୍ଜିତ ଇଞ୍ଚେ ଜାଗା ଉପରେ ଯଦି କେହି ହସ୍ତକ୍ଷେପ କରେ, ତେବେ ସେ ତତ୍‌କ୍ଷଣାତ୍‌ ପ୍ରତିଶୋଧ ନେବା ପାଇଁ ପଛଘୁଞ୍ଚା ଦିଏ ନାହିଁ । ସାଧାରଣ ଭାବରେ ଜାଗା ଅଧିକାର କରିବାର ନିଶା ବା ଲାଳସା ଅତି ତୀବ୍ର ମୃତ୍ୟୁଠାରୁ ଭୟଙ୍କର ।

 

ସଙ୍ଗେ ସଙ୍ଗେ ଜଣେ କିଏ ସାଥୀ ଅନ୍ଧକାରର ବୁକୁ ଫଟାଇ ପ୍ରତିବାଦ କଲା । ବ୍ୟକ୍ତିଗତ ଆଧିପତ୍ୟ ଜାହିର କରିବା ଅପେକ୍ଷା ମଣିଷର ଯୌବନର ଲାଳସା ଆହୁରି ଭୟଙ୍କର । ଯାହାକି ବାପ ପୁଅର ସମ୍ପର୍କ ଛିନ୍ନ କରେ । ପ୍ରତିଟି ସମ୍ପତ୍ତିବାନ ପିତାର ସମସ୍ତ ଅର୍ଥ ବିଳାସ, ତାମସା, ଉପଭୋଗ ଆଦି ଅପବ୍ୟୟରେ ନଷ୍ଟ ହୋଇଥାଏ । ତା’ପରେ ସେ କହିବାକୁ ଆରମ୍ଭ କରିଥିଲା ।

 

ଦିନକର ଏକଦା ଏକ ଅର୍ଥ କାଙ୍ଗାଳ ପିତା ବର୍ଷୀୟାନ ଏକ ମହିଳାର ସୌଖୀନ ପିଞ୍ଜରାରେ ବାନ୍ଧି ହୋଇ ପଡ଼ିଥିଲା । ସେ ତା’ର ସମସ୍ତ ଅର୍ଥର ବିନିଯୋଗ ସେହି ମହିଳାର ଖୁସି ଓ ସମ୍ଭୋଗ ପାଇଁ ବ୍ୟୟ କରିବାରେ ଲାଗିଲା । ଫଳରେ ସେ ତା’ର ପରିବାର ପ୍ରତି ମଧ୍ୟ ଅବହେଳା ପ୍ରଦର୍ଶନ କରିବାକୁ ପଛେଇଲା ନାହିଁ । କ୍ରମଶଃ ଆତ୍ମୀୟ ସ୍ୱଜନଙ୍କ ନିକଟରେ ତା’ର ରୁକ୍ଷ ବ୍ୟବହାର ଅସତ ଆଚରଣକୁ ସୁସ୍ପଷ୍ଟ କରିଦେଲା । ଅବଶ୍ୟ ଅତ୍ୟଧିକ ବୟସର ଭାରାକ୍ରାନ୍ତରେ ସେ ଏପରି ନଇଁ ଆସିଥିଲା ଯେ ତା’ର ଆଚରଣକୁ କେହି ସନ୍ଦେହ କରିବାର ନ ଥିଲା ।

 

ଦିନକୁ ଦିନ ପରିବାର ଆର୍ଥିକ ସଙ୍କଟ ହେତୁ ଉତ୍ତରାଧିକାରୀ ଭାବରେ ପୁତ୍ରକୁ ଭାରି ବାଧିଲା । ସେ ପିତାଙ୍କୁ ସତ୍‌ପଥକୁ ଫେରାଇ ଆଣିବା ନିମନ୍ତେ ବାରମ୍ବାର ଚେଷ୍ଟା କରି ବିଫଳ ହେଲା । ପରିଶେଷରେ ନିଜେ ନିଜ ପିତାଙ୍କ ପଥ ଅନୁସରଣ କଲା । ପ୍ରଚୁର ନିଶାପାନ କରି ଟଳମଳ ପୁତ୍ର ଦିନେ ପିତାଙ୍କୁ ଭେଟିଥିଲା ଏକ ଅସ୍ୱାଭାବିକ ଅବସ୍ଥାରେ ବେଶ୍ୟାଳୟରେ । ପିତା : କିରେ ତୁ କୁଆଡ଼େ । ଲାଲ ଲାଲ ଚାରି ଆଖି । ପୁତ୍ର : ତୁମେ ଯୁଆଡ଼େ ।

 

ସେହିଦିନ ଠାରୁ ପୁତ୍ରର ବ୍ୟବହାରରେ କ୍ଷୁବ୍‌ଧ ପିତାର ହୃଦୟ ବିଷାକ୍ତ ହୋଇଉଠିଲା । ଯୌନ ଲାଳସା ଏକ ବ୍ୟାଧି । ଯାହା ଆଗରେ ପୁତ୍ର, କନ୍ୟା, ବନ୍ଧୁ ତଥା ଆଦର୍ଶ ସବୁ ନିଅନ୍ତି ସମାଧି-

 

ତା’ ଠାରୁ କଥା ଛଡ଼ାଇ ଆଉ ଜଣେ ଆରମ୍ଭ କଲା । ଏକ ନଷ୍ଟ ସନ୍ତାନର କଥା ଶୁଣ । ଯେଉଁଦିନ ଠାରୁ ଯୌନ କାମନା ତଥା କାମୁକ ମାନଙ୍କ ପ୍ରତି ମୋର ଏକ ବିତୃଷ୍ଣା ଭାବ ଜାତ ହୋଇଛି ।

 

ଦିନେ ଏକ ଝଡ଼ ରାତିରେ ମୋର କୋଠରୀରେ ଆସି ହାଜର ହେଲା ମୋର ଜଣେ ବାଲ୍ୟବନ୍ଧୁ, ଯାହା ସହିତ କିଛିଦିନ ଧରି ମୋର ଆଦୌ ଯୋଗସୂତ୍ର ନ ଥିଲା । ତା’ର ସାଥୀରେ ମୋତେ ହିଁ ଯିବାକୁ ସେ ଅନୁନୟ ଭଙ୍ଗୀରେ ଲୋତକାପ୍ଳୁତ ଚକ୍ଷୁରେ ଏଭଳି ଅନୁରୋଧ କଲା, ଯାହା ଏଡ଼ାଇ ଦେବା ଆଦୌ ସମ୍ଭବପର ହୋଇ ନ ଥିଲା ।

 

ପ୍ରବଳ ବର୍ଷା । ରାସ୍ତା ଦିଶୁନି । ଏକ ନିର୍ଜନ କୋଠରୀରେ ଶାୟିତା ଏକ ମୂର୍ତ୍ତିଭଳି ମୁର୍ଦ୍ଦାରଟିଏ ପାଖରେ ମୋତେ ପହଞ୍ଚାଇ ଦିଆଗଲା । ଶବ ପାଖରେ ଦୁଇଜଣ ଯୁବକ ଘେରି ରହିଥିଲେ । ମୁଁ ଥିଲି ବନ୍ଧୁଙ୍କୁ ମିଶାଇ ଚତୁର୍ଥ ବ୍ୟକ୍ତି । ତୁ ଜାଣିନୁ ବୋଧେ ଏଇ ଝିଅଟି ଥିଲା ମୋର ପ୍ରେମିକା । ଯାହାର ମୃତ୍ୟୁ ପାଇଁ ମୋର ପିତା ଦାୟୀ । ବଂଶଗତ ଅହମିକା ହିଁ ଏହାର ଅନ୍ୟତମ କାରଣ । ଏହାର ଅବସାନ କେବେ ହେବ ମୁଁ ଜାଣେ ନା । ମୋତେ ଏ ଆଶୁ ବିପଦରୁ ରକ୍ଷା କରେ-। ଇଏ ବିଷ ଖାଇ ଆତ୍ମହତ୍ୟା କରିଛି । ସୂର୍ଯ୍ୟୋଦୟ ପୂର୍ବରୁ କାର୍ଯ୍ୟ ସମାପନ କରିବାକୁ ହେବ ।

 

ମୋର କାନ୍ଧରେ ଯୌନ କ୍ରୀଡ଼ାର ପରିଣତି ଏକ କୋକେଇର ନିଶୁଣୀ; ଯାହା ମୋର ଆଦର୍ଶର ପରିପନ୍ଥୀ । ନିଶୁଣୀର ଅନ୍ୟ ଏକ ଖୁରା ମୋର ବନ୍ଧୁ ବ୍ୟର୍ଥ ପ୍ରେମିକର କାନ୍ଧରେ । ଅନ୍ଧକାର ରାତି । କାଦୁଅ ଚପ ଚପ ରାସ୍ତା । ଝଡ଼ର ବେଗ କମିଛି । ବର୍ଷାପାତ ଝିପି ଝିପି । କାନ୍ଧ ଉପରେ କୋକେଇରେ ଏକ ନିରୀହ ଝିଅର ଶବ । ଶ୍ମଶାନମୁଖୀ ତରୁଣୀର ଶବ ଉଦ୍ଦେଶ୍ୟରେ ପ୍ରଥମ ମାଲଭାଇ କହିଲା, ଏଭଳି ଝିଅ କୋଟିକେ ଗୋଟିଏ ମିଳିବା ମୁସ୍କିଲ । ତା’ର ସିନେମା ଅଭିନେତ୍ରୀ ହେବାକୁ ଭାରି ଇଚ୍ଛା ଥିଲା । ଫିଲ୍‌ମ ଦେଖିବା ତା’ର ଏକ ସଉକ । ଯାହାର ସମସ୍ତ ବ୍ୟବସ୍ଥା ତା’ର ପ୍ରେମିକ କରିପାରୁଥିଲା । ଅନ୍ୟ ଜଣେ ମାଲଭାଇ କହିଲା, ଅବଶ୍ୟ ଝିଅଟି ଗୋଟିଏ ଚାଉଳରେ ଗଢ଼ା । ସେ ଏପରି ଏକ ଫୁଲ ଯାହାକୁ ଛୁଇଁବା ପାଇଁ ପ୍ରଜାପତିର ଡେଣା ଛିଡ଼ି ପଡ଼ୁଥିଲା । ୟାହ୍ୟାପ୍‌ ପ୍ରେମିକ ପ୍ରବର ତ ଆମର ଛାର ପାରୁଡ଼ା ପୋକଟିଏ ! ସେ ଏପରି ଏକ ଦଗ୍‌ଧ ଅଗ୍ନିର ଶିଖା ଯାହାକୁ ଛୁଇଁଲା ମାତ୍ରେ କଲିଜା ପୋଡ଼ି ଯାଉଥିଲା । ତା’ର ଶେଷ ଇଚ୍ଛା ଥିଲା–ସେ ରାଣୀ ହେବ । ଅନ୍ୟ ଜଣେ ଉପହାସରେ କହିଲା, ବୋଧହୁଏ–କେଉଁ ଥିଏଟରରେ ! ଶେଷରେ ମୁଁ କହିଲି, ତେବେ ଏଭଳି ଏକ ଝିଅ କୁଳାଙ୍ଗର ପ୍ରେମିକ ହାତରେ ପଡ଼ିଯିବାରୁ ସିନା ଏ ଦଶା, ଲୋକହସା; ମୋର ଇଚ୍ଛା ଏହାକୁ ନ ପୋଡ଼ି ରାସାୟନିକ ପ୍ରକ୍ରିୟାରେ ସବୁଦିନ ପାଇଁ ଜୀବିତ ରଖିଲେ କେମିତି ହୁଅନ୍ତା ! ଆହା ବିଚାରୀ ଅକାଳରେ ଝରିଗଲୁ । ଜୀବନକୁ ଅପାତ୍ରରେ ଦାନ କଲୁ-

 

ପ୍ରକୃତ ପ୍ରେମିକ ବନ୍ଧୁ ଆଉ ସମ୍ଭାଳି ପାରି ନ ଥିଲା । ସେ ଭୋ ଭୋ ହୋଇ ରଡ଼ି ଛାଡ଼ିଲା ଏବଂ ପ୍ରଳାପ କରି କହିଲା, ସାରାଜୀବନ ଯାହାକୁ ପ୍ରତୀକ୍ଷା କରିଛି, ପାଇନି, ଯୁଗ ଯୁଗ ଧରି ଯାହାକୁ ଭଲ ପାଇଛି, କିନ୍ତୁ ସ୍ପର୍ଶ କରିପାରିନି ଜୀବିତା ଅବସ୍ଥାରେ, ତା’କୁ ଟିକେ ଦିଅ ମୋତେ ମୋର ମୃତ ପ୍ରତିମା ଉପରେ ଚୁମା ଦେବି । ଏହା କହି ସେ କୋକେଇ ଉପରୁ ଭିଡ଼ି ନେଇଥିଲା ଶବକୁ ଏବଂ ନିର୍ଜନ ରାତ୍ରିରେ ଆମର ବାରଣ ସତ୍ୱେ ଅନ୍ଧକାରର ଶବ ଉପରେ ହାମୁଡ଼େଇ ପଡ଼ି ସେ ତାର ଅଶ୍ଳୀଳ କାମନାକୁ ଚରିତାର୍ଥ କରିଥିଲା ।

 

ଠିକ୍‌ ଭୋର ହୋଇଆସିଲା । ଶ୍ମଶାନ ଆଉ କିଛି ଦୂର । ଏକ ବର୍ଷାଭିଜା ଗଛର ପଣତ ତଳେ ଏ କାଣ୍ଡ । ପୁଣି ସେ ଶବକୁ ଛାଡ଼ି ଧଇଁସଇଁ ହୋଇ କହିଲା, ନାଁ ମୁଁ ଏହାର ପ୍ରତିଶୋଧ ନେବି-। ପ୍ରେମିକାର ଶବାଧାର ଉପରେ ମୋ ପିତାର ରକ୍ତତିଳକ ପିନ୍ଧାଇବି । ନା-ନା ମୁଁ ଏହର ବଦଲା ନେବି, ପିତାକୁ ଖୁନ୍‌ କରି ଏକାଚିତାରେ ଜାଳିବି । ଶେଷରେ ମୁଁ ନିଆଁକୁ ଡେଇଁ ଝାସ ଦେବି । ମୁଁ ବଞ୍ଚି ରହି ଲାଭ କ’ଣ ?

 

ଆମେ କେହି ତା’କୁ ଅଟକେଇ ପାରି ନଥିଲୁ । ଅନ୍ୟ ଦୁଇବନ୍ଧୁ ମାଲଭାଇ କହିଲେ, ଯାଉ ହେ ଶଳା ମାରିକି ଆସୁ । ବାପଟା ଗୋଟେ ପାଜି, ସଇତାନ, ରାକ୍ଷସ । କଞ୍ଚା ମଣିଷର ରକ୍ତ ପିଇଦିଏ । ଏ ଅଞ୍ଚଳ ଶାନ୍ତ ହୋଇଯିବ । ଭାଇ, କେତେ ପରିବାରକୁ ଜଳାଇ ପୋଡ଼ାଇ ହନ୍ତସନ୍ତ ନ କରିଛି ! ଶଳା ମରୁ, ପୁଅ ହାତରେ ମରୁ ।

 

ସକାଳ ହେଲା । ଆମେ ତିନିଜଣ ବହୁ କଷ୍ଟରେ ଶବଟିକୁ ମଶାଣି ଉପରକୁ ଆଣିସାରିଥିଲୁ । ଖାଲି ପ୍ରେମିକ ବନ୍ଧୁ ଆସିଲେ ଶବାଧାରରେ ନିଆଁ ଧରାଇବା କଥା । ହଠାତ୍ ଦେଖିଲୁ ଆମ ଆଡ଼କୁ ଗୋଟିଏ ଜିପ୍‌ ମାଡ଼ି ଆସୁଛି । କଥା କ’ଣ ! ଶଳା ଧରା ପଡ଼ିଗଲା କି ? ଏ ବାପରେ ପୋଲିସ କହି ଜଣେ ମାଲଭାଇ ଦଉଡ଼ି ପଳାଇବାକୁ ବସିଥିଲା । ମୁଁ ଅବିଚଳ ସ୍ଥିର ଦୃଷ୍ଟିରେ ବନ୍ଧୁର ଫେରନ୍ତି ପଥକୁ ଅନେଇ ରହିଥିଲି । ଜିପ୍‌ରୁ ଖପ୍‌ଖାପ୍‌ କରି ପୋଲିସ୍‌ମାନେ ଡେଇଁ ପଡ଼ିଥିଲେ । ପୋଲିସ ସାଥୀରେ ପିତା ଓ ପୁତ୍ର । ପିତା ପ୍ରଥମେ କହିଲେ, ଏହି ତିନିଜଣ ଏ ନିରୀହ ଝିଅଟିକୁ ଅତ୍ୟାଚାର କରି ସେ ମରିଯିବାରୁ ଏଠାକୁ ପୋଡ଼ିବାକୁ ଆଣିଥିଲେ ।

 

ମୁଁ ସଙ୍ଗେ ସଙ୍ଗେ ପୋଲିସ୍‌ ଆଗରେ ସବୁ କିଛି ସତ୍ୟ କଥା ଖୋଲି ପ୍ରକାଶ କରିଥିଲି । ମାତ୍ର ମୋର ବନ୍ଧୁ ଏହାର ପ୍ରତିବାଦ କରିଥିଲା । ସେ ପିତାଙ୍କୁ ସମର୍ଥନ କରିବାକୁ ପଛେଇ ନ ଥିଲା ଏବଂ ଝିଅଟି ସହିତ ତାହାର କିଛି ସମ୍ପର୍କ ନ ଥିଲା ବୋଲି ସେ ବିନା ଦ୍ୱିଧାରେ କହିଥିଲା । ଆମେ ତିନିଜଣ ଏକାସ୍ୱରରେ ଏହାର ପ୍ରତିବାଦ କରିବା ପୂର୍ବରୁ ପୋଲିସ୍‌ ଆମ ହାତରେ ହାତ କଡ଼ା ପିନ୍ଧାଇ ସାରିଥିଲା ।

 

ସମସ୍ତେ ଏକାସ୍ୱରରେ କହିଉଠିଥିଲେ, ଏହା ହିଁ ହେଉଛି ବାସ୍ତବ ଶ୍ରେଣୀ ଚରିତ୍ର । ପ୍ରତିକ୍ରିୟାଶୀଳ ଉଚ୍ଚବଂଶଜ ବୋଲି ଦାବି କରୁଥିବା ମଣିଷର ଔରସରୁ ଜାତ ନଷ୍ଟ ସନ୍ତାନମାନେ ସମାଜକୁ ପରମ୍ପରାକ୍ରମେ ନଷ୍ଟ ସନ୍ତାନ ଉପହାର ଦେବା ବ୍ୟତୀତ ଅନ୍ୟ କୌଣସି ସାମାଜିକ କଲ୍ୟାଣରେ ଆସନ୍ତି ନାହିଁ । ତେଣୁ ବୁଝିଲୁ, କ୍ରୀଷ୍ଣା ! ନକଲି ମହାଜନର ପୁଅ ତୋର ବନ୍ଧୁ ହୋଇପାରେ । ମାତ୍ର ସେ ତା’ର ଶ୍ରେଣୀ ଚରିତ୍ର ଛାଡ଼ିବ କିପରି । ତା’ ଦେହରେ ସେଇ ପିତୃରକ୍ତର କଳଙ୍କିତ ପ୍ରବାହ । ପୁରୁଷ ପୁରୁଷ ଧରି । ଯାହାର ଉଚ୍ଛେଦ ଏତେ ସହଜ ନୁହେଁ ।

 

ଆରେ ଗପସପରେ ସମୟକୁ ଆମେ ଭୁଲିଗଲେ । ସକାଳ ହେବାକୁ ବସିଲାଣି । ଆମ ନାଆଁରେ ଓ୍ୟାରେଣ୍ଟ ଅଛି ବୋଲି କେତେଦିନ ଏପରି ଅଖିଆ ଅପିଆରେ ବୁଲିବା । ଚାଲନା ଜେଲ୍‌ ଯିବା । ଚୋରି ତ କରିନେ । ଡର କାହାକୁ ? ଯେଉଁଦିନ ଆମକୁ କୋର୍ଟରେ ହାଜର କରାଯିବ, ଆମେ ସେଇଦିନ ସବୁକିଛି ଖୋଲି ପ୍ରକାଶ କରିବା ।

 

ବଡ଼ି ଭୋରୁ ଚିଲିକା କୂଳେ କୂଳେ ଆମେ ଫେରୁଥିଲୁ ଚାରିବନ୍ଧୁ ସୂର୍ଯ୍ୟର ରକ୍ତିମ କିରଣରେ ଉଦ୍‌ଭାସିତ ପୂର୍ବର ଦିଗନ୍ତ । ଚତୁଃପାର୍ଶ୍ୱରେ ଆଲୋକର ରକ୍ତଛିଟାରେ ଗୋଳି ହୋଇ ପକ୍ଷୀମାନେ କଳରବ ଆରମ୍ଭ କରିଦେଇଥିଲେ । ସବୁଜ ଘାସର ପାଖୁଡ଼ାରେ ଉଜ୍ୱଳ ବର୍ଷାର ଖୋଜ ଝଲମଲ । ଚିଲିକାର ସୁନୀଳ ଢେଉରେ ସୁନେଲି ଆଭା । ଉର୍ଦ୍ଧ୍ୱରେ ନିର୍ମଳ କନକ ଆକାଶ ।

 

ହଠାତ୍‌ ବଜାର ଛକରେ ପୋଲିସର ଦୃଷ୍ଟି ଏଡ଼ାଇ ଏକ ଦଲାଲର ହାବୁଡ଼ରେ ପଡ଼ିଲୁ । ଆମେ ଜାଣୁ ରଘୁବୀର ବାବୁ ଆପଣ ଆମକୁ ଖୋଜୁଥିବେ !

 

କିରେ କ୍ୟାବିନ୍‌ର ଭଡ଼ା ଦେବୁ କି ନାହିଁ ? ଭଲରେ ଟଙ୍କା ଦେଇଦିଏ, ନଚେତ୍‌ କ୍ୟାବିନ୍‌ ଖୋଲି ପାରିବୁ ନାହିଁ । ଯଦି ସେ କ୍ୟାବିନ ଖୋଲେ । ତେବେ ମୁଁ ଓଲଟେଇ ଦେବି ।

 

ଶୁଣ ରଘୁବୀର ବିଶ୍ୱାଳ ! ଆମେ କ୍ୟାବିନର ଚାରୋଟି ଖୁରା । ଗୋଟିଏ ଗୋଟିଏ ଶକ୍ତ କବାଟ । ଆମେ ବି ଓଲଟେଇ ଜାଣୁ । ତୁମ ପରି ଛାର କ୍ୟାବିନ୍‌କୁ ନୁହଁ । ଗୋଟାଏ ଶ୍ରେଣୀକୁ । ଯେଉଁ ଶ୍ରେଣୀ ଯୁଗ ଯୁଗ ଧରି ଶୋଷଣ କରି ଆସୁଛନ୍ତି ମେହନତି ଜନତାକୁ ! କ୍ୟାବିନର ଗରିବ ଖୁଚୁରା ବେପାରୀକୁ । ସେହି ସମୟ ଉପଗତ ।

 

ହଠାତ୍‌ ବିସ୍ଫୋରଣ ଭଳି ରଘୁବୀର ବାବୁ ପାଟିକରି ଉଠିଥିଲେ । ହଇଓ ଏମାନେ କିଏ ! ମୁଁ ଏ ଶଳାଙ୍କୁ ଚିହ୍ନେନି !

 

ପୋଲିସ୍‌ ଆସି ଆମକୁ ଗିରଫ କରିଥିଲା । ସମବେତ ଜନତା ଉଦ୍ଦେଶ୍ୟରେ ଆମେ ଘୋଷଣା କଲୁ, ଭାଇମାନେ ନୌକା ଡୁବି ପାଇଁ ରଘୁବୀର ବିଶ୍ୱାଳ ଦାୟୀ । ଆମ ଭିତରୁ ଜଣେ କହିଲା, ରଘୁବୀର ବାବୁ ଡ଼ଙ୍ଗାର ମାଲିକ । ଯେହେତୁ ବଜାରର କ୍ୟାବିନ୍‌ ତାଙ୍କର, ନଈ ନାଳ ବି ତାଙ୍କର, ଚିଲିକାର କିଛି ଅଂଶ ବି ତାଙ୍କର ବୋଲି ସେ ଦାବି କରନ୍ତି ।

 

ଉପସ୍ଥିତ ଜନତା ଭିତରୁ ଜଣେ କିଏ କହିଥିଲା, ହଁ, ହଁ ବାସ୍ତବିକ ସତକଥା । ଚିଲିକା କୂଳରେ ଯେଉଁ ସ୍ଥାନରେ ଲଙ୍ଗଡ଼କ୍‌ ହେବା କଥା, ସେ ସ୍ଥାନ ତାଙ୍କର ବୋଲି ସେ ଦାବି କରିଥିଲେ । ଫଳରେ ଚିଲିକାରେ ଲଞ୍ଚ ସର୍ଭିସ ଚାଲୁ ହେବାରେ ଡ଼େରି ହେଲା । ନଚେତ୍‌ ଅଯଥାରେ ଏତେ ଲୋକଙ୍କ ପ୍ରାଣହାନୀ ଘଟି ନ ଥାନ୍ତା । ସେତେବେଳକୁ ରଘୁବୀର ବାବୁ ସେଠାରୁ ଖସି ପଳେଇ ଯାଇଥିଲେ ।

Image

 

Unknown

କ୍ଷୁଧା

 

ସମଗ୍ର ହିମାଳୟଟା ଯଦି ଦେହ ହୁଏ, ତାର ଆଖି ‘ମଣିମୁକୁଟ’ ର ଆଶ୍ରମ । ପତା ଭଳି ଥର ଥର ଘନ ସବୁଜ ଶ୍ୟାମଳିମା, ପଥରର ଖୋପ ଭିତରେ ଡୋଳା ଭଳି ଅଶ୍ରୁଳ ମାଟି ତା’ରି ଭିତରେ ଆଲୋକର ପୁଅ । ନିଦ୍ରା ଗଲେ ଅନ୍ଧାର, ଚେଇଁଲେ ସକାଳ । ଦେହରେ ଲୋମ ଭଳି ଜଙ୍ଗଲର ଘାସ । ଲୋମକୂପ ମୂଳେ ଜକେଇଲା ଝାଳ ଭଳି ଜଳ ଚକ ଚକ ପର୍ବତ । ମଥା ଭିତରେ ମନ, ମନ ଭିତରେ ସ୍ପନ୍ଦନ । ନୀରବତାରେ ସ୍ତବ୍‌ଧ । ପାହାଡ଼ ଖୋପରୁ ସରୁ ସରୁ ଝରଣା ଗୁଡ଼ିକ ଆଖିର ଲୁହଭଳି ସମତଳ ଗାଲର ଚଟାଣର କେତେ ବେଦନା ଆଙ୍କି ଗଡ଼ିଯାଉଛି ଦିବସ ।

 

ପାହାଡ଼ ଉପରୁ ସଞ୍ଜ ଓହ୍ଲେଇ ଆସୁଛି ତଳକୁ ତଳକୁ । ନିଆଁ ଦୀପଶିଖାକୁ ଓହ୍ଲେଇ ଆସିଲା ପରି ତରତର । ଆକାଶର ଉର୍ଦ୍ଧ୍ୱକୁ, ପାହାଡ଼ ତିଖରୁ ତାରା ଫୁଟିଲା ପରି ମୁନି କନ୍ୟାମାନେ ଗଙ୍ଗାରୁ ଜଳ ନେଇ ଉଠୁଛନ୍ତି ଉପରକୁ ଉପର । ଗଛରୁ କାକର ଖସୁଛି ସ୍ନାନରତା ନାରୀର ବେଣୀରୁ ଜଳ ପରି ନୀରବତାର ଶବ୍ଦ । ତଳେ ଗଙ୍ଗା ନିର୍ମଳ ଲୁହ ଭଳି ଛଳ ଛଳ । କାଠହଣା ଚଢ଼େଇର ଥଣ୍ଟରେ କାଠର ଗର୍ଭକୁ କୋରି ଖାଇଲା ପରି ବିଜନ ରାତିରେ ମନ୍ତ୍ର ସବୁ କାଠୁରିଆ କାଠର ଚୋଟ ଭଳି । ସେଇ ଆଦିମ ପାହାଡ଼ ଭିତରେ ଚଉରାଅଶିଟା ଗୁମ୍ଫା ଦେଉଳ ଭଳି ଉପରୁ ଓ ତଳ । ରାତିରେ ସିଡ଼ି ଦେଇ ନୀରବତା ଚଢ଼ି ଚଢ଼ି ପାହିଯାଏ ସକାଳ ଆକାଶର ଲୋହିତ ଫର୍ଚ୍ଚାରେ ।

 

ସବୁଜ ଘାସର ଜଙ୍ଗଲରେ ଚରୁଥିବା କଳା ଗାଈ ପରି ବିହ୍ୱଳ ନୀରବତାର ପିଠିରେ ଏକାନ୍ତ ନିଛାଟିଆ ଅନ୍ଧାର । ଦୂର ଗାଆଁ ପାର୍ବତ୍ୟ ଇଲାକାର ନେପଟିଆ କୋଠରୀରେ ଝୁଲା ଲଣ୍ଠନ ଭଳି ବଡ଼ ଧୁଆଁଳିଆ ‘ମଣିକୁଟ’ । ଫଟାକାଚର କୁହୁଡ଼ି ଭିତରେ ମଣିକୁଟର ଆକାଶ ଲଣ୍ଠନର ଅଧାଜଳା ଶିଖାଭଳି ନିଷ୍ପ୍ରଭ ।

 

ନିଃଶ୍ୱାସର ମୃଦୁ ଧୂଆଁରେ ନେସି ହୋଇଯାଏ ବରଫ କଣା ଆକାଶର କାଚରେ । ତାହାରି ତଳେ ଆଦିବାସୀର ମୁଠା ଭିତରେ ମଶାଲ ଭଳି ଜଳୁଛି ଆଶ୍ରମରେ ଝିଅଟିଏ, ନାମ ତା’ର ଶିଖା । ନିଆଁକୁ ଚୁମିବା କୀଟର ସହଜାତ ପ୍ରବୃତ୍ତି । ନୀଳ ଡେଣାକୁ ପୋଡ଼ି ବୟସକୁ ଜାଳି ଦେବାରେ ନିଆଁର ଜୁଇରେ ପୋକର ଆନନ୍ଦ ସଳିତାକୁ ହିଁ ଜଣା । ମୁଁ ଗୋଟାଏ ଫିରିଙ୍ଗି ଭଳି ନହକା ସିଜୁର କାଠି ଉପରେ ବସି ଦେଖୁଛି ଜୀବନର ହିମାଳୟକୁ ।

 

ସଞ୍ଜ ହେଲେ ଫେରିଆସେ କ୍ଳାନ୍ତ କୃଷକ କିଆରି ଛାଡ଼ି ଗାଁକୁ । ଫେରିଆସେ ଗୋଧୂଳିର ଫିକା ଖୁରାରେ ସଞ୍ଜ । ଫେରିଆସେ ଦିବସର ଆଲୋକ ରାତ୍ରିର ଦୀପାଳିକୁ । ତୈଳ ହୁଏ ଗଙ୍ଗାର ଜଳ । ସଳିତା ହୁଏ ରାତ୍ରିର ଆଶ୍ରମ । ତା’ର ପୂର୍ଣ୍ଣିମା ଆଲୋକ ନେପାଳୀ ବାଳିକା ଶିଖା; ମୋତେ ଭେଟିଥିଲା ସତ୍‌ସଙ୍ଗ ଭବନ ପାଖେ ।

 

ସତ୍‌ସଙ୍ଗ ଭବନ ଜଙ୍ଗଲର ସମୁଦ୍ରରେ ଟାପୁଟିଏ । ହିମାଳୟର ସିଂହାସନରେ ମୁକୁଟ ଭଳି ଯେଉଁ ଆଶ୍ରମ ତା’ର ମଥାମଣି ହେଲା ସତ୍‌ସଙ୍ଗ ଭବନ । ଗୁମ୍ଫା ଦେଉଳର ଚୂଡ଼ାରେ ଲାଲ, ନୀଳ ରଙ୍ଗର ବତୀ ଅସଂଖ୍ୟ ଆଖିଭଳି ଜଳେ ଉଦାସ ପୃଥିବୀ । ମୁଁ ଏଠାରେ ବିଦ୍ୟାର୍ଥୀ । ଆସିଛି ସୁଦୂର ଓଡ଼ିଶାରୁ ଯୋଗ ଅଧ୍ୟୟନ ପାଇଁ । ତମେ କେଉଁଠୁ ଆସିଛ ? ଝିଅଟି ଉତ୍ତର ଦେଇଥିଲା–ନେପାଳରୁ ।

 

ତମେ ମସୁରୀ ନଯାଇ ଏଠାକୁ କେମିତି ଆସିଲ ? ଏଇ ପ୍ରଚଣ୍ଡ ଶୀତରେ ମସୁରୀର ମହିଳା ଧ୍ୟାନକେନ୍ଦ୍ରରେ ଅଧ୍ୟୟନ କରିବା ଠାରୁ ଅଧିକ ନିରାପଦ ଏଇ ସତ୍‍ସଙ୍ଗ ଭବନ । ତମେ ଜାଣିନା କି ମସୁରୀରେ ବରଫପାତ ହୁଏ ? ହାଁ ଯାହାର କୋମଳ ଧାସରେ କାଲୁଆ ହିମାଳୟ ତଳର ମାଟି ।

 

ଆଶ୍ରମର ଦହି ଆଟିକାରେ ଭାସିଲା ଲହୁଣୀ ଶିଖା । ଅନେକ ମାଛିର ଆଖିରେ ଫିମ୍ପି ମାରିଯାଏ ମଣିକୁଟର ଆଟିକା । ମାଛିର ଖୋଜ ଲହୁଣୀରେ ପୋତି ହୋଇଗଲେ ଡେଣା ଝିଙ୍କି କାଢ଼ିବ କିଏ ? ଭବନର ମହୁଫେଣାରେ ରାଣୀ ମହୁମାଛି ଶିଖା ।

 

ଜଙ୍ଗଲରେ ବାଘ ଥାଏ । ବାଘ ଥିଲେ ବାଘୁଣୀକୁ ଆସିବାକୁ କିଏ ବା ମନା କରିବ ! ଯଦି ବାଘୁଣୀକୁ ରହିବାକୁ ମନା ନାହିଁ, ଶିକାରୀକୁ ବି ଫାୟାର କରିବାକୁ ମନା କରିବ କିଏ !

 

ଗୋଟିଏ ସର୍ତ୍ତ । ସମସ୍ତେ ଧ୍ୟାନ ଶିଖିବେ । ସକାଳୁ ସଞ୍ଜ ଧ୍ୟାନ । ଶୟନ ସପନରେ ଧ୍ୟାନ । ମଣିଷଠାରୁ ଜୀବଜନ୍ତୁ, ଆକାଶ, ପର୍ବତ ଗଛପତ୍ରରେ ବି ଧ୍ୟାନର ମୁଦ୍ରା । ସକାଳର ଧ୍ୟାନ ଭାଙ୍ଗିଉଠିଥିବା ସନ୍ନ୍ୟାସୀ ସୂର୍ଯ୍ୟର କିରଣ ଆମ ଆଶ୍ରମର ମାଟି ଛୁଇଁଲା ବେଳକୁ ଦିନ ହୁଏ ନଅଟା-। ଗଙ୍ଗା କୂଳରେ ସ୍ନାନରତା ଲଙ୍ଗଳା ଖରାରେ ଡେଣାଭାଙ୍ଗି ପକ୍ଷୀ ଉଡ଼େ । ଫୁଲର ବଗିଚାରେ ପାଖୁଡ଼ା ଭାଙ୍ଗି ପ୍ରଜାପତି ପରି କାତି ଭାଙ୍ଗି ମାଛ ଡୁବେ । ଗଙ୍ଗାର ଅତଳ ଗର୍ଭରେ ଅବ୍ୟକ୍‌ତ ସ୍ରୋତ ପରି ମନର ଅତଳ ଅଇନାରେ ଦୁଃସ୍ୱପ୍ନର ପ୍ରତିବିମ୍ବ ।

 

ଆଜି ଗୁରୁବାର । ସମସ୍ତଙ୍କର ମୌନବ୍ରତ । ମୋର ପଡ଼ୋଶୀ ଚଉରାଅଶୀ ନମ୍ବର ଗୁମ୍ଫାରେ ଓଡ଼ିଆ ଅଧିବାସୀ ଭାଗୀରଥି । ଛୟାଳିଶ ନମ୍ବର ଗୁମ୍ଫାରେ ଆଉଜଣେ ଓଡ଼ିଆ ନିରଞ୍ଜନ-। ବାକି ସମସ୍ତେ ଅଣଓଡ଼ିଆ । ମୁଁ ଦୁଆର ଖୋଲି ଦେଖିଲି ତେଇଶ ନମ୍ବର ଗୁମ୍ଫାରେ ରହୁଥିବା ନେପାଲୀ ବାଳିକା ଜଙ୍ଗଲର ସମସ୍ତ ଲବଙ୍ଗ ବାସ୍ନାକୁ ଆଣି ମୋ ଆଗରେ ଠିଆହୋଇଛି । ଗଛର ଗଣ୍ଡି ବର୍ଷାର ବାସ୍ନାରେ ଚହଟିଲା ଭଳି କୁହୁଡ଼ିଆ ଆକାଶରେ ଖରାଭଳି ତେଜପତ୍ରର ନାଡ଼ରେ ଟୋପାଏ କାକର ମାଟିର ପାପୁଲିକୁ ଖସିପଡ଼ିଲା ।

 

ସେ ଯେମିତି କହିବାକୁ ଚାହୁଁଥିଲା ହିମାଳୟର ବାଦଲ ଆଚ୍ଛନ୍ନ ଆକାଶ ଭଳି ଏଠି ମଣିଷ ମନର ଆକାଶ କାମନାର ମେଘରେ ଆକ୍ରାନ୍ତ । ଜୀବନକୁ ସମର୍ଥନ କରୁଥିବା ଚିନ୍ତାର ଛାଇ କ୍ୱଚିତ ମାଡ଼ିଯାଏ ମନର ଦିଗ୍‌ବଳୟରେ । କିନ୍ତୁ ସର୍ବଦା ଜୀବନକୁ ଧ୍ୱଂସ କରୁଥିବା ଚିନ୍ତାରେ ସନ୍ତୁଳିତ ମନର ଦିଗନ୍ତ । ସେ କହିଥିଲା–ମୋର ପୁରୀ ଦେଖିବାକୁ ଭାରି ଇଚ୍ଛା । ସେଠୁଁ କୋଣାର୍କଟା କେତେ ଦୂର ? କୋଣାର୍କ ଆକାଶ କ’ଣ ସଦାବେଳେ ମେଘାଚ୍ଛନ୍ନ । ସେଠି ଜଙ୍ଗଲ ଅଛି କି ନାହିଁ ?

 

ଆକାଶ ଯେଉଁଠି ଅଛି, ବାଦଲର ଗୁରୁଗମ୍ଭୀର ସମାବେଶ ସେଠି ଏକାନ୍ତ ସ୍ୱାଭାବିକ । ମନ ଯେଉଁଠି ଅଛି, ଆନନ୍ଦ ପାଖେ ନିରାନନ୍ଦର, ସୁଖ ପାଖେ ଦୁଃଖଭଳି ନିଶ୍ଚିତ ସମାରୋହ ।

 

ଶିଖା କହିଲେ–ଏ ମଣିଷଗୁଡ଼ା କେଡ଼େ ସାଂଘାତିକ ଜାଣିଛ ? ମୋର ବି ଥଣ୍ଡା ସହିଲା ଭଳି ତାକତ ଅଛି । ବରଫର ଶୀତଳ ଅଗ୍ନିରେ ଫଟା ମୋର ତଳିପା’ରେ ଅନେକ ମୃତ ଆଗ୍ନେୟଗିରିର ଫାଟରେ ଯେ ଚାଲିପାରେ ତା’ ଆଗରେ ଋଷିକେଶର ଶୀତ କିଛି ନୁହେଁ । ସେ ଯେମିତି ଦୂର ସବୁଜ ଜୁଡ଼ାରେ ଖୋସିଥିବା ଘାସ ଫୁଲର ଚଅଁରରେ କାକରର ଧୂଳି ଝାଡ଼ି କହିଥିଲା–ତମେ ଜାଣିଛ, କୁଲଦିପ ସିଂକୁ ? ଲମ୍ପଟ ମଣିଷଟା । ତମେ ଜାଣିଛ ପୁନିଆକୁ ? ନପୁଂସକଟା । ତମେ ଜାଣିଛ ଡକ୍ଟର ଭର୍ତ୍ତରିଆଙ୍କୁ ? ସେ ଗୋଟାଏ ସ୍ତ୍ରୈଣ । ଆଉ କାହା କଥା କହିବି ? ଅଧ୍ୟାପକ ଅମାତ୍ୟ ଓ ଲାଲଜୀ ତ ଗୋଟାଏ ଗୋଟାଏ ରାକ୍ଷସ । ଏ ସମସ୍ତେ ମିଶି ମୋତେ ପାଗଳ କରିଦେବେ । ଦେଖିଲଣି ? ଝିଅ ବୋଲି ସମ୍ବୋଧନ କରି ବୁଢ଼ା ଭର୍ତ୍ତରିଆ ମୋର ଡେଣାକୁ କେମିତି ମକଚି ଦେଇଛି ।

 

ସେ ଦେଖାଇଲା ତା’ର ଚମ୍ପାରଙ୍ଗର ଡ଼େଣାର ବେତର ଦାଗଭଳି ପାଞ୍ଚୋଟି ଆଙ୍ଗୁଳିର ଚିହ୍ନ ଏବଂ କହିଥିଲା, ଭୋଗୀଗୁଡ଼ାକ କେବେ ଯୋଗୀ ହେଲେଣି ?

 

ମୁଁ କହିଲି, ତମେ ଫେରିଯାଅ । କାଲି ସତ୍‌ସଙ୍ଗ ଭବନରେ ଗପିବା । ମୋର ଉପସ୍ଥିତ ଯଦି ଆପଣଙ୍କୁ ଭଲ ନ ଲାଗୁଛି, ତେବେ ମୁଁ ଦୁଃଖିତ, ଫେରିଯାଉଛି ।

 

ଦର୍ପଣରେ ବାରମ୍ବାର ମୁହଁ ଦେଖିବାକୁ ଭଲଲାଗେ । ତା’ ବୋଲି ଆଇନାକୁ ହାତରେ ଧରିବା ଅପେକ୍ଷା କାନ୍ଥରେ ଟାଙ୍ଗିଦେବା ଭଲ । ଆଜି ମୌନ ଦିବସ । ତମେ ତୁମର ଗୁମ୍ଫାକୁ ଫେରିଯିବା ନିରାପଦ ।

 

ବେଲପତ୍ରର ଛାଇରେ ମୋ ଈଶ୍ୱର ମନ ଅଁଳାକୋଳି ଭଳି ଚୁଚୁମୁଥିଲା ଶିଖାର ଶବ୍ଦକୁ । କୋଳିର କଷା ଗୁଣ ଟିକିଏ ପରେ ବଦଳିଯାଏ, ମିଠା ସ୍ୱାଦର ସ୍ୱଭାବରେ । ସମୟର କଠୋର କଠିନ ପଞ୍ଝା ଭିତରେ ଶୃଙ୍ଖଳା ଯେ ଏଠି ଶୃଙ୍ଖଳ ।

 

ମୁଁ ତା’କୁ ବୁଝାଇଥିଲି, ଡକ୍ଟର ଭର୍ତ୍ତିଆ ତ ଗୋଟାଏ ଡେଣାହୀନ ପକ୍ଷୀ । ପୁନିଆ ତ ଗୋଟାଏ ଭାରତ ମାନଚିତ୍ର । ତା’କୁ ଯେଉଁ କାନ୍ଥରେ ଟାଙ୍ଗି ଦେଇ ହେବ । ଶିଖା କହିଲା, ପୁନିଆର ଯେଉଁ ଚାହାଣୀ, ବାଜପକ୍ଷୀର ଆଖିଭଳି । ପକ୍ଷୀ ସାବକକୁ ଝାମ୍ପି ନେଲା ପରି ମୋର କାନପାଖେ ଓଠ ଲଗାଇ ଦେଉଛି । ରିଟାୟାର୍ଡ କୁଲଦିପ ସିଂ ଏକ ଧୂର୍ତ୍ତ ହନୁ । ଯେତେସବୁ ପର୍ଯ୍ୟଟକ ବିଦେଶିନୀ ସତ୍‍ସଙ୍ଗ ମାଟିତଳ ଗୁମ୍ଫାକୁ ଦେଖିବାକୁ ଆସନ୍ତି ସେତେବେଳେ ଲକ୍ଷ୍ୟକଲେ ଜାଣିପାରିବ, କେତେ କଦର୍ଯ୍ୟ ଆଖିରେ ସେ ଦେଖେ । ଟ୍ରେନିଂର ପ୍ରଥମ ଦିନ ସତ୍‌ସଙ୍ଗ ଭବନର ପ୍ରଥମ ଗୁମ୍ଫାରେ ମୁଁ ଆସନ କରୁଥିଲି, ସେ ଦିନ ତମେ କେତେ ନମ୍ବର ଗୁମ୍ଫାରେ ଥିଲ ? ଆମର ରାଉଣ୍ଡିଙ୍ଗକୁ ଚେକ୍‌ କରିଥିଲା ସର୍ଦ୍ଦାର ସିଂ ନା ? ମୁଁ ତା’କୁ ଡ଼ାକି କହିଲି–ସାର୍‌, କାନ୍ଥରେ ଗୋଟାଏ ବିଛାଟାଏ । ସର୍ଦ୍ଦାରଜୀ କହିଲା, ତମ ମନ ଭିତରେ ଯେଉଁ ବିଛା ଅଛନ୍ତି, କାନ୍ଥର ବିଛାଠାରୁ ତାହା ଆହୁରି ସାଂଘାତିକ । ଧ୍ୟାନ କଲାବେଳେ ଏ ଯାବତ ପୃଥିବୀରେ କୌଣସି ଯୋଗୀ ସର୍ପ ଦଂଶନରେ ବା ବିଛା କାମୁଡ଼ାରେ ଘାଉଡ଼ ହୋଇନାହାନ୍ତି । ଅରଣ୍ୟର ବାଘ ଋଷି ମୁହଁକୁ ଚାହିଁ ମୂର୍ଚ୍ଛା ହୋଇଯାଏ-। ସର୍ଦ୍ଦାର ସିଂର କଥାଗୁଡ଼ିକ ଶିଖାର ମନକୁ ଯେ ବିଷାକ୍ତ କରିଦେଇଥିଲା । ସେଇଦିନଠାରୁ ସେ ତା’ର ନିଜ ଗୁମ୍ପାରେ ଏକଲା ଆସନ, ପ୍ରାଣାୟାମ, ଧ୍ୟାନ କରୁଥିବା କଥା କହିଲା ।

 

ଅନ୍ଧକାର କ୍ରମଶଃ ନଇଁ ଆସୁଥିଲା । ନୀଳ ବ୍ଲାଉଜରେ ଝାଳ ବୋଳି ଜଡ଼ିଯାଉଥିଲା ଦେହରେ ସମୟ । ଆକାଶର ଆଲୋକ ଜଡ଼ିଯାଉଥିଲା ଅରଣ୍ୟରେ । ଦୂର ଦିଗନ୍ତର ପଣତ ତଳେ ଅସଂଖ୍ୟ ତାରର ଫୁଲପକା ଧଡ଼ି ପାହାଡ଼ର କଳସୀରେ ସଞ୍ଜ ଏକ ଆମ୍ବଡ଼ାଳ ଭଳି ଛିଡ଼ି ପଡ଼ୁଥିଲା ଗଙ୍ଗାର ତୁଠରେ । ତୁମେ ଫେରିଯାଅ ବାଳିକା ! ସନ୍ଧ୍ୟା ହେଲାଣି ।

 

ସେ ନିର୍ଭୀକ ଭାବରେ ଉତ୍ତର ଦେଇଥିଲା–ମନ ଯେତେବେଳେ ବିଶୃଙ୍ଖଳ, ତା’ ଭିତରେ ଶୃଙ୍ଖଳାକୁ ମୁଁ ମାନିନେବି କାହିଁକି ? ଅନୁତାପର ବହ୍ନିରେ ନିଜକୁ ଜାଳି ମୋର ମନକୁ ସର୍ବନାଶ କରିବାକୁ ଚାହେଁନା । ମୋ ରକ୍ତର କଣିକା ଭିତରେ ଛଦ୍ମବେଶୀ ମଣିଷର ବ୍ୟବହାର ଗଣ୍ଠି ହୋଇଗଲାଣି । ସେଇ ଷ୍ଟ୍ରେସ୍‌କୁ ଖୋଲିବାକୁ ହେବ । କୋର୍ସ ଡିରେକ୍ଟର ଶର୍ମା ଏକ ଭିନ୍ନ ମଣିଷ । ତାଙ୍କ ଦୃଷ୍ଟିକୁ ମୁଁ ଆଣିଥିଲି । କିନ୍ତୁ ଉତ୍ତର କ’ଣ ଦେଲ ଜାଣ ? ଆଶ୍ରମରେ ପୂର୍ବପରି ଝିଅ ପିଲାଙ୍କର ଟ୍ରେନିଂ ନେବା ଅଧିକାର ନାହିଁ । ତମେ ଯେହେତୁ ନେପାଳର ଏକ ସଂଭ୍ରାନ୍ତ ପରିବାରର ଏବଂ ସ୍ୱାମିଜୀଙ୍କର ସୁପାରିଶ କ୍ରମେ ଧରାଧରି କରି ଆସିଛ, ସେଥିପାଇଁ ଆମେ କେହି କିଛି କହି ପାରୁନୁ-। ନୀରବରେ ଯଦି ଧ୍ୟାନ ଶିଖିବାର ଥାଏ, ତେବେ ତ ଭଲ କଥା । ନଚେତ୍‌ ଅନ୍ୟମାନଙ୍କର ଧ୍ୟାନ ଭାଙ୍ଗିବାରେ ତୁମକୁ ହିଁ ସମସ୍ତେ ଦାୟୀ କରିବେ ।

 

ମୁଁ ତା’କୁ ବୁଝାଇଲି ପ୍ରତିଟି ବିଶୃଙ୍ଖଳା ଭିତରେ ଶୃଙ୍ଖଳା ଯେ ଲୁଚି ରହିଛି, ଏ ସମସ୍ତ ବିଶୃଙ୍ଖଳା ଭିତରେ ତମେ ହିଁ ଅନନ୍ୟା ଶୃଙ୍ଖଳା । ଅନନ୍ତ ଆକାଶରେ ସୀମାହୀନ ବାଦଲର ସମାରୋହ ଭିତରେ ତମେ ଉଇଁଲା ଜହ୍ନର ଆତ୍ମା । ପ୍ରତିଟି କ୍ଷତି ଜିତରେ ଲୁଚି ରହିଥିବା ଲାଭଟିଏ ତମେ । ପ୍ରତିଟି କ୍ଷତର ଯନ୍ତ୍ରଣା ଭିତରେ ତମେ ଗୋପନ ଅକ୍ଷତ ଉପଶମ । ପ୍ରତିଟି ଅବସରପ୍ରାପ୍ତ ନଂପୁସକ ମଣିଷ ଭିତରେ ତମେ ତ ଲୁଚକାଳି ଖେଳୁଥିବା ଯୌବନ । ଦଗ୍‌ଧ ବୈଶାଖ ଭିତରେ ଲୁଚି ରହିଥିବା ମଳୟର ତାତି ତମେ । ନମ୍ର ଆକାଶ ଭିତରେ ଲୁଚି ରହିଥିବା ବତାସର ବିଭୀଷିକା ତମେ । ସମଗ୍ର ହିମାଳୟ ଭିତରେ ଲୁଚି ରହିଥିବା କୂଳ ପ୍ଳାବିନୀ ଗଙ୍ଗାର ଗୋପନ ସ୍ରୋତ ତୁମେ । ବିଷାଦ ଭିତରେ ଆନନ୍ଦ ଭଳି ତମେ ଧ୍ୟାନସ୍ଥ ହୁଅ ।

 

ଦିନେ ଆମେ ଯୋଗ ସମ୍ପର୍କରେ ଗପୁ ଗପୁ ହଜିଗଲୁ ସୁଦୂର ‘ମଣିକୁଟ’ ର ଅରଣ୍ୟରେ-। ଆକାଶରୁ ଓହ୍ଲେଇ ଆସିଥିଲା ତାରା । ଦୂର ବନ ବିଥି ତଳେ ହଜିଯାଇଥିଲା ଖରା । ପତ୍ରର ନାଡ଼ରେ ନେସି ହୋଇଯାଇଥିଲା ଅନ୍ଧାରର ଯୌବନ । ଜଙ୍ଗଲର ଶିରା ପୋଡ଼ି, ଭୂଇଁକୁ ନିଗିଡ଼ି ପଡ଼ୁଥିଲା ରାତ୍ରିର ରସ । ସେତେବେଳେ ଆଶ୍ରମର ଗୁମ୍ଫା ଉପରେ ଜଳିଉଠିଥିଲା ରାତ୍ରିର ଆଲୋକ-

 

ଶିଖା ମୋତେ ପଚାରିଲା–ତମେ ‘ସିଦ୍ଧାର୍ଥ’ ଦେଖିଛ ? ମୋ ମନକୁ ହଠାତ୍‌ ଛୁଇଁଗଲା ମଦିରାମୟୀ କିନ୍ନରୀ ରୂପସୀ କମଳା, ସତ୍ୟର ନିର୍ମମ ଉପାସକ ସାଧକ ବ୍ରାହ୍ମଣ ଯୁବକ ସିଦ୍ଧାର୍ଥକୁ ଶାନ୍ତି ପାଇବାର ଉପାୟ ବତାଉ ବତାଉ ନିର୍ବାଣକାଙ୍‍କ୍ଷୀ ଲୋକ ସ୍ତ୍ରୀ ସମ୍ଭୋଗ କରିବାର ତାତ୍ତ୍ୱିକ ଦୀକ୍ଷା ଦେଲାଭଳି ମୋର ଅନୁଭବର ତୃଷ୍ଣା ଚିରି ତା’କୁ କିଭଳି ଭାବରେ ବୁଝାଇବି କୁଣ୍ଡଳିନୀଟା କ’ଣ । ତମକୁ ମୁଁ ବିଶ୍ୱାସ କରେ ବୋଲି ପଚାରିଲି । ଶିଖା ଅତି ନମ୍ରତାର ସହ ପଚାରିଲା ।

 

କ୍ଲାସରେ ଯାହା ପଢ଼ା ହେଉଛି ତା’ର ଭାବାର୍ଥ ହଠାତ୍‌ ବୁଝିବା ଭାରି କଷ୍ଟ । ମୋର ମନ ଭିତରେ ଶବ୍ଦମାନେ ଭାଙ୍ଗିଯାଇ ଅସଂଖ୍ୟ ଚିନ୍ତାର ସାଗରରେ ପରିଣତ ହୋଇଗଲେ । ଶିଖାର ଆଳାପ ମୋ ସ୍ନାୟୁର ଟନେଲ୍‌ ଭିତରେ ଅନ୍ଧକାରର ଉଲଗ୍ନ ସତ୍ତା ମୋ କଲିଜାର ପୁସ୍ତକରେ ଲେଖିଗଲା ହୃଦୟର ହାହାକାର ବିଗତ ବିରହର ଚିତା, ଯା’ର ପ୍ରତିଧ୍ୱନି ରକ୍ତର ଅଳିନ୍ଦରେ ଗିନି ହୋଇ ବାଜିଥିଲା ଦୂର କିଆରୀରେ ସବୁଜ ଶିଖାର ପେନ୍ଥାଭଳି ଲୋହିତ ନିଃଶ୍ୱାସରେ ।

 

ଶବ୍ଦମାନେ ଏକୀଭୂତ । ବେଦନାର ବ୍ୟାକରଣ ଭଳି ମୋର ଉଦାସ ଅନୁଭବର କିଆରୀରେ ସତର୍କ ସଞ୍ଜର ମାନବୀୟ ଭାଷା ଭଳି ଅବ୍ୟକ୍ତ । ରକ୍ତମାଂସର ମଣିଷ ଗଢ଼େ ଅମୃତ ଚେତନାରେ ବିମଳ ଚିନ୍ତାର ମୂର୍ତ୍ତି । ବେଳେବେଳେ ଚୁମ୍ବନ ଲହୁଣୀ ପରି ବୋଳି ହୋଇଯାଇଥିଲା କୋମଳ ଓଠର ଆଟିକାରେ । ତଳେ ଅଙ୍ଗାର ଭଳି ସ୍ମୃତିର ଦହନ ପୋତି ଉଲଗ୍ନ ରହସ୍ୟର ପାଉଁଶକୁ ଉଦ୍‌ଭାବନ କରିବାର ଧୈର୍ଯ୍ୟ ମୋର ନଥିଲା ।

 

ମୁଁ ନୀରବରେ ମୋର ଆତ୍ମାକୁ ପଚାରିଲି ଖୋଲି ଦିଅ ପ୍ରଭୁ ! ମୋ ମନର ଅତଳ ଚେତନାର ନିଃଶବ୍ଦ କୋଠରୀ । ଯା’ ଭିତରେ ସଢ଼ୁଅଛି କାମନାର ଶବ । ଉପାଡ଼ି ଦିଅ ମାଂସର ପୋଖରୀରୁ ରକ୍ତର ପଙ୍କ ତଳେ ପୋତି ହୋଇଥିବା ଭକ୍ତିର ନାଡ଼ । ସ୍ନାୟୁର ଦଳରେ ଛନ୍ଦି ହୋଇ ହଂସର ଡେଣା ମୋତେ ପଚାରିଥିଲା ଜଳର ଅଗଣାର ଇତିହାସ । ଶିଉଳି ଭିତରେ ପୋତା ପ୍ରାର୍ଥନାର ଶବ୍ଦ ସବୁ ବରଫରେ ଫୁଲ ଭଳି ଫୁଟୁଥିଲେ ମୋ ରକ୍ତକୋଷର ଆକାଶରେ ତାରା । ମୋ ଆନନ୍ଦ କାଠର ଦେହରେ ଶିଖା ଥିଲା ଚନ୍ଦନର ବଳକା ଉତାରି ଉର୍ଦ୍ଧେ, ଉଡ଼ୁଥିବା ଗନ୍ଧର ଧୂଆଁ-। ସଞ୍ଜ ଏଠି ଅଲିଭା ଅଭିମାନର ମନ୍ଦାର ଭଳି ଝୁଲୁଥିଲା ‘ମଣିକୁଟ’ ର ଡାଳରେ । ମୁଁ ଦାଆ ଭଳି ସବୁଜ ଅରଣ୍ୟରେ ଘାସ କାଟି କାଟି କମାର ଶାଳରେ ପହଞ୍ଚି ଯିବିନି ତ ?

 

ତା’ପରେ ସେ ମୋତେ ପଚାରିଥିଲା–ବ୍ରହ୍ମର ଦ୍ରଟା କେଉଁଠି ? ମୂଳାଧାର ଚକ୍ରର ଅବସ୍ଥାନ ମୋତେ ଟିକେ ସଂକ୍ଷେପର ବୁଝାଇ ଦେବନି ? ମୁଁ ତା’ର ମନକୁ ଶିଶୁର କଅଁଳ ମଥା ଉପରକୁ ନେଇ ଯାଇଥିଲି । ତୁ’ ଯେତେବେଳେ ଶିଶୁ ଥିଲୁ ତୋ’ ମଥା ଉପରେ ଦପ୍‌ ଦପ୍‌ କରି ଉଠୁଥିବା ପତଳା ଚମଡ଼ାର ସହସ୍ର ଦଳକୁ ତ ଦେଖିନାହୁଁ । ସେ ମୋର ଅଙ୍ଗୁଳି ନେଇ ତା’ର ମଥାରେ ରଖି କହିଲା–କାହିଁ କିଛି ମୁଁ ଜାଣି ପାରୁନି । ଯଉବନ ଉତୁରିଗଲେ ଅଭିମାନ ଝିଅ ଭଳି ବସିଯାଏ ଜୀବନର ବହୁ ତଳେ । ବୟସ ବଢ଼ିଗଲେ ଆୟୁଷ ଭଙ୍ଗା ଆଟିକା ତଳେ ଖପରା ଭଳି ଭାଙ୍ଗିଯାଏ । ତୋର ବୟସ ବଢ଼ିଗଲା ପରେ ଚମଡ଼ା ମୋଟା ହୋଇଯାଇଥିବାରୁ ତୁ’ ମଥାରେ ଅବ୍ୟକ୍ତ ବ୍ରହ୍ମର ସ୍ପନ୍ଦକୁ ବାରି ପାରୁନୁ । ଜୀବନ ଗଲାବେଳେ ଏଇ ବ୍ରହ୍ମରନ୍ଧ୍ରବାଟେ ଯାଏ ପରା । ତେବେ ଆକାଶର ବ୍ରହ୍ମରନ୍ଧ୍ରଟା କ’ଣ ବ୍ଲାକ ହୋଲ ? ମୁଁ କହିଲି ଆବସଡ୍‍ । ତା’ର ଓଠର କଳାଜାଇ ଛୁଇଁ ମଜାରେ ହିଁ କହିଥିଲି–ଏଇଟା ହିଁ ବ୍ରହ୍ମରନ୍ଧ୍ର । ସେ ଇଷତ୍‍ ହସି କହିଥିଲା ମୂଳାଧାରଚକ୍ରଟା କେଉଁଠି ? ସ୍ପାଇନାଲ କଡ଼ର ତଳେ । ଯେଉଁଠି ଅପାନ ପବନ ଚାରୋଟି ପାଖୁଡ଼ା ଭିତରେ ଖେଳେ-। ସେଇ କ୍ଷିତି ତତ୍ତ୍ୱ ଭୂଲୋକ ଉପରେ ତୋର ମୂଳଧାର ।

 

କାମନା ଦହନ ପୃଥିବୀ ଉପରେ ତୁ ଏକ ପୀତବର୍ଣ୍ଣ ପରାବୀଜ । ମୁଁ ଜାଣେ ତୋର ଅବ୍ୟକ୍ତ ମନଟା କେଉଁଠି । ଯେଉଁମାନେ କହୁଛନ୍ତି ଧ୍ୟାନ କଲାପରେ ମନର କାମନା ଶୀତଳ ହୋଇପଡ଼ୁଛି ଅଥଚ ଆଖିରେ ଅନନ୍ତ କ୍ଷୁଧା ପାଶବିକତାର । ମଲା ମୃଗୁଣୀର ନାଭିରେ କସ୍ତୁରୀ ଭଳି ପୋତି ହୋଇଯାଇଛି ବୟସ ନିହତ ପୌରୁଷରେ । ତେବେ କ’ଣ ତୁମେ ବ୍ରହ୍ମବାଦୀ ?

 

ମୁଁ କାହିଁ ଦେଖୁଛି ଧ୍ୟାନ କଲାପରେ ମୋର କାମନାର ଶକ୍ତି ବଢ଼ିଯାଇଛି । ମୋର ତ୍ରୁଟିଟା କେଉଁଠି ତୁମକୁ ହିଁ ଜଣା ।

 

ଫୁଲ ଯେତେବେଳେ ସକାଳର ଅନ୍ଧକାର ତଳେ ବିଶ୍ରାମ ନିଏ, ଉଷାର ଆଲୋକରେ ଫୁଟେ, ତା’ ଭିତରେ କେଶରର ବାସ୍ନା ବେଶି । କିରଣର ପୁଟରେ ଫୁଟିବାର ଉଜ୍ୱଳତା ନେଇ ସେ ଲୋଟିପଡ଼େ କାକର ଭଳି ଘାସକୁ । ଶିଖାର ଆଖିପତାରେ ରାତ୍ରିର କଜଳରେ ଲୁହଭଳି ଢଳ ଢଳ ମୋ ଜୀବନର ଆଲୋକ । ମୁଁ ତା’କୁ କହିଲି ଶୋଷ ହେଉଛି ବୋଲି ଗରଳକୁ ପିଇଯାଅନା ଶିଖା । କେତେବେଳେ ଆମେ ଆସି ଆମ ଗୁମ୍ଫାରେ ପହଞ୍ଚି ସାରିଥିଲୁ, ଆମେ ଜାଣୁନା ।

 

ମୋର ହୃଦୟ ଚକ୍ରରେ ନୀଳବର୍ଣ୍ଣର ଅନାହତ ନାଡ଼ିରେ ବନ୍ଧା ଶିଖାର ପ୍ରାଣ । ତା’ ଭ୍ରୁଲତାର ଅନାଦି କାଉଁରୀ ମଣ୍ଡଳରେ ତପଲୋକର ତପସ୍ୟା ଭଳି ମୁଁ ଆଜି ହୋଇଗଲି ଅମନତତ୍ତ୍ୱର ଜହ୍ନଟିଏ ।

 

ମୋତେ ଭାରି ଡର ଲାଗୁଛି । ମୋତେ ଟିକେ ମୋର ଗୁମ୍ଫାରେ ଛାଡ଼ିଦେଇ ଆସନା । ମୋର ଗୁମ୍ଫାଠାରୁ ଶିଖାର କୋଠରୀର ଦୂରତ୍ୱ ଓଠଠାରୁ ବେକର ଦୂରତ୍ୱ ଭଳି ପାଖାପାଖି । ତମେ ତ ଯୋଗିନୀ । ଡର କାହାକୁ ? କଜଳର ଡର ଆଖିକୁ । ରାତ୍ରିର ଡର ଜଙ୍ଗଲକୁ । ଜହ୍ନକୁ ତରାର ଡର ଭଳି ମୁଁ ତା’ର ସାଥୀରେ ନିଃସଂକୋଚରେ ପାଦ ବଢ଼ାଇଲି । ସର୍ଦ୍ଦାର କୁଳଦୀପ ଶିଖା ଗୁମ୍ଫାର ଦରଜାରେ କରାଘାତ କରି ଫେରିଆସିଛି । ଭିତର ଶିଙ୍କୁଳି ଦେଇ ଶିଖା ଯାଇଛି କେଉଁଆଡ଼େ-? ଘାସବୁଦା ତଳେ କଟାସ ଜଗିଲା ଭଳି ସେ ଜଗିରହିଛି ଖାଦ୍ୟକୁ । ମୁଁ ଫେରିଆସିଛି ମୋର ଗୁମ୍ଫାକୁ-

 

ପରଦିନ ଜେରା ଚାଲିଛି ଶିଖାକୁ । କୁଳଦୀପର ଧମକରେ ଶିଖା ଦବିଯାଇ ନାହିଁ । କାଲି ରାତ୍ରିରେ କେଉଁଠି ଥିଲୁ ? କିଏ ତତେ ଛାଡ଼ି ଆସିଥିଲା ? ଏଇଭଳି ଅନେକ ପ୍ରଶ୍ନର ଏକ ନିଷ୍ଠୁର ଉତ୍ତର ଥିଲା–ଅଜ୍ଞତା ସାଧନାର କ୍ଷତି କରେ । ବେକରେ ରୁଦ୍ରାକ୍ଷର ମାଳା ପକାଇ ବାଳକୁ ଜଟାକଲେ କେହି ବାବାଜୀ ହୋଇଯାଏନା । ମନ ଓ ଆତ୍ମାର ମିଳନରେ ଯେଉଁ ଯୋଗ ତାହା ମୋର ସରିଛି । ତୁମର ତାମସିକ ପ୍ରବୃତ୍ତିକୁ ସନ୍ତୁଷ୍ଟ କରି ପାରିଲିନି ବୋଲି ଏଠାରେ ମୋର ରହିବାର ଅଧିକାର ନାହିଁ ।

 

ହେଲିକେପ୍‌ଟର ଯୋଗେ ଶିଖାକୁ ନିଆଗଲା ମସୁରୀ । ପୁରୁଷ ଧ୍ୟାନ ବିଦ୍ୟାପୀଠରୁ ମହିଳା ଧ୍ୟାନ ବିଦ୍ୟାପୀଠକୁ । ସେ ଯିବା ପୂର୍ବରୁ ଅଳେଇଚ ବଣରେ ଲବଙ୍ଗର ବାସ୍ନା ନେଇ ମୋତେ କହିଥିଲା–ଜୀବ ସହିତ ପରମ ଆତ୍ମାର ଭେଟ ହେବାକୁ କେଉଁ ହଟ୍ଟଯୋଗୀ ଏକ ମାସ ଦୁଇଖଣ୍ଡ ସମୟ ଲାଗେ ବୋଲି କହିଥିଲେ ଟି ? ଆତ୍ମା ସହିତ ମନର ମିଳନ ମାତ୍ର କୋଡ଼ିଏ ମିନିଟ୍‌ରେ ହିଁ ଅତି ସରଳ ରାଜଯୋଗରେ ହିଁ ସମ୍ଭବ ହୋଇପାରେ, କିନ୍ତୁ ସେଥିରେ କାମନାର ବିନାଶ ହୁଏ ନାହିଁ ।

 

ଶିଖା ହଜିଗଲା ଅନନ୍ତ ଆକାଶରେ ପକ୍ଷୀଭଳି; ଅଣଲେଉଟା ଚାହାଣୀ ଆଖିର ଦୀର୍ଘପଥରେ ଅସରନ୍ତି ଉଜାଣି ଜଳର ଅସ୍ତଭଳି । ମୋର ଟ୍ରେନିଂ ଯେଉଁଦିନ ସରିଲା, ସେଇଦିନ ଭାରି ଇଚ୍ଛା ଥିଲା ମସୁରୀ ଯାଇ ଶିଖାକୁ ଖୋଜନ୍ତି । କିନ୍ତୁ ହଠାତ୍‌ ଶୁଣିଲି ମସୁରୀର ଥାନାରେ ଏକ ରେପ୍‌ କେସ୍‍ ଫାଇଲ ହୋଇଛି । ଏକ ଗରୱାଲି ବାଳିକାକୁ ରେପ୍‌କରି କୁଳଦୀପ ଫେରାର । କାମନାର ବିନାଶରେ ଯୌନର ବିକାଶ । ଏହା ଏଯାଏଁ ଅବୋଧ୍ୟ ହୋଇ ରହିଛି, ଯେଉଁଦିନ ଶୁଣିଲି ସେ ବାଳିକା ଗରୱାଲି ନୁହେଁ, ନେପାଳୀ ଝିଅ ଶିଖା । ଯା’ ସହିତ ଜୀବନରେ ଆଉ ସାକ୍ଷାତ ହେବାର ସମ୍ଭାବନା ନାହିଁ । ହଠାତ୍‌ ଦୁଇବର୍ଷ ପରେ ତା’କୁ ମୁଁ ଭେଟିଛି, ଥରୁଟିଏ ପାଇଁ ଋଷିକେଶର ସ୍ୱର୍ଗଦ୍ୱାରରେ । ତା’ର ସମସ୍ତ କହରା ବାଳ ଜଟା ହୋଇଯାଇଛି । ଲୋଟାରେ ପାଣି ଧରି ସେ ଫେରୁଛି ‘ମଣିକୁଟ’ କୁ ନୁହେଁ; ଗଙ୍ଗା କୂଳରେ ଥିବା ଏକ ନିର୍ଜ୍ଜନ ମଠକୁ । ସେ କେବଳ ସଂକ୍ଷେପରେ ତା’ର ଛଳଛଳ ଆଖିରେ କହିଛି–‘‘ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା ।’’

Image

 

ଝୁଲନ୍ତା ତରବାରୀ

 

ଲୋ ନାରୀ, ତୁ ଏକ ଝୁଲନ୍ତା ତରବାରୀ । କୌଣସି ପରିଚିତା ବା ଅପରିଚିତା ହେଉ ପାଟିରୁ ବାହାରିପଡ଼େ ମୋ କବିତାର ଏଇ ଧାଡ଼ିଟି । ମୁଁ ଲକ୍ଷ୍ୟକରେ, ଯାହା ଉଦ୍ଦେଶ୍ୟରେ କହେ, ସେ ଯେପରି ରାଗରେ କିମ୍ବା ଅଭିମାନରେ ହେଉ ଉତୁରି ପଡ଼େ ।

 

ମୁଁ ପୁଣି ପାରୋଡ଼ି କରେ । ତୋର ରୂପ ଏକ ଦହଡ଼ ସ୍ୱାଦହୀନ ତରକାରୀ । ଦାନ୍ତ ତୋର ଶାଣିତ କଟାରୀ । ଖାଏ କୋରି କୋରି । ମଣିଷର ହାଡ଼ ଆଉ ନାଡ଼ି । ଏମିତି ଏକ ବେରସିକ ପାରୋଡ଼ି ଦିନେ ବିଜୟଲକ୍ଷ୍ମୀର ଆଖିରେ ଲୁହ ଭର୍ତ୍ତି କରିଥିଲା । ବିଜୟଲକ୍ଷ୍ମୀ ମୋର ପତ୍ନୀ । ବ୍ୟକ୍ତିଗତ ଭାବେ ତା’କୁ ଗାଳିଦେଲେ ସେ ସହିଯାଏ । କିନ୍ତୁ ନାରୀ ଶବ୍ଦଟି ଉପରେ ସାମାନ୍ୟତମ ଆକ୍ଷେପ ସେ ସହ୍ୟ କରି ପାରେନା ।

 

ମୁଁ ପୁଣି ପରିବେଶଟାକୁ ହାଲୁକା କରି ଦେବାକୁ ଯାଇ କହିଲି; ନାରୀର ଦେହ ଗୋଟାଏ ସୌରଜଗତ । କେବଳ ଆଖିର ଡୋଳା ତ ଗୋଟାଏ ଘୁମନ୍ତ ପୃଥିବୀ । ତା’ ଭିତରେ ସୀମାହୀନ କାମନାର ଅସରନ୍ତି ପଥ । ଅସୂୟାର ପାହାଡ଼ ପର୍ବତ । ରମଣୀୟ ନୀଳହ୍ରଦର ପ୍ରଦେଶ । କୂଳହୀନା ନଦୀ ସ୍ରୋତ ଉପରେ ଛନ୍ଦା ଛନ୍ଦି ଅଭିଳାଷର ନୀଳଶିରାଗୁଡ଼ାକ ଯଦି ଲୁହାର ଧାରଣା ହୁଏ, ତା’ ଉପରେ ଗୁଡ଼ାଏ ଲୁହ ବୋଝେଇ ଚଳନ୍ତା ଡବା ଏଇ ମଣିଷ । ନାରୀର ଦପ୍‌ ଦପ୍‌ ଡୋଳା ଟିକେ ବୁଜି ହୋଇଗଲେ ଅଣଆୟତ ହୋଇପଡ଼େ । ଲେଉଟିଯାଏ ।

 

ମୁଁ ଏକ ବ୍ୟତିକ୍ରମ । ଜଳନ୍ତା ସୂର୍ଯ୍ୟ ଭଳି । ମୋ ଚାରିପାଖେ ପୃଥିବୀ ଘୂରେ । ଅନିର୍ଦ୍ଦିଷ୍ଟ ଯାତ୍ରୀ ମୁଁ ନୁହେଁ । ମୁଁ ଏକ ନିର୍ଦ୍ଦିଷ୍ଟ ରକ୍ତପଥିର ପଥିକ । ଭାଗ୍ୟ, ଭଗବାନ, ଶୁଭତିଥି, ସ୍ୱପ୍ନଫଳର କାଦୁଆ ରାସ୍ତା ମୋର ପାଦକୁ ଭିଡ଼ିଧରି ପାରେନା, ବାନ୍ଧି ରଖି ପାରେନା ।

 

ମୁଁ ବାହାରିଲି । ମୋତେ ଯିବାକୁ ହେବ । ନାରୀର ଲୁହ କ’ଣ ଅମଙ୍ଗଳର ସୂଚନା ! ଠିକ୍ କଳାବିରାଡ଼ି ରାସ୍ତା ପାରହେଲା ଭଳି । ମିଥ୍ୟା । ମୁଁ ବିଶ୍ୱାସ କରେନା ।

 

ବସ୍‌ରେ ଭୀଷଣ ଲୋକଭିଡ଼ । ରାସ୍ତାରେ ଟ୍ୟାକ୍‌ସି ଓ ଟ୍ରକର ଭିଡ଼ । ପୁଞ୍ଜିବାଦୀମାନଙ୍କୁ ସହଜେ ଗଣି ହୋଇଯାଏ ।

 

ମୁଁ ଟ୍ୟାକ୍‌ସିର ଆଗରେ ବସିଲି । ଝିପି ଝିପି ବର୍ଷା । ଫିଆଟ କାଚରେ ମୋ ପତ୍ନୀର ଲୁହଭଳି ବୁନ୍ଦା ବୁନ୍ଦା । ମୋ ପିଠିରେ କିଏ ହାତ ମାରିଲା । ବୁଲି ଦେଖିଲି ଯୁଗଳ ଦମ୍ପତି ‘‘ଦୟାକରି ଆପଣଙ୍କର ଯଦି କିଛି ଆପତ୍ତି ନଥାଏ, ଟିକେ ପଛକୁ ଆସିବେ କି ?’’

 

ମୋର କିଛି ଆପତ୍ତି ନଥିଲା । ପତ୍ନୀର ନିର୍ଦ୍ଦେଶରେ ନିରୀହ ଆଜ୍ଞାଧୀନ ସ୍ୱାମୀଟି ମୋରି ସ୍ଥାନରେ ବସିଲା । ପାଖରେ ତା’ର ପତ୍ନୀ । ନବବିବାହିତା ତରୁଣୀ ।

 

ମୁଁ ବସିଲି ପଛସିଟ୍‌ରେ । ଟ୍ୟାକ୍‌ସି ଚାଲିଲା । ମାଟିକୁ ଜୋର୍‌ରେ କୁଦିଲା ପ୍ରବଳ ବର୍ଷାର ପାଦ । ଆଲୋକ ଚପ୍‌ ଚପ୍‌ ରାସ୍ତା ।

 

ସାମନାରୁ ଆସୁଛି ଏକ ଭାରବାହୀ ଟ୍ରକ । ଦ୍ରୁତଗତିରେ ମାଡ଼ିଆସୁଛି । ଟ୍ରକର ଆଲୋକ ଫିଆଟ୍‌ କାଚରେ ପ୍ରତିଫଳିତା ‘ଓ୍ୟାଇପର’ କାଚର ପୋଛି ପାରୁନି ବର୍ଷା । ଗୋଟାଏ ପ୍ରତିବିମ୍ବିତ ଆଲୋକର ହ୍ରଦରେ ମହୁରାଳୀମାଛ ଭଳି ପହଁରି ଚାଲିଛି ଗାଡ଼ିଟା ।

ମୋତେ ଲାଗିଲା ଯେପରି ବର୍ଷା ଛାଡ଼ିଗଲା । ପାଣି ବଦଳାରେ ଗୁଡ଼ାଏ ଭଙ୍ଗାକାଚ ଓ ରକ୍ତ ମୋ ଉପରେ କିଏ ଅଜାଡ଼ି ଦେଲା ।

କେହି ଆଉ ତଳକୁ ଖସିବାକୁ ପ୍ରସ୍ତୁତ ନୁହନ୍ତି । ଟ୍ରକ ପିଚୁରୁ ତଳକୁ ଖସିବାକୁ ନାରାଜ । କିତୁ ଫିଆଟ କାଟି ନେଲା ଟ୍ରକକୁ । ସଡନ୍‌ ବ୍ରେକ୍‌ ଦେଇ ବି ବୁନ୍ଦାଏ ଲୋତକ ପତନ ମୁହୂର୍ତ୍ତ ଭିତରେ ସବୁ ଓଲଟ ପାଲଟ ହୋଇଗଲା । ରାସ୍ତା ପାର୍ଶ୍ୱସ୍ଥ ଟେଲିଫୋନ ଖୁଣ୍ଟରେ ପିଆଟ୍‌ର ଗୋଟାଏ ଅଂଶ ପିଟି ହୋଇଗଲା । ମରଣର କରାଘାତକୁ ସମ୍ଭାଳି ନେଇଥିବା ଆମେ କେତୋଟି ପ୍ରେତ ପୁରୁଷ ହାମୁଡ଼ି ପଡ଼ିଲୁ ଗୋଟାଏ ରକ୍ତାକ୍ତ ଆତ୍ମ ଉପରକୁ । ଖୁଣ୍ଟରେ ମୁଣ୍ଡଟା ପିଟିହେଇ ଛତୁ ହୋଇଯାଇଛି ଯେପରି ।

ଜଣେ ଡ୍ରାଇଭର ଏବଂ ଛଅ ଜଣ ଯାତ୍ରୀଙ୍କ ଭିତରୁ କିଏ ଆହତ ବା ନିହତ ବାରିବା ସହଜ ନଥିଲା ।

ଅନ୍ଧକାର । ବିଜୁଳି ବର୍ଷା । କେହି କାହା କଥା ଶୁଣିବାକୁ ନାରାଜ ।

ରକ୍ତାକ୍ତ ମଣିଷର ପତ୍ନୀ ବୋଧହୁଏ ପ୍ରଳାପ କରିଉଠିଲା, ତାଙ୍କୁ ଟିକେ ଟେକି ଧରନ୍ତୁ, ସେ ବଞ୍ଚିଛନ୍ତି ।

ଯାହାକୁ ହାତ ଟେକିଲୁ–ବର୍ଷାହେତୁ ଗାଡ଼ିରୁ ଓହ୍ଲାଇ ଆମର ଏ ଅବସ୍ଥା ଦେଖିବାକୁ କେହି ସେପରି ପ୍ରସ୍ତୁତ ନୁହନ୍ତି । ଆସନ୍ତୁ ନା-ହାତକୁ ହାତ ଛନ୍ଦିଦେଇ ଏଇ ରାସ୍ତା ଉପରେ ଠିଆହୋଇ ପଡ଼ିବା । ଦେଖିବା ଆମକୁ ଏପରି ଅସହାୟ ଅବସ୍ଥାରେ ଛାଡ଼ିଦେଇ କିପରି ଚାଲିଯିବେ ସମସ୍ତେ ।

ଜଣେ କିଏ ତା’ର ଆଣ୍ଠୁରେ ହାତମାରି ଦେଇ କହିଲା ! ଓଃ, କି ବେଦନା । ମୁଁ ଘଡ଼ିଏ ଠିଆହୋଇ ପାରିବିନି ଆଜ୍ଞା ! ମୋ ଗୋଡ଼ଟା ଛିଡ଼ି ପଡ଼ିଲାଭଳି ଲାଗୁଛି । ଆଉ ଜଣେ କହିଲା, ମୋ ଆଙ୍ଗୁଳିଗୁଡ଼ାକୁ ଛାଡ଼ିଦେଇ ପାପୁଲିଟା କୁଆଡ଼େ ପଳେଇଛି ।

କି ଅସମ୍ଭବ କଥା । ଆପଣମାନଙ୍କର କାହାର କିଛି ହେଇନି । ଦେଖୁ ନାହାନ୍ତି ଗାଡ଼ିର ବି ସେମିତି କିଛି ବଡ଼ ଧରଣର କ୍ଷତି ବି ହେଇନି । କେବଳ କେମିତି କେଜାଣି ସେ ବାବୁଙ୍କର ମୁଣ୍ଡଟା ଶକ୍ତ ଆଘାତ ପାଇଲା ବୁଝିହେଉନି । ଆପଣମାନେ କେବଳ ଗାଡ଼ିରୁ ଡେଇଁ ପଡ଼ିବାରୁ ଏମିତି ଟିକେ ଯାହା ଆଚୁଡ଼ି ହେଇଯାଇଛି ।

ନାଇଁ ଆଜ୍ଞା, ମୋ କଲିଜା ଭିତରଟା ପାଣି ହୋଇଗଲା । ଇସ୍‌ କି ସୁନ୍ଦର ପଞ୍ଜାବୀ–ସାର୍ଟଟା ନଷ୍ଟ ହୋଇଗଲା । ଦେଖୁନାହାନ୍ତି ।

ଆପଣମାନେ ଏ ବିପଦବେଳେ ଟିକେ ଧୈର୍ଯ୍ୟ ଧରନ୍ତୁ !

ଯାହାହେଉ ଟାକ୍‌ସିଟିଏ ଅଟକିଗଲା । ବର୍ଷା ହେତୁ ଗାଡ଼ି ଭିତରୁ ଓହ୍ଲାଇବାକୁ ଯେପରି କେହି ପ୍ରସ୍ତୁତ ନୁହନ୍ତି । କ’ଣ ହେଇଛି ? ଦୟାକରି ଏ ବାବୁଙ୍କୁ ଟିକେ ମେଡ଼ିକାଲକୁ ନେଇ ଚାଲନ୍ତୁନା ! ୟାଙ୍କର ଅବସ୍ଥା ସାଂଘାତିକ ।

କେମିତି ନେବି ସାର୍‍ ! ଦେଖୁଛନ୍ତି ତ ଟ୍ୟାକ୍‌ସି ? ପଛ ସିଟ୍‌ରୁ ଦୁଇଜଣ କିଏ ଓହ୍ଲାଇ ପଡ଼ିଲେ ହେଇଯାନ୍ତା । ଆଜି ଏଇ ରାତିଟା ପାଇଁ ହଇରାଣ ହେବେ ସିନା; ମାତ୍ର ଲୋକଟା ବଞ୍ଚିଯିବ ଯେ !

ନା, ଆମର ଅର୍ଜେଣ୍ଟ୍‌ କାମ ଅଛି । ପଛଗାଡ଼ିକି ଟିକେ ଦେଖନ୍ତୁ !

ପୁଣି ଅସହ୍ୟ ନୀରବତାହୀନ ଯନ୍ତ୍ରଣା । ପତ୍ରଥରା ହାହାକାର ନିର୍ଜ୍ଜନତାର କରୁଣ ଧ୍ୱନି । ରାତ୍ରିର ଦେହ ମୋଡ଼ି ହେଉଛି । କର ଲେଉଟାଉଛି ବିକଳ ପ୍ରହର । ଖାଲି ନିଃସ୍ୱ ମୁହୂର୍ତ୍ତର ଚିତ୍କାର ।

ଦୈବାତ୍‌ ଗାଡ଼ିଟିଏ ଅଟକିଗଲା । ଆଲୋକରେ ଦେଖିଲି ବର୍ଷଣମୁଖୀ ରାତ୍ରିର ନୀରବତା ଭିତରେ ଅସୀମ ବେଦନାମୟ ନୟନର ଘୂର୍ଣ୍ଣି ବିଶ୍ୱ । ଗୋଟାଏ ଜଳନ୍ତା ପୃଥିବୀର ଘୂର୍ଣ୍ଣନ-। ଡୋଳାରେ ରକ୍ତାକ୍ତ ସ୍ନାୟୁର ତେଜିୟାନ ମାନିଚିତ୍ର ଯେପରି ଏକ ଲୁହାର ଧାରଣା । ଉପରେ ଲୁହା ବୋଝେଇ ଟ୍ରେନ୍‌ । ଯାଉ ଯାଉ ଭୟାର୍ତ୍ତ ଶୂନ୍ୟତାର ସୁଡ଼ଙ୍ଗ ଭିତରେ ପଶି ଯାଇଛି ।

ପୋଲିସ ଭ୍ୟାନଟିଏ । ସାମନାରେ ବସିଥିବା ପୋଲିସ ଅଫିସର ସେମିତି ଓହ୍ଲାଇବାକୁ ପ୍ରସ୍ତୁତ ନୁହନ୍ତି । ବର୍ଷାଭିଜା ଶାଢ଼ୀର ନୀଳଗୁମ୍ଫା ଭିତରେ କଦର୍ଯ୍ୟ ଆଖି ମାଡ଼ିଯାଇଛି । ତାଙ୍କର ରକ୍ତାକ୍ତ ମଣିଷଟି ଉପରେ ଦୃଷ୍ଟି ପଡ଼ି ନାହିଁ ।

ଆପଣ ଅନେଇଛନ୍ତି କ’ଣ ! ଦେଖିପାରୁଛନ୍ତି ଆମର ଅବସ୍ଥା !

ପୋଲିସ ତୋଳି ଧରିଲେ ରକ୍ତାକ୍ତ ମଣିଷକୁ । କିଛି ସମୟ ପରେ ଘୋଷଣା କଲେ ସେ ବଞ୍ଚି ନାହାନ୍ତି । ଲାସ୍‌ ବୋହିନେବା ବେଆଇନି । ସ୍ପଟ୍‌ ଡେଥ୍‌ ।

‘‘ମୁଁ–ଡାଙ୍କୁଣି କ’ଣ ନ କଲି । ମୋତେ ମରଣ ନ ହେଲା ଯାହା, କାହିଁକି ଜିଦି କରୁଥିଲା ଲୋ !’’ ନା,ନା ତାଙ୍କୁ ନେଇଚାଲ ସେ ବଞ୍ଚିଯିବେ । ଆପଣମାନେ କ’ଣ ଦେଖି ପାରୁ ନାହାନ୍ତି ? ଆପଣମାନେ ସମସ୍ତେ ମିଶି ତାଙ୍କୁ ହତ୍ୟା କରୁଛନ୍ତି । ମହିଳାଙ୍କର ଅଭିଯୋଗରେ ଅକୃତ୍ରିମ କ୍ରୋଧ-

‘‘ଯାହାହେଉ ଆପଣ ବଞ୍ଚିଗଲେ ! ଭଦ୍ରମହିଳା ସିନା ଜୋର୍‌ କରି ତାଙ୍କର ସ୍ୱାମୀଙ୍କୁ ଆଗକୁ ନେଇଗଲେ । ନଚେତ୍‌ ଆପଣ ସେଠି ବସିଥିଲେ ଆପଣଙ୍କର ଅବସ୍ଥା କ’ଣ ନ ହୋଇଥାନ୍ତା ! ଆପଣ ଏବେ ଏଇ ମହିଳାଙ୍କୁ ଟିକେ ସମ୍ଭାଳନ୍ତୁନା ! ମାନେ ଆଶ୍ୱାସନା ଦିଅନ୍ତୁ । ମୋ ଉଦ୍ଦେଶ୍ୟରେ ଜଣେ ସହଯାତ୍ରୀ କହିଲେ ।’’

ଆଚ୍ଛା, ଠିକ୍‌ ଅଛି । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କର ଘରେ ଖବର ଦେବୁ । ମୁଁ ମହିଳାଙ୍କୁ ଲକ୍ଷ୍ୟ କରି କହିଲି ।’

ଭ୍ୟାନ୍‌ ଛାଡ଼ିବାକୁ ଆରମ୍ଭ କଲା । ମହିଳାଟି ଚିତ୍କାର କରି ଦଉଡ଼ି ଆସିଲା ଭ୍ୟାନ ପାଖକୁ-। ଆରେ ଆପଣମାନେ କେଡ଼େ ଅଭଦ୍ର–ନୃଶଂସ ! ମୋତେ ଏକୁଟିଆ ଛାଡ଼ିଦେଇ କୁଆଡ଼େ ଯାଉଛନ୍ତି ?

ଆପଣ ତ ଏଠାରେ ଏକୁଟିଆ ନାହାନ୍ତି । ପାଖରେ ଡ୍ରାଇଭର ଅଛି । ପୁଣି ଜଣେ କନେଷ୍ଟବଲ୍‌ଙ୍କୁ ଜଗୁଆ ରଖାଗଲା । ମୁଁ କହିଲି । ମାଇକିନାଟା ପାଗଳି ହୋଇଗଲା କି ? ତା’କୁ ଏକାକୀ ଛାଡ଼ିଦେଇ ଯିବାଟା ବୋକାମୀ ହେବ । ତେବେ କିଏ ତାଙ୍କୁ ଜଗି ରହିବ ? ସମସ୍ତ ଅଥର୍ବ ପୁରୁଷଗୁଡ଼ିକ ପରସ୍ପରର ମୁହଁକୁ ଚାହାଁଚାହିଁ ହେଲେ ।

ଜଣେ କହିଲା, ମୋର ମଥାଟା ଝାଇଁ ଝାଇଁ ହେଇଯାଉଛି । ଛାତିଟା ଚାଇଁ ଚାଇଁ ଲାଗୁଛି-

ଆଉ ଜଣେ କହିଲା, ମୋତେ ନଶମ ହୋଇଗଲାଣି ଆଜ୍ଞା । ଏ ବୋପା ଲୋ କି ପ୍ରବଳ ଥଣ୍ଡା ! ମୁଁ ଆଜମା ପେସେଣ୍ଟ୍‌ ନା !

ସମସ୍ତେ ଅନୁରୂପ ମନ୍ତବ୍ୟ ଦେଇ ମୋତେ ଲକ୍ଷ୍ୟ କରି କହିଲେ, ଆପଣ ହିଁ ଏକମାତ୍ର ବ୍ୟକ୍ତି–ଟିକିଏ ସାହାଯ୍ୟ କରନ୍ତୁ–ବିଚାରୀ ନିରୀହା । ଏଇ ବର୍ତ୍ତମାନ ତା’ର ଲୋକ ଆସି ପହଞ୍ଚିଯିବେ ।

ବର୍ଷା ତଥାପି ଛାଡ଼ି ନ ଥିଲା । ଶିରାଥରା ଶୋକାର୍ତ୍ତ ରାତ୍ରି ଗଛପତ୍ରକୁ ଭରାଦେଇ ଠିଆ ହୋଇଥିଲା ।

ନ ଥିଲା ତାରା ଦପ୍‌ ଦପ୍‌ ଆକାଶ । ନ ଥିଲା ଜହ୍ନର ସ୍ତବ୍‌ଧତା । ଗୋଟାଏ ବରଫ ବାଦଲ ଅରଣ୍ୟ ଭିତରେ ଧଳାଭାଲୁ ସହ ବନ୍ଧୁତା ଭଳି ନାନା ଆଶଙ୍କାରେ ଜଡ଼ିତ କେତୋଟି ମୁହୂର୍ତ୍ତ ଗୋଟାଏ ନାରୀ ସହ ତିନ୍ତିବାର ପ୍ରତୀକ୍ଷା ।

କିଛି ସମୟ ନୀରବତା ପରେ ମହିଳାଟି ପ୍ରଳାପ କଲା । ‘ନା, ମୁଁ ବଞ୍ଚି ପାରିବିନି । ମୋ ଦେହ କୋଲା ମାରିଯାଉଛି । ଲୋ ମା କି ହେମାଳ ପବନ ! ମୋତ ନେଇଚାଲ, ମୁଁ ଏଠାରେ ମୁହୂର୍ତ୍ତେ ରହି ପାରିବିନି ।’’

ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ । ଏଇ ବୋଧେ କେହି ଆସି ଯାଉଥିବେ । ଆପଣଙ୍କ ସ୍ୱାମୀକୁ ଏ ଦୟନୀୟ ଅବସ୍ଥାରେ ଛାଡ଼ିଦେଇ ଯାଇପାରିବେ ?

: କିଏ ମୋର ସ୍ୱାମୀ– ?

: ମୃତ ବ୍ୟକ୍ତି ଆପଣଙ୍କର କେହି ନୁହନ୍ତି ?

ଆଶ୍ଚର୍ଯ୍ୟ !! ଆପଣ କ’ଣ ଏଠାରେ ଅଭିନୟ କରୁଥିଲେ ? ତେବେ ଭ୍ୟାନରେ ଯାଇଥିବା ଭଦ୍ରବ୍ୟକ୍ତିମାନଙ୍କୁ ଆପଣ ଭୁଲ୍‌ ଠିକଣା ଦେଇଛନ୍ତି ଏବଂ ମୋତେ ପ୍ରତାରିତ କରିଛନ୍ତି ।

 

ମହିଳା କାନ୍ଦିଲା ଭଳି କହିଲେ, ଆପଣଙ୍କ ଦେହ ଛୁଇଁ କହୁଛି–ମୃତବ୍ୟକ୍ତିର ଠିକଣା ସଠିକ୍‌ ଭାବେ ବତାଇଛି । ସେ ମୋର ସହପାଠୀ...

 

ତଥାପି ଏଭଳି ଅବସ୍ଥାରେ ଶବକୁ ଚାଲିଯିବା କ’ଣ ଉଚିତ ହେବ ?

 

ହେଇ ତାଙ୍କ ବାପା ଆସିଯିବେ । ମାଆ ଯଦି ପହଞ୍ଚି ଯାଆନ୍ତି ନା ଗଳା ଚିପିଦେବେ । ମହିଳା ହାତଟେକି ଗୋଟାଏ ଟ୍ୟାକ୍‌ସିକୁ ଅଟକେଇଦେଲେ । ମୋ ହାତକୁ ଭିଡ଼ିଧରି କହିଲେ, ଆସନ୍ତୁ ନା ! ସେ ତ ଗଲେ, ଆମେ କ’ଣ ଏଠାରେ ବର୍ଷା ମାଡ଼ ଖାଇ ମରିବା ?

 

ଏତେ ଛଳନାର ପରିଣୟ, ଏତେ ଅସମ୍ମତ ମମତା, ଏତେ ଅସମ୍ମୋହନ ମାୟା, ଏତେ ଆନ୍ତରିକତାହୀନ ଦଂଭୋକ୍ତି କେଉଁଠି ଲୁଚି ରହିଥିଲା କେଜାଣି !

 

‘‘ଲୋ ନାରୀ ତୁ ଏକ ଝୁଲନ୍ତା ତରବାରୀ ! ଅକାଳରେ, ଅବେଳରେ ମଣିଷ ଗଳାରେ ଆହା ପଡ଼ିଥାଉ ଛିଡ଼ି ।’’ ମୋ ପାଟିରୁ ମୋ କବିତାର ଦୁଇଧାଡ଼ି ବାହାରି ଆସୁଥିଲା ଯେପରି ।

 

ମହିଳା ଡ୍ରାଇଭର ଉଦ୍ଦେଶ୍ୟରେ ଗାଡ଼ି ରଖିବା ପାଇଁ ନିର୍ଦ୍ଦେଶ ଦେଲେ । ମୋତେ କହିଲେ, ଆସନ୍ତୁ ନା, ମୋ ଘର ଏଇ ପାଖରେ । ଆପଣଙ୍କ ଉପକାର ମୁଁ ଜୀବନରେ ଭୁଲି ପାରିବି ନାହିଁ । ଆପଣ ସତେ କେତେ ଖୋଲା, କେତେ ନିର୍ମଳ, ଠିକ୍‌ ତାଙ୍କ ଭଳି ।

 

ଅଯଥା ପ୍ରଶଂସା କରି ମୋତେ ଲଜ୍ୟା ଦିଅନ୍ତୁ ନାହିଁ । ମୁଁ ଯାଉଛି । ପୁଣି କେବେ ଦେଖା ହୋଇପାରେ । ସେ ମୋତେ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ ।

 

ଆପଣ ଏତେ ପାଖକୁ ଆସି ଫେରିଯିବେ ? ମୋର ହାତ ଧରି ଭିଡ଼ି ନେଲେ ମହିଳା । ଅନିଚ୍ଛା ସତ୍ୱେ ଓହ୍ଲାଇଲି । ବର୍ଷା ତଥାପି ଛାଡ଼ିନି । କୁଆଡ଼ିକୁ ଯିବା ? ସେ ଗୋଟାଏ କୋଠାଆଡ଼କୁ ହାତ ଦେଖାଇଦେଲେ । ଏଇଟା ତ ଲଜିଂ ! ଇଆଡ଼େ କୁଆଡ଼େ ?

 

ଆଜି ରାତିଟା ଏଇଠି ରହିଯିବା । ଏତେ ରାତିରେ ଘରକୁ ଗଲେ ବାପା ମୋତେ ରଖିବେ ତ ? ମୋ ଭାଇ ମୋତେ ଠିଆ ଫାଡ଼ିଦେବ ।

 

ଏଇ ଚାଳଘର ବାରଣ୍ଡାରେ ଯେଉଁ ମଣିଷଗୁଡ଼ିକ ବର୍ଷାରେ ଭିଜୁଛନ୍ତି, ସେମାନଙ୍କ ସାଥୀରେ ମିଶିଯିବା । ନଡ଼ାରୁ ଝରୁଥିବା ବର୍ଷାଜଳ ଭଳି କେଡ଼େ ନିର୍ମଳ ସେମାନେ ! ଲଜିଂରେ ରହିବା ପାଇଁ ମୋ ପାଖରେ ପଇସା ନାହିଁ ।

 

ସେ ଯେପରି କାନ୍ଦୁଥିଲେ ଛଳନାରେ ଏବଂ କହିଥିଲେ, କେଡ଼େ ନାଷ୍ଟି ଆପଣ ?

 

ମୁଁ ନିର୍ଭୟରେ କହିଲି, ଯେଉଁମାନଙ୍କୁ ଖରାରେ ସିଝିବାକୁ, ବର୍ଷାରେ ଭିଜିବାକୁ, ଶୀତରେ ଯୁଝିବାକୁ ଡର ଲାଗେ ସେମାନଙ୍କୁ ମୁଁ ସାହାଯ୍ୟ କରି ପାରିବିନି । ଆପଣଙ୍କୁ ଯଦି ଡର ଲାଗୁଛି, ତେବେ ଚାଲନ୍ତୁ ପୋଲିସ୍‌ ଷ୍ଟେସନ୍‌ରେ ଛାଡ଼ି ଦେଇ ଆସିବି ।

 

ମହିଳା ମୋ କଥା ଶୁଣିବା ଅବସ୍ଥାରେ ନ ଥିଲେ । ଏକ ମୁହାଁ ହୋଇ ସେ କୋଠାଆଡ଼େ ଦଉଡ଼ି ପଳେଇଲେ ।

 

ପାଖ ଇଲେକ୍‌ଟ୍ରି ଖୁଣ୍ଟ ତାରରେ ଝୁଲୁଥିବା ମୃତ ବାଦୁଡ଼ିର ଡେଣାରେ ଆସନ୍ନ ଝଡ଼ ଲାଖି ରହିଥିଲା । ଏଇ ଛିଡ଼ିଯିବ ତାର । ଏଇ ଝଡ଼ିଯିବ ମଲା ବାଦୁଡ଼ିର ଡେଣା ।

Image

 

ସାପ

 

ପାପ ବି ସ୍ୱପ୍ନରେ ଆସେ ସାପ ରୂପ ନେଇ ।

କେହି କେହି କହନ୍ତି ଏକ ବିଦ୍‌ଗଧ ଯୌନ କାମନାର ପ୍ରତୀକଭାବରେ ଅବଚେତନରେ କେବଳ ସାପ କାହିଁକି ଧରାଯାଉ ଗୋଟିଏ ପଲଙ୍କ ଉପରେ ସପଟିଏ ଗରମ ଦିନର ପ୍ରତୀକ ହୋଇପାରେ ଯଦି ନାଲି ପାଟଟିଏ ଘୋରିହୋଇ ଘୁଙ୍ଘୁଡ଼ି ମାରୁଥିବା ସ୍ୱାମୀର ଝାଳଭିଜା ଦେହକୁ ଲୋଭ ସମ୍ଭାଳି ନ ପାରି ପୋଛିବାକୁ ଗଲାବେଳେ ମଣିଷ ମନ ସାପ ପାଲଟି ଚୋଟ ମାରିଦିଏ, ତେବେ ନିଦ ଭାଜିଲା ବେଳର ଚମକ ଖୁବ୍‌ ସହଜରେ ବାରି ହୋଇଯାଏ ଆଉ ସ୍ୱପ୍ନ ନ ଦେଖିବେ ବୋଲି ଯତେବେଳେ ତୁମ ପତ୍ନୀ ଦେଉଳର ଲିଙ୍ଗ କିମ୍ବା ସାପରେ ବେଲ ପତର ଚଢ଼େଇ ପାଣି ଢାଳି ଫେରୁଥାନ୍ତି ।

ଆଜି ସମସ୍ତେ କେମିତି ଗୋଟାଏ ପ୍ରକାର ସ୍ୱପ୍ନ ଦେଖିଲେ ଭାବି ଆଶ୍ଚର୍ଯ୍ୟ ଲାଗୁଛି । ଆଚ୍ଛା, ତୁମେ କ’ଣ ଦେଖିଲ–କହିଲି !!

ତୁମ ବାପାଙ୍କ ଖଟତଳେ ଥିବା ପେଡ଼ିରୁ ଗତ ରାତିରେ ଗୋଟିଏ ପୋଷା ସାପ ଆସି ମୋତେ ଚୋଟ ମାରିଦେଲା । ମୁଁ ଦେଖିଲି ସାପଟି ଛଟପଟ ହେଉଛି । କାରଣ ମୋତେ ଯେ ଆଘାତ କରେ ସେ ଯନ୍ତ୍ରଣାରେ ତିଳତିଳ ହୋଇ ଜଳେ । ତୁମ ବାପାଙ୍କ କାନକୁ କଥା ଗଲା । ସେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ବ୍ୟବସ୍ଥା କଲେ । ଏକ ଟାକ୍‌ସିରେ ସାପକୁ ଘରୋଇ ଚିକିତ୍ସାଳୟକୁ ନିଆଗଲା । ସେତେବେଳକୁ ଡାକ୍ତର ଗୋଟିଏ ସାପର ଫଟୋକୁ ପୂଜା କରୁଥିଲେ । ମୁଁ ଭାବିଥିଲି ମୋର ଗରମ ରକ୍ତ ନା, ସାପର ଜିଭ ପୋଡ଼ିଯାଇ ଫଟକା ହୋଇଯାଇଥିବ । କିନ୍ତୁ ଡାକ୍ତର ପରୀକ୍ଷା କରି କହିଲେ, ସାପ ଜିଭର କିଛି କ୍ଷତି ହୋଇନି । ଦାନ୍ତ ହଜି ଯାଇଛି । ଭାଜିଥିଲେ ଚଳିଥାନ୍ତା । ତୁମ ବାପା ସେଠୁ କହିଲେ, ଚିନ୍ତା ନାହିଁ ସୁନା ଦାନ୍ତ ଲଗେଇଦେବା । ସାପଟା ସେତେବେଳକୁ ଫଁ ଫଁ ହେଉଥିଲା । ତୁମେ ମୋ ପକେଟରେ ହାତ ପୂରାଇ ମୋ ରକ୍ତରୁ କାଢ଼ି ରଖିଥିବା ଦାନ୍ତଟିକୁ ଫେରାଇ ଦେବା ପାଇଁ ଅଳି କରିବାରୁ ମୁଁ ଦୁଇଟି ବାଟୁଳି ବଢ଼େଇଦେଲି । ଏଇଟା କ’ଣ ? କେବଳ ସାପର ଦାନ୍ତ ନୁହେଁ ମୁଁ ଆଖିକୁ ବି ଉପାଡ଼ି ଆଣିଛି । ଏଁ, କ’ଣ କଲ । ...ଅନ୍ଧ କରିଦେଲ !!

ସାପ ନୁହେଁ ତୁମେ ଅନ୍ଧ ହୋଇଯାଇଛ । ଧର୍ମାନ୍ଧ ନାରୀଟି ଚମକିପଡ଼ି କହିଲା, ବୋପାଲୋ ତୁମ ପାଖେ ସାପର ଆଖି ନାହିଁ କି ଦାନ୍ତ ନାହିଁ, ଅଛି ଦୁଇଟି ଗୁଳି, କେତୋଟି ବମ୍‌ ।

ତା’ପରେ ତୁମେ କହିଲ ସୁଦୁ ମିଛ କଥା । ସ୍ୱପ୍ନରେ ତୁମେ ଆଉ କ’ଣ ଦେଖିଥିବ ? ମୁଁ କହିଲି ହଁ, ସ୍ୱପ୍ନଟା ମିଛ ହୋଇପାରେ, ହେଲେ ମୋ ରକ୍ତରେ ବୋମା ଓ ଗୁଳିର ଶକ୍ତି ଅଛି, ତୁମ ରକ୍ତରେ ସାପର ବିଷ ଅଛି । ସେ କଥାଟାକୁ ବାଆଁରେଇଲା ଭଳି କହିଲେ, ସ୍ୱପ୍ନ ନୁହେଁ ନିରାଟ ସତ ଘଟଣାଟିଏ ଘଟୁଛି । ଖୋଦ୍‌ ସହରିର ଅନତୀ ଦୂରରେ ନୁହେଁ, ରାଜଧାନୀ ସମୀପରେ ମାଟି ଫଟାଇ ଜୀଅନ୍ତା ସାପଟିଏ ଫୁଟି ବାହାରିଛି ।

ମୁଁ ସାପ ଦେଖିବାକୁ ବାହାରିଲି । ସାପର ଲହଲହ ଫଣାରେ କଠଉ ଚିହ୍ନ ନୁହେଁ, ମନ୍ତ୍ରୀଙ୍କ ଜୋତା ଚିହ୍ନ, ଚକ୍‌ ଚକ୍‌ ସାପ କାତି ଦେହରେ ଯେପରି ସହରୀ ସମ୍ଭ୍ରାନ୍ତ ମଣିଷର କୋଠା, ଦେଉଳ, ବରଣମାଳା ଆଦିର ଚିହ୍ନ ସ୍ପଷ୍ଟ ବାରି ହେଇ ପଡ଼ୁଥିଲା । ସାପ ଦିଅଁ ଦେଉଳ ଓ ଫୁଲ ଦେଖିବାରେ ଖରାରେ ଜଳି ଜଳି ଯଦି ଏତେ ଭିଡ଼ ହେଇପାରେ, ତେବେ ତୁମେ ବି ଏଇ ଭିଡ଼ର ସୁଯୋଗ ନିଅ ।

ପ୍ରଥମେ ତୁମର ପୁଅ ଗହଳି ଭିତରେ ଅନ୍ୟ କେଉଁ ଝିଅର ଗହଳ ଖୋସାରେ ଫୁଲ ଖୋସି ଦେଉ । ତୁମ ଝିଅର ପଣତ କାହାର ହାତ ବାଜି ଖସିଗଲେ ତୁମେ ଜାଣିବାକୁ ପାଅ ଆବିର୍ଭୂତ ସାପର ଫଣାରେ ଥାପିବା ଫୁଲଟି ଅନ୍ୟ କାହାର ଖୋସାକୁ ଉଡ଼ିଯାଇଛି । ହଉ ଛାଡ଼, ଶାଢ଼ୀ, ଗାଡ଼ି ଓ ସାଇକେଲର ଧାଡ଼ି ଭିତରେ କାହାର ହାତବାଜି ଯଦି ଓଢ଼ଣା ଖସିପଡ଼ୁଛି, ତେବେ ଫୁଲଟିଏ ଖସିଯିବାଟା କେତେ ଘଡ଼ି । ଯେତେହେଲେ ଧର୍ମ ତ ! ...ପୂଣ୍ୟ କାମେ ସବୁ ମାଫ୍‍–ନାହିଁ ଦୋଷ, ବାକି ସବୁ ମାୟା ପାପ ବିଷ ।

ବ୍ରାହ୍ମଣ ମନ୍ତ୍ର ପାଠ କରୁଥିଲେ । ହୋମର ଶିଖା ଦ୍ୱିପ୍ରହରର ଆକାଶକୁ ତତାଉଛି । ପୋଡ଼ା ଘିଅର ଗନ୍ଧରେ ତରଳି ଯାଉଥିବା ଗାଲର କସ୍‌ମେଟିକ୍‌ସ ବାରି ହେଉନି ।

ତା’ପରେ ମୁଁ ଦେଖିଲି ଦୂର ଦୂରାନ୍ତର ଜନସମାବେଶ ଭିତରେ ପ୍ରତିଟି ମଣିଷର ଯେପରି ଆଖି ନାହିଁ । ସମସ୍ତେ ଅନ୍ଧ ହୋଇଯାଇଛନ୍ତି । କେବଳ ସାପଟିର ଚକ୍ଷୁ ଅଛି । ସେ ସମସ୍ତଙ୍କୁ ବଡ଼ ଉଦାର ହୃଦୟରେ ଦେଖି ପାରୁଛି । ବିଷଧର ସାପଟି ଆଜି ନିରୀହ ମଣିଷର ଆଖି ନେଇ ଚାହିଁଛି । ଦୂର୍ଦ୍ଦାନ୍ତ ସାପଟି ଯେମିତି ସତେ ନିଜର ବିଷ ମଣିଷ ଦେହରେ ଛାତିଦେଇ ପ୍ରତିବଦଳରେ ମଣିଷର ପ୍ରିୟ ଆଖି ଦୁଇଟିକୁ ଧାର କରି ନେଇଛି ।

ଏତିକିବେଳେ ଭିଡ଼ର ସୁଯୋଗ ନେଇ ଦୋକାନ ବଜାର ଖୋଲିଥିବା ସାମୟିକ ଅନାବଶ୍ୟକ ମେଳାରେ ଯଦି କୌଣସି ଆଇ. ଏ. ଏସ୍‌. ଅଫିସରଙ୍କ ପୁଅ ନାଲି ଚଷମାଟିଏ କିଣିବାକୁ ଅଳିକରି କହେ, ବୋଉ ଲୋ–ସାପ ଦିଶୁନି, ତେବେ ବାପା କହିବେ, କୁଳାଙ୍ଗାର ପିଲାର ଖାଲି ନାଲି ଜିନିଷ ଉପରେ ଆଖି । ରୁହ ପାଟି କରନା ମନ୍ତ୍ରୀ ଆସିଲେଣି ଫଟୋ ଉଠିବ । ଏତିକିବେଳେ ମାଟି ଫଟାଇ ଆବିର୍ଭାବ ହେଇଥିବା ସାପ ଉଦ୍ଦେଶ୍ୟରେ ଯୋଡ଼ହସ୍ତ ହୋଇ ଭକ୍ତି ନିବେଦନ କରୁଥିବା ବେଳେ ଧର୍ମପ୍ରାଣ ସାମ୍ବାଦିକ ଜଣେ କହିଲେ, ସାର୍‌ ଏଣିକି ବାବା ମା’ଙ୍କ ଫଟୋ ବଦଳରେ ସବୁଠି ସାପ ମହାପ୍ରଭୁଙ୍କ ଫଟୋ ପୂଜା ହେବା ଉଚିତ । କିନ୍ତୁ ପ୍ରଜାନୁରଞ୍ଜନ ମନ୍ତ୍ରୀ ଅନ୍ୟମନସ୍କ ହୋଇ କହୁଥିଲା ଭଳି ଜଣାଗଲା, ଏଥରକ ଯଦି କେହି ଆସେଂବ୍ଳିରେ ପ୍ରଶ୍ନ କରେ କିମ୍ବା ସର୍ପାଘାତରେ ମଫସଲରେ ବହୁଲୋକଙ୍କର ଜୀବନହାନୀର କାରଣ ଦର୍ଶାଇ ଆକ୍ଷେପ କରେ, ତେବେ ମଶା ନିବାରଣ ଭଳି ବ୍ୟୟସଙ୍କୁଳ ଅର୍ଥ ମଞ୍ଜୁର ନ କରି ମଧ୍ୟ ଅତି ସହଜରେ ସର୍ପପୂଜା କରିବାକୁ ଉତ୍ତର ଦେଇହେବ । ସାପମାନଙ୍କର ସଂରକ୍ଷଣ ପାଇଁ ଏକ ସୁରକ୍ଷିତ ବଙ୍ଗ୍‌ଲୋ ଟାଇପ୍‌ର ଚିଡ଼ିଆଖାନା ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରାଯିବ ।

କେହି ଜଣେ ତେଲିଆ ବାଳରେ ହାତ ମାରି ମାରି କହିଲେ, ସାର୍‌ କୁକୁଡ଼ା ଓ ଗୋପାଳନ ବଦଳରେ ସର୍ପ ପାଳନର ବ୍ୟବସ୍ଥା ହେଉ । ମନ୍ତ୍ରୀ କହିଲେ, ଚେଷ୍ଟା କରିବି, ଘରୋଇ ବିଭାଗ ତରଫରୁ ଏକ ସର୍କୁଲାର ଯାଇପାରେ, କେହି ଯଦି ସାପ ମାରେ ତେବେ ତା’କୁ କଠୋର ଦଣ୍ଡ ଦିଆଯିବ । ସର୍ପାଘାତରେ ମରୁଥିବା ଲୋକଠାରୁ ପୁଣ୍ୟବାନ ଲୋକ ଆଉ କେହି ନାହିଁ ।

କେହି ଅନାହାରରେ ମଲେ ସରକାର ଦାୟୀ ନୁହନ୍ତି । ତେଣୁ ସାମ୍ବାଦିକମାନେ ଅନାହାରଜନିତ ମୃତ୍ୟୁର ଫଟୋ ଉଠାଇ ସାପ ଏବଂ ଦର୍ଶନାଭିଳାଷୀ ମନ୍ତ୍ରୀଙ୍କଠାରୁ ଉଚ୍ଚପଦବୀ ରାଜକର୍ମଚାରୀମାନଙ୍କ ଫଟୋ ଉଠାଇବାରେ ଅଧିକ ତତ୍‌ପରତା ପ୍ରକାଶ କରିଥିଲେ ।

ସନ୍ଧ୍ୟା ଆଗତ ପ୍ରାୟ । ତୁମ ପରିବାର ଫେରିଆସିଲା । ଘରେ ପାଦ ନ ଦେଉଣୁ ଡ୍ରଇଁରୁମ୍‌ର ଆଲ୍‌ମିରାରେ ତମ୍ବା ସାପ କେତୋଟି ଦେଖି ପୁଅ କହିଲା, ବାପା ୟାକୁ କେଉଁଠୁ ଆଣିଲେ ! ବୋଉ ପରେ ଦେଉଳରେ ତମ ନାଁ ଧରି ଏହାରି ଉପରେ କେତେ ପାଣି ଢାଳୁଛି !!

ମୁଁ ହଠାତ୍‌ ତମ ଘରେ ପହଞ୍ଚି କହିଲି, ଶୁଣିଲାଣି, ଖବରକାଗଜରେ ବାହାରିଛି–ସାପ ମିଥ୍ୟା । ସାପଟିର ମୃତ୍ୟୁ ହୋଇଯାଇଛି ।

ତୁମେ ମୋତେ ରୋକ୍‌ଠୋକ୍‌ ଭାବରେ କହିଲ, ଦଳେ ଆଇ.ଏ.ଏସ୍‌. ଅଫିସରଙ୍କ ପତ୍ନୀ ମନ୍ଦିରରୁ ତମ୍ବାସାପ ଓ ମୂଲ୍ୟବାନ ମୂର୍ତ୍ତିଚୋରୀ ଘଟଣା ସହ ସଂପୃକ୍ତ । ଏକଥା ବି ଖବରକାଗଜରେ ବାହାରିଛି । ତେଣୁ ପେଟ ବିକଳରେ ଦଳେ ମୂର୍ଖ ଶଠ ଯଦି ଧର୍ମାନ୍ଧ ଲୋକଙ୍କର କପଟ ଧର୍ମ ବିଶ୍ୱାସର ସୁଯୋଗ ନେଇ କେଳା ପେଡ଼ିରୁ ସାପ ଆଣି ଗଦ ଧରାଇ ଲାଞ୍ଜରେ ଲୁହା ତାର ବାନ୍ଧି ମାଟିରେ ପୋତି ପଇସା ଆଦାୟ କରନ୍ତି ତେବେ କ୍ଷତି କ’ଣ ?

ମୁଁ ଆଉ କୌଣସି ଯୁକ୍ତି ନ କରି କହିଥିଲି, କେଉଁଟା ସତ୍ୟ ? ସେ ମୋତେ ଚପଳ ସୁଲଭ ଭଙ୍ଗୀରେ କହିଲା, ତୁମେ ମୋତେ ସେଦିନ ସ୍ୱପ୍ନରେ ଯେଉଁ ଦୁଇଟି ଆଖି ଓ ଦାନ୍ତ ଦେଇଥିଲ, ସେଇ ଘଟଣା କେବଳ ସତ୍ୟ ।

Image

 

ବଦଳି

 

ଚହଲା ବଉଦ ପେଟରେ ଡେଙ୍ଗା ପାହାଡ଼ର ଶିଙ୍ଗ ଏତେ ଶୀଘ୍ର ଗଳିଯାଇଛି ଯେ ସୂର୍ଯ୍ୟାସ୍ତର ଗଛ ବଣ ଏଭଳି ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହେବେ ଜମା ବିଶ୍ୱାସ କରିହେଉନି । ଅରଣ୍ୟର ନୀଳ ତୃଣରେ ରକ୍ତ ବୋଳି ଲୁହ ଗୋଳି ଗୋଳି ଅନ୍ଧକାର ମାଡ଼ି ଆସୁଛି ।

 

ପାହାଡ଼ ତଳି ଡାକ୍ତରଖାନା ।

 

ଏକ ମେଘ ଜମାଟ ଅନ୍ଧକାର । ବରଷାର ଟୋପା ସିରିଞ୍ଜ ଭଳି ଫୋଡ଼ି ହେଇଯାଉଛି ମାଟିର । ବାରଣ୍ଡାରେ ଛଟପଟ ଏକ ରକ୍ତାକ୍ତ ମଣିଷ । ତୀକ୍ଷଣ ଶରଟିଏ କଲିଜା ଫୁଟାଇ ଗଳି ଯାଇଛି । ଛାତିରୁ ପିଠି ପର୍ଯ୍ୟନ୍ତ ବାହାରି ପାରୁନି । ଶରବିଦ୍ଧ ମଣିଷର ରକ୍ତରେ ଚଟାଣ ଜୁଡ଼ୁବୁଡ଼ୁ । ଠିକ୍‌ ଶୁଖିଲା ବାଲିଚଡ଼ାରେ ମାଛର ରକ୍ତବୋଳା ଗାଲି ଭଳି ବିବର୍ଣ୍ଣ ।

 

ଏଇ କେତେଦିନର ରହଣୀ ଭିତରେ ଏପରି ଏକ ଘଟଣା ଦୃଷ୍ଟିକୁ ଆସିବା ମୋର ଜୀବନକାଳ ମଧ୍ୟରେ ପ୍ରଥମ । ଜୀବନ ଯିବ କେତେବେଳେ, କେଉଁ ମୁହୂର୍ତ୍ତରେ କେଉଁ ଘଡ଼ିରେ ବା କିଏ କହିବ ?

 

ନାଡ଼ି ଚାଲୁଛି । ନିଃଶ୍ୱାସ ବୋଧେ ଏଇ ବନ୍ଦ ହେଇଯିବ । କୋଇଲା ସରି ଆସୁଛି । ଚଳନ୍ତା ଟ୍ରେନ୍‌ର ଡ୍ରାଇଭର ଧୂଆଁକୁ ଦେଖୁଛି । ସିଗ୍‌ନାଲକୁ ନିଘା ନାହିଁ ।

 

କୁଆଡ଼େ ନେବାକୁ କହିବି ! ଏଠାରୁ ସହର ହାସ୍‌ପାତାଳ ବହୁ ଦୂର । ମୋର ଚାରିଧାରେ ଆଖି ଲୁହ ଥପ୍‌ ଥପ୍‌ । ଘନଘୋର ବରଷାର ବଣ୍ୟଧାରା ଭଳି ନିହାତି ଆକୁଳ । ମରଣର ଆସନ୍ନ ନିଷ୍ପତ୍ତି ଆଗରେ ଅନୁରୋଧ ବିକଳ ଚେହେରା କେଡ଼େ ନିରୀହ ।

 

–ଶରଟା କିପରି ପଶିଲା ?

 

–ଆମର ଚିହ୍ନ ବଳଦ ଚିହ୍ନ । ତାଙ୍କର ଚିହ୍ନ ତୀର, ଧନୁଶର ଆଜ୍ଞା !

 

ନିର୍ବାଚନ ନିଶା । ମଦୁଆ ଓ ଗଞ୍ଜୋଡ଼ର ନିଶା । ବୋତଲ ଖାଲି ହେଲେ କଚାଡ଼ି ଦିଏ, ଗଡ଼େଇ ଦିଏ ଚିଲମ । ଭୋଟ୍‌ ନିଶା ଚିରିଦିଏ ଚରିତ୍ରର ପୋଷ୍ଟର, ଭାଙ୍ଗିଦିଏ ଆଦର୍ଶର ଜୁଲୁମ୍‌ । ଅହମିକା ସର୍ବସ୍ୱ କ୍ରୋଧ ଆଗରେ କେଡ଼େ ସାମାନ୍ୟ ମଣିଷର ଜୀବନ !

 

ମୁଁ ମୋର ସମସ୍ତ ଶକ୍ତି ଦେଇ ଲାଗିଛି । ଅବଶ୍ୟ ମୋର ସର୍ତ୍ତ ଥିଲା ସମସ୍ତ ଚେଷ୍ଟା ସତ୍ୱେ ଯଦି ଲୋକଟି ମରିଯାଏ, ତେବେ ମୁଁ ଦାୟୀ ହେବି ନାହିଁ । ସେମାନେ ମୋ ସହିତ ଏକମତ ନ ହେବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା ।

 

ଦୁଇଦିନର ଅକ୍ଳାନ୍ତ ପ୍ରାଣାନ୍ତକ ଉଦ୍ୟମ ପରେ ଲୋକଟିକୁ ବଞ୍ଚାଇବାରେ ସକ୍ଷମ ହେଲି-। ତା’ର ଛାତିରୁ ଶରଟିକୁ କାଢ଼ି ହାତରେ ତଉଲି ଦେଖିଲି ମଣିଷର ଦାନ୍ତଠାରୁ ମୁନିଆଁ ଏବଂ ଶାଣଦିଆ ନିର୍ବାଚନର ଦାନ୍ତ । ମଣିଷର ମନ ଭୋଟ କାଗଜ ଭଳି ନରମ । ଥରଟିଏ କାଳି ବାଜିଲେ ଯେଉଁ ଦାଗ ସୃଷ୍ଟି ହୁଏ ଆଉ ଲିଭେନା । ମଣିଷର କଲିଜା ଭିତରେ ନିର୍ବାଚନର ଦାନ୍ତ ଗଳିଯାଇଛି । ମଣିଷକୁ ଛାଡ଼ି ଦେଉନି କିମ୍ବା ନିଜେ ବାହାରି ପାରୁନି । କିନ୍ତୁ ମୋ ଭଳି ଡାକ୍ତର ହାତରେ ପଡ଼ିଲେ ସବୁକିଛି ଠିକ୍‌ ହୋଇଯିବ ବୋଲି ଯେପରି ଆହତ ମଣିଷର ନିହତ ହୃଦୟଟି କହିଥିଲା । ତାହାର ସାଥୀ ଭିତରୁ ଜଣେ କିଏ କହିଲା, ଆଜ୍ଞା ! ନିର୍ବାଚନରେ ଜିଣିଲୁ ସିନା ହେଲେ ଯେଉଁ ହଇରାଣ ହରକତ ! !

 

ଶଳାଙ୍କୁ ଦେଖିନେବୁ...ପ୍ରତିଶୋଧ ନେବୁ । ଅନ୍ୟ ଜଣେ ପ୍ରତିବାଦ କଲା ନା’ ଭୋଟରେ ମାତି ଆଜି ଉଚିତ୍ ଶିକ୍ଷା ମିଳିଲା । କାହାର ବେକରେ ଫୁଲହାର ଆମରି ଛାତିରେ ଖୁରଧାର ।

 

ଏମିତି ଆଳାପ ଆଲୋଚନା ଭିତରେ ହଠାତ୍‌ ଆଉ ଏକ ସମ୍ବାଦ ଆସି ପହଞ୍ଚିଲା । ସମ୍ବାଦଟି ଏକାନ୍ତ ନିଜସ୍ୱ । ମୋର ଚାରିବର୍ଷର ଝିଅର ପାପୁଲିରେ ଭଙ୍ଗାଶିଶି ଗଳି ଯାଇଛି । ଭଙ୍ଗାକାଚର ଟୁକୁରା ପାପୁଲି ଭିତରେ ରହିଯାଇଛି । ରକ୍ତସ୍ରାବ ବନ୍ଦ ହେଉନାହିଁ । ସଙ୍ଗେ ସଙ୍ଗେ ଝିଅକୁ କ୍ୱାର୍ଟରରୁ ହାସ୍‌ପାତାଳକୁ ସ୍ତାନାନ୍ତରିତ କରି ଆଣିଲି । ବହୁ ଯତ୍ନସହ କାଚ ଟୁକୁରାକୁ ହାତରୁ ବାହାର କରିଦେଲି; ମାତ୍ର ରକ୍ତସ୍ରାବ ବନ୍ଦ ହେଲା ନାହିଁ । ସଙ୍ଗେ ସଙ୍ଗେ ତା’ର ଦେହରେ ଇଞ୍ଜେକ୍‌ସନ ଦେଲି ।

 

ମୋର ଆଖି ଆଗରେ ଆଉ ଏକ ଦୁର୍ଘଟଣା, ଏକ ଅଦ୍ଭୁତ ବେଦନା ବିରଳ ଘଟଣା, ଯାହା ବିଶ୍ୱାସ କରିହୁଏନା, କ୍ୱଚିତ ଡାକ୍ତରଙ୍କ ଜୀବନରେ ଘଟେ । ମୋରି ଝିଅକୁ ମୁଁ ନିଜ ହାତରେ ଦେଇଥିବା ସିରିଞ୍ଜ୍‌ର ଛୁଞ୍ଚି ତା’ ଦେହରୁ ଆଉ ଫେରି ନଥିଲା । ସିରିଞ୍ଜ୍‍ ମୋ ହାତରେ, ଭଙ୍ଗା ଛୁଞ୍ଚି ତା’ର ରକ୍ତସ୍ରୋତରେ ଭାସି ଭାସି ଚାଲିଥିଲା । ଛୁଞ୍ଚିକୁ ଧରିବା ପାଇଁ ସଙ୍ଗେ ସଙ୍ଗେ ଅସ୍ତ୍ରୋପଚାର କଲି । କିନ୍ତୁ ନିରାଶ ହେଲି ଛୁଞ୍ଚି ଆହୁରି ଆଗେଇ ଯାଇଥିଲା । ତା’ର ରକ୍ତବୋଳା ପାପୁଲିରୁ ସାମାନ୍ୟ କାଚର ଟୁକୁରା ଖୋଜି ପାଇଲି, ଗୋଟାଏ ବଡ଼ ମଣିଷର ଛାତିରୁ ଶରଟିକୁ କାଢ଼ି ପାରିଲି, ହେଲେ ମୋ ଝିଅର ଦେହରୁ ଭଙ୍ଗାଛୁଞ୍ଚିକୁ ଖୋଜିବାକୁ ଯାଇ ନିଜ ହାତରେ ଅଧିକ କ୍ଷତାକ୍ତ କରିପାରିଲି ନାହିଁ ।

 

ଗୋଟାଏ ଜିପ୍‌ରେ ପ୍ରଚଣ୍ଡ ମାନସିକ ଉତ୍ତାପ ଭିତରେ ଝିଅକୁ ଧରି ମୁଁ ଦୌଡ଼ିଲି ସୁଦୂର ବଡ଼ ଡାକ୍ତରଖାନାକୁ । କୋଳରେ ମୋର ଚାରିବର୍ଷର ଛୁଆ । ଯାହାର ରକ୍ତର ସ୍ରୋତରେ ବିନା ବାଧାରେ ଲୁହା ଛୁଞ୍ଚିଟିଏ ଚାଲିଛି ମୋରି ଦେହରେ ମନରେ ସହସ୍ର ସହସ୍ର ଛୁଞ୍ଚିର ଯନ୍ତ୍ରଣା ଫୋଡ଼ି ଫୋଡ଼ି । ଠିକ୍‌ ବଡ଼ ଡାକ୍ତରଖାନାରେ ପହଞ୍ଚିବାର ଦୁଇ ମାଇଲ ପୂର୍ବରୁ ଜିପ୍‌ର ଚକ ଫାଟିଗଲା । କାଳେ ଝିଅଟିକୁ ପହଞ୍ଚେଇ ଦେଇପାରିଲେ ବଞ୍ଚାଇ ଦେଇ ହେବ, ଏଇ ଲୋଭରେ ମୁଁ ନିଜ ହାତରେ କ୍ଷତାକ୍ତ ଅଚେତ ଶିଶୁଟିକୁ ତୋଳି ଧରି ଦଉଡ଼ିଲି ।

 

ସମସ୍ତ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ୱେ ଛୁଞ୍ଚିଟି ବାହାରି ପାରିଲା, କିନ୍ତୁ ଶିଶୁଟିର ଜୀବନ ଫେରିଲା ନାହିଁ । ତା’ର କ୍ଷତାକ୍ତ ଦେହ ଅତିରିକ୍ତ ପୀଡ଼ା ଓ ଯନ୍ତ୍ରଣାକୁ ସମ୍ଭାଳି ପାରିଲା ନାହଁ-। ହାତରେ ସେଇ ଚାରିବର୍ଷର ପବଟିକୁ ଧରି ଫେରିବାର ସମ୍ବଳ ମୁଁ ହରାଇ ଦେଇଥିଲି । କେଉଁ ମୁହଁରେ ତା’ର ମାଆର କୋଳକୁ ମୁଁ ଫେରାଇ ନେବି ଶିଶୁ ନୁହେଁ ଗୋଟାଏ ଶବ । ଯାହାକୁ ରକ୍ତ ଦେଇ କ୍ଷୀଇ ଦେଇ ସେ ବଢ଼ାଇଥିଲା ।

 

ମୁଁ ଏହି ସମାଜର ମଣିଷ; ଗୋଟାଏ ଡାକ୍ତର । ମୋର ପ୍ରତିଷ୍ଠା ଅଛି । ମୋର ସମ୍ମାନ ଅଛି । ଆଜି ମୁଁ ହତାଶ ତଥା ଅଦୃଶ୍ୟ ଗ୍ଳାନି ଓ ଯନ୍ତ୍ରଣାରେ ଶରବିଦ୍ଧ ! ମୁଁ ନିଜ ହାତରେ ନିଜର ଶିଶୁକୁ ହତ୍ୟା କରିଛି । ମୁଁ ଆଇନ୍‌ ଆଗରେ ଦୋଷୀ । କାଳ କାଳ ଧରି ମୋ ପ୍ରାୟଶ୍ଚିତର ଅନ୍ତ ନାହିଁ । ମୋର ମନ ହିଁ ମୋର ବିଚାରକ । ଅବଶ୍ୟ ଶରବିଦ୍ଧ ମଣିଷର ଛାତିରୁ ଯେଉଁ ହାତ ଏକ ମୁନିଆଁ ଅସ୍ତ୍ରକୁ କାଢ଼ି ଦେଇପାରିଲା, ସେହି ହାତ ନିଜ ଶିଶୁ ଦେହରୁ ସାମାନ୍ୟ ଛୁଞ୍ଚିଟିଏ କାଢ଼ି ପାରି ନଥିଲା । ସେମାନେ ଜାଣିଶୁଣି କ୍ରୋଧରେ ମଣିଷକୁ ଶରବିଦ୍ଧ କଲେ ମୁଁ ଅଜାଣତରେ ଛୁଞ୍ଚିବିଦ୍ଧ କଲି ଏକ ନିଷ୍ପାପ ଶିଶୁକୁ–ଏକ ସରଳ ଆତ୍ମାକୁ । ଏହିଭଳି ନାନା ଚିନ୍ତା ଓ ଦୁଶ୍ଚିନ୍ତାରେ ସନ୍ତୁଳିତ ହେଉଥିଲାବେଳେ ହଠାତ୍‌ ମୋର ବଦଳି ଆଦେଶ ଆସି ପହଞ୍ଚିଲା ଏକ ଅଜଣା ଇଲାକାକୁ ।

 

ମୋର ପତ୍ନୀ ଆସନ୍ନ ପ୍ରସବା । ମୋର ଏକମାତ୍ର ଶିଶୁର ବିୟୋଗ ସ୍ମୃତି ମନରୁ ଲିଭି ନାହିଁ । ପୁଣି କେଉଁ ଅଜଣା ମୂଲକକୁ ଏତେ ଶୀଘ୍ର ଯିବାର ମାନସିକ ପ୍ରସ୍ତୁତି ମୋର ନ ଥିଲା ।

 

ସାଧାରଣ ଲୋକଙ୍କର ଇଚ୍ଛା ମୋର ବଦଳି ବନ୍ଦ ହେଉ । ମୋତେ ଏଠାରେ ରଖିବା ଥିଲା ସେମାନଙ୍କର ଅଭିପ୍ରାୟ । ମୋର ବଦଳି ଆଦେଶ ରଦ୍ଦ କରିବା ପାଇଁ ଦରଖାସ୍ତ ହେଲା । କିନ୍ତୁ ଶୁଣୁଛି କିଏ ! ପରିଶେଷରେ ମୋତେ ହିଁ ଯିବାବୁ ହେଲା ରାଜଧାନୀ ସ୍ୱସ୍ଥ୍ୟବିଭାଗ ନିର୍ଦ୍ଦେଶଙ୍କ ପାଖକୁ ।

 

ନିର୍ଦ୍ଦେଶକଙ୍କ ସାକ୍ଷାତ ପୂର୍ବରୁ ପ୍ରଥମେ ଦ୍ୱାରରକ୍ଷୀଙ୍କୁ ଖୁସାମତି । ମୋ ଭଳି ଅନେକ ଡାକ୍ତର କେଉଁ ଦୂର ଦୂରାନ୍ତରୁ ଆସି ବି ସାକ୍ଷାତ ପାଇ ନାହାନ୍ତି । ଯେଉଁଠାରେ ଗୋଟାଏ ଚପରାସୀର, ଗୋଟାଏ ଅମଲାର ହୁକୁମ ଜାହିର ହୁଏ, ସେଠାରେ ମୋ ଭଳି ଗୋଟାଏ ନିଃସ୍ୱ ଡାକ୍ତରର ଦାବୀ ଅକିଞ୍ଚନ ।

 

-ଚାକିରି କରିଛ, ଯେଉଁଠିକୁ ବଦଳି ହେବ ଯିବାକୁ ପଡ଼ିବ ।

 

-ସାର୍‌, ପତ୍ନୀ ମୋର....

 

-ହଁ, ଯେଉଁମାନେ ବଦଳି ବନ୍ଦ କରିବାକୁ ଆସନ୍ତି, ସେମାନଙ୍କ ସ୍ତ୍ରୀ ଆସନ୍ନ ପ୍ରସବା ବୋଲି କହନ୍ତି । ଏଇଟା ଗୋଟାଏ ଚାଲାକି–ବାହାନା...

 

-ସାର୍‌, ଏବେ ଏକମାତ୍ର ଝିଅ ମୋର...

 

-କ’ଣ ମରିଗଲା ତ ! ତମେ ବଦଳି ନହେଲେ ସେ ବଞ୍ଚିଯିବ ? କାହିଁ, ଏଥର କହୁନ ତମ ବାପାଙ୍କର ଦେହ ଖରାପ, ମା’ ସିରିଅସ ! ନୁହେଁ ? ... ବୁଝିଲ ଏଗୁଡ଼ା ସବୁ ଛଳନା...

 

ମୁଁ ଫେରିଆସିଲି ନିରାଶରେ ।

 

ଯେଉଁ ମଣିଷର ଦେହରୁ ଶରକାଢ଼ି ବଞ୍ଚେଇଥିଲି, ସେଇମାନଙ୍କ ଦଳ ଆଜି କ୍ଷମତାରେ-। ମୋର ଭାବଭଙ୍ଗି ଦେଖି ସେହିମାନଙ୍କ ଭିତରୁ ଜଣେ ଅନୁମାନ କରି କହିଲା, ଆଜ୍ଞା ଆପଣଙ୍କ କଥା ରହିଲାନି ? ରୁହନ୍ତୁ ଆମେ ଯାଇ ମନ୍ତ୍ରୀଙ୍କୁ କହିବୁ ।

 

ମନ୍ତ୍ରୀଙ୍କ ଶାଳୀ ପରା ଏଠାକୁ ବଦଳି ହୋଇ ଆସିବେ । ନା–ନା ଏକଥା ହୋଇ ପାରିବନି । ଆମେ ଏଥର ଭୋଟ ବର୍ଜନ କରିବୁ ।

 

ମୁଁ ଆଉ ସମୟ ନଷ୍ଟ ନ କରି କହିଲି, ମୋ ପାଇଁ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଣିକି ଆପଣମାନଙ୍କୁ ଭୋଟ ବର୍ଜନ କରି ଚାଲିଯିବ ।

Image

 

ଚଢ଼େଇ, ଫୁଲ ଓ ଆକାଶ

 

କ୍ଳାନ୍ତ ଉଦାସ ଅପରାହ୍ନ ।

 

ଶୋଇଯିବି କି ଆଉ । କି ପବନ ! ନିଦ ଜମିନି । ପାତଳ ନିଦ ।

 

ଗଛରୁ ଫୁଲ ଖସି ମାଟିରେ ଅଜାଡ଼ି ହେଲାଭଳି କିଛି ଖରା ଘରର କଣା ଚାଳ ଦେଇ ମୋ ଗାଲରେ ଢାଳିଦେଇଚି କିଏ ? ଖୋଲା ଆକାଶ ନା ମୋ ଘର ! କିରଣକୁ ହାତ ଦେଇ କ’ଣ ବନ୍ଦ କରିହୁଏ ?

 

ଘର ସଜାଡ଼େ । ଅସଜଡ଼ା ଜୀବନକୁ ନେଇ ସଜାଡ଼ି ହୁଏନା ଯେଉଁଠି, ସେଠି ଖରାକୁ କେନ୍ଦ୍ର କରି କଳ୍ପନା ।

 

ଏଠି କ’ଣ ମୋର ଘର !

 

ଚାରିଟା କାଠର ଖୁଣ୍ଟ ।

 

ଦୁଲା, ସେଣୀ, ବରଗା, ବତା

 

ଉପରେ ଚାଳ । କିଏ ଡଙ୍କ ମଡ଼େଇଛି । ଫୁଲ ଫୁଟେଇଛି ଚାଳ ଉପରେ । ରାତିରେ ଅନ୍ଧାର କଚାଡ଼ି ହୋଇପଡ଼େ । ଦିନରେ ସୂର୍ଯ୍ୟ ଗଳିପଡ଼େ । ଚୂଲିରେ ନିଆଁ ଲାଗେ । ପାଉଁଶ ଉଡ଼େ-। କୁହୁଳା ଧୂଆଁ କଣା ଦେଇ ଗଳି ଗଳି ଆକାଶରେ ମିଶେ । ଏଇଠି ମୋର କୁହୁଡ଼ି, କୋହଲା ପାଗ, ଖରା ଓ ଆକାଶ ।

ଅଭାଗାରେ ପାଠ ପଢ଼ି ଘର ଖଣ୍ଡେ ତୋଳି ପାରିଲୁନି–ସେ ଆକାଶକୁ ଭଲ ପାଇ ବସିଛି, ସାଗରକୁ ଆପଣାର ପୋଖରୀ ଭାବି ନିଜକୁ ତିନ୍ତେଇଛି, ନଈ ଯା’ର ଅସୀମ ଶୋଷର ସନ୍ତକ, ସେ ପୁଣି ଘର, ଦ୍ୱାର, ସମ୍ପତ୍ତି, ବିଳାସ.....ତୁଚ୍ଛ ଅଳୀକ ।

ସୂର୍ଯ୍ୟ ଢଳିଗଲେ ।

ସନ୍ଧ୍ୟା ଘନେଇ ଆସିବାକୁ ମୋ ଘରକୁ କେଇ ଫୁଟ ବାକି । ଏ ଘର ଛାଡ଼ିଦେ । ଭଡ଼ା ତ ଦେଉନୁ । ମରାମତ ହେବ କେମିତି ? ବର୍ଷା ଖା, ଖରା ଖା, ଜହ୍ନରୁ କିଛି ପି, ତଥାପି ଚେତୁନୁ । ଆଉ ଦୟା ନାହିଁ । ଟଙ୍କା ଦେ’ । ଘର ଛାଡ଼ । ନ ହେଲେ ଚିଲିକାରେ ଡୁବି ମର । ’

ବିରକ୍ତରେ ବନ୍ଦ କଲି ଦୁଆର । ଖିଡ଼ିକି ଶୂନ୍ୟ ଫଟା କବାଟଟା କେଁ କଟର ଡାକି ଖସିଗଲା କି ? ଶୂନ୍ୟରୁ ଛିଡ଼ିପଡ଼ିଲା କି ଆକାଶ ! ପୁଣି ଆଜେ ବାଜେ ଚିନ୍ତା । ପତଳା ଅନ୍ଧାର କ୍ରମଶଃ ଲିପି ହୋଇଯାଉଥିଲା କାନ୍ଥରେ ।

ଲଣ୍ଠନ ଖୋଜିଲି, କାଚ ନାହିଁ । ଡିବିଟା ପାଇଲି, ସଳିତା ନାହିଁ । ତେଲ କାହିଁ ? ପକେଟରେ ହାତ ପୂରାଇଲି, ପଇସା ନାହିଁ । କାହିଁ ଅଧାଜଳା ମହମ ଓ ଦିଆସିଲି ? ?

ଘର ଭର୍ତ୍ତି ହେଲା ଧୂଆଁରେ ।

ଧୂପର ଧୂଆଁ । ସୁଗନ୍ଧି, ଫଲର ବାସ୍ନା । ଡାଲାଏ ନୁହଁ, କୋଠରୀସାରା ଫୁଲ । ଆକାଶରୁ ତାରାଗୁଡ଼ିକ ଖସିଗଲା କି ?

ଫୁଲ ଭିତରେ ପକ୍ଷୀଟିଏ । ଲୁହାର ପଞ୍ଜୁରୀରେ ବନ୍ଦୀ ପକ୍ଷୀଟି ଏଠିକି ଆସିଲା କେମିତି ? ମୋତେ ଏ ଘରୁ କାଢ଼ି ନେବା ପାଇଁ ଚକ୍ରାନ୍ତ । ଦେଖାଯାଉ, ମୁଁ ଯଦି ଘର ନ ଛାଡ଼େ, ମାଲିକର ହାଡ଼ବାଇ ପ୍ରୟୋଗ । ନାଁ, ଭୂତପ୍ରେତ ଉପରେ ମୋର ବିଶ୍ୱାସ ନାହିଁ ।

ଫୁଲଗୁଡ଼ିକ କି ଫୁଲ । ଗୋଲାପ ନୁହେଁ, ମନ୍ଦାର କି ଚମ୍ପା କି, ଉହୁଁ ହ୍ନି ପାରୁନ !

କିଏ ! କିଏ !! କେଉଁଠୁ ଏ ଆୱାଜ ।

: ଏକ ରଙ୍ଗୀନ ପଞ୍ଜୁରୀରେ ଆବଦ୍ଧ ପକ୍ଷିଣୀର ଇଚ୍ଛା, ଶୂନ୍ୟ ଆକାଶର ସ୍ୱପ୍ନ ।

ରୂପାଥାଳିରେ ଭାତ, ସୁନା ଗିନାରେ ଦୁଧ ଛାଡ଼ି ଏ ଜୀର୍ଣ୍ଣ କୋଠରୀରୁ ତୋଡ଼େ ଫୁଲର ଡାଲିଆ ଭିତରେ ଡେଣାକୁ ଲୁଚାଇ ଥଣ୍ଟ ମେଲିଥିବା ପକ୍ଷୀକୁ ଆହାର ଦେବାର ଅଧିକାର ଯାହାର ଅଛି, ସେ ପରକୁ ଆଉଁସି ଆନନ୍ଦ ପାଇବାରେ ନିଜକୁ ହକ୍‌ଦାର କରିପାରେ, ତା’ର ବ୍ୟକ୍ତିବାଦୀ ଚିନ୍ତା ପକ୍ଷୀର ଆକାଶରେ ଉଡ଼ିବାର ଇଚ୍ଛାକୁ ଗୁଳିକରି ଦେଇପାରେ । ଏଁ, କ’ଣ କହିଲ ! (ଏ ସ୍ୱର ପକ୍ଷୀର ନିଜସ୍ୱ ନା ଟେପ୍‌ରେକର୍ଡକୁ ଖଞ୍ଜି ଦେଇଥିବା ମାଲିକର !) ମୋ ଆଗରେ ଦ୍ୱନ୍ଦ୍ୱ ।

ତୋର କୋମଳ ଡେଣାକୁ ଧରି ଫିଙ୍ଗିଦେବି କି ?

ଦୂର ଆକାଶକୁ ଉଡ଼ିଯିବ ।

ଫୁଲରେ ହାତ ମାରିଲେ ପାଖୁଡ଼ା ଖସୁଛି । ପରରେ ହାତ ମାରିଲେ ଯଦି ଡେଣା ଭାଙ୍ଗିଯାଏ, ତା’ର ପରିଣତି ଯାହାକୁ ମାଲୁମ ନ ଥିବ, ସେ ତାହା କରିପାରେ ।

ମୁଁ ନିଷ୍ପତ୍ତି କଲି ।

ଘର ଛାଡ଼ିବି । ପକ୍ଷୀ ଓ ଫୁଲ ମୋର ରହଣୀର ପ୍ରତିବନ୍ଧକ । କେମିତି ରାତି ପାହିବ । ପ୍ରହର ପରେ ପ୍ରହର । କ’ଣ ଚିନ୍ତା କରୁଛ ! ...ଆରେ ସତେ ତ ପକ୍ଷୀଟା କଥା କହୁଛି ଯେ !

ତୁମେ ଆଲୋକ ଚାହୁଁଛ ? ବତୀ ଲଗେଇବ । କାଠି ଚାହୁଁଛ ? ଚୂଲି ଜଳେଇବ । ତୁମକୁ ଭୋକ ହେଉଥିବ ନିଶ୍ଚୟ । ତୁମେ ଖାଇବାକୁ ଭୁଲିଯାଇଛ । ତୁମର ତେଲ ଦରକାର, କିରାସିନି ତ ! ଲଣ୍ଠନ ଆଣ ।

ଏ ତ ତେଲ ନୁହେଁ, ଆଉ କ’ଣ ମଦ !–

ମୋତେ ଶୋଷ, ଶୋଷ....ପାଣି ଆଣି ।

ଏ ତ ପାଣି ନୁହେଁ, କ’ଣ ରକ୍ତ !!!

ସେ ଆଖି ତରାଟି ଦେଲା । ଦାଉ ଦାଉ ହୋଇ ନିଆଁହୁଳା ବାହାରିପଡ଼ିଲା । ଲୁହ ବଦଳରେ ଟୋପା ଟୋପା ତରଳ ମହମଗୁଡ଼ିକ ଆଖି ଫଟାଇ ଝରିବାକୁ ଲାଗିଲା । ଘର ସାରା ମହମ ଓ ନିଆଁ ।

 

ମୋତେ ଆଉ ହଇରାଣ କରନା । ମୁଁ ଆଜି ଏ ଘର ଛାଡ଼ିଦେଉଛି । ପକ୍ଷୀ ନୁହେଁ, ନିଶ୍ଚିତ ଡାହାଣୀ । ଡାହାଣୀମାନେ ବିଭିନ୍ନ ବେଶରେ ଆସନ୍ତି । ଫୁଲଗୁଡ଼ିକ ଗୁଣୀମନ୍ତ୍ର । ହାଣ୍ଡିରେ ପାଣି ନୁହେଁ ମଦ, ମାଟିପାତ୍ରର ଚାରିପାଖେ ସିନ୍ଦୁର ନୁହେଁ ରକ୍ତ ବୋଳିଛି ।

 

ଗଭୀର ନିଶାରାତ୍ରିରେ ନିଦ୍ରା ଗଲେ ଏ ଡାଙ୍କୁଣୀ ଚଢ଼େଇ ନିଶ୍ଚୟ ତା’ର ଚଞ୍ଚୁରେ ମୋର ତଣ୍ଟି କଣା କରି ରକ୍ତ ପିଇବ ।

 

ଇସ୍‌ କେଡ଼େ ନଖ ତା’ର !

 

ସାମାନ୍ୟ ଭଡ଼ା ବାବଦ ପାଉଣା ପାଇଁ ଏତେ ବଡ଼ ପ୍ରତଶୋଧ । ହାୟ, କାଇଁ ଏ ଘରେ ରହିଲି !!

 

ପୁଣି ମନକୁ ମନ ପ୍ରଶ୍ନ । ଆତ୍ମ ପ୍ରବୋଧନା । ଗୁଣୀ ମିଥ୍ୟା, ମୁକାବିଲା ହେଉ । ଏ ଘର ମୋର । ୟା’କୁ ଛାଡ଼ିବିନି । ରୁହରେ ପାମର ! ଭୟ, ଆଶ୍ଚର୍ଯ୍ୟ, ସନ୍ଦେହର, ଐନ୍ଦ୍ରଜାଲିକ ମାୟାଜାଲ ପୁଞ୍ଜିର ଯାଦୁକୁ ନିବାରଣ ପାଇଁ ଧୈର୍ଯ୍ୟ ହିଁ ମୋର ଏକମାତ୍ର ମଲମ । ଦେଖାଯାଉ ।

 

ରାତି ପାହି ପାହି ଆସିଲା । ସିନ୍ଦୂରା ଫାଟିବା ପୂର୍ବରୁ ଦେଖିଲି ଫୁଲ ଓ ପକ୍ଷୀ କୁଆଡ଼େ ଉଭାନ ହୋଇଯାଇଥିଲେ । ଠିକ୍‌ ପାହାନ୍ତା ପ୍ରହରରେ ମୋ କୋଠୀକୁ ଘେରି ରହିଥିଲେ ସଶସ୍ତ୍ର ପୋଲିସ୍ ବାହିନୀ । ମୋ ନିରାପତ୍ତା ପାଇଁ ନୁହେଁ ମାଲିକ ସ୍ୱାର୍ଥର ସଂରକ୍ଷଣ ପାଇଁ । ଭଲ ହେଲା ମୋର ମାନସିକ ଯନ୍ତ୍ରଣାର ଉପଶମ ପାଇଁ କି ବ୍ୟବସ୍ଥା ।

 

ମାଲିକ କହୁଥାନ୍ତି–ହେଇଟି ଲୁଚେଇଚି...ଦେଖନ୍ତୁ ।

 

କଣା ମାଠିଆ, ଖଣ୍ଡିଆ ବିଡ଼ି, ଚିରା ମଶିଣା, ଫଟାକାମିଜ, ମଇଳା ଟ୍ରାଉଜର, ଭଙ୍ଗା ଟିଣପେଡ଼ି ବ୍ୟତୀତ କିଛି ତ ମିଳୁନି ।

 

ଏ ଟିଣ ବାକ୍‌ସଟାକୁ ଖୋଲିଲୁ । ହଁ ଛୁରୀଟିଏ ମିଳିଲା । ଏଥିରେ ପିଆଜ କାଟି ହେବନି-। ଆଜ୍ଞା, ଖାତାଟା ଦେଖନ୍ତୁ ତ କ’ଣ ଲେଖାହେଇଛି ।

 

‘‘ମୁଁ ଆକାଶରେ ଆଉ ପକ୍ଷୀ ଦେଖିବାକୁ ପାଉନି । ସମସ୍ତ ପକ୍ଷୀମାନେ କୋଠାଘର ପଞ୍ଜୁରୀରେ ଆବଦ୍ଧ । ମୁଁ ଆଉ ଜଙ୍ଗଲରେ ବାଘ ଦେଖିବାକୁ ପାଉନି । ବାଘମାନେ ଏଣିକି ସହରର କୋଠାମାନଙ୍କରେ ରହୁଛନ୍ତି । ଘରର ମେଜିଆରେ ବାଘର ଛାଲ । ବଣରେ ଶାଗୁଆନ ନାହିଁ, ପାହାଡ଼ରେ ପଥର ନାହିଁ, ଚିଲିକାରେ ମାଛ ନାହିଁ । ହେଲେ ମାଲିକର ପୋଖରୀରେ ପହଁରୁଛି ବତକ...’’

 

ପଢ଼ା ବନ୍ଦ କର । ଖାତାକୁ ସିଜ୍‌ କର । ଦେଶଦ୍ରୋହର ପ୍ରମାଣ । ବୋମା କାହିଁ ? କୁହ କୋଉଠି ସବୁ ଲୁଚାଇଛୁ ?....ଜଲ୍‌ଦି, ଜଲ୍‌ଦି ।

 

ମାଲିକର ଘରଆଡ଼େ ଚାଲନ୍ତୁ । ଏଠି ଜାଗା କାହିଁ ଯେ ରଖିବି ?

 

ମୋ ପଛେ ପଛେ ଅନୁଚର ପୋଲିସ ତଥା ମାଲିକର ବିକୃତ ମୁହଁ ଓ ନାଲିଆଖି । ପ୍ରଥମ କୋଠରୀ ।

 

ଥାକେ ଶାଢ଼ୀ, ଡଜନେ ବ୍ଲାଉଜ । ଶଙ୍ଖା ଓ ସିନ୍ଦୂର ପେଡ଼ି । ଏକ ସୁଟକେସ ସାବୁନ, ଦର୍ପଣ, ମଦ ବୋତଲ କେତୁଟା, ପରେ ଗଣାଯିବ ।

 

ଦ୍ୱିତୀୟ କୋଠରୀ ।

 

ଦଶଟା ଛୁରା, ଗୋଟିଏ ଟର୍ଚ୍ଚଲାଇଟ୍‌, ଦୁଇଟା ବନ୍ଧୁକ, ତିନିଟା ପିସ୍ତଲ ଲାଇସେନ୍‌ସ ନାହିଁ-

 

ତୃତୀୟ କୋଠରୀ ।

 

ଦୁଇଟା ଟ୍ରେଜେରୀ ବକ୍‌ସ, ଗୋଟିଏ ଲୁହା ଆଲମିରା ଭିତରେ ରୂପାଥାଳି, ପିତଳ ମୂର୍ତ୍ତି, ଶିଶୁଆ କାଠର ପଲଙ୍କ ତଳେ ଭଙ୍ଗା ପଥର ମୂର୍ତ୍ତି । ଚତୁର୍ଥ କୋଠରୀ ଦେଖାଇଲାବେଳକୁ ପୋଲିସ ମୋତେ ଛାଡ଼ିଦେଲା ।

 

ପରେ ଜାଣିଲି ମୁଁ ରହୁଥିବା ଭଙ୍ଗା କୋଠାରୀକୁ ଭାଙ୍ଗି ସେହି ସ୍ଥାନରେ ଲଜିଂଟିଏ ତିଆରି ହେଇଛି ।

Image

 

ପରାଜୟ

 

ବନ ଗଙ୍ଗା । ଏକ ନଦୀର ନାମ । ବାସୀ ପାଖୁଡ଼ାରେ ପଚାବାସ୍ନାର ଢେଉ ତୋଳି ବହିଯାଏ ଘନ ଜଙ୍ଗଲରେ । ଝରାପତ୍ରର ଡଙ୍ଗାରେ ବସି ଡେଣାକୁ ଆହୁଲା କରେ ପତଙ୍ଗ । ଢେଉର ସ୍ୱର ମହୁମାଛିର ଗୁଣୁଗୁଣୁ କଣ୍ଠ ଭଳି ଅରଣ୍ୟ ଫେଣାରେ ମହୁ ହୁଏ ବନ ଗଙ୍ଗା ।

 

ବନ ଗଙ୍ଗାଠାରୁ ବାଲାଘାଟ, ଖୁବ୍‌ ପାଖାପାଖି । ମଧ୍ୟପ୍ରଦେଶର ଏକ ଜିଲ୍ଲାର ସଦର ମହକୁମା । ବାଲାଘାଟ ଯେତେବେଳେ ମ୍ୟୁନିସିପାଲିଟି ନିର୍ବାଚନରେ ମୁଖରିତ, ସେତିକିବେଳେ ମୁଁ ମୋର ଅଳସ ସମୟ ବିତେଇବା ପାଇଁ ଚାଲିଆସେ ବନ ଗଙ୍ଗା କୂଳକୁ ।

 

ବନଗଙ୍ଗା କୋଳରେ ଅରଣ୍ୟର ଶିଳାକୁ । ଗଛ କୋଳ କଲା ଭଳି ପକ୍ଷୀର ବସାକୁ । ମେଘ କୋଳ କଲା ପରି ଆକାଶକୁ, ପ୍ରଜାପତି କୋଳ କଲା ପରି ଫୁଲର ପରାଗକୁ, ମୋର ଦୃଷ୍ଟି କୋଳକରେ ନିଶୂନ ଦିଗନ୍ତର ନୀଳ ନୀରବତାକୁ ଅସ୍ତ ସୂର୍ଯ୍ୟର ରକ୍ତାଭ ଓଠକୁ ।

 

ନଦୀ ଉପରେ ଏବେ ତିଆରି ଚାଲିଛି ଶଙ୍ଖ । ଯାହା ଯୋଡ଼ିଦେବ ବାଲାଘାଟ ସହ ଆରପାରି ଶିବନୀ ସହରର ସମ୍ପର୍କ । ସିଟି ମାରି ଛୋଟ ରେଳଗାଡ଼ି ଯୋଡ଼ିଦିଏ ଶବ୍ଦର ସମ୍ପର୍କ । ଏଠାରେ ସମ୍ପର୍କ ଯୋଡ଼ିବା ପାଇଁ ଯେପରି ଭାରି ଭିଡ଼ ।

 

ନଈକୂଳରେ ଯେଉଁ ଦେଉଳଟି ହୋଇଛି ସେଇଠି ଜଣେ ବାବାଜୀ ଏଇ କେଇଦିନ ଭିତରେ ବେଶ୍‌ ଧୂନୀ ଜଳାଇବାରେ ବ୍ୟସ୍ତ । ଦେଉଳକୁ ଲାଗି ଏକ ଛୋଟ ହୋଟେଲ୍‌ ଏବେ ଖୋଲା ହୋଇଛି ।

 

ହୋଟେଲ ପାଖକୁ ଗୋଟିଏ ଛୋଟ କ୍ୟାବିନ୍‌ । ହୋଟେଲ୍‌ରେ ଚା’ ପାଣି, କ୍ୟାବିନ୍‌ରେ ପାନଖିଲ ସିଗାରେଟ୍‌ କିଣି ଯେଉଁମାନେ ତଳକୁ ଗଡ଼ନ୍ତି ବନିଶୀ ଧରି, ସେମାନଙ୍କର ସଉକରେ ସାହାଯ୍ୟ କରନ୍ତି ହୋଟେଲବାଲାର ଚାରିଝିଅ । କିଏ ଗହମ କୁଟି ନେଇ ପହଁରେଇ ଦିଏ ତ, କିଏ ଖିଲିପାନ ଆଉ ଚାହା ।

 

ଖାଲି ଚା’ କପ୍‌ ଗୋଟେଇ ନେଉଥିବ । ଯୁବତୀର ହାତକୁ ପ୍ଲେଟ୍‌ ବଢ଼ାଇବା ବାହାନାରେ ଟିକିଏ ଚିପିଦେଇ ଯୁବକଟିଏ କହିଲା–ଟିକିଏ ଦେଖି କି ଆସୁ ନ ! ମାଛ ହୁରୁଡ଼ି ଯିବେଟି । ତା’ ପାଖକୁ ଲାଗି କରି ବସିଥିବା ସାଥୀ ଲୋକଟି କହିଲା–ମାଛ ହୁରୁଡ଼ିଗଲେ ଚଳିବ । କିନ୍ତୁ ତୁ ଶଳା ଯେମିତି ବ୍ୟବହାର କରୁଛୁ ନା ଯଦି ଝିଅଟା ହୁରୁଡ଼ି ଯାଏ ତେବେ ଏଠିକି ଆସିବା ବେକାର ହୋଇଯିବ । ଏମିତି ହାସ୍ୟରୋଳ ଭିତରେ, ଠିଆ ସୋଲ ପାଣିରେ ଟୁବ୍ କିନା ଡୁବିଗଲା ଭଳି ଝିଅଟା ହାତମୁଠାରୁ ଖସିଗଲା ।

 

ମୁଁ ଅୟସରେ ବୁଲୁବୁଲୁ ଦିନେ ଏମିତି ଗୋଟେ ଅଚିହ୍ନା ଟୋକା ବନିଶୀଟେ ବଢ଼େଇଦେଇ, ମୋତେ କହିଲା, ‘ବାବୁ ମାଛ ଧରିବେ କି ?’ ମାଛ ଧରିବା ଅପେକ୍ଷା ମତେ ଦେଖିବାକୁ ଭଲଲାଗେ ।

 

ବାବୁ ତମେ ମଜା ପାଇନ । ମାଛ ଧରିବାରେ ଯେଉଁ ମଜା, ଠିକ୍‌ ସେଇ ହୋଟେଲବାଲୀ ଝିଅର ଗାଲରେ ଚୂମା ଦେଲା ଭଳି । ଅନେଇ ବସିଲେ ତ ବେଳ ବୁଡ଼ିଯିବ ।

 

ତା’ ପାଖକୁ ଲାଗି ବସିଥିବା ଯୁବକଟି ସଙ୍ଗେ ସଙ୍ଗେ ଉପରେ ପଡ଼ି କହିଲା, ଡୋରି ସଜେଇ ଗହମ ଦାନ ଲଗେଇ ଘଣ୍ଟା ଘଣ୍ଟା ଧରି ଅନେଇ ବସିଲେ ବି ସୋଲ ଡୁବେ ନାହିଁ । ହାତ ନେଇ ମାଛଧରା । କାହା ହାତ କେମିତି ? ମୁଁ ଏଠି କ’ଣ ମାଛ ଧରିବାକୁ ଆସେ ? ନଈ ଆରପାଖ ଗାଁରୁ ଯେଉଁ ଝିଅମାନେ ସଞ୍ଜବେଳେ ପାଣି ନେବାକୁ ଆସନ୍ତି, ସେମାନଙ୍କୁ ମୋ ଆଖିର ଲମ୍ବା ଡୋରିରେ ମନକୁ ଥୋପକରି ଆରକରକୁ ଫିଙ୍ଗିଦିଏ । ସୋଲ ଡୁବିଲା କି ଉଠିଲା ନିଘା ନଥାଏ ।

 

ଶଳା, କାଖରୁ କଳସୀ ମୁହଁ ଖସେଇଲା ଭଳି କଥା କହୁଚି । କାହିଁ–ତା’ କଥା ଶୁଣୁଛନ୍ତି ବାବୁ । ଆରେ ସେତିକି ନୁହେଁ କାଲି ଗାଁ କୂଅରୁ ପାଣି କାଢ଼ୁଥିବ । ଝିଅ ହାତରୁ ରସି ଖସେଇ ଦେଇଛି । ତୋତେ ଦେଖି କୂଅରେ ଗଳି ପଡ଼ିଥାଆନ୍ତା ନା । ବାହାପିଆ କାହାଁକା ।

 

କାଲି ସିନା ମୋତେ ଦେଖି ତା’ ମାଠିଆ ଭାଙ୍ଗିଗଲା ବୋଲି ଆଜି ମାଛ ପଡ଼ିଲେନି, ନ ହେଲେ ଦେଖେଇ ଦେଇଥାନ୍ତିରେ ପୁଅ । ଏଠି ବସି ବସି ଖାଲି ସମୟ ନଷ୍ଟ ହେଉଛି । ପରିବା ବଜାରରେ ବସି ପୋଇ ବିକ୍ରି କଲେ ପୋଇ ରସରେ ଅଳତା ମାଖିବାକୁ ପାଦ ମିଳିପାରେ, ହେଲେ ବନିଶୀରେ ଥୋଇଦେଇ ମାଛ ଧରିବା ଭାରି କଷ୍ଟ । ଆଉ କାଲିଠୁଁ ଆସିବ ନାହିଁ । ବଳ ବୟସ ପାଖେ ସମୟର ଲୋକସାନ୍‌ ।

 

ମୁଁ ତା’କୁ ବୁଝେଇଦେଲି । କ୍ଷତି ସହିବାର ଧୈର୍ଯ୍ୟ ଥିଲେ ଠିକଣା ସମୟରେ ଭଲ ଲାଭ ଉଠାଯାଇପାରେ । କ୍ଷତ ଭିତରେ ଶୁଖିବାର ଯନ୍ତ୍ରଣା ଲୁଚି ରହିଥିଲା ଭଳି ପ୍ରତିଟି କ୍ଷତି ଭିତରେ ଲାଭଟିଏ ହିଁ ଲୁଚି ରହିଥାଏ । ଯେପରି ପ୍ରତିଟି ଦୁଃଖ ଭିତରେ ଆସନ୍ନ ସୁଖଟିଏ ଲୁଚି ରହିଥାଏ । ବାଦଲ ଭିତରେ କୋମଳ ବର୍ଷାର ଗନ୍ଧ ସମୁଦ୍ର ଭିତରେ ଉତ୍ତାଳ ଢେଉର ଜୁଆର । ପୋଖରୀରେ ମାଛ ଭଳି, କାହା ଚାହାଣୀରେ ଆମ ମନ ବରାବର ଲୁଚି ରହିଥାଏ । ଧୈର୍ଯ୍ୟ ରଖି ଅନେଇଲେ ସମବେଦନାର ଅଶ୍ରୁ ଖସିପଡ଼େ । ଅଜାଣତରେ ଦିନ ଅରଣ୍ୟରେ ବନଗଙ୍ଗା ଭଳି ବାଲିର ଗାଲରେ ସୁଅର ଚିହ୍ନ ।

 

ମାଟି ଥିଲେ ଧରଣୀରେ ଗାତର ଅଭାବ ନଥାଏ । ପାହାଡ଼ରେ ପଥର ଥିଲେ ଖୋପର ଅଭାବ ନଥାଏ ! ପେଚା ଭଳି କୋରଡ଼ରେ ବସା ବାନ୍ଧି ରହିଲେ ସିନା ପଥୁକୀକୁ ଡରେଇ ହୁଏ । ବନିଶୀ କାଠି ଥିଲେ ଧୈର୍ଯ୍ୟର ଥୋପ ଦେଇ ମାଛର ଗଳା ଝୁଲିପଡ଼େ ଡ଼ୋରିର ଫାଶରେ ଝଟପଟ କଇଦୀ ଭଳି ।

 

କେବଳ ଧରିବାଟା ହିଁ ଗୋଟିଏ କଳା । ଭଲ ଚିତ୍ର କାଗଜଟିକୁ ଧରି ରଖିଲା ପରି ଧରଣୀର ଅସଂଖ୍ୟ ଗାତ ଭିତରେ ସାପ ହୋଇ ପଶିବାର ସାବଧାନୀ ବୁଦ୍ଧି ଯାହାକୁ ଜଣା, ସେହି କେବଳ ଗରଳର ଅଧିକାରୀ । ପାଖ ଟୋକାଟା ବନିଶୀବାଲାର କାନରେ ଫୁସ୍‌ଫୁସ୍‌ କରି କହିଲା–ଶଳା, କବିଟା କି’ରେ ? ଫିଲୋସଫି ଝାଡ଼ୁଛି । ବଢ଼େଇ ଦେ ବନିଶୀଟା ।

 

ବନିଶୀଟାର ଡୋରିକୁ ଲମ୍ବେଇଦେଲି ନଦୀର ଆହୁରି ଭିତରକୁ । ନିଶ୍ୱାସକୁ ଥରେ ଥରେ ଝିଙ୍କିଲା ଭଳି ନାଭି ଭିତରକୁ ।

 

ବ୍ଲାଉଜ୍‌ ଡୋରି ନାହି ଛୁଇଁଲା ଭଳି ଲମ୍ବି ଆସିଲା ମେଘର ଛାଇ । ସୂର୍ଯ୍ୟକୁ ଗୁରେଇ ଦେଲା ପରି ମୋର ସୋଲ ଝୁଲିଗଲା ଭିତରକୁ ଏବଂ ଏତେ ଶ୍ରୀଘ୍ର ଡୁବିଗଲା ଯେ ମୁଁ ଝିଙ୍କିଆଣି ଦେଖିଲି ଏକ ଜିଅନ୍ତା ମାଛ ସାପ ମୁହଁରେ ବେଙ୍ଗ ଝୁଲିଲା ଭଳି ।

 

ପାଖ ପଡ଼ିଶା ସମସ୍ତେ ଦୌଡ଼ି ଆସିଲେ । ସବୁଠୁ ଆଶ୍ଚର୍ଯ୍ୟ କଥା, ଯେଉଁ ସୁନ୍ଦରୀ ଝିଅଟି ପାଇଁ ସବୁ ଟୋକାଏ ମାଛ ଧରିବା ନାଁରେ ଟହଲ ମାରୁଥିଲେ, ସେ ମେଘ ଭଳି ହଠାତ୍‌ ଓହ୍ଲାଇ ଆସିଲା ମାଟିକୁ ବର୍ଷାର ଗନ୍ଧ ନେଇ ।

 

ଝୁଲନ୍ତା ମାଛର ଗାଲିରେ ବିଦ୍ଧ ହୋଇଥିବା ବନିଶୀ କଣ୍ଟାରୁ ମାଛକୁ କାଢ଼ିନେବା ପାଇଁ ସମସ୍ତଙ୍କ ହାତ ଲମ୍ବି ଆସିଥିଲା । ମେଘର ବନିଶୀରେ ଥୋପ ଭଳି ଝୁଲି ରହିଥିବା ଅସ୍ତ ସୂର୍ଯ୍ୟକୁ ପାହାଡ଼ ଖୋଜିଲା ଭଳି । ଆକାଶର ପୋଖରୀରୁ ପାହାଡ଼ର ତୀଖରେ ଛଟପଟ ଅସ୍ତ ସୂର୍ଯ୍ୟର ଗାଲିରେ ବିଦ୍ଧ ରକ୍ତାକ୍ତ ଅରଣ୍ୟର କଣ୍ଟା ।

 

ନାଁ ତାର ବନାନୀ । ଝିଅଟିଏ । ମାଛ ଉପରେ ତା’ର ଲୋଲୁପ ଆଖି ମୋ ଦୃଷ୍ଟିର ଡୋରିରେ ଝୁଲି ରହିଥିଲା ଠିକ୍‌ ଏକ ମାଛ ଭଳି ଜିଇଁବା ନ ଜିଇଁବାକୁ ଯନ୍ତ୍ରଣା ଭିତରେ । ଟୋକାଦଳ ମତେ କହିଲେ, ସାବାସ୍‌ ବେଟା । ପୋଖତ ଶିକାରୀ । ଆମେ ଦୀର୍ଘ ସମୟ ଧରି ଯାହା ପାରିଲୁ ନାହିଁ, ମନ୍ଦିରରେ ଦଧିନଉତି ବସାଇ ନିହଣ ଫିଙ୍ଗି ପଳେଇଲେ ହେବନି ବାପା । ଆଉ ଏକ ମାଛ ଧରି ଦେଖେଇ ଦେ ତୋ କରାମତି । ଚିଅର୍‌ ଅପ୍‌ ! ଚିଅର ଅପ୍‌ । ଅବସରପ୍ରାପ୍ତ ଚୋଠା ବୁଢ଼ାଟା ତା’ ଝିଅ ହାତକୁ ମାଛଟା ବଢ଼େଇଦେଇ ବନିଶୀ କଣ୍ଟାରେ ପୁଣି ଥୋପ ଧରେଇଦେଲା ।

 

ମାଛ ଧରିବା ନାଁରେ ନଈ ଆର ପାରି ଝିଅମାନଙ୍କୁ ଚାହିଁ ଚାହିଁ ସୋଲ ବୁଡ଼ିବା ଉଠିବା ନ ଦେଖି ପାରିବାର ବଦଭ୍ୟାସ ମୋର ନ ଥିଲା । ବୁଢ଼ା ଆଜି ତାହାରି ଘରେ ମୋର ରାତ୍ରି ଭୋଜନ ପାଇଁ ଆୟୋଜନ କରିସାରିଥିଲା ଏକଥା କାହାକୁ ଅଛପା ରହିଲା ନାହିଁ ।

 

ଏଣିକି ସୋଲ ବୁଡ଼ିବାରେ ଉଠିବାରେ ମୋର କାହିଁକି, ନଈର ବି ଆଗ୍ରହ ନଥିଲା । ବନଗଙ୍ଗାର ବହିବାର କଳା ଦୁଇକୂଳକୁ ଜଣାଥିଲା । ଫୁଲ ଝରିବାର କଳା ସୁଅକୁ ଅଛପା ନ ଥିଲା ଯେପରି ଫୁଟିବାର କଳା ପ୍ରଜାପତିକୁ । ମାଛର ପହଁରିବାର କଳାନଦୀକୁ ଅଜଣା ନ ଥିଲା । ଯେପରି ବରଷିବାର କଳା ଆକାଶକୁ ।

 

ଏଣିକି ପ୍ରତ୍ୟହ ସଂଧ୍ୟାରେ ମାଛ ଧରିବାଟା ହେଲା ମୋର ବାହାନା । ମୋ ହାତରେ ନାରୀ ହେଲା ମାଛ । ତା’ର ସଲ୍ଲଜ ଚାହାଣୀର ମୋର ପନିକି ଧାରର ଆଖି ଧିରେ ଧିରେ କେଳେଇ କେଳେଇ କାତି ଛଡ଼େଇ ଥିଲା ସଉକରେ । ଅନ୍ଧାର ଛଡ଼ଉଥିଲା ତାରାର କାତି ବନଗଙ୍ଗା ତୀରେ ।

 

କେତେ ନାରୀର ବ୍ଲାଉଜ୍‌ ଓ ସେଲୁଆର୍‌ କାତିରେ ଭରିଉଠୁଥିଲା ବନଗଙ୍ଗା ତୀର ରାତ୍ରିର ଚିଡ଼େଇ । କାହାର ଆଇଁଷ ହାତର ଆଉଁଷାରେ ମୋର ସମ୍ମୋହନ ବନଗଙ୍ଗା ତୀର ନିର୍ଜ୍ଜନ ବଙ୍ଗଳାରେ ଚହଟିଲା ପ୍ରଣୟର ଗୃହବାସ୍ନା ।

 

ମ୍ୟୁନିସିପାଲଟି ନିର୍ବାଚନ ଆଜି ସଇଲା । ବନାନୀର ଭାଇ ଯେ ଭୋଟ ଲଢ଼େଇରେ ବ୍ୟସ୍ତ ରହି ଘରକୁ ଫେରି ନଥିଲା । ଆଜି ଶୁଣିଲି ଫଳାଫଳ ଶୁଣିବାକୁ ଅପେକ୍ଷା କଲାବେଳକୁ ଭୋଟବାକ୍‌ସ ହରଣଚାଳ ।

 

ପୋଲିସ ଅନୁସନ୍ଧାନ ଚାଲିଛି । ବନଗଙ୍ଗାରେ ମାଛଧରା ବି ଚାଲିଚି । ସହରରେ ଗୁଜବ୍‌, ଭୋଟବାକ୍‍ସ ନଈରେ କିଏ ଡୁବେଇ ଦେଇଛି । ଏତେ ବଡ଼ ନଦୀ ଭିତରୁ ସାମାନ୍ୟ ଗୋଟିଏ ବାକ୍‌ସ ନଈପଠାରେ ବାଲିଗରଡ଼ା ଭଳି କେଉଁଆଡ଼େ ଯେ ହଜିଯାଇଥିବ, ତାକୁ ଖୋଜି ପାଇବା ବଡ଼ କଷ୍ଟ ।

 

ଭୋଟରେ ଜିତିବା ହାରିବାଟା ବଡ଼ କଥା ନୁହେଁ । କଥା ହେଲା ଦିନ ଦି’ ପ୍ରହରରେ ଗଣତନ୍ତ୍ରକୁ ଏକ ନଦୀରେ ଡୁବେଇଦେବା କି ଜଘନ୍ୟ ଅପରାଧ । ଏହି କଥା ନଦୀ କୂଳରେ ଗପ ପଡ଼ୁ ପଡ଼ୁ ବନାନୀ ମୋତେ କହିଲା, ଭୋଟବାକ୍‌ସ ହରଣଚାଳ ହୋଇ ନ ଥିଲେ ମୋ ଭାଇ ନିଶ୍ଚୟ ଜିତିଥାନ୍ତା ।

 

ଆମେ ଏମିତି ଗପୁଗପୁ ପାଖ ବୁଢ଼ାଟିଏ ବଡ଼ପାଟିରେ ଡାକ ହାଣିଲା । ଦୌଡ଼ି ଆସରେ ପିଲେ, ଗୋଟେ ମସ୍ତବଡ଼ ମାଛ । ଡୋରି ଛିଡ଼ିଯିବ କି କ’ଣ ? ବାପା ଲୋ, ଜନମରୁ ଏମିତି ମାଛ ମୁଁ ଦେଖିନାହିଁ ।

 

ଦୀର୍ଘଦିନ ଧରି ଯେଉଁମାନଙ୍କ ବନିଶୀରେ ମାଛ ପଡ଼ୁ ନ ଥିଲା, ଏଣିକି ସେମାନଙ୍କ ବନିଶୀରେ ମାଛ ପଡ଼ିବା ଆରମ୍ଭ କଲାବେଳକୁ ମୋର ଡୋରି ଛିଡ଼ିବା ଆରମ୍ଭ କଲା ।

 

ମୁଁ ବି ବୁଢ଼ା ପାଖକୁ ଦୌଡ଼ିଗଲି ଆଗ୍ରହରେ । ତିନି ଚାରିଜଣ ଯୁବକ ଡୋରି ଧରି ଟାଣିଲା ବେଳକୁ ଦେଖିଲି ମାଛ ବଦଳରେ ଗୋଟିଏ ବୁଜୁଳା । କନାରେ ଗୁରାହୋଇ ଥିବା ବୁଜୁଳା ଖୋଲି ଦେଖିବା ପୂର୍ବରୁ ସହରରେ ଭୋଟବାକ୍‌ସ ମିଳିଗଲା ବୋଲି ରାଷ୍ଟ୍ର ହେଲା ।

 

ପୋଲିସ୍‌ରେ ଖବର ଦିଆଗଲା । ଜିଲା ଅଧିକାରୀ ଆସି ପହଞ୍ଚିଗଲେ । ଲୋକଙ୍କର ଭୋଟ ଅଧିକାରକୁ ନଈରେ ଡୁବାଇ ଦେବା କ’ଣ ସହଜ ? ଚାରିଆଡ଼େ ସେହି ଗୋଟିଏ କଥା । କିଏ ଜିତିବ ହାରିବ ବଡ଼ କଥା ନୁହେଁ । ବଡ଼ କଥା ହେଲା ଏ ଦେଶରେ ଗଣତନ୍ତ୍ର ବଞ୍ଚିବ କିପରି ? ଯାହାହେଉ ଆଶ୍ୱସ୍ତିର କଥା ଗଣତନ୍ତ୍ରଟା ମାଛ ହୋଇ ବନିଶୀ କଣ୍ଟାରେ ଲାଗିଯିବାରୁ ସିନା ଚାକିରିଟା ରହିଗଲା ।

 

ଜିଲା ଅଧିକାରୀଙ୍କ ଅଧସ୍ତନମାନେ ବୁଜୁଳା ଭିତରୁ ଛୋଟ ଫଟା କାଠ ବାକ୍‌ସଟିକୁ ଖୋଲିଦେଲା ବେଳକୁ ଦେଖାଗଲା ଏକ ମଲା ପିଲାର ଶବ ।

 

କଅଁଳା ଛୁଆକୁ ଜନ୍ମଦେବ ମା’ ତାର ଅବୈଧ ସନ୍ତାନଟିକୁ ନିଜ ହାତରେ ହତ୍ୟାକରି ନଦୀ ଗର୍ଭକୁ ଉଜେଇ ଦେଇଛି ଫଟାବାକ୍‌ସ ଭିତରେ ନକଲି ଭୋଟ ଗଳେଇଲା ଭଳି ।

 

ସମସ୍ତଙ୍କ ମୁହଁରେ ଗୋଟିଏ କଥା । ଜିଲା ଅଧିକାରୀ ବଡ଼କଷ୍ଟରେ କହିଲା, ବର୍ତ୍ତମାନ ପ୍ରଶ୍ନ ହେଉଛି ଖୁବ୍‌ ଶୀଘ୍ର ତଦନ୍ତ କରି ପ୍ରମାଣ କରିବାକୁ ହେବ ଛୁଆଟା କାହାର ?

 

ବର୍ତ୍ତମାନ ସହରରେ ଭୋଟକଥା ସମସ୍ତେ ଭୁଲିଗଲେ । ଚାରିଆଡ଼େ ଆଲୋଚନା ଛୁଆଟା କାହାର ?

 

ପୁଣି ବନିଶୀ ଆଣି କୂଳରେ ବସିବାର ସ୍ପୃହା ନାହିଁ । ଟୋକାଙ୍କ ଭିତରେ ଗୁଲି ଗପ–କିଏ କହୁଛି କଥା ରହିବ ଯେତେ ଅବିବାହିତ ଝିଅ ଅଛନ୍ତି । ସମସ୍ତଙ୍କର ସ୍ତନ ଛୁଇଁବାକୁ ଯଦି ଜିଲା ଅଧିକାରୀଙ୍କର ନିର୍ଦ୍ଦେଶ ମିଳନ୍ତା ନା ! ଆରେ ଟାଣ ଟାଣ ସୋଲ ବୁଡ଼ିଗଲା ।

 

ଖାଲି ବନିଶୀଟା ଧରି ବଙ୍ଗଳାକୁ ଯେତେବେଳେ ଫେରି ଆସିଲି, ଦୂରରେ ସେଇ ସୌମ୍ୟ ରୂପସୀର ମୁହଁ ମଲାମାଛର ସ୍ଥିର ଆଖି ଭଳି ନିଷ୍ପ୍ରଭ । ଯେପରି ଗଣତନ୍ତ୍ର ତାହାର ଗର୍ଭରୁ ବାହାରି ଆତ୍ମହତ୍ୟା କରିଛି ବନଗଙ୍ଗାରେ ।

Image

 

ସଭ୍ୟତାର ଶବ

 

ତୁମ ହାତରେ ମନେକର ମୁଁ ଗୋଟାଏ ଆକାଶ ତୋଳିଦେବି, ତୁମେ ସେଠାରେ ଇନ୍ଦ୍ରଧନୁର ସ୍ୱପ୍ନ ଦେଖିବ । ଯଦି ଗୋଟାଏ ଇନ୍ଦ୍ରଧନୁ ଫୁଟାଇବି, ତୁମେ ସାତୋଟି ରଙ୍ଗକୁ ଗଣିବ । ତୁମ ରକ୍ତାଭ ପାପୁଲିରେ ଯଦି ସମୁଦ୍ରଟେ ଢାଳିଦେବି, ତୁମେ ଏକ ରୂପାର ଜାହାଜ ଚାହିଁବ ।

ସାଗର ଭିତରେ ପାହାଡ଼ ।

ଅରଣ୍ୟଯାକ ଗଛ । ପଥର ଦେହରେ ଶିଉଳି । ଚଟାଣ ସାରା ବାଲି ଓ ଶାମୁକାକୁ ନେଇ କାଚ ଜାର ଭିତରେ ଖେଳାଉଥିବା ସୁନାର ମାଛ ହିଁ ତୁମର ସମୁଦ୍ର ବୋଲି ଜାଣିଥିଲେ, ମାଟିର ନାବିକ ହୋଇ ହୁଲି ଡଙ୍ଗାରେ ଉଜେଇ ଦେଇଥାନ୍ତି ତୁମର ସ୍ମୃତି ।

ଡଙ୍ଗା ସାରା ଜାତି, ମାଛର କାତି । ତୁମର ଆଇଁଷ ହାତରେ ତୋଳିଦେବା ପାଇଁ ପୁଣି ଜିଦି । ମୋର ଆକାଶ ଲୋଡ଼ା ନାହିଁ, ମୋ ହାତରେ ତୋଳି ଦିଅନା ଏକ ଦୂରନ୍ତ ବିହଙ୍ଗ । ତା’ର ଉଜ୍ୱଳ ପରକୁ ଜୁଡ଼ାରେ ଖୋସିଦିଅନା ! ମୋର ସମୁଦ୍ର ଲୋଡ଼ା ନାହିଁ, ଫେନୀଳ ଉଚ୍ଛ୍ୱାସ ଭିତରୁ ପୋହଳାଟିଏ, ତିମି ଗର୍ଭରୁ ମୋତିଟିଏ…

ତୁମମାନଙ୍କର ଯେଉଁ ଲୋଭ ଯେତେ ଦେଲେ ବି ସେଥିରେ ତୃପ୍ତି ନାହିଁ । ଯେତେ ଦେଖେଇଲେ ବି ତା’ର ସୀମା ନାହିଁ । ତୁମେ ଏକ ଜ୍ୱଳନ୍ତ କାମନାର ଆକାଶ, ଯା’ର ବ୍ୟାପ୍ତି ମଣିଷର ବୟସକୁ ଲୁଟିନିଏ । ତୁମେ ଏକ ଗଭୀର ସମୁଦ୍ର, ଯା’ର କଳନାରେ ଆୟୁଷର ମୃତ୍ୟୁ ହୁଏ-

ସେ ମୋ ଉପରେ ଅଭିମାନଭରା ଆହତ ସୁଲଭ କଣ୍ଠରେ ଝଡ଼ ସୃଷ୍ଟି କରି କହିଲେ, ନାଇଁତ ଖାଲି ବୋମା, ଛୁରା, ବନ୍ଧୁକ କଥା କହିଲେ ତମେ ମୋତେ ସରଗରେ ବସେଇଦେବ !

ମୁଁ ତାଙ୍କୁ ଅଧିକ କୁହାଇ ନଦେଇ କହିଲି, ତୁମ କପାଳରୁ ସିନ୍ଦୂର ପୋଛି ନେବାର ବେଳ ଏଇନେ ହେଇନି । ହେଲେ ତୁମ କପାଳର ଜ୍ୱଳମାନ ଏଇ ସିନ୍ଦୂରର ରଙ୍ଗ ରାତିର ତକିଆ ଦେହେ ତାଳି ହେବାର ବୟସ ଆମର ଅତିକ୍ରାନ୍ତ ହୋଇସାରିଲାଣି ।

ଇସ୍‌, କେଡ଼େ ପାପୀ ତୁମେ ! କ’ଣ ନା କ’ଣ କହିଦେଉଚ ! ! ଭାବପ୍ରବଣ ଲୋକ କ’ଣ କେବେ ବିପ୍ଳବ କରିପାରେ ? ତାଙ୍କର ଆଖି ଛଳ ଛଳ ହେଇଗଲା ।

ମୁଁ ଭୁଲେଇ ଦେବାପାଇଁ ବାଇନାକୁଲାରଟିଏ ଧରେଇଦେଲି । ସେ ଉର୍ଦ୍ଧ୍ୱକୁ ଚାହିଁଲେ । ଆକାଶକୁ । ଯେମିତି ଥପ୍‌ ଥପ୍ ବରଷା ଏଇନେ ଅଜାଡ଼ି ହେଇ ପଡ଼ିବ ।

ତୁମେ ଉର୍ଦ୍ଧ୍ୱମୁଖୀ ହେଲେ ବିପଦ । ତଳକୁ ଚାହଁ, ମାଟିକୁ ଚାହଁ । ତା’ରି ଭିତରେ ଆକାଶ ଦେଖ । ତୁମ ବାରିଆଡ଼ ଗାଡ଼ିଆରେ ମଧ୍ୟ ସ୍ୱଚ୍ଛ ଆକାଶର ବିଶାଳତାକୁ ଦେଖାଯାଇପାରେ ।

ସେ ମୋ କାନ ପାଖେ ଓଠ ଲଗାଇ କହିଲେ, ବାଇନାକୁଲାରର ମୋଟା ଲେନ୍‌ସ ଦେଇ ଆକାଶ ଦେଖିହୁଏ । ସମୁଦ୍ରର ଉତ୍ତାଳ ତରଙ୍ଗକୁ ଗଣାଯାଇପାରେ । ଦୂର ପାହାଡ଼ର ଶିଖରକୁ ବି ମପାଯାଇପାରେ । କିନ୍ତୁ ନିଜ ପାଖରେ ଥିବା ପରିବେଶକୁ ମଣିଷ ଭୁଲିଯାଏ । ମାଂସ ଆଖି ଆଉ ଚଷମାର ଲେନ୍‌ସ ଭିତରେ ଦୂରତାର ଯେଉଁ ସଂପର୍କ ତାହା ତୁମ ଭଳି ଅନଭିଜ୍ଞ ଅପରେଟର୍‌ ଜାଣିବ କୁଆଡ଼ୁ ?

ତାଙ୍କୁ କିଭଳି ଭାବରେ ତୃପ୍ତି ଦିଆଯାଇପାରେ, ମୁଁ ଏକ ଅନାକାଂକ୍ଷିତ ଚିନ୍ତାରେ ସନ୍ତୁଳି ହେଉଥିଲାବେଳେ, ସେ ମୋର ରକ୍ତକୁ ଦୋହଲାଇ ଦେଇ କହିଲେ, ହେଇ ସମୁଦ୍ରରେ ଟିକେ ଡୁବ୍‌ ମାରନ୍ତେ !

 

ମୋର ଅପ୍ରକାଶିତ ବିରକ୍ତିର ମୁହଁ ତାଙ୍କ ହାତରେ ଧରା ଦେଉ ନ ଦେଉ ସେ କହିଲେ, ମୋର ଆଖିରେ କ’ଣ ଗୋଟେ ପଡ଼ିଗଲା ଦେଖିଲ ଦେଖିଲ !

 

କାଇଁ କିଛି ନାଇଁ ତ !

 

ଭଲ କି ଦେଖନା !!

 

ଡୋଳା ତଳେ ତଳେ ଛଳନାର କେଇ ବୁନ୍ଦା ଢଳ ଢଳ ଲୁହ । ତା’ପରେ ତୁମ ଆଖିର କଜଳ । ଅନ୍ଧକାରର ଅସହ୍ୟ ନୀରବତା । ଡୋଳା ଦୁଇଟିରେ ପିଲାଖାଇ ଡାହାଣୀର ତନ୍ମୟତା... ।

 

ତା’ପରେ ପୋଡ଼ିଲା ପୋଡ଼ିଲା ପ୍ରଳାପ ।

 

ଅଧା ଉଡ଼ିଲା ପଣତ କାନିକୁ ବଢ଼େଇଦେଇ କହିଲେ, ଲୁହ ଟିକେ ପୋଛି ଦିଅନା ! ତୁମର ଶାଢ଼ୀ ନୀଳ ଆକାଶରେ ଉଜ୍ୱଳ ପ୍ରକାଶ । ଯାହା ବଦଳାଏ ଧୋବା ତୁଠରେ ଚରିତ୍ରର ଛିନ୍ନ ଅଙ୍ଗବାସ ।

 

ମୋତେ ଛାଡ଼ି ଚାଲିଯିବାର ଉପକ୍ରମ ।

 

ହାତ ଛିଞ୍ଚାଡ଼ିବାରେ କାଚ କେଇପଟ ଭାଙ୍ଗିଗଲା । ଯେଉଁମାନଙ୍କର ହାତରେ କାଚ ଉପରେ ନିଜର ବିଶ୍ୱାସ ନଥାଏ କିମ୍ବା ଲୁହାର ଆଲମିରା ଭିତରେ ସୁନାର ଙ୍କକଣ ଥାଏ, ତାଙ୍କର କାଚ ଏହିପରି ଅବେଳରେ ଓ ବିଳାସରେ ଭାଜେ ।

 

ପ୍ରତି କଥାରେ ଚିଡ଼େଇଲେ ମୁଁ ବଞ୍ଚିବି କିପରି କୁହ ତ... ! ଆରେ ଦେଖ ତ, ଡୁବ ମାରୁ ମାରୁ ମଣିଷଟା କେମିତି ଡୁବିଗଲା ?

 

ବିଳାସୀ ଲୋକ ଡୁବେ । ପ୍ରତିକ୍ରିୟା ସମୁଦ୍ରର ନଥାଏ । ସନ୍ତରଣକାରୀର ଶବ ଢେଉ ଉଠାଏନା । ସଂଗ୍ରାମୀ ନୋଳିଆ ରମଣୀର ଅତୁଟା କାଚ ଥରେ ତୁଟିଗଲେ ମୁକ୍ତି ଆଣେ, କେବଳ ଢେଉ ନୁହେଁ, ଜୁଆର ଉଠାଏ ।

 

ଲୋକଟା ଡୁବିଲା କାହିଁକି ଚାଲ ଦେଖିବା !

 

ଅତିରିକ୍ତ ମଦ୍ୟପାନରେ ମାତାଲ ମଣିଷର ନିଶାକୁ ସମୁଦ୍ର ଛଡ଼ାଇ ଲହଡ଼ିରେ ଫୋପାଡ଼ି ଦେଇଛି କୂଳକୁ ।

 

ତୁମକୁ ଏଇ ସମୁଦ୍ରର ପାଣି ମଦ ଭଳି ଦିଶୁନାହିଁ ତ ? ମଦର ସମୁଦ୍ରରେ ମଣିଷଟି ପହଁରୁଛି । ମଦ ଯଦି ସମୁଦ୍ର ହୁଏ, ତେବେ ମଣିଷଟି ମାଂସ । ଏଇ ବାଇନାକୁଲାରଟି ହେଉଛି ଗୋଟିଏ କଣ୍ଟା ଚାମୁଚ । ଏ ଆକାଶଟା ଝୋଳର ପ୍ଲେଟ । ତମେ ବି ସେଥିରେ ଭାସୁଛ ।

 

ଛାଡ଼, ତମର ସେ ଭାବପ୍ରବଣତା !

 

ହଠାତ୍‌ ତମର ଜିପ୍‌ ଆସି ପହଞ୍ଚିଗଲା । କ’ଣ ପ୍ରଚାର ସରିଲା ? ହଁ ନୋଳିଆ ବସ୍ତିରେ ଆମର ସେଣ୍ଟ ପରସେଣ୍ଟ । ଇସ୍ କି ଉତ୍କଟ ଗନ୍ଧ ! ଆରେ ଦେଖୁଚ କ’ଣ ? ଶବଟାକୁ ଭସାଇ ଦିଅ-। ବିରୋଧି ଦଳ ଫାଇଦା ଉଠାଇ ପାରନ୍ତି । ଗାଁ ଗୋହିରୀ, ସହର ପ୍ଲାଟଫର୍ମ କିମ୍ବା ଫୁଟପାଥ୍‌ ଉପରେ ଶବ ଥିଲେ, ନ ଉଠାଇଲେ କ୍ଷତି । ଏଠି ତ.....

 

ତାଙ୍କ ଭିତରୁ ଜଣେ କିଏ କହିଲା, ଲୋକଟା ମରିଚି କି ନାହିଁ ନଦେଖି.....ହେତ୍‌ ମଦୁଆଙ୍କ ପାଖକୁ ଯିବା ଦୋଷାବହ ।

 

ମୋର ମନେହେଲା ଯେପରି ସମସ୍ତଙ୍କ ପାଦଗୁଡ଼ା ନିଶାରେ ଟଳମଳ ହେଉଥିଲା । ସେମାନେ ଯେତେବେଳେ ଯିବାକୁ ବାହାରିଲେ, ମୁଁ ଏତିକି କହିଲି–ଠିକ୍ ଅଛି, ଆପଣମାନେ ଭୋଟରେ ଜିତିଲେ, ବିଧାନସଭାରେ କହିବେ, ବାସ୍ତବିକ ଲୋକ କେହି ମରୁନାହାନ୍ତି ଖାଦ୍ୟ ବିନା । ଅନାହାରରେ ମରିବାର ଅଭିଯୋଗ କେବଳ ଇର୍ଷା ପ୍ରଣୋଦିତ । ମଣିଷମାନେ ଖୁବ୍‌ ବିଳାସରେ ଅଛନ୍ତି । ମଦ ପାନକରି ମାତାଲ ହୋଇ ଗଡ଼ୁଛନ୍ତି ।

 

ସେ ମୋତେ କହିଲେ, ଭୁଲ୍‌ ହୋଇଗଲା–ସେମାନଙ୍କ କଥା କିଛି ଭାବିବେନି ।

 

ଆଜି ସମସ୍ତେ ମାତାଲ । ମାତାଲ ମଣିଷ ଭାସୁନି । ଜୀର୍ଣ୍ଣ ସଭ୍ୟତାର ଶବ ଭାସୁଛି । ଏ ଗନ୍ଧ ମଦର ନୁହେଁ । ଜୀବନ୍ତ ମଣିଷ ଶବର, ସଭ୍ୟତାର । ଆକାଶରେ ଉଡ଼ୁଥିବା ପକ୍ଷୀର ଛାଇରେ ଛତାତଳର ଶୀତଳତା ଆଶା କରିବା ବୃଥା । ଆକାଶର ଉର୍ଦ୍ଧ୍ୱରେ ରହି ହେଲିକେପ୍‌ଟରରେ ଶବ ଗଣିବାଟା ବି ଠିକ୍ ସେୟା । ଯେପରି ବାଇନାକୁଲାର ସାହାଯ୍ୟରେ ଦୂର ସମୁଦ୍ରର ସୀମାନ୍ତକୁ ଦେଖିହୁଏ, ହେଲେ ସମୁଦ୍ରର ଉପାନ୍ତରେ ଥିବା ବିଶାଳ ଜୀବନକୁ ନୁହେଁ ।

 

ତା’ ପରେ ସେ ମୋତେ ହାତ ହଲେଇ କହିଲେ, ବାଇ, ବାଇ, ଯାଉଛି । ଭୋଟ ପରେ ଦେଖାହେବ ।

 

ସେମାନେ ଚାଲିଗଲେ । ସେମାନଙ୍କର ଟଳମଳ ପାଦଚିହ୍ନ ଗୁଡ଼ିକ ହାବୁକାଏ ଲହଡ଼ିର ଜଳରେ ନିଶ୍ଚିହ୍ନ ହୋଇଗଲା । ମୁଁ ଅବିଚଳିତ ଭାବରେ ଠିଆ ହୋଇ ଦୂରରୁ ଦେଖୁଥିଲି ।

Image

 

Unknown

ହାତକଡ଼ି

 

ତା’ର ହାଡ଼ୁଆ ହାତ ଉପରେ ହାତକଡ଼ିଟା ଶିରା ଦୁହିଁ ଜାବୁଡ଼ି ଧରିଥିଲା । ତଥାପି ତା’ର ମୁହଁରେ ଭରି ରହିଥିଲା ଏକ ନିର୍ବାଣ ଦିବ୍ୟଜ୍ୟୋତିର ଆଭା । ତା’ର ଶେତା ପାପୁଲି ଭିତର ରେଖା ପୋଲିସର କୁଞ୍ଚିତ କପାଳର ଗାରଠାରୁ ସ୍ପଷ୍ଟ ଓ ଅମ୍ଳାନ । ତା’ର ଖାଲିପାଦର ତଳିପାରେ ମାଟିତଳ ଦୋହଲି ଉଠୁଥିଲା ।

 

ତା’କୁ ଚଲେଇ ଚଲେଇ ନିଆଗଲା । ଏତଦ୍‌ବ୍ୟତୀତ ଅନ୍ୟକିଛି ଉପାୟ ନଥିଲା । ଗାଁ’ର ବିଲବାଡ଼ି ଡେଇଁଲେ ଯାଇ ସଡ଼କ । କିଆରୀରେ ପାଣି । ସବୁଜ ଧାନପତ୍ରର ଲହଡ଼ି । ହିଡ଼ରେ ହିଡ଼ରେ ପୋଲିସ ବୋଟ୍‌ର ଖୋଜ । ଲୁହାର ଗୋଜରେ ଦଳିଲା ମାଟି, କିନ୍ତୁ ତାହାର କୋମଳ ପାଦର ଜୋତା ହଜା ତଳିପା ଗାଁ’ର କାନ୍ଥରେ ଅଙ୍କିତ ଝୋଟିଚିତାର ବିଶ୍ୱାସ ପାଦଭଳି ଆଙ୍କି ଚାଲିଥିଲା ମାଟିର ଦେହରେ ଶେଷ ସ୍ମୃତିର ଦାଗ । ସେଇ ଚିହ୍ନ ଭିତରେ ଥିଲା ଏକ ନିଃସ୍ୱ ପୃଥିବୀର ମାନଚିତ୍ର । ପୋଲିସର ଲୁହା ଖୋଜର ଚିହ୍ନ ଭିତରେ ଭରି ରହିଥିଲା ଅନ୍ଧକାରର ହାହାକାର ମରୁଗର୍ତ । ଏକ ନିଛାଟିଆ ଶ୍ମଶାନର ପୋଡ଼ା ଅଙ୍ଗାର । ଅନେକ ହାତର ଭଙ୍ଗା କାଚଗୁଣ୍ଡ । ତା’ ମାଆର ଲୁହଭିଜା ମାଟିରେ ଛିଡ଼ି ପଡ଼ିଥିବା ରୂପାର ବଟଫଳକୁ କଚାଡ଼ି ଭାଙ୍ଗି ଦଳି ଦଳି ଉଦାସ ନିର୍ଜନ ହିଡ଼ରେ ପୋଲିସ ଚଲେଇ ଚଲେଇ ନେଇଥିବାର ଦୃଶ୍ୟ ଅନ୍ୟ କାହାପାଇଁ କରୁଣ ହୋଇପାରେ; କିନ୍ତୁ ତାହାପାଇଁ ଥିଲା ଏକ ଆହ୍ୱାନ । ବଜ୍ର ଶପଥ, ଆଦର୍ଶର ନିଶା ।

 

ସଂଧ୍ୟା ନଇଁ ଆସୁଥିଲା । ସନ୍ଧ୍ୟାର ଆକାଶ ଏକ ରାଜଯକ୍ଷ୍ମା ରୋଗୀର ପିଞ୍ଜରା ଭଳି ଦିଶୁଥିଲା । ପିଞ୍ଜରାର ଶୋରା ଶୋରା ହାଡ଼ ଭିତରେ ରକ୍ତଗୋଳା କଫ ଓ ଖଙ୍କାର ଭଳି ଖଣ୍ଡ ଖଣ୍ଡ ମେଘ ଓହଳି ରହିଥିଲା । ତଳେ ମାଟିରେ ଏକ ମୃତନୀଳ ଆସନ୍ନ ମଣିଷର ଶେଷ ଶେଯ ଭଳି ଉଦାସ କିଆରୀରେ ଏଇ ପଡ଼ିଯିବ ଏଇ ପଡ଼ିଯିବ ଆକାଶର ଅବସ୍ଥା । ସବୁଜ ମଶିଣା ଉପରେ ଦୂର ଦିଗନ୍ତଟି ଟଳିପଡ଼ିଲା ବେଳକୁ ନିଶୂନ୍‌ ନୀରବତା ଭିତରେ ଶେଷହୀନ ହିକା ଭଳି ପୋଲିସ ବୁଟ୍‌ର ଧ୍ୱନି ।

 

କାଦୁଅ ହିଡ଼ରୁ ମୋରମ ସଡ଼କ । ଜିପ୍‌ଟା ଅପେକ୍ଷା କରି ରହିଥିଲା । ଆସାମୀକୁ ବସେଇ ଦିଆଗଲା । ସହର ଥାନାକୁ ନିଆଯିବା ପୂର୍ବରୁ ତା’ର ପାଦରେ ଲୁହାର ଶିକୁଳି, ଅଣ୍ଟାରେ ଶକ୍ତ ପଘା । ଚାରିପଟେ ବନ୍ଧୁକଧାରୀ ପୋଲିସ । ବାଘକୁ ସର୍କସ ଜନ୍ତା ଭିତରେ ଘେରି ରହିଥିବା ଖେଳାଳୀମାନଙ୍କର ଅହମିକାକୁ ଦେଖିବା ପାଇଁ ଦର୍ଶକଙ୍କର ଉତ୍କଣ୍ଠା ଭଳି ଜିପ୍‌କୁ ଘେରି ଯାଇଥିଲେ ପାଖ ପଡ଼ିଶା ଗାଁର ଛୁଆ, ବୁଢ଼ା, ଯୁବକ ।

 

କଲେଜ ପଢ଼ୁଆ ପିଲାଟିଏ ପଚାରିଦେଲା, ‘‘ଆଜ୍ଞା, ୟାକୁ କୁଆଡ଼େ ନେଉଛନ୍ତି ?’’ ପୋଲିସ ଭିତରୁ ଜଣେ କିଏ କହିଲା–ମାମୁଁ ଘରକୁ । ପିଲାଟି ନିର୍ଭୟରେ କହିଲା, ତେବେ କଂସ ମାମୁଁ ତ ଏଥର ନିଶ୍ଚୟ ମରିବ । ନ ହେଲେ ଚିଡ଼ିଆଖାନାକୁ ଯାଇଥିବା ହିଂସ୍ର ପଶୁମାନଙ୍କୁ ତ ଏମିତି ନିଆଯାଏନା !! ଆପଣ ତ ଖୁଣୀ ଆସାମୀକୁ ଏମିତି ନିଅନ୍ତି ନାହିଁ ।

 

ପୋଲିସ ଅଫିସର ଜଣେ ପାଟି କରିଉଠିଲା, କିଏ ସେ ବକ୍‌ ବକ୍‌ ହେଉଛି । ଗହଳି ଭାଙ୍ଗ । ଡ୍ରାଇଭର ଗାଡ଼ି ଚଳାଅ । ଆହେ ପିଲେ ତମେ ସବୁ କେମିତି ଜାଣିବ ମଣିଷଟା ସିନା ଦେଖିବାକୁ ଏମିତି ଦିଶୁଚି, ମାତ୍ର ଖୁଣୀଠାରୁ ମାରାତ୍ମକ । ୟା’ର ଘରୁ ଯାହା ଆମେ ପାଇଚୁ ନା, ଶଳାର ବେକରେ ଶିକୁଳି ପକେଇ ନେବା କଥା । ଜଣେ କିଏ ବୁଢ଼ା ପଚାରିଦେଲା, କ’ଣ ଆଜ୍ଞା ବୋମା ପାଇଲେ ନା ବାରୁଦ ।

 

ଅଫିସର ଜଣକ ହସି ହସି ଉତ୍ତରଦେଲେ ବୋମା ନୁହେଁ ଯେ ତାହାଠାରୁ ଆହୁରି ମାରାତ୍ମକ କିଛି ବହି, ଗୋପନୀୟ କାଗଜପତ୍ର ।

 

ଟାଉନ୍‌ଥାନାରେ ଜିପ୍‌ ଲାଗିଲାବେଳକୁ ରାତି ଏଗାରଟା । ପରବର୍ତ୍ତୀ ଦିନ ସକାଳୁ ସକାଳୁ ପୋଲିସ ବିଭାଗର ସର୍ବୋଚ୍ଚ କର୍ମକର୍ତ୍ତାମାନେ ଆସି ହାଜର । ଆସାମୀକୁ ହାଜତ ଗାରଦ ଭିତରୁ ଥାନାର ଏକ ନିଭୃତ କକ୍ଷକୁ ନିଆଗଲା ।

 

ଏସ୍‌. ପି. ସାହେବ ହାତକୁ ଥାନାବାବୁ ବହିଗଦା ଭିତରୁ ଜବତ ହୋଇଥିବା ଖାତାଟିଏ ଆଗ୍ରହରେ ବଢ଼େଇଦେଲେ । ଏସ୍‌. ପି. ବୁଝି ନ ବୁଝିଲା ପରି ପଢ଼ିବାକୁ ଲାଗିଲେ–ହାତରେ ହାତକଡ଼ି ପଡ଼ିଲେ ଛିନ୍ନ କରିବାର ସାହସ ଆପେ ଆପେ ଆସିଯାଏ । ଯାହାର ହାତରେ ହାତକଡ଼ି ଥାଏ, ଫାଡ଼ି ଦେବାର ବଳ ତାହାରି ହାତରେ ହିଁ ନିହିତ । ଯାହାର ପାଦରେ ଜଞ୍ଜିର ଲାଗେ, ସେଇ କେବଳ ଶିକୁଳି ଭଙ୍ଗା କଦମ ତାଳ ପକେଇପାରେ ।

 

ଆଉ ଏକ ପୃଷ୍ଠା ଖୋଲିଲେ ସେହି ଲେଖା–ମୋତେ ଫାଶୀରେ ଝୁଲାଅ । ଦେଖିବ କିପରି ତୁମର ସ୍ଥିତବାନ ଖୁଣ୍ଟି ଦୋହଲି ଉଠୁଛି, ତୁମର ହାତ ଥରିଉଠୁଛି । ମୋତେ ଆଘାତ କର ଦେଖିବ, ମୁଁ କିପରି ତୁମ ସୌଖୀନ ମଗଜ ଭିତରୁ ନୀଳଶିରାକୁ କାଟି କାଟି ଚାଲିଛି ।

 

ପ୍ରଳାପ କରିଉଠିଲେ ଏସ୍‌. ପି. ସାହେବ । ଏ ସମାନ୍ୟ ମଣିଷ ନୁହେଁ, ଗୋଟେ ବିଷଧର ସର୍ପ । ଏହାର ସମସ୍ତ ବିଷକୁ ଏତେ ସହଜରେ କାଢ଼ିବା ସମ୍ଭବ ନୁହେଁ । ଏହାପ୍ରତି ସତର୍କ ଦୃଷ୍ଟି ରଖ । ଚୋଟ ମାରିବା ଏମାନଙ୍କର ଧର୍ମ । ଏତିକି କହି ଏସ୍‌. ପି. ସାହେବ ଅନ୍ୟ କେଉଁ କାମରେ ଗଲେ ।

 

ତା’ ପରେ ଆରମ୍ଭ ହେଲା ପ୍ରହାର । ପ୍ରହାର ପରେ ପ୍ରହାର । କୁହ, ସତ ସତ କରି କୁହ-। ଏସବୁ ଠିକଣା ପାଇଲୁ କେଉଁଠୁ । ଏତେ ବହି ତୋତେ ଦେଲା କିଏ ? ମ୍ୟାପ ଦେଖା କେଉଁଠି ରଖିଛୁ । ଆସାମୀର ନୀରବ ପ୍ରତିକ୍ରିୟାକୁ ବେଖାତିର କରି ବୁଟ୍‌ରେ ଦଳି ପକେଇଲେ ପୋଲିସ ଅଫିସର । ଆସାମୀ ଶୋଷ ଶୋଷ କହି ପାଣି ପାଇଁ ଠାରିବାରୁ ନିର୍ଦ୍ଦେଶ ଦିଆଗଲା କିଏ ଅଛରେ ଏହାର ମୁହଁରେ ମୂତିଦିଅ ।

 

ଆସାମୀକୁ ତଳୁ ଉଠାଇ ଛାତରେ ଝୁଲାଇ ଦିଆଗଲା । ଏକ ଶକ୍ତ ଝୁରା ତାର ଦୁଇବାହୁକୁ ବାନ୍ଧି ରଖିଲା । ପେଟକୁ ଖାଲି ଖୁନ୍ଦା ପରେ ଖୁନ୍ଦା, ମୁଠି ପରେ ମୁଠି । ଗୋଇଠି ଓ ଲାଠିର ଗୋବା ଖାଇ ବି ଆସାମୀ ନିରୁତ୍ତର ଥିଲା ।

 

ନା ପାରିହେବନି । କିଏ ଅଛରେ ୟା’କୁ ଖୋଲିଦିଅ । ଗୋଟାଏ ମୋଟା କମ୍ବଳ ଅଣାଗଲା । ଆସାମୀକୁ ତଳେ ଶୁଆଇଦେଇ ତା’ର ଦୁଇ ହାତକୁ ବାନ୍ଧି ଦିଆଗଲା । ଉପରେ କମ୍ବଳ ଘୋଡ଼ାଇ ଚକଟା, ପିଟା ଓ ପ୍ରହାର । କରୁଣ ହୃଦୟଫଟା ଚିତ୍କାର ବ୍ୟତୀତ ଅନ୍ୟ କିଛି ଉତ୍ତର ମିଳି ନ ଥିଲା ।

 

ପୁଣି ଆଉ ଏକ ପରୀକ୍ଷା । ପରୀକ୍ଷା ପରେ ପରୀକ୍ଷା । ତା’ର ଦୁଇ ଜଙ୍ଘରେ ଲୁହାରଡ଼ ଚଳେଇଲା ପରେ ପରିଶେଷରେ ଏକ ମାଂସକଟା ପୋକ ‘କଲିକତରା’ ତା’ର ନାଭିରେ ରଖାଗଲା-। ତା’ପରେ ଲୁହାର ଢାଙ୍କୁଣୀ । ଢାଙ୍କୁଣୀ ଉପରେ ପୋଲିସର ବୁଟ୍‌ ଚାପି ଧରିଲା । ତା’ର ଛଟପଟ ଦୁଇଗୋଡ଼ ଓ ବାହୁକୁ ବାନ୍ଧି ଦିଆଗଲା । ଏଥର ନ କହି ଯିବୁ କୁଆଡ଼େ । କୁହ, କେଉଁଠି ତୋର ଘାଟି । କାହିଁ ତୋର ନକ୍‌ସା । ଆଘାତ ପରେ ଆଘାତ । ଆସାମୀ ତା’ର ସକଳ ଚେଷ୍ଟା ସତ୍ୱେ ଯନ୍ତ୍ରଣାକୁ ରୋକି ପାରିଥିଲା ସିନା, ହେଲେ ତାହାର ଓଠ ଦେଇ ଦେହସାରା ଝରିଲା ରକ୍ତକୁ ଅଟକେଇ ପାରି ନଥିଲା । ସେ ବିକଳରେ କହିଦେଲା, ମୋତେ ଆଉ ମାରନା...ପାଣି...ପାଣି....ମୋତେ କହିବାକୁ ଦିଅ । ମୁଁ କହିବି...କହିବି ।

 

ସମସ୍ତଙ୍କର ମନରେ ଉତ୍କଣ୍ଠା, ସାର୍ଥକତାର ଢେଉ । ପୋଲିସ ଅଫିସର ଝାଳ ପୋଛିଲେ । ଆସାମୀକୁ ପାଣି ଦିଆଗଲା । ପୁଣି ବିଶ୍ରାମ ନ ଦେଇ ଜେରା । କେଉଁଠି ତୁମର ଘାଟି-। ନକ୍‌ସା କାହିଁ ? କେଉଁଠି ଲୁଚେଇଛୁ । ନକ୍‌ସା ଫକ୍‌ସା ମୁଁ କିଛି ଜାଣିନି; କିନ୍ତୁ ଘାଟି ଦେଖେଇଦେବି ।

 

ସମସ୍ତଙ୍କର ବଦନରେ ତୃପ୍ତିର ରାଜଭୋଗ । ପଦୋନ୍ନତିର ସ୍ୱପ୍ନ । ପୁରସ୍କାରର ଲାଳସା-। ସହରର ଛକ କାଟି କାଟି ଜିପ୍‌ଟି ଛୁଟି ଚାଲିଲା । ଆସାମୀର ପାଦ ଓ ଅଣ୍ଟାରୁ ଶିକୁଳି ମୁକ୍ତ । ସସମ୍ମାନେ ବସାଇ ଦିଆଯାଇଛି ଜିପ୍‌ରେ । କେବଳ ହାତକଡ଼ିଟା ଝୁଲୁଛି ପୁଣି ଗୋଟେ ହାତରେ । ଜିପ୍‌ ପଛେ ପଛେ ସଶସ୍ତ୍ର ପୋଲିସ ବାହିନୀର ଗାଡ଼ି । ପୋଲିସ୍‌ ଇନିସ୍‍ପେକ୍‌ଟର ସମେତ ସମସ୍ତେ ଆସାମୀର ଇଙ୍ଗିତରେ ପରିଚାଳିତ । ଛାତିକୁ ଫୁଲାଇ ଦର୍ପର ସହ ଡ୍ରାଇଭରକୁ ନିର୍ଦ୍ଦେଶ ଦେବାରେ ଇନିସ୍‌ପେକ୍‌ଟର ବ୍ୟସ୍ତ । ରାସ୍ତା, ଛକ, ବାଙ୍କ ଗଡ଼ାଣି ଉଠାଣୀ ଉଠି ଜିପ୍ ଛୁଟିଛି-। ସହରର ଶେଷ ଉପାନ୍ତ ଇଲାକା ପରେ ଏକ ପାହାଡ଼ । ଅନ୍ଧକାରର ଅଳନ୍ଧୁ ଭିତରେ ଛଟପଟ ହେଉଥିବା ବୁଢ଼ିଆଣୀ ଭଳି ଠୁଙ୍କା ପାହାଡ଼ଟିଏ ଜାଲୁଜାଲୁକା ।

 

ପୋଲିସ ଅଫିସର ବଡ଼ ସନ୍ଦିଗ୍‌ଧ ଚିତ୍ତରେ ପାହାଡ଼ ଆଡ଼କୁ ଚାହିଁଲେ । ଆରେ, ଏଟା ତ ଆମ ଖଟି । ରେଷ୍ଟୁରେଣ୍ଟ ଭଳି । କେତେବେଳେ କେମିତି ଆଜିକାଲି ଆସର ଜମେ । ସହରଠାରୁ ଏକାନ୍ତ ପରିବେଶ ଏଇ ସ୍ଥାନ ବହୁ ସ୍ମୃତି ବହୁ ଆମୋଦ ପ୍ରମୋଦର ପାନ୍ଥଶାଳା ।

 

ପୁଣି ଜେରା ଚାଲିଲା । ଏଠି କେଉଁଠି ? ଏଟା ତ ମଦଭାଟି । ତା’ ପାଖକୁ ଟାଙ୍ଗରା ପାହାଡ଼ଟାଏ । ଏଠାରେ ପୁଣି ସନ୍ତ୍ରାସ ଆଡ଼୍‌ଡ଼ା କିପରି ସମ୍ଭବ । ଏଁ, ଦୀପତଳ କ’ଣ ଅନ୍ଧାର ସାର୍‌-। ...ହେଇପାରେ, ଏମାନଙ୍କୁ ବିଶ୍ୱାସ କ’ଣ ? ଆରେ ବାପ୍‌ରେ । ଉପରେ ବିଳାସ, ମ ଓ ଜୁଆ । ଭିତରେ ଭିତରେ ଆମୋଦ ସାଥିରେ ବିପଦ ଥୁଆ । ତଳେ ତଳେ ସଂତ୍ରାସର ଗୋପନ ଘାଟି । ଷଡ଼ଯନ୍ତ୍ରର କଂସେଇଖାନା ।। ଭୀରୁ ଛାଗଳର କତଲ ସୁଡ଼ଙ୍ଗ ।...ସେ ମନେ ମନେ କଳ୍ପନାପ୍ରବଣତାରେ ଡୁବ ମାଇଲେ । ସୁଡ଼ଙ୍ଗଟା କିପରି ହେଇଥିବ । ସେଠାରେ ଇଲେକ୍‌ଟ୍ରିର ଡୁମ୍‌ ଖଞ୍ଜା ହେଇଥିବ ନା ବାରୁଦର ବତୀ ଜଳୁଥିବ । ସହରର କାନ୍ଥବାଡ଼ରେ ତ ଅତି ସହଜରେ ସ୍ଲୋଗାନ ଲେଖାଯାଇ ପାରୁଛି, ହେଲେ ସୁଡ଼ଙ୍ଗ ଭିତରେ ଯେଉଁ ପଥରର କାନ୍ଥ, ଲୁହାର ଚଟାଣ ସେଥିରେ ନିଶ୍ଚୟ ରକତରେ ସ୍ଲୋଗାନ ଲେଖାହୋଇଥିବ । ଧତରା ବାଇନଟ୍‌ରେ ପଥରେ ଆଣ୍ଟି ଆଣ୍ଟି ସେ ସ୍ଲୋଗାନ ସବୁକୁ ପରୀକ୍ଷାଗାରକୁ ପଠାଯିବ । ଯଦି ସେ ରକତ ସହରର ନିଖୋଜ ବିଶିଷ୍ଟ ଶିଳ୍ପପତିଙ୍କର ହୋଇଥିବ–ତେବେ ତ ପ୍ରାଇଜ୍ ଥୁଆ । ନା, ନା ସେଠାରେ ଥିବ ଅନ୍ଧକାରର ନୀରବ ଆତଙ୍କ ନା ଆଲୋକର ଉଷ୍ଣ ପ୍ରସ୍ରବଣ ।

 

ଇନ୍‌ସପେକ୍‌ଟର ଅଧୈର୍ଯ୍ୟ ହୋଇଉଠିଲେ–ଜଲ୍‌ଦି ଜଲ୍‌ଦି, ଘେରାଉ କର । ସାର୍‌, ସାରା ପାହାଡ଼ଟା ତ ପଡ଼ିଛି । ବାଟ ପଚାରନ୍ତୁ ନା ! କ’ଣ ପଥରଗୁଡ଼ାକୁ ଘେରାଉ କରିବୁ ।

 

ଆସାମୀକୁ ପଚରାଗଲା, କିରେ ତୁମ ଘାଟିକୁ ବାଟ କେଉଁଟା ? ଏ ମଦଭାଟିଟା ପରା ।

 

ଆସାମୀର ନିର୍ଦ୍ଦେଶରେ ପ୍ରଶସ୍ତ ହଲ୍‌ କୋଠରୀ ଭିତରକୁ ପଶିଲେ ଇନ୍‌ସ୍‌ପେକ୍‌ଟର, ସାଥୀରେ ସହକାରୀମାନେ ଏବଂ ପାହାଡ଼ କକ୍ଷର ଚତୁଃପାର୍ଶ୍ୱରେ ଘେରି ରହିଥିଲେ ସଶସ୍ତ୍ର ପୋଲିସବାହିନୀ । ସେତେବେଳକୁ ଭାଟି କାନ୍ଥରେ ଯେପରି ମଲା କୁକୁଡ଼ାର ନାଲିମିଶା କଳା ପରକୁ ଖୋସି ଖୋସି ସନ୍ଧ୍ୟା ନଇଁ ଯାଇଛି ପାହାଡ଼ ତଳେ । ଇସ୍‌ କି ବାସ୍ନା ! ମହୁଲ ବାସ୍ନା ।

 

ଇନ୍‌ସ୍‌ପେକ୍‌ଟର ଭିତରକୁ ପଶି ଅବାକ୍‌ ହୋଇଗଲେ । ସାର୍‌ ଆପଣ ?–ସାଲ୍ୟୁଟ ଠୁଙ୍କି ଅଧସ୍ତନ ସହକାରୀ ଛେପ ଢୋକି କହିଲେ, ସାର୍‌ ଏହାରି ତଳେ ପୁରା ସୁଡ଼ଙ୍ଗ ଅଛି । ବହୁ ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ମିଳିବ କି କ’ଣ ?

 

ଉପସ୍ଥିତ ଏସ୍‌.ପି. ସାହେବଙ୍କର ଚତୁଃପାର୍ଶ୍ୱରେ ଘେରି ରହିଥିବା ପାନ୍ଥଶାଳା କକ୍ଷର ବିଶିଷ୍ଟ ଶିଳ୍ପପତି, ନାମଜାଦା କଣ୍ଟ୍ରାକ୍‌ଟର, ସହରର ପ୍ରସିଦ୍ଧ ବ୍ୟବସାୟୀଗଣ ଥରି ଥରି କୁହାକୁହି ହେଲେ, ହଜୁର କେଉଁଠି ? ... କେଉଁଠି ସୁଡ଼ଙ୍ଗ ।

 

ବିଳାସୀ କକ୍ଷୀର ଗୋପନୀୟତା ଭଙ୍ଗ କରି ଆସାମୀ କହିଲା, ଏସ୍‌.ପି. ମହୋଦୟ ! ଆପଣଙ୍କର ଗୋଲାମୀ ସହକାରୀ ଅଫିସରମାନେ ମୋତେ ନିର୍ମମ ଭାବରେ ଅତ୍ୟାଚାର କଲେ । ମୋ ଦେହରୁ ରକ୍ତ କାଢ଼ିଦେଲେ । ଯେଉଁମାନେ ଆପଣଙ୍କ ହାତରେ ଥିବା ପାନପତ୍ରର ରଙ୍ଗ ପିଇବାରେ ଅଭ୍ୟସ୍ତ, ସେମାନେ ମଣିଷ ରକ୍ତର ରଙ୍ଗ ବୁଝିବେ କୁଆଡ଼ୁ । ମୁଁ ପାଣି ମାଗିଲି । ମୋତେ ମୁତ ଯଚାଗଲା । ମୁଁ ଯଦି ରକ୍ତ ମାଗିବି, ଆପଣ ମୋତେ ସୁରା ଧରାଇବେ । ଅର୍ଥାତ୍‌ ରକ୍ତ କ’ଣ ଆପଣ ଜାଣନ୍ତି ନାହିଁ । ଆପଣଙ୍କ ସାଥିରେ ଜୀବନକୁ ଉପଭୋଗ କରିଥିବା ଏଇ ଭେଜାଲ ସହରର ବିଶିଷ୍ଟ ବ୍ୟକ୍ତିମାନେ ବହୁ ମଣିଷର ରକ୍ତ ଗୋଳି ଗୋଳି ସୁରାରେ ପାନ କରିଛନ୍ତି, କିନ୍ତୁ ମୋତେ ମାରିଲେ କ’ଣ ହେବ, ମୋ ରକ୍ତକୁ ପାନ କରି କେହି ହଜମ କରପାରିବେ ନାହିଁ । ମୋ ଦେହରୁ ଝରୁଥିବା ଏଇ ତାଜାରକ୍ତକୁ ଆପଣଙ୍କ ପାନପତ୍ରରେ ଗୋଳି ପିଅନ୍ତୁ ତ ଦେଖିବେ କିପରି ଆପଣଙ୍କର କ୍ଷୁଧିତ ଲାଳସାର ସ୍ନାୟୁକୁ ମୋ ରକ୍ତ କାଟି କାଟି ଚାଲିଛି । ଆପଣଙ୍କର ଆଜିର ଏ ପାନଶାଳାରେ ଯୋଗ ଦେଇଥିବା କଳାବଜାରୀ, ଜୁଆଚୋରି, ଅପମିଶ୍ରଣର ଜହ୍ଲାଦମାନଙ୍କଠାରୁ ମୁଁ କ’ଣ ବେଶୀ ହିଂସ୍ର । ଯେଉଁମାନଙ୍କର ଭେଜାଲୀ କଳାହାତ ଏ ଜାତିକୁ ଚିରଦିନ ପଙ୍ଗୁକରି ତୋଳୁଛି, ଏମାନଙ୍କଠାରୁ ମୁଁ କ’ଣ ବେଶୀ ଅପରାଧୀ ? ମୁଁ ଗୋଟିଏ ନିରୀହ ଲୋକ । ମଣିଷକୁ ଭଲ ପାଏ । ନିପୀଡ଼ିତ ଗଣର ଜୀବନକୁ ଭଲପାଏ । ଏଇ ପ୍ରୀତିର, ମମତାର ମାଟି ପାଇଁ ବଞ୍ଚିବାର ଆଦର୍ଶ ମୋ ଆଗରେ ସଂଗ୍ରାମ । ଆପଣଙ୍କ ଆଗରେ ତାହା ଯଦି ଉପଭୋଗ ହୁଏ, ତେବେ ସଂଘର୍ଷ ଅନିବାର୍ଯ୍ୟ, କିନ୍ତୁ ମୋତେ କୋର୍ଟରେ ହାଜର କରା ନ ଯାଇ ଅଯଥା ହାଜତରେ ରଖି ମୋ ଉପରେ ଅମାନୁଷିକ ଅତ୍ୟାଚାର କରିବାର ଅଧିକାର ଦେଲା କିଏ ? ତେଣୁ ମୁଁ ଅନ୍ୟ ଉପାୟ କିଛି ନ ପାଇ ଘାଟି ଦେଖାଇବାକୁ କହି ଏଠାକୁ ଆଣିଲି; ଯେଉଁଠାରେ ପ୍ରତି ସନ୍ଧ୍ୟାରେ ମୁଁ ଜାଣେ ଆପଣମାନେ ଜୀବନର କର୍ମକ୍ଳାନ୍ତି ଦୁର୍ନୀତିକୁ ଭୁଲିଯିବା ପାଇଁ ପାନଶାଳାରେ ଚୋରାବେପାରୀଙ୍କ ସହ ଏକଜୁଟ ହୋଇଥାନ୍ତି । ଆପଣମାନଙ୍କର ଘାଟି ଏଇ ପାନଶାଳା ହେଇପାରେ । ଯାହା ଭିତରେ ସଦାସର୍ବଦା ଭଙ୍ଗା ବୋତଲ, ଫଟାଗ୍ଲାସ, ଚିରା ବ୍ଲାଉଜ ମିଳିପାରେ । ମାତ୍ର ଏକ ସନ୍ତ୍ରାସୀର ଘାଟି ତା’ର ହୃଦୟ । ତା’କୁ ଜୟ କରିବା ଆପଣମାନଙ୍କ ପରି ଭୀରୁ ଶୋଷକମାନଙ୍କ ପକ୍ଷରେ ସମ୍ଭବ ନୁହେଁ । ଆପଣ ଏଇ ହୃଦୟର ଘାଟୀକୁ ଆଘାତ କଲେ ତା’ ଭିତରୁ ରକ୍ତକଣିକାଗୁଡ଼ିକ ଗୁଳି ହୋଇ ଫୁଟିବ । ହାତଗୁଡ଼ିକ ବୋମା ପରି ବିସ୍ଫୋରଣ ହୋଇ ଆପଣଙ୍କର ଅହମିକା କ୍ଷମତା ସର୍ବସ୍ୱ ପ୍ରାସାଦକୁ ଧୂଳିସାତ୍‌ କରିଦେବ ।

 

ଇନ୍‌ସ୍‌ପେକ୍‌ଟର ଥରୁଥିଲେ । ଏସ୍‌. ପି. ଆସାମୀକୁ ଚୁପ୍‌ ରହିବା ନିମନ୍ତେ ନାଲ୍‌ ନାଲ୍ ନିଶାଭୋର ଆଖିରେ କଳା ଶିଶୁଆକାଠର ସୌଖୀନ ବାଡ଼ିଟା ଉତ୍ତୋଳିତ କଲାବେଳକୁ ତାହା ଭୁଲ୍‌ରେ କାନ୍ଥରେ ଝୁଲୁଥିବା ଗାନ୍ଧୀଫଟୋ ଉପରେ ଆଘାତ ଦେଇଥିଲା । ଫଳରେ ଫଟୋଟି ତଳେ ପଡ଼ି ଚଟାଣରେ ଗର ଗର ହୋଇଯାଇଥିଲା । କକ୍ଷସାରା ବିକ୍ଷିପ୍ତ କାଚର ଟୁକୁରାରେ ନିର୍ଜନତା ମୁହଁ ଦେଖୁଥିଲା ।

Image

 

ଭୟ

 

ଆଲୋକ । ଅନ୍ଧାର...ଅନ୍ଧକାର ।

 

ନିର୍ଜନ ପଥ । ଆଲୋକ ଝୁଣ୍ଟିଲା ଅନ୍ଧକାରକୁ । ଅକସ୍ମାତ ।

 

ବିଲେଇ ଆଉ ବିଲୁଆର ଜୁଳୁଜୁଳୁ ଆଖିକୁ ଖୋଳି ଯଦି ମଣିଷର ଆଖିରେ ଭର୍ତ୍ତି କରିଦିଆଯାଆନ୍ତା, ତେବେ ମଣିଷକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ନ୍ତା ନାହିଁ । ଦୁର୍ଘଟଣା ତ କମ୍ ହୁଅନ୍ତା । ଟର୍ଚ୍ଚର ଆଉ ଆବଶ୍ୟକତା ରହନ୍ତା ନାହିଁ ।

 

ପୁଣି ନୀରବ । ଶୂନ୍‌ଶାନ । ପତ୍ରଟିଏ ପଡ଼ିଗଲେ ଟେକାଟିଏ ପରି ଶୁଭେ । ଡାଳଟିଏ ଦୋହଲିଲେ ପବନରେ ଗଛଟିଏ ଭାଜିଗଲା ପରି ଲାଗେ ।

 

ମୁହଁକୁ ମୁହଁ ଦିଶୁନି । ରାତିର ଅଙ୍ଗ ଓ ଚେହେରା କି ବୀଭତ୍ସ !

 

ପ୍ରଥମ ବ୍ୟକ୍ତି :–

 

ପ୍ରେତ, ଡାହାଣୀ, ଚିରୁଗୁଣୀର ଚରାଭୂଇଁ ଏଇ ରାସ୍ତା । ନିଶି ନିଆଁ ପୁଆଁଉଛି ତା’ର କଅଁଳା ଛୁଆକୁ ଧରି ଗଛ କୋଳରେ । ତଳେ ମୃତ କଙ୍କାଳର ଫସିଲ୍ । ଉପରେ ଫୁଟନ୍ତା ଫସ୍‌ଫରସ୍‌ର ବିକ୍ଷିପ୍ତ ଡୋଳା ।

 

ନିଶି ଏକ ବଢ଼ନ୍ତା ଝିଅ, ରକ୍ତ ବାନ୍ତିକରି ମରିଥିଲା ପରା ! ମନେପଡ଼ୁଚି ମାନ !! ...ତଳେ କେମିତି ବିଞ୍ଚିହୋଇ ପଡ଼ିଥିଲା ତା’ ହାତର କାଚ, ଚୁଡ଼ି ଆଉ ବଟଫଳ । ବିଚାରୀ ଜିଭ କାମୁଡ଼ି ଦେଇଥିଲା । ତା’ର ରକ୍ତରେ ଜୁଡ଼ୁ ବୁଡ଼ୁ ଶାଢ଼ୀଟାକୁ କିଏ ଟାଙ୍ଗି ଦେଇଥିଲା ଗଛରେ ଜାଣୁ ? ଡାହାଣୀ....ମୋତେ ଡ଼ର ଲାଗୁଛି, ରହି ପାରିବିନି ।

 

ଦ୍ୱିତୀୟ ବ୍ୟକ୍ତି :–

 

ସୁଦୁ ମିଛ କଥା । ଏ ଯୁଗରେ ପୁଣି ଭୂତ ପ୍ରେତ ଭୟ ! ଏଇ ରାସ୍ତା, ପ୍ରୀତିର ରାସ୍ତା । ଫୁଲର ମହକ ହେନା ବାସ୍ନା । ଝରିଲା ଫୁଲର ସୁରଭି ଅତର ଭଳି ବୋଳି ହୋଇଯାଏ ଦେହରେ । ଏଠି ଖାଲି ନାରୀ ଭୟ । ଅଜଣା ପଥୁକୀକୁ ଭିଡ଼ିନେଇ ବୋକ ଦେଉଥିବା ଝିଅମାନଙ୍କର ତାଲିକା ଦେଖିବୁ ? ଇସ୍‌... ଅନ୍ଧକାର । ନାରୀ ଭୟ । ନାରୀ ହିଁ ଡାହାଣୀ । ହେ ଅନ୍ଧକାର, ମୋତେ ରକ୍ଷାକର । ତୁ ହି ମୋର ପ୍ରେମିକା ।

 

ତୃତୀୟ ବ୍ୟକ୍ତି :–

 

(ହାସ୍ୟରୋଳ ଭିତରେ)

 

ତୁମେ ସବୁ କିଛି ଜାଣିନ ! ନିଶିର ମୃତ୍ୟୁ ଏକ ରହସ୍ୟ । ତା’ର ଗାଲରେ ଦନ୍ତ ଚିହ୍ନ । ସ୍ତନରେ ନଖ ଚିହ୍ନ । ଦେହରେ କ୍ଷତ ଚିହ୍ନ ପ୍ରମାଣ କରେ ପାଶବିକ ଅତ୍ୟାଚାରରେ ତା’ର ମୃତ୍ୟୁ ହୋଇଛି । ତା’ର ଶବଧାର ପାଖରୁ ମିଳିଥିବା ମଦ ବୋତଲ...ଛାଡ଼ ସେ କଥା, ଏ ରାସ୍ତା ପରା ଚୋରା ବେପାରୀଙ୍କର କ୍ରୀଡ଼ାଭୂଇଁ ! ମୋତେ ସେଇମାନଙ୍କୁ

 

ଚତୁର୍ଥ ବ୍ୟକ୍ତି :–

 

ଇସ୍‌, କି ଗୁଲି ଗପ ! ମୁଁ ପରା ନିଜେ ତା’ର ପୋଷ୍ଟମଟମ୍‌ ବେଳେ ଥିଲି । ତା’ର ଗଳାର ଫିଙ୍ଗର ପ୍ରିଣ୍ଟକୁ... ହଁ, ଲାସ୍‌ଟା ପଚିଯାଇଥିଲା ନା ! ତା’ର ସ୍ତନକୁ କୁଆମାନେ ଖୁମ୍ପି ଦେଇଥିଲେ । ତା’ର ଗାଲରେ ଗଛଚଢ଼ାର ଆଞ୍ଚୁଡ଼ା ଚିହ୍ନ । ସେ ଭଲ ଗଛ ଚଢ଼ିପାରେ । ତା’ର ଶାଢ଼ୀ ତ ଝୁଲୁ ନ ଥିଲା ଗଛରେ ! ଉଦ୍‌ଭ୍ରାନ୍ତ ଯୁବକଟିଏ (ବୋଧେ ତା’ର ପ୍ରେମିକ) ଶାଢ଼ୀଟାକୁ ପତାକା କରି ଟାଙ୍ଗି ଦେଇଥିଲା ଗଛରେ । ତୁମେ ଜାଣିନ, ଏ ରାସ୍ତା ପରା ବେକାରମାନଙ୍କର ଘାଟି ରାସ୍ତାକୁ ପଥ । ଡର ତ ସେଇମାନଙ୍କୁ–ଯେଉଁମାନେ ଘଟଣାକୁ ବଢ଼ାଇଦେଲେ । ସେମାନଙ୍କ ନାମରେ ୱାରେଣ୍ଟ ଅଛି । ମୋର ତାଙ୍କୁ ଭାରି ଭୟ; ଏଇ ଅନ୍ଧକାରରେ ସେମାନେ ଲୁଚି ଥାଇ ପାରନ୍ତି !

 

ପଞ୍ଚମ ବ୍ୟକ୍ତି :–

 

ନିଶି ଏକ ବେଶ୍ୟା । ଅସତୀ–ଚରିତ୍ରହୀନା । ସେ ଆତ୍ମହତ୍ୟା କରିଥିଲା । ମୃତ୍ୟୁର ବହୁ ପୂର୍ବରୁ ବିଚାରୀ ଏକ ଅବୈଧ ସନ୍ତାନର ଜନନୀ ରୂପେ ପରିଚିତ ହେଲା । ଫଳରେ ତାକୁ ଜୋରିମାନା ଦେବାକୁ ପଡ଼ିଥିଲା । ତାରି ଟଙ୍କାରେ ପରା ଗାଁ ଦେଉଳରେ ଚାନ୍ଦିନି ହେଉଛି । ଚଟାଣରେ ତାରି ସ୍ମୃତି । ଆତ୍ମା ମୋକ୍ଷ ହେଇନି । ପ୍ରେତିନୀ ହୋଇ ସେ ଆଜି ରକ୍ତ ଶୋଷୁଛି । ଏଇଠି ପରା ସମସ୍ତେ ଝୁଣ୍ଟୁଛନ୍ତି....ଓଃ ଆଲୋକ.. !

 

ହଠାତ୍‌ ଲାଇନ ଆସିଗଲା । ବିଦ୍ୟୁତ ଆଲୋକରେ ସମସ୍ତେ ଆମେ ଆମର ପରସ୍ପରର ମୁହଁ ଦେଖୁଥିଲୁ ।

 

ପ୍ରଥମ ବ୍ୟକ୍ତି: ଜଣେ ସ୍କୁଲ ଛାତ୍ର :

 

ଦ୍ୱିତୀୟ ବ୍ୟକ୍ତି: ଜଣେ କଲେଜ ଛାତ୍ର :

 

ତୃତୀୟ ବ୍ୟକ୍ତି: ଜଣେ ସେଲ୍‌ଟ୍ୟାକ୍‌ସ ଅଫିସର :

 

ଚତୁର୍ଥ ବ୍ୟକ୍ତି: ଜଣେ ପୋଲିସ ସବ୍‌ଇନ୍‌ସପେକ୍‌ଟର :

 

ପଞ୍ଚମ ବ୍ୟକ୍ତି: ଜଣେ ସରପଞ୍ଚ :

 

ବୟସ ନିକଟରେ ଆମେ ଧରା ପଡ଼ିଯାଇଛୁ । ଯେପରି ଆମେ ସମସ୍ତେ ନିଜ ନିଜ ନିକଟରେ ଦୋଷୀ । ଆମେ କେବଳ ଆମରି କଥା ହିଁ କହିଛୁ । ଅନ୍ଧକାରର କାଠଗଡ଼ା ଭିତରେ ଆମେ ସବୁ ଏକ ଅପରାଧୀ ପୁରୁଷ, ଆଲୋକକୁ ଚିତାକାଟି ଧରାପଡ଼ି ଯାଇଛୁ । ଭୟ ହିଁ ଆମର ଆତ୍ମା ପୁରୁଷ । ମନ ହିଁ ମଣିଷର ପ୍ରେତ । ଆମେ କ’ଣ ନିଶିର ହତ୍ୟାକାରୀ !!...

Image

 

ବାଘ

 

ନାଳରେ ପଡ଼ିଛି ବାଘ । ମଲା ବାଘଟିଏ । ସତେଜ ଚମରେ କଳା ପଟା ପଟା ଦାଗ ।

 

ବାଘଟା ପୁଣି ଗାଁ ପାଖ ନାଳକୁ କେମିତି ଆସିଲା । ଜଙ୍ଗଲଠାରୁ ନାଳ ବହୁଦୂର । ଜଙ୍ଗଲରୁ ବାଘ ନାଳକୁ ପାଣି ପିଇ ଆସିବା ବହୁକାଳର କଥା । ଏବେ ତ ଜଙ୍ଗଲ କାଟି ପଦାକରି ଦେଲେଣି ।

 

ଜଙ୍ଗଲ ସୁରକ୍ଷା ପାଇଁ ଏବେ ବାଘ ଛଡ଼ାଯାଇଛି । ବାଘ ମାରିବା ଏଣିକି ବେଆଇନ । ମଣିଷ ମାରିଲେ ଚଳିବ ।

 

ନଈରେ ପାଣ ନାହିଁ । ଜଙ୍ଗଲରେ ବର୍ଷା ନାହିଁ । ବାଘ ଭାସି ଆସିବା ପ୍ରଶ୍ନ ଉଠୁନି ।

 

ନା, ବାଘଟାକୁ ପରା କାଲି ଖରାବେଳେ ଆମ ବାବୁ ନାଛିଦେଲେ । କେଡ଼େ ସାହସ ଦେଖୁନ, ଦିନବେଳେ ଗାଁ ପାଖକୁ ଆସି ଗୋହିରୀରେ ଦାମ୍ବୁଡ଼ିଟାକୁ ମାଡ଼ିବସିଲା । ଗୋଟେ ଚୋଟରେ ଶଳା ଖତମ ।

 

ଗାଁର ସେହି କୋଠାଘର ଉପରେ ସମସ୍ତଙ୍କର ଆଖି ପଡ଼ିଗଲା । ସାହୁକାର ଘର ଯେଉଁ ବନ୍ଧୁକ ନା, ସେଥିରେ କି ବାଘ ସମ୍ଭାଳନ୍ତା ?

 

ଶଳା, ପାହାଡ଼ରୁ ଗଡ଼ି ଆମ ଗାଁରୁ ଛେଳି ଗୋରୁ ଖାଉଥିଲା । କାଲି ମଣିଷକୁ ଖାଇଥାନ୍ତା । ଦେଖିଲ ନା, ବନ୍ଧୁକର କରାମତି ! ବନ୍ଧୁକ ଡାକିଲା ବାଘକୁ । ନହେଲେ କେବେ ଦେଖିଚ ନା ଶୁଣିଚ, ଶୂନ୍ୟ କିଆରୀରେ ବାଘର ହେଣ୍ଟାଳ ?

 

ମଲାବାଘକୁ ଛୁଇଁବାକୁ ସମସ୍ତଙ୍କର ଡର । ବେଆଇନ ପରା । ବାବୁ ଯେତେବଳେ ମାରିଛନ୍ତି ଡରିବାର କିଛି ନାହିଁ । ନା-ନା, ଛୁଅଁନା । ଚମଡ଼ାକଟାଳି ଆସୁ । ବାଘ ଚମଡ଼ା ବହୁତ ଦାମ ।

 

ଦେଖଣାହାରୀଙ୍କ ଭିତରୁ ଜଣେ କହିଲା, ଗଲାକାଲି ଯେଉଁ ଦାମ୍ବୁଡ଼ି ମଲା, ସେଇଟା ମୋର ।

 

ସମସ୍ତେ ସହାନୁଭୂତି ଦେଖାଇ କହିଲେ, ଓ ହୋ ! ବାଘ କି କ୍ଷତି ନ କଲା !

 

ନାଇଁ ଆଜ୍ଞା, ବାଘ କିନ୍ତୁ ମୋର ଦାମ୍ବୁଡ଼ିକୁ ମାରି ନାହିଁ ।

 

ଜମିରେ ପାଣି ନାହିଁ । ବେଉଷଣ ସରିନି । ଗାଈଗୋରୁ ଚରିବାକୁ ମନା ନାହିଁ ।

 

ମୋ ଦାମ୍ବୁଡ଼ି କାଲି ଖରାବେଳେ ବିଲରେ ଚରୁଥିଲା । ହିଡ଼ ତଳୁ ତମ୍ପସାପଟିଏ ଦେଲା ଏକ ଚୋଟ–ଶକ୍ତ ଏକ ଚୋଟ । ଟଳିପଡ଼ିଲା ସେଇଠି । ଦାମ୍ବୁଡ଼ି ବିକଟାଳ ରଡ଼ି ଦେଇ ଜୀବନ ଛାଡ଼ିଲା ।

 

ସାପ ତା’ର ଗାତରେ ଥିଲା । ପଡ଼ିରହିଲା ଦାମ୍ବୁଡ଼ିର ଶବ । ମଲା ଦାମ୍ବୁଡ଼ିର ଦେହକୁ ଖୁମ୍ପିଲେ କାଉ, ଶାଗୁଣା, ବିଲୁଆ, କୁକୁର ।

 

ସମସ୍ତେ ମଲେ । ବିଷ ମାଂସରେ ମୁହଁ ମାରିଲେ । ଏଇ ବାଘ ରାତିରେ ସେଇ ମଲା ଗୋରୁର ପିଞ୍ଜରାରୁ ହାଡ଼ ଝୁଣି ଝୁଣି ଫେରୁ ଫେରୁ ବିଷ ନିଶାରେ ଟଳିପଡ଼ିଛି ଆଜ୍ଞା !

 

ବାବୁ କହିଲେ, ଦେଖ ୟା’ର ଫିସାଦି । ବାଘ କେବେ ମଲାଗୋରୁ ମାଂସ ଖାଏ ? ଜିଅନ୍ତା ମାରେ । ରକତ ପିଏ । ମାଂସ ପୋଚା କରି କରି ଖାଏ । ସେ ଯାହାହେଉ ବାଘଟା କିନ୍ତୁ ମୋର । ଯେହେତୁ ତୋର ମଲା ଦାମ୍ବୁଡ଼ି ମୋ ବିଲରେ ପଡ଼ିଥିଲା ।

 

ଚମଡ଼ା କଟାଳି ଆସି ପହଞ୍ଚିଲା । ଆରେ ଚମଡ଼ାଟା ଜଲ୍‌ଦି ଜଲ୍‌ଦି କା’ଟେ ନଷ୍ଟ ହେଇଯିବ ।

 

ଚମଡ଼ାକଟାଳି ଛୁରୀ ଧରି ଆଗ୍ରହରେ କାଟିବାକୁ ଗଲା । ପ୍ରଥମେ ବାଘର ମୁହଁଟାକୁ ଟେକିଦେଲାବେଳକୁ ଚମକି ପଡ଼ିଲା । ଆଜ୍ଞା, ଏଇଟା ତ ବାଘ ନୁହଁ !

 

ଶଳା ଗଧିଆଟାରେ !

 

ବାବୁଙ୍କ ମୁହଁ ଫିକା ପଡ଼ିଗଲା । ହଉ, ଖାଲି ଲାଞ୍ଜଟାକୁ କାଟିଆଣେ । ବାଘ ନ ହେଲେ ହେଟାବାଘ ତ ! ଆଜିକାଲି ହେଟାବାଘଗୁଡ଼ାକର କ’ଣ କମ୍‌ ଉପଦ୍ରବ !!

Image

 

ଈର୍ଷା

 

ପାହାଡ଼ ଚଢ଼ା ଆରମ୍ଭ ହେଲା । ଆମ ଭିତରୁ ଜଣେ ଦୁଇଜଣ ପାଦ ଖସିଯିବା ଭୟରେ ଜୋତା ଖାଲି ହାତରେ ବୋହିଲେ ।

 

ଟିକିଏ ଉପରକୁ ଉଠୁଚୁ କି ନାହିଁ ଜଣେ କିଏ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା, ଆରେ ଦେଖିଲଣି କୁକୁର ଛୁଆଟେ କେମିତି ପାହାଡ଼ ଚଢ଼ୁଛି ।

 

‘‘ହେତ୍‌ରିକା । ତୁ ସେ କୁକୁରକୁ ବି ସମାନ ହେବୁନି ! ପୁରାଣକାଳରେ କୁକୁର ସିନା ପାହାଡ଼ ଚଢ଼ିଥିଲା, ମଣିଷ ପାରିଲାନି । ଛାଡ଼, ତୋର ସେଇ ପୁରୁଣା କାହାଣୀ ! ଏ କୁକୁର ଛୁଆଟା ଦେଖି ମୋର ପତ୍ନୀକଥା ମନେପଡ଼ୁଛି । ଆଜିର ଏ ନିଃସଙ୍ଗ ରବିବାରେ ଆମେ ସିନା ଏବେ ପାହାଡ଼ ଚଢ଼ୁଛେ, ସେ କିନ୍ତୁ ଅହରହ ମୋରି କଥା ହିଁ ଭାବୁଥିବ । କୁକୁରର ଆଖିର ଦର୍ପଣରେ ଟେଲିଭିଜନ ଦେଖିଲା ଭଳି ଆମର ଛଳନାତ୍ମକ ଦୁଃସାହସିକତାର ଦୁର୍ବଳ ମୁହୂର୍ତ୍ତଗୁଡ଼ା ତା’ର ମନର ମୁକୁରରେ ପ୍ରତିବିମ୍ବିତ ହେଉଥିବ । ସେ ସମ୍ଭାଳି ନ ପାରି କୁକୁରର ମୁହଁକୁ ନେଇ ତା’ର ଗାଲରେ ଲଗେଇ ଦେଉଥିବ, ଚୁମା ଦେଉଥିବ ।’’

 

‘‘ତୋର ଖାଲି ସେଇ କୁକୁର କଥା । ତୋ ସ୍ତ୍ରୀ ତେବେ କୁକୁର ବେଶରେ ତୋ ପଛେ ପଛେ ଗୋଡ଼େଇଛି । ବିବାହ ପରେ ତୋ ଭଳି ଯୁବକର ମୁଣ୍ଡଟା ବିଗିଡ଼ି ଯାଇଛି ନା କ’ଣ ! ଯେମିତି ତୁ ଗୋଟେ ପାହାଡ଼ ହେଇଯାଇଛୁ ଆଉ କୁକୁର ଭଳି ତୋର ପତ୍ନୀ ତୋ ଉପରେ ଚଢ଼ି ଚାଲିଛି ।’’

 

ଆଉ ଜଣେ କହିଲା, ଆରେ ଦେଖିଲୁଣି, କୁକୁରଟି ଠିକ୍‌ ଆମ ପଡ଼ୋଶୀ ଆଇ.ଏ.ଏସ. ଅଫିସରଙ୍କ ପୋଷା ଆଲ୍‌ସେସିଆନ୍‌ର କିଛିଟା ରଙ୍ଗ ନେଇ ଜନ୍ମ ହେଇଛି । ‘‘ଶଳା, ଆଉ ଜାଗା ମିଳିଲାନି ଯେ ତୁମ କୁତିଟା ଆସି ଏଠି ଗୋପନ ପ୍ରଣୟ କରୁଥିଲା !

 

‘‘ପାଦ ଫଟକା ହୋଇଗଲା ବେଳକୁ ୟା’ର ଗୋପନ ପ୍ରଣୟ କଥା ! ପୁଣି ଆଇ.ଏ.ଏସ୍‌. କୁକୁରକୁ ବି ମନେରଖିଛି । ଦିଲ୍ଲୀ ଯାଉନୁ ଏଠି ତ ତାରିଖ ଗଡ଼ିଗଲେଣି, ସେଠି ଫର୍ମ ପକେଇ ରାତାରାତି କ’ଣ ଗୋଟେ ହେଇଯିବୁ । ତା’ପରେ ସ୍ତ୍ରୀ ହାତରେ କୁକୁରଟିଏ ଧରେଇଦେବୁ, ଶଳା ଏଠି ପାହାଡ଼ ଚଢ଼ିବାକୁ ଆସିଥିଲୁ କାହିଁକି ?

 

ଛେ, ଛେ ଆଉ ଚଢ଼ି ହେବନି ! ଖାଲି କୁକୁର କେମିତି ନିଆଁର ହୁଳା ଡେଇଁ ଚାଲିଯାଏ, ମଣିଷ ଖାଲି ଫାଲୁତୁ କଥା କହେ ସିନା ହେଲେ ଏଇ ପାହାଡ଼ ପାରିହେବାକୁ ବଳ ନାହିଁ ।

 

ଆରେ ଶୁଣ କୁକୁରଠାରୁ କି ଆମେ –ହୀନ ! ମୋର ପ୍ରଥମ ପ୍ରେମିକାର କି ଗୋଟିଏ କୁକୁର ଥିଲା, ସେ ମୋ ପ୍ରେମିକାର ପ୍ରେମପତ୍ର ଆଣି ଆମ ଝରକା ଭିତରେ ଗଳେଇ ଦେଉଥିଲା । ଆମ ଘର ମାଈକୁତିଟା ଛାଡ଼...। ଆବେ କଥା ବନ୍ଦକର । ୟାହାପ ବାହାପିଆ କାହାଙ୍କା !!...ତାଙ୍କ ଗଛର ପତ୍ରଟାଏ ଉଡ଼ି ସତେ ଯେପରି ତୋ ଝରକା ଭିତେ ପଶିଯାଉଥିଲା ! ହେ ସେ କୁକୁରଟାକୁ ଫିଙ୍ଗି ଦେଲୁରେ.... !

 

ମୁଁ କହିଲି, ଶଳେ ମଣିଷକୁ ତ ଈର୍ଷା କରିପାରିବ ନାହିଁ । ଏବେ ଛାର କୁକୁରଟାକୁ ଈର୍ଷା କର ।

 

ସେଦିନ କୁକୁର ବ୍ୟତୀତ ଆଉ କେହି ପାହାଡ଼ ଚଢ଼ି ପାରି ନଥିଲେ ।

Image

 

ଅଳଙ୍କାର

 

ନବ ବିବାହିତା ଦମ୍ପତ୍ତି ।

 

ଫୁଲପକା ଶାଢ଼ୀ । ଆକାଶୀ ରଙ୍ଗର ବ୍ଲାଉଜ୍‌କୁ ଛାଡ଼ିଦେଲେ ଦେହରେ ଆଉ ଜାଗା ନାହିଁ ?

 

ଅଳଙ୍କାରରେ ଆବୃତା ଦେହ । ମାଂସଳ ଚମ ଉପରେ ସୁନାର ଢାଙ୍କୁଣୀ । ନାରୀର ଖାଦମିଶା ମନକୁ ତଉଲି ବାହାହେଇଥିବା ଯୁବକଟି କାହାକୁ ଚୁମା ଦେଉଥିବ ? ଦେହର କୌଣସି ଅଂଶ ତ ଖାଲି ନାହିଁ !

 

ଚିବୁକରେ ତ ନକଲି ରଙ୍ଗର ତୋରଣ ।

 

କାନର ସୁନା ଝାଲେରୀ ଲମ୍ବି ଆସିଛି ଗାଲକୁ । କପାଳରେ ତ ସୁନା ଚନ୍ଦନର ଟୋପି ! ତା’ ଉପରେ ପୁଣି ଏକ ମଥାମଣି ! ବଡ଼ଘରର ଝିଅ ।

 

ଲୋ ନାରୀ ! ତୁ ଏକ ଝୁଲନ୍ତା ତରବାରୀ...

 

ଗିରିଜା କହିଲା, ରୂପସୀର ଅହଙ୍କାର ତା’ର ଦେହ ନା ସୁନାର ଅଳଙ୍କାର ?

 

ମୁଁ ଦେଖାଇଦେଲି, ତା’ର ସେହି ଗୋରାପାଦକୁ । ଅଳତାରଞ୍ଜିତ ନଖ । ଅଙ୍ଗୁଳି ଉପରେ ରୂପାର ଝୁଣ୍ଟିଆ । ପାଉଁଜି ମାଟିକୁ ଛୁଇଁଥିଲା ।

 

କି ନିଖୁଣ ତରଳା ସୁନାର ସୁନ୍ଦର ମାଂସଳ ମୂର୍ତ୍ତିଟିଏ ! ଦେଖି ପାରୁଛ ?

 

ଗୋଇଠିର ଠିକ୍‌ ଉପରକୁ ଧଳା ଛଉଟିରେ ମୋର ଆଖି ପଡ଼ିଗଲା । ନା ଶାଢ଼ୀ ନା ଗାଡ଼ି ନା ଅଳଙ୍କାର ରୂପସୀର ଅହଂକାରକୁ ଘୋଡ଼ାଇ ରଖିପାରିଲା ?

 

ସେମାନେ ଦୋକାନରୁ କ’ଣ କିଣିଲେ ? ଅଳଙ୍କାର ନୁହେଁ ଧବଳ ଛଉଁର ମଲମ ।

Image

 

ଫୁଲଛାଞ୍ଚୁଣୀ

 

ବର୍ଷାହେଲେ ଝଡ଼ିପୋକମାନେ ଆଲୋକ ପାଖକୁ ଦୌଡ଼ନ୍ତି । କବାଟ କିଳିଦେଇ ଝରକାକୁ ବନ୍ଦକଲେ ବି ପୋକମାନଙ୍କର ପଥରୋଧ କରିବା ପରିବର୍ତ୍ତେ ଶ୍ୱାସରୁଦ୍ଧ ହେଲା ଭଳି ଲାଗୁଥିଲା ।

 

ତେଲ ଅଭାବରେ ମୋର ଡିବିରି ଲିଭୁ ନ ଥିଲା । ବଳିତା ବୋଳି ତେଲ ଢାଳିଲେ ଉତ୍ତାପର ସଂସ୍ପର୍ଶରେ ଆଲୋକର ଜନ୍ମ ହେଲା ଭଳି ବର୍ଷାର ପଦପାତରେ ଯେପରି ଏଇ ଅସଂଖ୍ୟ ପରତଙ୍ଗ ସୃଷ୍ଟି । ଲଣ୍ଠନ ଲଗାଇଲେ ବି ଝଡ଼ିପୋକ ମାନଙ୍କର ଆକ୍ରମଣରେ ଆଲୋକର ତେଜ କ୍ଷୀଣ ହୋଇଆସୁଥିଲା । ଏବେ ଘରକୁ ଇଲେକ୍‌ଟ୍ରି ଲାଇନ୍‌ ଆସିଲା ପରେ ବି ସେଇ ପତଙ୍ଗମାନଙ୍କର ମେଳା !

 

କିନ୍ତୁ ପତଙ୍ଗ ଗୁଡ଼ିକ ନିଅନ ଆଲୋକକୁ ଲିଭାଇବା ଦୂରେ ଥାଉ, ଛୁଇଁଦେଲାମାତ୍ରେ ଝରି ଯାଉଥିଲେ । ଆଲୋକକୁ ଛୁଇଁବା ପାଇଁ କି ପ୍ରତିଦ୍ୱନ୍ଦିତା ! ପ୍ରଭାତୀ କଢ଼ର ସୂର୍ଯ୍ୟକୁ ଛୁଇଁ ଫୁଟିବାର ଲାଳସା ଭଳି ଅବିକଳ ଆଲୋକକୁ ଛୁଇଁ ଝରିଯିବାର ସ୍ୱପ୍ନରେ ମାତାଲ ହୋଇଥିବା ପତଙ୍ଗର ଆଲୋକ ନିକଟରେ ମୃତ୍ୟୁର ଶୀତଳ ସ୍ପର୍ଶ କି ଛାର !!

 

ଶୂନ୍ୟତାରେ ମିଶି ଯାଉଥିବା ଅଦେଖା ଆତ୍ମାଗୁଡ଼ିକର ଶବ୍ଦ ଝିଟିପିଟିର ପିଞ୍ଜରାରେ ବାଜୁ ନଥିଲା । ଚଟାଣ ସାରା ବିଛେଇ ହୋଇ ପଡ଼ିରହିଥିଲା ପତଙ୍ଗର ଶବ ।

 

ଆଲୋକ କ’ଣ ଲକ୍ଷ୍ୟ କରିପାରିଥିଲା ଝିଟିପିଟିର ଅନାସକ୍ତ ଭାବ ! ଅଳିନ୍ଦ କଣରେ ଲୁଚିରହିଥିବା ଭୋକିଲା ଝିଟିପିଟିଟିଏ ଲୋଭ ସମ୍ବରଣ କରି ନ ପାରି ନୀରବରେ ଧୀରେ ଧୀରେ ଶବ ଆଡ଼କୁ ମୁହାଁଉଥିଲା ।

 

ଆଲୋକ ଆଡ଼କୁ ଝପଟୁଥିଲା ଝିଟିପିଟି । ଆଲୋକ ପ୍ରତି କି ଅଦ୍ଭୁତ ଆକର୍ଷଣ, ଲୋଭ କେବଳ ମଣିଷର ନୁହେଁ ପତଙ୍ଗଠାରୁ ସରୀସୃପ ଯାଏଁ ! ଏ ଆଲୋକକୁ କ’ଣ ସେ ଗିଳିଦେବ କି ? କୁଣ୍ଢେଇ ପକେଇବନି ତ ! ଆଲୋକକୁ କୋଳ କଲେ ସେ ଜଳିଯିବ, ହାତ ଦେଲେ ବି ଫଟକା ହୋଇଯିବା । ଚମଡ଼ା ତଳେ ରକ୍ତ ବଦଳରେ ପାଣି ଝଲସି ଉଠିବ ।

 

ସେ କିନ୍ତୁ ହାତ ନୁହେଁ ଜିଭ ବଢ଼ାଉଥିଲା । ଆଲୋକକୁ ଚାଟିବା ପାଇଁ ନୁହେଁ ନିଅନର ଚାରିପଟେ ଘୂରି ବୁଲୁଥିବା ନିର୍ବାଣମୁଖୀ ପତଙ୍ଗକୁ ଗିଳିବାକୁ । ପତଙ୍ଗ ଗୁଡ଼ିକ ଡେଣା ପିଟୁଥିଲେ । ଜୀଅନ୍ତା ଦେହରୁ ରକ୍ତ ଝୁଣିଝୁଣି ଖାଇବାକୁ ଭଲ ଲାଗେ । ଜାଲ ଭିତରେ ଝିଟିପିଟି ମାଛିକୁ ଯେମିତି ଜୀଅନ୍ତା ଖାଏ ଚତୁର ବୁଢ଼ିଆଣୀ । ଜୀଅନ୍ତା ମାଂସର ସ୍ୱାଦ ମୃତ ଦେହଠାରୁ ଭିନ୍ନ । କି ମିଠା ! ଚଖାଳି ଝିଟିପିଟି ହିଁ ଜାଣେ ।

 

ଜୀବନ ଚାଲିଗଲେ ସବୁ ଚାଲିଯାଏ । ଭାତ ସଢ଼ିଗଲେ ପଖାଳ ହୁଏ । ଖଟଣୀ ଲୋକକୁ ସିନା ପଖାଳ ! ଅୟସରେ ବଢ଼ୁଥିବା ମଣିଷକୁ ଗରମ ଭାତରେ ଘିଅପରି ଝିଟିପିଟି ସ୍ୱାଦକୁ ମୁଁ ସହି ପାରୁଥିଲି । ଘରକୋଣରେ ଥିବା ନୂଆ ଫୁଲଛାଞ୍ଚୁଣୀକୁ ଫିଙ୍ଗି ଦେଲି ଝିଟିପିଟି ଦେହକୁ ।

 

ଫୁଲଝାଡ଼ୁଟା ଝିଟିପିଟି ଦେହରେ ନ ବାଜି ଲାଇଟ ଦେହରେ ପିଟିହୋଇ ସାରା ଘରକୁ ଅନ୍ଧକାର କରିଦେଲା । ଅନ୍ଧକାର ଆବର୍ତ୍ତ ଭିତରେ ଲୁଚିଗଲେ ପତଙ୍ଗର ଶବ । ଆହତ ଝିଟିପିଟି ଅସହ୍ୟ ଅନ୍ଧକାର ନୀରବତା ଭିତରେ ଛଟପଟ ହେଉଥିଲା, ଠିକ୍ ଘରର ଦୁଆର ଝରକା ବନ୍ଦ କରିଦେଇ ଅସହ୍ୟ ଅନ୍ଧକାରର ଉତ୍ତାପ ଭିତରେ ସନ୍ତୁଳି ହେଉଥିବା ମୋର ବାଚାଳ ମାଲିକର ମୁହଁକୁ ମୁଁ ଦେଖିପାରି ନ ଥିଲି । ଭଙ୍ଗାକାଚକୁ ଓଳାଇବା ପାଇଁ ମୋର ଫୁଲଛାଞ୍ଚୁଣୀଟିକୁ ଦରାଣ୍ଡୁଥିଲି କେବଳ ।

Image

 

ଫୋନ୍‌

 

ଫୋନ୍‌ ଖୁଣ୍ଟଗୁଡ଼ିକ ଗହୀର ବିଲରେ ଠିକ୍‌ ‘ଆଟେନ୍‌ସନ୍‌ ପୋଜିସନ୍‌’–ରେ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି ଚିରକାଳ କେଜାଣି । ଶ୍ୱେତଶଙ୍ଖ ଉପରେ ଭରାଦେଇ ତମ୍ବାତାର ଗୁଡ଼ିକ କି ଜରୁରୀ ସମ୍ବାଦ ବୋହିନେଉଛନ୍ତି ! ଟିକିଏ ପବନ ବୋହିଲେ ବୀଣାତାରରେ ସୁର ଧରିଲା ପରି ବିଳପି ଉଠନ୍ତି । ସେଇ ନିର୍ଜନ ମନୋରମ ତାରଗୁଡ଼ିକ । ପକ୍ଷୀଗୁଡ଼ିକର କଅଁଳ ପାଦର ଆଙ୍ଗୁଳି ଗୁଡ଼ିକୁ ଛୁଇଁ ଛୁଇଁ ।

 

ବୋକା ଛୁଆଟି ସେଇ ନିଶୂନ୍‌ ତାରଗୁଡ଼ିକୁ ଚାହେଁ । ବୁଝିପାରେନା ନିର୍ଜନ ସଙ୍ଗୀତର ରହସ୍ୟ । ମନଟି ତା’ର ଉଦାସ ଖରାବେଳେ କଟାଗୁଡ଼ିର ସୂତାଭଳି ଲାଖି ରହିଥାଏ ଫୋନ୍‌ଖୁଣ୍ଟର ଶ୍ୱେତଶଙ୍ଖରେ ।

 

ମା’ ତା’ର ଖରାରେ ଖଟୁଥାଏ । ବଡ଼ ସଡ଼କ ଧାରେ ମାଟି ଖୋଳା ହେଉଥାଏ । ସେଇ ମାଟି ତଳେ ତଳେ ଏଣିକି ଫୋନ୍‌ ଲାଇନ ଯିବ । ଝଡ଼କୁ ଆଉ ଡ଼ର ନାହିଁ । ତମ୍ବାତାର ଚୋରଙ୍କୁ ବି-

 

ଯେଁଉ ମଜୁରିଆ ଗୁଡ଼ିକ ଦିନରାତି ମାଟି ଖୋଳାରେ ଲାଗିଛନ୍ତି, ସେମାନେ ଜୀବନରେ କେବେ ଫୋନ୍‌ କରିନାହାନ୍ତି । ସେମାନଙ୍କ ପାଇଁ ଜରୁରୀ ବାର୍ତ୍ତା କିଛି ନାହିଁ । ସେମାନେ କେବଳ ମାଟି ଖୋଳି ଖୋଳି ନିଜକୁ କବର ଦିଅନ୍ତି ।

 

ହଠାତ୍‌ ସେଇ ଛୁଆଟି ମୂର୍ଚ୍ଛାଗଲା । ମା’ ତା’ର କାମ ଛାଡ଼ି ପାଗଳିଙ୍କ ଭଳି ପ୍ରଳାପ କଲା-। ସମସ୍ତ ମଜୁରିଆ ମାନେ କାମ ଛାଡ଼ି ଦଉଡ଼ିଲେ । ପିଲାଟା ବୋଧେ ଖରା ସମ୍ଭାଳି ପାରିଲା ନାହିଁ । କିଏ କହିଲା, ନାଇଁ ତା’କୁ ବାତ ମାରୁଛି, ନାଛିଦେଲେ ଭଲ ହେଇଯିବ ।

 

ଠିକାଦାର ଆସି ଲୋକମାନଙ୍କୁ ଘଉଡ଼େଇ ନେଲା । ମା’ ଓ ପିଲାଙ୍କୁ ଧରି ଡାକ୍ତରଖାନାରେ ପହଞ୍ଚିଲା । ଡାକ୍ତର ଇଞ୍ଜେକ୍‌ସନ୍‌ ଦେଲେ । ମା’ର ମଜୁରୀ ପଇସା ଔଷଧ ଓ ପଥିରେ ଲାଗିଲା ।

 

ଆଜି ଡାକ୍ତରଙ୍କ ପ୍ରାଇଭେଟ୍‌ କ୍ଲିନିକ୍‍କୁ ଫୋନ୍‌ ଆସିଛି । ନୂଆ ଫୋନ୍‌ । ଆଉ ଲାଇନ୍‌ ଖରାପ ହେବାର ଭୟ ନାହିଁ । ଖୁଣ୍ଟରେ ଆଉ ଖବର ଆସୁନି । ଏଣିକି ମାଟି ତଳେ ତଳେ ଖବର ।

 

ବଡ଼ ଖୁସିରେ ପ୍ରଥମେ ଡାଏଲ ଘୂରାଇଲେ ଡାକ୍ତର । ଟ୍ରାଏଲ୍‌ ନେଲେ । କିଏ ଜଣେ ଉତ୍ତର ଦେଲା ଫୋନରେ ସାର୍‌, ମାଟି ଖୋଳୁଥିବା ସେଇ ମାଇପିର ଛୁଆଟି ଏଇନେ ମରିଗଲା ।

Image

 

ନିଶା

 

ନିଶାରେ ଟଳୁଟଳୁ ତା’ର ଦୁଇ ଆଖି ଦେଖି ମୋ ମନରେ ତା’ ପ୍ରତି ଥିବା ସମସ୍ତ ସମ୍ମାନ ତୁଟି ଯାଇଥିଲା । ‘‘କିରେ ତୋର କ’ଣ ନାହିଁ । ତୋର ବାପର ଅଚଳାଚଳ ସମ୍ପତ୍ତି ବସି ଖାଇଲେ ସରିବ ନାହିଁ । ଅଯଥା ମଦ ଖାଇ ତୋର ସୁସ୍ଥ ଶରୀରକୁ ନଷ୍ଟ କରୁଛୁ କାହିଁକି ? ସେ କହିଥିଲା ମଦ ଖାଇବା କ’ଣ ପାପ ? ତୁ ମୋତେ ଘୃଣା କରୁଛୁ ନା ମଦକୁ ମୁଁ ଉତ୍ତରରେ କହିଲି–ମଦୁଆଙ୍କୁ । ସେ କହିଲା, ଆମର ଏତେ ଥାଇ ବି କିଛି ନାହିଁ । ମୁଁ କିଛି ଅନୁଭବ କରିପାରୁନି । ପ୍ରାଚୁର୍ଯ୍ୟ ଭିତରେ ରହି ମୋର କ’ଣ ହୋଇଛି କେଜାଣି ମୁଁ ନିଶା ଖାଇ ଜୀବନକୁ ଭୁଲିଯିବାକୁ ଚାହେଁ । ନିଶାର ଯେଉଁ ମହତ୍ୱ–ତୁ ଟିକେ ଚାଖେନା ? ମୁଁ ତା’ ସହିତ ଆଉ ଯୁକ୍ତି କରି ନ ଥିଲି । ଯେହେତୁ ସେ ମୋ କଥା ଶୁଣିବା ଅବସ୍ଥାରେ ନଥିଲା । ତା’ ଘରୁ ଫେରୁ ଫେରୁ ମୋର ଚପଲଟି ଛିଡ଼ିଗଲା । ମୁଁ ମୋ ପରିଚିତ ମୋଚିକୁ ଚପଲଟି ମରାମତି କରିବାକୁ ଦେଲାବେଳକୁ ଦେଖିଲି ସେ ବି ନିଶା ଖାଇ ଟଳମଳ ହେଉଛି । ମୁଁ ତା’କୁ ପଚାରିଲି, କିରେ ତୁ ଏଠି ଜୋତା ସିଲେଇ କରୁଛୁ ନାଁ ମଦ ଖାଇ ଗ୍ରାହକକୁ ଫେରାଉଛୁ । ସେ ଉତ୍ତର ଦେଲା–ବାବୁ ଚାଉଳର ଦର ଯାହା ତା’ ତୁଳନାରେ ମଦ ଅତି ଶସ୍ତା । ଚାଉଳି ହେଉ କି ମହୁଲି ହେଉ ଗ୍ଲାସେ ଲେଖା ସନ୍ଧ୍ୟାରେ ପକାଇଦେଲେ ରାତିରେ ଆଉ ନିଦ ଭାଜୁନି । ତେଣୁ ଭୋକ ହେବ କୁଆଡ଼ୁ । ରାତିକ ଖାଦ୍ୟ ବି ବଞ୍ଚିଯାଉଛି । ତେଣୁ ମୁଁ ଏକୁଟିଆ ତ ଖାଉନି ସାରା ପରିବାରକୁ ଖୁଆଉଛି । କେତେ ଗ୍ଲାସ ମଦବାବୁ ଆମ ପରିବାରକୁ ବଞ୍ଚାଉଛି ।

 

ମୁଁ କି ଉତ୍ତର ନେବି ସ୍ଥିର କରି ପାରି ନଥିଲି । ସେହିଦିନ ସହର କାନ୍ଥରେ ମୁଁ ନିଶାଖୋରମାନଙ୍କ ବିରୁଦ୍ଧରେ ପୁଞ୍ଜିବାଦ ବିରୁଦ୍ଧରେ । ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନମାନ ଲେଖୁଥିଲାବେଳେ ନିଶାରେ ଟୁଳୁମୁଳୁ ହେଉଥିବା ଏକ କନେଷ୍ଟବଳ ମୋତେ ଧମକେଇଲା ଏ କ’ଣ ହେଉଛି ପାଜି ସଇତାନ କାହିଁକା ଥାନାକୁ ଚାଲ ଶଳେ ରାସ୍ତା କାନ୍ଥବାଡ଼ ରଖେଇ ଦେଉନାହାନ୍ତି, ସେ ମୋତେ ଭିଡ଼ି ଭିଡ଼ି ଥାନାକୁ ନେଇଥିଲା । ଥାନା ବାବୁ ନିଶାରେ ଟଳମଳ । ସେ କିଛି ନ ବୁଝି କହିଲେ ହ କ’ଣ କରୁଥିଲା, ଜୁଆ ଖେଳୁଥିଲା ? ନା–ବାବୁ କାନ୍ଥରେ କ’ଣ ଲେଖୁଥିଲା-? ଶଳାକୁ ଗାରଦରେ ଭର୍ତ୍ତି କରିଦିଅ । ସକାଳୁ ମୋତେ ମୁକୁଳେଇବା ପାଇଁ ମୋର ପୁଞ୍ଜିବାଦୀ ବନ୍ଧୁ ପହଞ୍ଚିଥିଲା ଏବଂ କହିଲା, ତୋତେ ଏ ଲେଖାଲେଖିରୁ କ’ଣ ମିଳୁଛିରେ ? କାନ୍ଥବାଡ଼ରେ ଲେଖିଲେ କ’ଣ ବିପ୍ଳବ ହୋଇଯିବ ? ମୁଁ କହିଲି–ଲେଖିବାଟା ହିଁ ମୋର ଏକ ନିଶା-। ତମ ଭଳି ନିଶାଖୋରମାନଙ୍କର ନିଶା ନ ଭାଙ୍ଗିଲା ଯାଏଁ ମୁଁ ଏଭଳି ଲେଖି ଚାଲିଥିବି ।

Image

 

ଶଙ୍ଖ

 

କାଠ ଶଙ୍ଖ କଲେ ବେଶି ଖତରା ହେଇଯିବ । ସିମେଟ୍‌ରେ ଶଙ୍ଖ କଲେ ପୁରୁଷ ପୁରୁଷଯାଏଁ ରହିବ ।

 

ଆଜିକାଲି ପକ୍‌କା ଶଙ୍ଖ କଲେ ବିପଦ । ସବୁ ଶଙ୍ଖ ତଳୁ ବୋମା ଉଦ୍ଧାର ହେଉଛି । ଶଙ୍ଖଟା ଷଡ଼ଯନ୍ତ୍ରର ଗୋଟାଏ ଗୋପନ ସ୍ଥାନ ।

 

ତେଣୁ ଏତେ ପଇସା ଖର୍ଚ୍ଚ କରି ଶଙ୍ଖ ତିଆରି କରିବାର ଆବଶ୍ୟକତା କ’ଣ ? ଛାଡ଼, ବାହାଘରଟା ଯାଉ ଦେଖିବା । ବାହାଘର କରିବା କେମିତି ! ଜୋଇଁଙ୍କର ମଟର ତ ଆସିପାରିବ ନାହିଁ । ଏଣେ କଚାରୋଡ଼କୁ ଦଦରା ଶଙ୍ଖ । ଏଇଟା ବର୍ଷାଦିନ । ନ ହେଲେ ଶଙ୍ଖଟାକୁ ପୋତିଦେଲେ ଚଳନ୍ତା ।

 

ବିବାହ ଦିନ ପାଖେଇ ଆସିଲା । ନିମନ୍ତ୍ରଣ ପତ୍ର ଉପରେ ଶଙ୍ଖର ଛକ । ଦଦରା ଶଙ୍ଖର ନୁହେଁ । ଶୁଭ ଶଙ୍ଖର, କାହାଳୀର, କଦଳୀ ଗଛର, ପୂର୍ଣ୍ଣ କୁମ୍ଭର । ଶୁଭଶଙ୍ଖର ମାଙ୍ଗଳିକ ଧ୍ୱନି । ଶଙ୍ଖୁଆ ଶଙ୍ଖ ଫୁଙ୍କିବାରେ ବ୍ୟସ୍ତ ।

 

ଝିଅର ବେକରେ ସୁନାର ଗହଣା । ଆଙ୍ଗୁଠିରେ ସୁନା ଶଙ୍ଖର ମୁଦି ।

 

ଜୀବନ ହେଉଛି ଗୋଟିଏ ଦଦରା ଶଙ୍ଖ । କେତେବେଳେ ଭାଜିଯାଏ କହିହୁଏନା । ଭଙ୍ଗାଦେହ ଭିତରେ ଶଙ୍ଖତଳର ଜଳଭଳି ରକ୍ତର ସ୍ରୋତ କେତେବେଳେ ଶୁଖିଯାଏ ବାରି ହୁଏନା ।

 

ଏତେ ବଡ଼ ବୟସ୍କା କନ୍ୟାକୁ ତରୁଣ ବର ! ଠିକ୍‌ ଦଦରା ଶଙ୍ଖକୁ ଚଳମାନି ପାଣିର ସ୍ରୋତ !! ଏ ବାହାଘର ହୋଇପାରିବ ନି ।

 

କ’ଣ ହେଲା, ଜମି ଦେବି, ଝିଅକୁ ଆୟ ଅଳଙ୍କାର ଦେଲି ପୁଣି ଜୋଇଁକୁ....

 

କ’ଣ ଗୁଡ଼େ ବେଶୀ ହୋଇଗଲା କି ? ଚୋରା ସମ୍ପତ୍ତି ଜମେଇଥିବା ଦାନୀ ଆଗରେ ପୁଣି ସମାଜବାଦୀ ବର !

 

ଗରିବୀ ହଟାଅ ସଭାରେ ଭାଷଣ ଦେଇ ବିବାହ ଉତ୍ସବରେ ଯୋଗ ଦେବାକୁ ଆସୁଥିବା ମନ୍ତ୍ରୀଙ୍କ ଗାଡ଼ିଟା ଦଦରା ପୋଲ ନିକଟରେ ଗଳି ପଡ଼ିଲା । କେତେକାଳର ପୁରୁଣା ଶଙ୍ଖଟା ଆପେ ଆପେ ଭାଜି ନ ଥିଲେ କିଛିଟା ସମାଧାନ ହେଇ ଯାଇଥାନ୍ତା ।

Image

 

ସୁଇଟର

 

କଳା ଚେମଟା ଦେହ ଭିତରୁ ପଞ୍ଜରାଟା ଫୁଟି ବାହାରି ପଡ଼ିଥିଲା । ସୋରା ସୋରା ହାଡ଼କୁ ଘୋଡ଼େଇ ରଖିଥିଲା ଚମଡ଼ା । କିନ୍ତୁ ଦେହର କଳା ଚମଡ଼ାକୁ ଘୋଡ଼ାଇ ରଖିପାରିବାର ସମ୍ବଳ ତା’ର ନ ଥିଲା । ହୋଟେଲବାଲାର ଅଇଁଠା ଗୋଟାଉଥିବା ପିଲାଟି ପ୍ରତି ଦୃଷ୍ଟି ବା କାହାର ପଡ଼େ ?

 

ଯଦି ବା କାହାର ଆଖିକୁ ଦିଶେ କହିହୁଏ, ତମ ହୋଟେଲରେ ଆଉ ଖାଇବାକୁ ଇଚ୍ଛା ହେଉନି । କେଡ଼େ ଅପରିଷ୍କାର ପିଲାଟାକୁ ରଖିଛ ହେ !

 

ମ୍ୟାନେଜର ବିନୀତ ଭାବରେ କହେ; ସାର୍‌ ! ନା ଏମାନଙ୍କର ଘର ଅଛି ନା ଏମାନଙ୍କର ଠିକଣା ! ଏଇ ପିଲାଟିକୁ ଆଜି ଏଠି ଦେଖୁଛନ୍ତି ତ ଆର ଘଡ଼ିକୁ ଅନ୍ୟ କେଉଁଠି । ଏମାନେ ରାତିସାରା ନିଆଁ ପୁଆଁନ୍ତି । ପୁରୁଣା ସାଇକେଲ ଟାୟାର ଧୂଆଁରେ ଏମାନଙ୍କର ଦେହ କଳା ହୋଇଯାଇଛି ।

 

ସାର୍‌ଙ୍କ ପାଖରେ ଥିବା ମାଡ଼ାମ୍‌ ଏତେ କଥା ଶୁଣିବା ଅବସ୍ଥାରେ ନାହାନ୍ତି । ସାରା ଉଲ୍‌ରେ ଘୋଡ଼ାଇ ରଖିଥିବା କୋଳର ଛୁଆକୁ ସ୍ତନ ଭାଙ୍ଗି ପିଆଇବା ଅପେଷା କନ୍ଦାଇବା ଯେଉଁମାନଙ୍କର ସଉକ, ସେମାନେ ବା କ’ଣ କହନ୍ତେ–ଏଇ ଅପରିଛନିଆଗୁଡ଼ା ମରି ଯାଉ ନାହାନ୍ତି କାହିଁକି ବା ?

 

ମ୍ୟାନେଜର ଆଉ ଟିକେ ଫୁଲଉଠିଲା । ଶଳା ପିଲା ନିଆଁ ଜାଳି ଶୋଉଛୁ ପୋଡ଼ି ମରିବୁ ବେ ! ହଇବେ, କାଲିଠୁ ଯଦି ଦେହ ସଫା ନ କରି ଆସୁ ତତେ ଆଉ ପାଖ ମଡ଼େଇ ଦେବିନାହିଁ ।

 

ବାବୁ, ମୋ ଭିତରେ ନିଆଁ ଅଛି ପରା । ନିଆଁକୁ କ’ଣ ନିଆଁ ପୋଡ଼ିପାରେ । ଆପଣମାନଙ୍କର ମନ ତ ଅଙ୍ଗାର । ନିଆଁର ରାଗ ସିନା ଆପଣଙ୍କୁ ଛୁଇଁବ । ଖରା ଦେହକୁ ଜାଳିବ-। ଶୀତ ମନକୁ ଧରିବ । କୋହଲା ପବନ ବାଧିବ । ହେଲେ ମୋର ହାଡ଼ ସମ୍ଭାଳି ନେବ ଶୀତର ଜାଡ଼ ।

 

ପିଲାଟିର ଅକୁହା ଭାବକୁ ଠଉରାଇ ପାରି ନ ଥିଲେ ମାଡ଼ାମ୍‌ । ସ୍ୱାମୀ ଉଦ୍ଦେଶ୍ୟରେ ଟେବୁଲ ଉପରେ ପଡ଼ିଥିବା ଖବରକାଗଜଟିକୁ ଦେଖେଇ କହିଲେ, ହଇହେ ! ଦିଲ୍ଲୀରେ ଶୀତର ଡ଼ିଗ୍ରୀ ବଢ଼ିଯାଇଛି–ସୀତୁ ଏ ସମୟରେ ଷ୍ଟଡ଼ିଟୁର୍‌ରେ ନ ଯାଇଥିଲେ ଚଳି ନଥାନ୍ତା !

 

ଏଇ ପିଲାଟିକୁ ଦେଖୁଛ ତ ! ଏମାନଙ୍କ ପାଇଁ କିଏ ଅଛି ? ନା ଏମାନଙ୍କର ବାପା ଅଛି ନା ମାଆ ! ନା ଏମାନଙ୍କର ଅଛି ଚିନ୍ତା ନା ଅନୁଶୋଚନା ! ଭଦ୍ରଲୋକ ଏତିକି କହୁ ନକହୁ ମହିଳାଜଣକ ସୁଇଟର ବୁଣିବାର ଛଳନା କରୁଥିଲେ ।

Image

 

ପାଣିକୁଆ

 

ପାଣିକୁଆଟିର ବୁଡ଼ିବୁଡ଼ି ମାଛ ଖାଇବାର ଅଭ୍ୟାସ ଜନ୍ମଗତ । କୂଳରେ ଠିଆହୋଇ ପୋଖରୀ ଭିତରକୁ ଟେକା ଫିଙ୍ଗିବା ଚଗଲା ଛୁଆଟିର ସେମିତି ଏକରକମ ବଦଭ୍ୟାସ ।

 

ପାଣିକୁଆ ଉଠିପଡ଼ୁଛି, ପୁଣି ଟୁବ୍‌କିନା ବୁଡ଼ିଯାଉଛି । ପାଣିରୁ ମାଛଟେ ଗିଳି ଉଠିଲା ବେଳକୁ ଟେକାଟା ତା’ର ଡେଣାରେ ବାଜିଯିବ ବୋଲି ଟୋକାଟା ଜାଣି ନ ଥିଲା ।

 

ପୋଖରୀ କୂଳେ ରହୁଥିବା ଧର୍ମପ୍ରାଣ ମହିଳାମାନେ ପ୍ରଳାପ କଲେ । କ’ଣ କଲା ଟୋକାଟା ! କେଡ଼େ ପାପ କଲା ! କେତେ ସୁନ୍ଦର ଖେଳୁଥିଲା ପାଣି କୁଆଟା ! ହାତ ଯଦି ଖଲ ଖଲ ହେଉଥିଲା, ତେବେ ଆମ୍ବକୁ ଟେକା ମାରିଲାନି । ରସ ନ ମିଳିଲେ ବି ଟାକୁଆ ଚାଟିଥାନ୍ତା । ଜୀବଟାକୁ କଲବଲ କରି କ’ଣ ପାଇଲା ?

 

ପୋଖରୀର ମାଲିକ ମହିଳାମାନଙ୍କର ବିକଳ ପ୍ରଳାପ ଶୁଣି କିଛି ବୁଝି ନ ବୁଝି ଠାଏକିନା ଶକ୍ତି ଚାପୁଡ଼ାଏ କସିଦେଲେ ଟୋକାର ଗାଲକୁ । ମୁଣ୍ଡ ବୁଲେଇ ଭ୍ରମରେ ତଳେ କଚାଡ଼ି ହୋଇପଡ଼ିଲା ପିଲାଟି ।

 

ବେକ ଭାଙ୍ଗି ପାଣିରେ ପଡ଼ିଥିବା କୁଆଟି ଭାସି ଭାସି କୂଳରେ ଲାଗି ଝାଡ଼ୁଝୁଡ଼ି ଡେଣା ଜାକି ପାହାଚରେ ଠିଆହେଲା ବେଳକୁ ଗୁଡ଼ାଏ ଉଡ଼ାନ୍ତ କାଉ କୁଆଡ଼ୁ ଉଡ଼ିଆସି ତା’କୁ ଖୁମ୍ପିବାକୁ ଆରମ୍ଭ କଲେ ।

 

ଏହି ଗହଳି ଚହଳି ଭିତରେ ଅନ୍ୟ କେଉଁ ଆଡ଼ିକାର ଅପରିଚିତ ଲୋକଟିଏ କାଉମାନଙ୍କର ଆକ୍ରମଣରୁ ପାଣିକୁଆଟିକୁ ଉଦ୍ଧାର କଲା । ସମସ୍ତେ ତା’ ନିକଟକୁ ଦଉଡ଼ିଲେ ।

 

ସେ ଅତି ତରବରରେ ପାଣିକୁଆଟିର ବେକମୋଡ଼ି ଦେଇ ନିଜ ଅଣ୍ଟାରେ ଭରି ଦେଇ କହିଲା–ମୋତେ ଭାରି ଭୋକ, ମୁଁ ଏହାକୁ ରାନ୍ଧି ଖାଇବି ।

 

କିନ୍ତୁ କେହି ପାଣିକୁଆଟିକୁ ରକ୍ଷା କରିବା ଦୂରେ ଥାଉ ପ୍ରତିବାଦ କରିବାର ସାହସ କରି ପାରି ନ ଥିଲେ ।

Image

 

ପ୍ରୀତି ଓ ପାଇଖାନା

 

ତୁମେ ଜାତିର କ’ଣ ? ମଣିଷ । ମାନେ ବର୍ଣ୍ଣରେ କ’ଣ ? କଳା । ଓହୋ ବୁଝିପାରୁନ କି-! ତମେ ବ୍ରାହ୍ମଣ, କି କ୍ଷତ୍ରୀୟ, ଶୁଦ୍ର !!

 

ମୁଁ ଜାତିପ୍ରଥା ଉପରେ ବିଶ୍ୱାସ କରେନି । ବିଶ୍ୱରେ ଗୋଟିଏ ଜାତି, ମଣିଷ ଜାତି । ରକ୍ତର ରଙ୍ଗ, ସୂର୍ଯ୍ୟର ରଙ୍ଗ, ନାଲି ତରଙ୍ଗ ।

 

ସେ ବିରକ୍ତରେ କହିଲେ, ପଶୁର ରଙ୍ଗ ବି ନାଲି । ତା’ ବୋଲି ମଣିଷ ଓ ପଶୁ ଏକ ହେବେ କିପରି !

 

ମୋର ପ୍ରତ୍ୟୁତ୍ତର ବି ଅତି ନିଷ୍ଠୁର ଥିଲା । ପଶୁକୁ ହାଣିଦେଲେ ଯଦି ଘାସର ଗନ୍ଧ ବାହାରେ, ତେବେ ତୁମ ଭଳି ମଣିଷର ଦେହକୁ କାଟିଦେଲେ ଗୁହର ଗନ୍ଧ ବାହାରିବ ନିଶ୍ଚୟ । ତୁମର ମନ ହିଁ ଛୁଆଁ ଅଛୁଆଁ, ଭେଦଭାବର ଏକ କୁତ୍ସିତ ଗନ୍ତାଘର । ଯା ଭିତରେ ଅହରହ ପେଶି ହୋଇ ଅଣନିଃଶ୍ୱାସୀ ହୋଇପଡ଼ିଛି ଆଜିର ସମାଜ ଓ ସଭ୍ୟତା ।

 

ସେ ମୋତେ ଘୃଣା କରିବାକୁ ଆରମ୍ଭ କରିଥିଲେ । ଶେଷରେ କହିଲେ, ପାଠ ପଢ଼ିଲ ବୋଲି ତମ ମୁହଁ ସବୁ ଉପରକୁ ହୋଇଗଲା । ହଇହୋ ପାଇଖାନା କଢ଼ା ଲୋକ ପାଖେ ବସିଲେ ଗନ୍ଧ କୁଆଡ଼େ ଯିବ !

 

ତେବେ ତମ ହାତଟା ବି ଗନ୍ଧଉଥିବ । ନଖ କଣରେ ମଇଳା ବି ରହିଥିବ । ତମେ ଝାଡ଼ା ଫେରିସାରି ନିଜେ ଶୌଚ ହେଉଛ ନା ଲୋକ ରଖିଛ ?

 

ତାଙ୍କ ମୁହଁଟା ହଠାତ୍‌ କଳା ପଡ଼ିଗଲା । ତଥାପି ଗାଲୁ ଠେଲି କହିଲେ, ସେ ଅପରିଚ୍ଛିନ୍ନ କଥାଗୁଡ଼ାକ ଆଉ ପକାନା । ପଶୁମାଂସ ଖାଉଥବା ଲୋକ ଗୁଡ଼ାକର ବଦପ୍ରକୃତି ଯୋଗୁ ଘୃଣା ଲାଗେ ।

 

ତମେ ତ ନିତି ମଣିଷ ମାଂସ ଖାଅ ।

 

ସେ କହିଲେ, ରାମ...ରାମ...ରାମ । ତମ ରାମ ବି ଶବରୀ ଘରେ ଖାଇଥିଲେ । ରାମଲୀଳା, କୃଷ୍ଣକେଳି କରି ଧରମ କର । ଏଣେ ଲୋକଙ୍କୁ ଗୋଇଠା ମାର ।

 

ନାଇଁମ ! ସେ ଗୁଡ଼ାକ ନିଶା ପିଉଛନ୍ତି । ତମେ କ’ଣ ପିଉନ । ସେମାନେ ଖଜୁରୀତାଡ଼ି ପିଇଲା ବେଳକୁ ତମେ ଜଉମୁଦଦିଆ ଅଙ୍ଗୁରମଦ ପିଇ ପୀରତି କରୁଛ !

 

ପୀରତି କଥା ପଡ଼ିଲା ବେଳେ ତାଙ୍କ ପାଟିରୁ ଲାଳ ବୋହି ପଡ଼େ । ଅତୀତଟା ଖାଲି ଉବୁକେଇ ଉଠେ । ସେ ଭାବପ୍ରବଣ ହୋଇ କହିପକାଇଲେ, ପୀରତି କିଏ ନ କରୁଛି ? ଯେ ନ କରିଛି ସେ ମଣିଷ ନୁହେଁ । ବୁଝିଲ ! କ’ଣ କହିବି ? ସେତେବେଳେ ମୋର କଞ୍ଚା ବୟସ । ଗଜାଟୋକା । ଆମ ଗାଁକୁ ବଇଁଚକୋଳି ବିକି ଆଣୁଥିବା ଝିଅଟା ଉପରେ ମୋ ଆଖିଥିଲା । ତା’କୁ ଦେଖିଲା ମାତ୍ରେ ମୋ ମନଟା କ’ଣ ହେଇଯାଏ । ଖାଲି ଅଣ୍ଟି ଅଣ୍ଟି କୋଳି କିଣି ପକାଏ । ଦିନେ ବାଗ ଉଣ୍ଡି ଆମ ବାରିଆଡ଼ ପାଇଖାନା ପାଖେ ତା’ର ଡେଣାକୁ ଧରିପକେଇଲି.....

 

ସେ ତମ ଗାଲକୁ ନିଶ୍ଚୟ ଚଟକଣିଟିଏ ଦେଇଥିବ । ସେ ଜାତିରେ କ’ଣ ? ପ୍ରୀତି କଲାବେଳେ ଆଉ ଜାତି ମନେପଡ଼ୁଛି ! ପାଶବିକତା ପାଖେ ପୁଣି ପାଇଖାନା ଗନ୍ଧ ।

 

ଆହା ସେ କୋଳିବିକାଳୀ ନାରୀ ! ନିରୀହା । ହେ ଯୌନ ଜାତିର ପୌରୁଷ ! ତୁମେ ଅହମିକାର ପୁରୁଷ ନୁହଁ–ପଶୁ । କେତେ ଘୃଣ୍ୟ ସତେ ! ସେ ମୋ ସହିତ ଆଉ ଯୁକ୍ତି କରି ନଥିଲେ-

Image

 

ମସୁରୀ

 

ଚଳମାନ ଚିମିନିର ହାବୁକାଏ ଧୂଆଁ ପକ୍ଷୀମାନଙ୍କର ଗତିରୋଧ କରିପାରି ନ ଥିଲା । ଆକାଶଟା ଯଦି ଧୂଆଁରେ ଛାଇଯାଏ, ଚୁନା ଚୁନା ବାଦଲମାନେ ଧୂଆଁ ପିଇ ନ ପାରିଲେ ବି ପକ୍ଷୀମାନଙ୍କର ଅଣନିଃଶ୍ୱାସୀ ହେବାର ପ୍ରଶ୍ନ ଉଠୁନି ।

 

ମ୍ୟାନେଜିଂ ଡାଇରେକ୍ଟରଙ୍କ ଝିଅ କମ୍ପାନୀ କଲୋନୀର ଅନାଥଠାରୁ ଏଇ ପଦକ କଥା ଶୁଣି ବୁଝିପାରି ନଥିଲା । ପୁଣି ସେ କହିଲା, ଏନେ ଅସନା ଘର, ରହୁଛ କେମିତି ? ମସୁରୀ ନାହିଁ, ନିଦ ହେଉଛି ତୁମକୁ !

 

ପଇସା ନାହିଁ କିଣିବୁ କେଉଁଠୁ ? ବୋନସ୍‌ ପାଇଁ ପାଟି କରିବାରୁ ମୋ ବାପା ପରା ଜେଲରେ !! ପୋଲିସ ବାହିନୀ ସିନା ତମର ନିରାପତ୍ତା ପାଇଁ ମସୁରୀ ଭଳି ବଙ୍ଗ୍‌ଲୋ ଚାରିପଟେ ଛାଉଣୀ ପକେଇଛନ୍ତି । ଆମେ ତ ତମ ବାପା ଆଗରେ ମଶା ହୋଇଯାଇଛୁ । ଆମ ପାଇଁ ଅଛି ଟିଅରଗ୍ୟାସ୍‌ର ଡ଼ି.ଟି.ଟି । ତୁମକୁ ଯୁକ୍ତିରେ ପାରି ହେବନି କହି ଚାଲିଯାଇଥିଲା ଝିଅଟି ।

 

ପରଦିନ ଅନାଥ ଶୁଣିଲା, ବାବୁଙ୍କ ଝିଅ ହରଣଚାଳ ହୋଇଛି । ପୋଲିସ୍‌ ଘେର ଭିତରୁ ପୁଣି ଏହା ସମ୍ଭବ ହୋଇପାରିଲା ? ସେ ବିଶ୍ୱାସ କରିପାରିଲାନି । ଦିନେ ସନ୍ଧ୍ୟାରେ ଅନାଥ ଦେଖିଲା, ଝିଅଟି ଗୋଟିଏ ଅଜଣା ପୁରୁଷର ହାତଧରି ହୋଟେଲରୁ ବାହାରୁଛି । ଚମକି ପଡ଼ିଥିଲା ସେ । ଝିଅଟି ତା’କୁ ଡାକି କହିଲା, କାହାକୁ କହିବ ନାହିଁ, ମୁଁ ତମ ପାଇଁ ଗୋଟିଏ ମସୁରୀ କିଣିଦେବି । ସେଥିପାଇଁ ବଜାରରେ ବୁଲୁଛି ।

 

ଅନାଥ କହିଲା, ମସୁରୀ ମୋର ଦରକାର ନାହିଁ । ତୁମରି ପାଇଁ ଆମ ଧର୍ମଘଟ ସଫଳ ହୋଇଛି । ତମରି ଚିନ୍ତାରେ ସଢ଼ି ସଢ଼ି ତମ ବାପା ଆମର ଦାବି ପୂରଣ କରିଦେଇଛନ୍ତି । ଏଣିକି ଆମେ ସମସ୍ତେ ମସୁରୀ କିଣିବୁ । ତୁମେ ଖାଲି ମଝିରେ ମଝିରେ ଏମିତି ହରଣଚାଳ ହେଉଥିଲେ ହେଲା ।

Image

 

ପତାକା

 

ଆକାଶରେ ଫୁଟୁଥିବା ତାରାଗୁଡ଼ିକ, ତାଙ୍କର ଆଖି ମିଞ୍ଜି ମିଞ୍ଜି । ଜୁଳୁଜୁଳୁ । ତାରାଗୁଡ଼ିକର ସଂଖ୍ୟା ନିର୍ଣ୍ଣୟ କରିବା ପାଇଁ କେତେଥର ସେ ଶୂନ୍ୟ ଆକାଶକୁ ନ ଚାହିଁଛି ! ଲୁହ ଗଡ଼ିଚି । କୋଣରେ ଜମିଉଠିଚି ନେଞ୍ଜରା । କ୍ଲାନ୍ତ ଆଖିରେ ନିଦ ଜମିଯାଏ । ଯେମିତି ଅଦିନ କୁହୁଡ଼ିରେ ଲିଭିଯାଏ ଥରେ ଥରେ ଆକାଶ ।

 

ଆଜି କିନ୍ତୁ ସେ ଭାବୁଚି ଆକାଶରେ ତାରା ଗଣିବା ସହଜ, ହେଲେ ଏ ସନ୍ଧ୍ୟା ଆକାଶର ତଳେ ଜନତାର ଏ ଯେଉଁ ପଲଟଣ ୟା’ର କଳନାକରି ନିର୍ଭୁଲ ଗଣନାରେ ଉପନୀତ ହେବା ଆଦୌ ସମ୍ଭବ ନୁହେଁ ।

 

କ’ଣ ପାଇଁ ଏତେ ଲୋକ ! କାହିଁକି ଏ ସମାରୋହ । ତା’ର ଖୁଜୁବୁଜୁ ବୁଦ୍ଧିକୁ ଯେତେ ବାଆଁରେଇଲେ ବି ସେ ନଛୋଡ଼ବନ୍ଧା । ଆଚ୍ଛା, ଏତେ ପତାକା କାହିଁକି ଉଡ଼ୁଚି !!...

 

ଛୁଆର ଜିଦି ଆଗରେ ମାଆର ମମତା କି ଛାର ! ଅବୋଧ ଶିଶୁକୁ ବୁଝାଇବାର ଧୈର୍ଯ୍ୟ ମା’ର ଆଉ ନଥିଲା । ‘‘ଆଚ୍ଛା, ଏତେ ପୋଲିସ କାହିଁକି ବୁଲୁଛନ୍ତି ? ଆହାରି, ଆହାରି ଏମାନଙ୍କୁ ବିଶ୍ୱାସ ନାହିଁ; ବାନ୍ଧିନେବେ ।

 

ମାଆ ମନରେ ବ୍ୟାକୁଳ ଜିଜ୍ଞାସା । ‘‘ପୁଅ ଫେରିଲା ନାହିଁ କାହିଁକି ?’’

 

ଠିକ୍‌ ଛାଇଛାଇଆ ଅନ୍ଧକାର ଭିତରେ ସେ ପାଟି କରିଥିଲା, ‘‘ମାଆ ଡିବି ଆଣେ । ଦେଖିବୁ ମୁଁ କ’ଣ ପିନ୍ଧିଛି ।’’

 

ମାଆ ଜିଭ କାମୁଡ଼ିଦେଲା, ‘‘ହଇରେ, ୟାକୁ ତୁ କୋଉଠୁ ଆଣିଲୁ !’’

 

ଯାତ୍ରା ପଡ଼ିଆରେ ପଡ଼ିଥିଲା ମା ! ଏକଦମ ଅରଖ ନୂଆ ଟୁଆଲୁଟା । ପଡ଼ିଶା ଘରର ବନୁ ଲୁଗା ପିନ୍ଧିଲା–ମୁଁ ପିନ୍ଧିବିନି !

 

ମାଆ ଜବରଦସ୍ତି ପୁଅକୁ ଲଙ୍ଗଳା କଲା । ଲଙ୍ଗଳା ରହିବା ଆମ ଜାତକରେ ଲେଖା । ଖୁଣ୍ଟରୁ ଖସି ପଡ଼ିଥିବା ଜାତୀୟ ପତାକାଟା ପିନ୍ଧିଲେ ପୋଲିସ ବାନ୍ଧିନେବ ଜାଣୁ !

 

ପୁଅର ସେଇ ଜିଦ୍‌, ମୁଁ ଆଉ ଲଙ୍ଗଳା ରହିପାରିବିନି ମାଆ ।

Image